Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀଙ୍କୁ ହତ୍ୟା ଘଟଣା: ୨ ଗିରଫ, ବ୍ୟବହୃତ କାର୍ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଅଚିହ୍ନା ଯୁବତୀର ଶବ ଚିହ୍ନଟ ଏବଂ ତାହାର ହତ୍ୟାକାରୀକୁ ଧରିବା ପାଇଁ ଜଗନ୍ନାଥପ୍ରସାଦ ପୋଲିସ୍ ବହୁ କଷ୍ଟ ସ୍ୱୀକାର କରି ଶେଷରେ ସଫଳତା ପାଇଛି। ଏନେଇ ଗଂଜାମ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟାକରି ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଶବକୁ ଫିଙ୍ଗିବା ଘଟଣା ବିଷୟରେ ସୂଚନା ଦେଇଥିଲେ। ହତ୍ୟା ଘଟଣାରେ ପୋଲିସ୍ ନୟାଗଡ଼ ଜିଲ୍ଲା ଫତେଗଡ଼, ପଥରପୁଂଜି ଗ୍ରାମର ମାନେଶ ରଂଜନ ପାଇଲ୍‌କ୍ରେ (୩୫) ଏବଂ ସରୋଜିନି ସାହୁ ଓରଫ୍ ଜିନା (୩୧)କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଗୋଟିଏ ସିଭଲେଟ୍ କାର ଏବଂ ଛଅଟି ମୋବାଇଲ୍ ଫୋନ୍‌କୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଗତ ୨.୧୨.୨୦୨୦ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୁଷଣ୍ଡାପଲ୍ଲି ଗ୍ରାମର ଏକ ଧାନବିଲ୍‌ରେ ଜଣେ ଅଚିହ୍ନା ଯୁବତୀ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗନ୍ନାଥପ୍ରସାଦ ପୋଲିସ୍ ଥାନା କେସ ନଂ ୨୮୪/୨୦୨୦, ୟୁ/ଏସ୍ ୩୦୨/୨୦୧ ଆଇପିସିରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ଡ଼ଗସ୍କ୍ୱାର୍ଡ଼ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ଶବକୁ ଭଂଜନଗର ସବ୍‌ଡ଼ିଭିଜନାଲ୍ ହସ୍‌ପିଟାଲ୍‌ରେ ରଖାଗଲା। କିନ୍ତୁ ୭୨ ଘଣ୍ଟା ପରେ ଶବ ଚିହ୍ନଟ ନ ହେବାରୁ ନିୟମ ମୁତାବକ ଯୁବତୀର ଦାହ ସଂସ୍କାର କରାଯାଇଥିଲା।

ଏହି ହତ୍ୟାଘଟଣାର ପର୍ଦ୍ଦାଫାସ କରିବା ପାଇଁ ଗଂଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ତଥା ଭଂଜନଗର ଏସ୍‌ଡ଼ିପିଓଙ୍କ ତତ୍ତ୍ୱାବଧାନରେ ବଛାବଛା ଅଫସିରଙ୍କୁ ନେଇ ୫ଟି ଟିମ୍ ଗଠିତ ହୋଇଥିଲା। ଟିମ୍‌ଗୁଡ଼ିକ ଭୁବେନଶ୍ୱର, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ପ୍ରଭୃତି ଅଂଚଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। କେବଳ ଯୁବତୀଟି ଭୁବନେଶ୍ୱର ହୋଇଥିବା ଛଡ଼ା ଅନ୍ୟ କୌଣସି ସୁଫଳ ମିଳିନଥିଲା।

ଏହାପରେ ତଦନ୍ତର ଦିଗ କେବଳ ଭୁବେଶ୍ୱରରେ କେନ୍ଦ୍ରିଭୂତ ହୋଇଥିଲା। ଯୁବତୀର ଫଟୋଟିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ, ପୋଲିସ ଅଫିସର ଗ୍ରୁପ, ନିରୁଦ୍ଦିଷ୍ଟ ମାମଲା ଆଦି ନେଇ ବିଭିନ୍ନ ଥାନାରେ ଖୋଜା ଯାଇଥିଲା। ଶେଷରେ ଜଗନ୍ନାଥପ୍ରସାଦ ପୋଲିସ୍‌କୁ ଏକ ସୁରାକ ମିଳିବାରୁ ଆଇଆଇସି ଦିଲିପ ସ୍ୱାଇଁ ଭୁବନେଶ୍ୱରେ ଡ଼େରା ପକାଇ ଉକ୍ତ ସୋର୍ସକୁ ତଦନ୍ତ କରିଥିଲେ।

ଏହାପରେ ଝିଅଟିର ବାପାଙ୍କୁ ଠାବ କରି ଡ଼ିଏନ୍‌ଏ ଟେଷ୍ଟ କରିବା ପରେ ଶବଟିକୁ ପରିଚୟ ମିଳିଥିଲା। ପରେ ଯୁବତୀଟି କାମ କରୁଥିବା ସ୍ଥାନଗୁଡ଼ିକରେ ପଚରାଉଚରା ଆରମ୍ଭ କରିଥିଲା ପୋଲିସ୍। ପରେ କିଛି ଅଭିଯୁକ୍ତକୁ ପଚରାଉଚରା ପରେ ଉପରୋକ୍ତ ଦୁଇଜଣ ଏହି ଘଟଣା ଘଟାଇଥିବା ମାନିଥିଲେ।

ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ଭୁବନେଶ୍ୱରରେ ତାଙ୍କ ଘରେ ହତ୍ୟା କରିବା ପରେ ଓଲା କାର୍ (ଓଡ଼ି ୩୩ ଏମ୍ ୩୦୧୪)ରେ ଭୁଷଣ୍ଡାପଲା ଗ୍ରାମକୁ ଆଣି ଫିଙ୍ଗି ଦେଇଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ହତ୍ୟା ହୋଇଥିବା ସ୍ଥାନକୁ ସିଲ୍ କରି ଅଧିକ ଅନୁସନ୍ଧାନ ଜାରି ରଖିଥିବା ଗଂଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।