Categories
ଆଞ୍ଚଳିକ

କୁକୁରଙ୍କ ଆଶ୍ରୟସ୍ଥଳ ପାଲଟିଛି ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିରବ

ବାଣପୁର (ସୀତାରାମ ଅଗ୍ରୱାଲ): ଗତ ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଗବତୀ ମନ୍ଦିର ପରିସରରେ ଅବସ୍ଥିତ ଏଣ୍ଡାଓମେଣ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଚପଲ ରଖିବା ଖବର ‘ସମୀକ୍ଷା’ ରେ ପ୍ରକାଶିତ ହୋଇଥିଲା। ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ବେଳେ ତାଙ୍କରି କାର୍ଯ୍ୟାଳୟ ସମ୍ମୁଖରେ ଅବାଧ ଚପଲ ପ୍ରବେଶ ଭକ୍ତଙ୍କ ଧାର୍ମିକ ଭାବନାକୁ ମର୍ମାହତ କରିଛି। ତେବେ ଆଶ୍ଚର୍ଯ୍ୟର କଥା ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତିପିଠ ଯାହାକି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ୫-ଟି ଉପକ୍ରମରେ ସାମିଲ ହୋଇଛି, ହେଲେ ସେଠାରେ ଏବେ ବିଭିନ୍ନ ଅନିୟମିତତା ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜାଣତରେ ହେଉଥିବାର ଅଭିଯୋଗ ହେଉଛି।

ତେବେ ଗତକାଲି ଅପରାହ୍ନରେ ପୁଣି ଏକ ଲଜ୍ୟାଜନକ ଦୃଶ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି। ମା’ ଙ୍କ ନାଟମଣ୍ଡପରେ ଯେଉଁଠି ଭକ୍ତମାନେ ବସି ଆଶୀର୍ବାଦ ଲାଭ କରନ୍ତି ସେଠାରେ ଏକ କୁକୁର ଶୋଇଥିବାର ଦେଖିବାକୁ ମିଳିଛି। ଉକ୍ତ ଦୃଶ୍ୟ ରାଜ୍ୟର କୋଣଅନୁକୋଣରୁ ଆସୁଥିବା ଭକ୍ତ ଏବଂ ସ୍ଥାନୀୟ ଅଞ୍ଚଳବାସିଙ୍କ ବିଶ୍ୱାସକୁ ଶକ୍ତ କୁଠାରଘାତ ଦେଇଛି।

ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଦ୍ୱାରା ପରିଚାଳିତ ଉକ୍ତ ଶକ୍ତିପିଠ ମଧ୍ୟରେ ନାଟମଣ୍ଡପ ପର୍ଯ୍ୟନ୍ତ କୁକୁର କିପରି ପ୍ରବେଶ କରୁଛି। ସରକାରଙ୍କ ଦ୍ୱାରା ନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଛନ୍ତି କଣ? ଯେଉଁ ମନ୍ଦିରକୁ ଖୋଦ ୫-ଟି ସଚିବ ଭିକେ ପାଣ୍ଡିଆନ ପରିଦର୍ଶନ କରି ଉନ୍ନୟନ ପାଇଁ ଅନୁଦାନ ଘୋଷଣା କରୁଛନ୍ତି, କିନ୍ତୁ ସେପଟେ ଏପରି ଦୃଶ୍ୟ ମା’ ଭଗବତୀ ମନ୍ଦିରର ଛବିକୁ ମଳିନ କରିଛି।

ବର୍ତ୍ତମାନ ମା’ ଭଗବତୀଙ୍କ ଶାରଦୀୟ ପର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମନ୍ଦିର ପରିସରରେ ଏପରି ଦୃଶ୍ୟ ଭକ୍ତ ମାନଙ୍କୁ ବ୍ୟଥିତ କରିଛି। ମା’ ଭଗବତୀ ମନ୍ଦିର ଖୋର୍ଦ୍ଧା ଜିଲ୍ଲାର ଗୌରବ ସାଜିଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ଏଣ୍ଡାଓମେଣ୍ଟ ସଭାପତି ତଥା ସ୍ଥାନୀୟ ତହସିଲଦାର ଏ ଦିଗରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।