Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଘଟଣାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ମୃତ୍ୟୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁକୁଡ଼ାକଣ୍ଡି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ସ୍ୱର୍ଗତ ରାମଚନ୍ଦ୍ର ସେଠୀଙ୍କ ଧର୍ମପତ୍ନୀ ଶକୁନ୍ତଳା ସେଠୀଙ୍କ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଖବରନେବାରେ ଜଣାଯାଇଛି ସ୍ୱର୍ଗତା ସେଠୀ ନିଜର ଜ୍ୟେଷ୍ଠପୁତ୍ର ବ୍ରହ୍ମପୁର ମେଡ଼ିକାଲ୍ କଲେଜର ଶଲ୍ୟ ବିଭାଗର ଏସୋସିଏଟ୍ ପ୍ରଫେସର ଡ. ମନୋଜ କୁମାର ସେଠୀଙ୍କ ସହ ଭଂଜନଗରରୁ ଏକ ବିବାହ ଉତ୍ସବରେ ଯୋଗଦେଇ କାର୍ ଯୋଗେ ଫେରୁଥିବାବେଳେ ଗାଙ୍ଗପୁରଠାରେ ଦୁର୍ଘଟଣା ଘଟିଥିଲା। ସଂଗେ ସଂଗେ ଗାଙ୍ଗପୁର ପ୍ରାଥମିକ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା କରି ବ୍ରହ୍ମପୁର ଅଣାଯାଉଥିôବାବେଳେ ଦେହାନ୍ତ ଘଟିଥିଲା। ସୋମବାର ଦିନ ନିଜ ଗ୍ରାମ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୁଟବଗଡ଼ଠାରେ ଅନ୍ତେଷ୍ଟିକ୍ରିୟା ସଂପନ୍ନ ହୋଇଛି। କନିଷ୍ଠ ପୁତ୍ର ମେଡ଼ିକାଲ୍ କଲେଜ ନିଶ୍ଚେତକ ବିଭାଗର ଡା. ପଙ୍କଜ କୁମାର ସେଠୀ ମୁଖାଗ୍ନି ଦେଇଥିଲେ।

ସ୍ୱର୍ଗତା ଶକୁନ୍ତଳା ସେଠୀ ଜଣେ ଶାନ୍ତି, ସରଳ ତଥା ମିଷ୍ଟଭାଷି ଧର୍ମପରାୟଣା ମହିଳା ରୂପେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ଦେହାନ୍ତରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଶବ ସତ୍କାରବେଳେ ଗ୍ରାମର ଜନସାଧାରଣ, ଆତ୍ମୀୟ ସ୍ୱଜନ ସମେତ ବିଜେଡ଼ିର ବରିଷ୍ଠ ନେତା ଡି. ବିଶ୍ୱନାଥ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବି. ସୁଦାମ, କେଟିଏନ୍‌ପୁର ବରିଷ୍ଠ ନାଗରିକ ମଂଚର ସଭାପତି ନରହରି ପ୍ରଧାନ, ସଂପାଦକ ବାଉରୀବନ୍ଧୁ ସାହୁ ପ୍ରମୁଖ ଯୋଗଦେଇ ଶେଷ ସମ୍ମାନ ଜଣାଇଥିଲେ।