Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଚାଷୀଙ୍କ ପାଇଁ ଉଦଘାଟିତ ହେଲା କୃଷକ ନିବାସ

ଭୁବନେଶ୍ବର: ଅଧିକ ଅମଳ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ଉନ୍ନତ ମାନର ପରୀକ୍ଷିତ ବିହନର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ପ୍ରାମାଣିକ ବିହନ ଯୋଗାଇଦେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଭୁବନେଶ୍ୱରସ୍ଥିତ ରାଜ୍ୟ ବିହନ ପରୀକ୍ଷାଗାରର ସଂପ୍ରସାରଣ ସହିତ ଚାଷୀମାନଙ୍କ ସୁବିଧା ପାଇଁ ନୂତନ କୃଷକନିବାସ ନିର୍ମାଣ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷିଭିତ୍ତିକ ମହାନ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସଂପ୍ରସାରିତ ରାଜ୍ୟ ବିହନ ପରୀକ୍ଷାଗାର ଓ ନୂତନ କୃଷକନିବାସକୁ ଉଦ୍‌ଘାଟନ କରିଛନ୍ତି ।

ରାଜ୍ୟ ବିହନ ପରୀକ୍ଷଣ କେନ୍ଦ୍ରକୁ ଅନ୍ତର୍ଜାତୀୟ ମାନକୁ ଉନ୍ନୀତ କରିବା ଓ ଏଠାରେ ଚାଷୀ ଏବଂ ବିଭାଗୀୟ କର୍ମକର୍ତ୍ତାଙ୍କ ସମେତ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ବିହନ ପରୀକ୍ଷଣ ଦିଗରେ ଆଧୁନିକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

୧୯୬୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପରୀକ୍ଷାଗାର ଚାଷୀମାନଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପରୀକ୍ଷାଗାରରେ ବର୍ଷକୁ ଚାଷୀମାନଙ୍କ ଦ୍ୱାରା ସଂରକ୍ଷିତ ୧୨ ହଜାରରୁ ୧୬ ହଜାର ବିହନ ନମୁନାର ଗୁଣାତ୍ମକ ମାନ ଯାଞ୍ଚ କରାଯାଉଛି । ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିନ୍‌ ବ୍ୟାଙ୍କ୍‌ ପ୍ରତିଷ୍ଠା କରାଯାଇଛି, ଯାହା ସମଗ୍ର ଦେଶରେ ଏକ ନିଆରା ଜିନ୍‌ ବ୍ୟାଙ୍କ୍‌ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଜିନ୍‌ ବ୍ୟାଙ୍କ୍‌ରେ ୧୦୭୮ କିସମର ସ୍ଥାନୀୟ ଧାନ ବିହନ ଓ ୨୮୩ଟି ଅଣଧାନ ବିହନ ସଂରକ୍ଷିତ କରି ରଖାଯାଇଛି । ଏଥି ମଧ୍ୟରୁ ୭୪୫ଟି ଧାନ ବିହନ ଭାରତ ସରକାରଙ୍କ ଦ୍ୱାରା ପ୍ରୋଟେକ୍‌ସନ୍‌ ଅଫ୍‌ ପ୍ଲାଣ୍ଟ ଭେରାଇଟିଜ୍‌ ରେଜିଷ୍ଟ୍ରେସନ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଂଜୀକୃତ ହୋଇଛି ଓ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଜିନ୍‌ ବ୍ୟାଙ୍କ୍‌ରେ ୯୭ଟି ସ୍ଥାନୀୟ କିସମର ମିଲେଟ୍‌ ବିହନ ସଂରକ୍ଷିତ ହୋଇ ରହିଛି ।

ବିହନ ପରୀକ୍ଷାଗାରରେ ବିହନର ଶୁଦ୍ଧତା, ଆଦ୍ରତା, ବିହନର ସ୍ୱାସ୍ଥ୍ୟ, ଅଙ୍କୁରୋଦ୍‌ଗମ କ୍ଷମତା ଓ କୀଟପୋକ ପ୍ରତିରୋଧି କ୍ଷମତା ଆଦିକୁ କଡ଼ାକଡ଼ି ଭାବରେ ପରୀକ୍ଷା କରାଯାଇ ବିହନର ମାନ ନିର୍ଣ୍ଣୟ କରାଯାଇଥାଏ । ପରୀକ୍ଷାଗାରର ସଂପ୍ରସାରଣ ଫଳରେ ଏଠାରେ ଅନ୍ତର୍ଜାତୀୟ ମାନର ବିହନ ପରୀକ୍ଷଣର ସୁବିଧା ମିିଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାପ୍ରକାଶ
କରିଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ବିହନ ପରୀକ୍ଷାଗାରର ଯୁଗ୍ମ ନିର୍ଦ୍ଦେଶକ, ସ୍ଥାନୀୟ କର୍ପୋରେଟର ଓ ବହୁ ବରିଷ୍ଠ ପଦାଧିକାରୀ ଏବଂ କୃଷକ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ ।