Categories
ଆଜିର ଖବର ଜାତୀୟ ଖବର

କୃଷି ଆଇନକୁ ସ୍ଥଗିତ ରଖିଲେ ଉଚ୍ଚତମ ନ୍ୟାୟଳୟ: ଚାରି ସଦସ୍ୟ ବିଶିଷ୍ଟ କମିଟି କରିବ ଏହାର ସମାଧାନ

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ନୂତନ କୃଷି ଆଇନ ମାମଲାର  ଏକ ବଡ ରାୟ ଆସିଛି। ନୂତନ ତିନି କୃଷି ଆଇନକୁ ଉଚ୍ଚତମ ନ୍ୟାୟଳୟ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଇନ ସ୍ଥଗିତ ରହିବ। ବର୍ତ୍ତମାନ କେନ୍ଦ୍ର ସରକାର ଏହି ଆଇନକୁ ଲାଗୁ କରିପାରିବେ ନାହିଁ।

ଆଜିର ଶୁଣାଣିରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଚାରି ଜଣ ସଦସ୍ୟ ରହିବେ। ସେମାନଙ୍କ ନାମ ମଧ୍ୟ ଉଚ୍ଚତମ ନ୍ୟାୟଳୟ ଘୋଷଣା କରିଛନ୍ତି। ସେମାନେ ହେଲେ ଭାରତୀୟ କିଷାନ ଯୁନିଅନର ଜିତେନ୍ଦ୍ର ସିଂହ ମାନ, ଡ. ପ୍ରମୋଦ କୁମାର ଯୋଶୀ, କୃଷି ବିଶେଷଜ୍ଞ ଅଶୋକ ଗୁଲାଟି ଏବଂ ଅନିଲ ଶେତକାରୀ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷି ଆଇନ ରବ୍ଦ ଦାବିରେ ଧିକ୍କାର ଦିବସ ପାଳିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୃଷକ ବିରୋଧୀ, କର୍ପୋରେଟ ସପକ୍ଷବାଦୀ କୃଷି ଆଇନ ରବ୍ଦ ଦାବିରେ ଆଜି ବ୍ରହ୍ମପୁରଠାରେ ଧିକ୍କାର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଏହା ପାଳିତ ହୋଇଛି।

ମୋଦି ସରକାର ସଂଗଠିତ ଓ ଏକତାବଦ୍ଧ କୃଷକ ଆନ୍ଦୋଳନକୁ ଦମନ, ଭଣ୍ଡୁର ଏବଂ ବିଭ୍ରାନ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ନେତୃମଣ୍ଡଳୀ ଧିକ୍କାର ଜଣାଇଛନ୍ତି।କୃଷକମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅମ୍ବାନୀ ଅଦାନି ଭଳି କର୍ପୋରେଟ ରାକ୍ଷସମାନଙ୍କ ସ୍ୱାର୍ଥ, ମୁନାଫା ପାଇଁ ଅଣାଯାଇଥିବା କୃଷି ଆଇନ ୨୦୨୦ ପ୍ରତ୍ୟାହାର ଏବଂ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ ରବ୍ଦ ନହେବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ।

ଏଥିରେ କୃଷକ ନେତା ପି. ହରିକୃଷ୍ଣ ରେଡ୍ଡୀ, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ନୀଳକଣ୍ଠ ଦାସ, ପ୍ରତାପ ନାୟକ, ବିଜୟ ସ୍ୱାଇଁ, ଉଦ୍ଧବ ମହାଙ୍କୁଡ଼, କାମଦେବ ନାହାକ ପ୍ରମୁଖ ନେତୃମଣ୍ଡଳୀ ସାମିଲ ହୋଇଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜନବିରୋଧୀ କୃଷି ଆଇନ ଯୋଗୁଁ ଦରଦାମ ଆକାଶଛୁଆଁ: ମାନବ ଅଧିକାର ସୁରକ୍ଷା ମଂଚ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କର୍ପୋରେଟ ହାଉସ୍‌ର ମୁନାଫା ପାଇଁ ଉଭୟ ଲୋକସଭା, ରାଜ୍ୟସଭାରେ ଗୃହୀତ କରାଇଥିବା ଜନବିରୋଧୀ କୃଷି ବିଲ୍ ଦ୍ୱାରା ବର୍ତ୍ତମାନର ଅତି ଆବଶ୍ୟକ ସାମଗ୍ରୀଗୁଡ଼ିକର ଦାମ ଆକାଶଛୁଆଁ ହୋଇଥିବା ଏବଂ ଆଗକୁ ଆଉରି ପରିସ୍ଥିତି ଖରାପ ହେବ ବୋଲି ମାନବ ଅଧିକାର ସୁରକ୍ଷା ମଂଚ ଅଭିଯୋଗ କରିଛି।

ସମଗ୍ର ଦେଶରେ ପ୍ରବଳ ଜନଅସନ୍ତୋଷ ଓ ଚାଷୀ ଆନ୍ଦୋଳନ ସତ୍ତ୍ୱେ କେନ୍ଦ୍ରର ବିଜେପି ଓ ସହଯୋଗୀ ଦଳମାନେ ସଂସଦରେ କୌଣସି ଆଲୋଚନା ନକରି ଜବରଦସ୍ତ ଏକପାଖିଆ ଭାବେ କର୍ପୋରେଟ ସ୍ୱାର୍ଥରେ ଜନବିରୋଧୀ କୃଷି ବିଲ୍‌କୁ ଗୃହୀତ କରାଇଥିଲେ। କିନ୍ତୁ ଏହାର ପ୍ରଭାବରେ ଆଳୁ, ପିଆଜ, ତେଲ, ଡ଼ାଲି ଭଳି ଅତି ଆବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଛି। ନିମ୍ନ-ମଧ୍ୟବିତ୍ତ ପରିବାର ପକ୍ଷରେ ଖାଇବାକୁ ମୁଠାଏ ପାଇବା ଅତି ମୁସ୍କିଲ ହୋଇପଡ଼ିଛି। କରୋନାଠାରୁ ବର୍ତ୍ତମାନର ବଜାର ଦର ଲୋକଙ୍କୁ ଅଧିକ ବାଧୁଛି। କଳାବଜାରୀ ଜରୁରୀ ସାମଗ୍ରୀକୁ ମହଜୁଦ୍ ରଖିବାକୁ ପ୍ରଶାସନ ରୋକିବାରେ ବିଫଳ ହୋଇଛି। କରୋନା ନିୟନ୍ତ୍ରଣ ନାଁରେ ଫାଇନ୍ ଆଦାୟକୁ ଏକମାତ୍ର କାର୍ଯ୍ୟ ଭାବେ ଗ୍ରହଣ କରିଛନ୍ତି। ଏହାର ସୁଯୋଗରେ ଅସାଧୁ ବ୍ୟବସାୟୀଙ୍କ କଳାକାରନାମା ବହୁଗୁଣରେ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ନିଜର ଭୁଲ ନିଷ୍ପତ୍ତି ଓ ବିଫଳତାକୁ ଲୁଚାଇବା ପାଇଁ କେବଳ ମାସ୍କ ପିନ୍ଧିବା, ହାତ ଧୋଇବା, ଦୂରତା ରକ୍ଷା କରିବା ପ୍ରଚାରକୁ ଅଧିକ ଶ୍ରେୟସ୍କର ମନେ କରୁଛି। ଜନତାଙ୍କ ପ୍ରତିବାଦକୁ ଦବାଇଦେବା ପାଇଁ ଯେକୌଣସି ସ୍ତରକୁ ଯିବା ପାଇଁ କେନ୍ଦ୍ରର ମୋଦି ସରକାର ପଛାଉ ନାହିଁ। କର୍ପୋରେଟର ସ୍ୱାର୍ଥ ପାଇଁ ଜନବିରୋଧୀ ପଦକ୍ଷେପ ଆଗାମୀ ଦିନରେ ଅତ୍ୟନ୍ତ ସାଙ୍ଘାତିକ ପରିସ୍ଥିତି ଆଣିବ ବୋଲି ମଂଚର ଆବାହକ ଆଇନଜୀବୀ ଅବନୀ ଗୟା ଅଭିଯୋଗ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଆଇନକୁ ରଦ୍ଦ କରିବ : ରାହୁଲ୍‌ ଗାନ୍ଧି

ପଞ୍ଜାବ :  ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି । ପଞ୍ଜାବର ମୋଗାଠାରେ କ୍ଷେତ ବଞ୍ଚାଅ ଯାତ୍ରାକୁ ସମ୍ବୋଧନ କରି ରାହୁଲ୍‌ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅବସରରେ ରାହୁଲ୍‌ କୃଷକଙ୍କୁ ଗ୍ୟାରେଣ୍ଟି ଦେଇ କହିଛନ୍ତି ଯେ, ଯେଉଁଦିନ କଂଗ୍ରେସ କ୍ଷମତାକୁ ଆସିବ ସେହିଦିନ ଏହି ତିନି କଳା ଆଇନକୁ ରଦ୍ଦ କରିଦେବ । ସରକାର ଏହି ବିଲ୍‌କୁ ନେଇ ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଚର୍ଚ୍ଚା କରିବାର ଆବଶ୍ୟକତା ଥିଲା, କିନ୍ତୁ ଏହା କରିନାହାନ୍ତି ।

ରାହୁଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ସେ କୃଷକଙ୍କୁ ଭରସା ଦେବାକୁ ଚାହାଁନ୍ତି ଯେ, କଂଗ୍ରେସ ସାରା ଦେଶର କୃଷକମାନଙ୍କ ସହିତ ରହିଛି ଓ ରହିବ ମଧ୍ୟ । ଏହି ପ୍ରତିଶ୍ରୁତିରୁ କଂଗ୍ରେସ ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ । ନରେନ୍ଦ୍ର ମୋଦିଙ୍କ ସରକାର ଏମ୍‌ଏସପିକୁ ଶେଷ କରିବାକୁ ଚାହାଁନ୍ତି । କିନ୍ତୁ ଏହା କଂଗ୍ରେସ ଦଳ କରିବାକୁ ଦେବନି ।  କୃଷକମାନେ ଏହି ନୂତନ କୃଷି ଆଇନକୁ ନେଇ ଖୁସି ନାହାନ୍ତି । ଏଥିପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।

କୃଷି ବିଲ୍‌ ବିରୋଧରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ ଟ୍ରାକ୍ଟର ଯାତ୍ରା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର :  କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସ୍‌ମିଟ୍‌ କରିଛନ୍ତି । ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂଆ ଆଇନରେ ଉତ୍ପାଦନ, ଷ୍ଟୋରେଜ୍‌ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ । ସତୁରୀ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ । ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ । ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମ୍‌ଏସ୍‌ପି ବନ୍ଦ ହେବନି । କୃଷି ଭିତ୍ତିଭୂମିର ବିକାଶ ପାଇଁ 1 ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମାତ୍ର 26ଟି ସାମଗ୍ରୀ ଉପରେ ଏମ୍‌ଏସ୍‌ପି ବ୍ୟବସ୍ଥା ରହିଛି । ଯେଉଁ ସାମଗ୍ରୀ ପାଇଁ ଏମ୍‌ଏସ୍‌ପି ନାହିଁ, ସେସବୁ ପାଇଁ ବି ବଜାର ଦରକାର । ଏଥିପାଇଁ ସରକାର କୃଷି ଆଇନରେ ସଂସ୍କାର ଆଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଉତ୍ପାଦନ ବଢାଇବା ପାଇଁ କଣ୍ଟାକ୍ଟ୍ର ଫାର୍ମିଂକୁ ନୀତିଗତ କରାଯାଇଛି ।

ଅପରପକ୍ଷରେ ଧର୍ମେନ୍ଦ୍ର ମନ୍ତବ୍ୟରେ ବିଜେଡି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ଯଦି ନୂତନ କୃଷି ଆଇନରେ ଏମଏସପି ନେଇ ପ୍ରତିଶ୍ରୁତି ଥାଆନ୍ତା ତେବେ କାହା ମନରେ ସନ୍ଦେହ ଉଠିନଥାନ୍ତା । ଆଇନରେ ଏମ୍‌ଏସ୍‌ପି ନେଇ କିଛି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ଅପରପକ୍ଷରେ ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଯାହା କହୁଛନ୍ତି, ଆଂଶିକ ସତ କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ । ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡବଡ କର୍ପୋରେଟ୍‌ ମଧ୍ୟସ୍ଥି ଆସିବେ ବୋଲି କହିଛନ୍ତି ପ୍ରତାପ ଦେବ । କଣ୍ଟ୍ରାକ୍ଟ ଫାର୍ମିଂରେ ବଡ ବଡ କର୍ପୋରେଟ୍‌ ସଂସ୍ଥା ଲାଭବାନ ହେବେ ବୋଲି କହିଛନ୍ତି ପ୍ରତାପ ଦେବ ।

Categories
ଆଜିର ଖବର ରାଜ୍ୟ ଖବର

କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଲା ଆମ ଜନତା ଅଧିକାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା ଦାବିରେ ସାରା ଦେଶରେ ବନ୍ଦ ଏବଂ ପ୍ରତିରୋଧ ଆନ୍ଦୋଳନକୁ ସମର୍ଥନ କରି “ଆମ ଜନତା ଅଧିକାର” ଆଜି ଧାରଣା ଓ ବିକ୍ଷୋଭ କରିଛି। କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ବିଲ ସଂସଦରେ ଵିଧି ବ୍ୟବସ୍ଥା ଏବଂ ସାଂସଦମାନଙ୍କର ଭୋଟ ଦେବା ଅଧିକାରକୁ ଅସ୍ବୀକାର କରି ଅତି ତରବରିଆ ଭାବେ ଧ୍ୱନିମତରେ ପାରିତ କରାଇଛନ୍ତି ସରକାର। ମୋଦି ସରକାର କର୍ପୋରେଟମାନଙ୍କ ସ୍ୱାର୍ଥ ନିମନ୍ତେ ଅତି ନିର୍ଲଜ ଭାବେ ସମ୍ବିଧାନର ନଗ୍ନ ଉଲଂଘନ କରିଛନ୍ତି।  ସଂସଦ ଏବଂ କୃଷକମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସର୍ବନାଶକାରୀ ନୀତି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି ଆରୋପ କରିଛନ୍ତି ଆମ ଜନତା ଅଧିକାରର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି।

ଏହି ବିଲକୁ ବିରୋଧ କରି ଓଡିଶାର ସମସ୍ତ ଗଣ ଓ ଚାଷୀ ସଂଗଠନ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇ ଓଡିଶାର ପୁରପଲ୍ଲୀ ରେ “କୃଷି-କୃଷକ ବଞ୍ଚାଅ -ଦେଶ ବଞ୍ଚାଅ -କର୍ପୋରେଟ ହଟାଅ ” ଆୱାଜକୁ ଜୋରଦାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ , ସଂଯୋଜିକା ପ୍ରଣତି ସ୍ବାଇଁ , କାର୍ଯ୍ୟକାରୀ ସଦସ୍ୟ ନିରୁପମା ରଥ , ଜଗବନ୍ଧୁ ଜେନା, ଦେବୁ ନାୟକ ପ୍ରମୁଖ ଏ ଜି ଛକରେ ଧାରଣାରେ ବସିବା ବେଳେ କ୍ୟାପିଟାଲ ଥାନା ସେମାନଙ୍କୁ ଅଟକ ରଖି ପରେ ଛାଡ଼ିଦେଇଥିଲା।