Categories
ଆଜିର ଖବର

କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବା ପାଇଁ ଓଟିଭି ଟିମ କରୁଛନ୍ତି ପ୍ରଚାର, ସିଇଓଙ୍କ ନିକଟରେ ଅଭିଯୋଗ କଲା ବିଜେଡି

ସମୀକ୍ଷା ବ୍ୟୁରୋ

ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରଚାର ବନ୍ଦ ବେଳେ ତାଙ୍କ ପାରିବାରିକ ମାଲିକାନାରେ ଥିବା ନ୍ୟୁଜ ଚ୍ୟାନେଲ ଓଟିଭି ବେଆଇନି ଭାବେ ପ୍ରଚାର କରୁଛି। ଏପରି ଅଭିଯୋଗ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କରିଛି ବିଜୁ ଜନତା ଦଳ। ଲିଖିତ ଭାବେ ବିଜେଡି କହିଛି ଯେ, ବର୍ତ୍ତମାନ ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ପ୍ରଚାର ବନ୍ଦ ରହିଛି। ହେଲେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କ ପାରିବାରିକ ମାଲିକାନାରେ ଥିବା ଓଟିଭି ନ୍ୟୁଜ ଚ୍ୟାନେଲର ୧୦ ରୁ ୧୨ ଜଣ କର୍ମଚାରୀ ସେଠାରେ ପ୍ରଚାର କରୁଛନ୍ତି। ଖବର ପ୍ରସାରଣ ନାମରେ ଏମାନେ ଭୋଟରମାନଙ୍କୁ ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ କରାଯାଇଛି। ଏପରିକି ବୈଜୟନ୍ତଙ୍କ ସଂପର୍କରେ ଓଟିଭି ବାରମ୍ବାର ଖବର ପ୍ରସାରଣ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏପରିକି ଓଟିଭିର ସାମ୍ବାଦିକ ମନୋରଂଜନ ଯୋଶୀ ଭୋଟରମାନଙ୍କୁ ବୈଜୟନ୍ତଙ୍କୁ ଭୋଟ ଦିଅନ୍ତୁ ବୋଲି ମତାଉଥିବାର ଦଳ ଅଭିଯୋଗ କରିଛି। ଏସଂପର୍କରେ ଦଳ ତରଫରୁ ଏକ ଭିଡିଓ ଫାଇଲ ପ୍ରମାଣ ସ୍ବରୂପ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗତକାଲି ରାତିରେ ଦଳ ତରଫରୁ ଆଉ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା। ଦଳ ଅଭିଯୋଗ କରିଥିଲା ଯେ, ପ୍ରଚାର ବନ୍ଦ ଥିବା ବେଳେ ବୈଜୟନ୍ତଙ୍କୁ ଭୋଟ ଦିଅନ୍ତୁ ବୋଲି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଭଏସ ମେସେଜ ମାଧ୍ୟମରେ ପ୍ରଚାର କରାଯାଉଥିଲା। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ସିଇଓଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

(ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଘଷିଘଷି ପଢନ୍ତୁ ନୂଆ ନୂଆ ଖବର)