Categories
ବିଶେଷ ଖବର

ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା: ଓଡ଼ିଶା ପାଇଁ ୪ ହଜାର ୫୨୮ କୋଟି ମଞ୍ଜୁର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଦେଶର ୧୬ ରାଜ୍ୟ ପାଇଁ ୫୬,୪୧୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’ ଅଧୀନରେ ଏହି ଅନୁମୋଦନ ମିଳିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ପୁଞ୍ଜି ନିବେଶ ନିମନ୍ତେ ୪ ହଜାର ୫୨୮ କୋଟି ଟଙ୍କା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ମଞ୍ଜୁର ଅର୍ଥରାଶିର ରାଜ୍ୟୱାରୀ ବିବରଣୀ ନିମ୍ନରେ ଦିଆଗଲା :-

(କୋଟି ଟଙ୍କାରେ)

କ୍ରଂସଂ ରାଜ୍ୟ ମଞ୍ଜୁର ଅର୍ଥରାଶି
  ଅରୁଣାଚଳ ପ୍ରଦେଶ ୧୨୫୫
  ବିହାର ୯୬୪୦
  ଛତିଶଗଡ଼ ୩୧୯୫
  ଗୋଆ ୩୮୬
  ଗୁଜରାଟ ୩୪୭୮
  ହରିୟାଣା ୧୦୯୩
  ହିମାଚଳ ପ୍ରଦେଶ ୮୨୬
  କର୍ଣ୍ଣାଟକ ୩୬୪୭
  ମଧ୍ୟପ୍ରଦେଶ ୭୮୫୦
  ମିଜୋରାମ ୩୯୯
  ଓଡ଼ିଶା ୪୫୨୮
  ରାଜସ୍ଥାନ ୬୦୨୬
  ସିକ୍କିମ୍ ୩୮୮
  ତାମିଲନାଡୁ ୪୦୭୯
  ତେଲଙ୍ଗାନା ୨୧୦୨
  ପଶ୍ଚିମବଙ୍ଗ ୭୫୨୩

ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଶକତି, ସଡ଼କ, ସେତୁ ଏବଂ ରେଳ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟ ଭାଗ ପୂରଣ କରିବା ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଠି ଯୋଗାଇ ଦିଆଯାଇଛି। ଫଳରେ ଏସବୁ ଯୋଜନା ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର କାମ ତ୍ୱରାନ୍ୱିତ ହୋଇପାରିବ।

ପୁଞ୍ଜି ବ୍ୟୟର ଉଚ୍ଚ ବହୁଗୁଣିତ ପ୍ରଭାବକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କ ଦ୍ୱାରା ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୨୩-୨୪ ସାଧାରଣ ବଜେଟ୍‌ରେ ‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’ର ଘୋଷଣା କରାଯାଇଥିଲା। ଏହି ଯୋଜନା ଅଧୀନରେ, ରାଜ୍ୟ ସରକାରଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ ଆକାରରେ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବମୋଟ୍‌ ୧.୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏହି ଯୋଜନାର ଆଠଟି ଭାଗ ରହିଛି, ପ୍ରଥମ ଭାଗରେ ୧ ଲକ୍ଷ କୋଟି ଟଙ୍କାର ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି। ଏହି ପରିମାଣ ପଞ୍ଚଦଶ ଅର୍ଥ ଆୟୋଗଙ୍କ ବରାଦ ଅନୁଯାୟୀ, କେନ୍ଦ୍ରୀୟ ଟିକସ ଓ ଶୁଳ୍କ ଭାଗ ଆକାରରେ ରାଜ୍ୟମାନଙ୍କୁ ଆବଣ୍ଟନ କରାଯାଇଛି। ଯୋଜନାର ଅନ୍ୟ ଭାଗଟି ସଂସ୍କାର ସହ ଜଡ଼ିତ କିମ୍ବା କ୍ଷେତ୍ର ନିର୍ଦ୍ଧାରିତ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ।

ଯୋଜନାର ଦ୍ୱିତୀୟ ଭାଗରେ, ୩ହଜାର କୋଟି ଟଙ୍କା ରାଜ୍ୟମାନଙ୍କୁ ପ୍ରୋତ୍ସାହନ ଆକାରରେ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରୀ ଗାଡ଼ି ଓ ଆମ୍ବୁଲାନ୍ସ ସ୍କାର୍ପିଂ, ପୁରୁଣା ଗାଡ଼ି ଉପରେ ଦେୟତା ଛାଡ଼, ପୁରୁଣା ଗାଡ଼ି ସ୍କାର୍ପିଂ ପାଇଁ ବ୍ୟକ୍ତିବିଶେଷମାନଙ୍କୁ ଟିକସ ରିହାତି ଯୋଗାଇ ଦେବା ଏବଂ ସ୍ୱୟଂକ୍ରିୟ ଯାନ ପରୀକ୍ଷା ସୁବିଧା ପ୍ରତିଷ୍ଠା ପାଇଁ ଏହି ଭାଗରେ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି । ଯୋଜନାର ଭାଗ-୩ ଓ ୪କୁ ସହରାଞ୍ଚଳ ଯୋଜନା ପ୍ରସ୍ତୁତି ଓ ସହରାଞ୍ଚଳ ଅର୍ଥ ଯୋଗାଣରେ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରଖାଯାଇଛି। ସହରାଞ୍ଚଳ ଯୋଜନା ପ୍ରସ୍ତୁତି ସଂସ୍କାର ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ସହରାଞ୍ଚଳ ପ୍ରଶାସନକୁ ବିଶ୍ୱସନୀୟ କରିବା ଏବଂ ସେମାନଙ୍କର ଅର୍ଥଯୋଗାଣରେ ସୁଧାର ଆଣିବା ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଲାଗି ଅତିରିକ୍ତ ୫ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାରେ ସହରାଞ୍ଚଳର ପୋଲିସ୍ ଷ୍ଟେସନ ମଧ୍ୟରେ ପୋଲିସ୍ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କ ପାଇଁ ଆବାସ ଷ୍ଟକ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୋଜନାର ପଞ୍ଚମ ଭାଗରେ ଏହି ଉଦ୍ଦେଶ୍ୟ ଲାଗି ୨ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାର ଆଉ ଏକ ଲକ୍ଷ୍ୟ ହେଉଛି ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରିବା ଏବଂ ‘‘ମେକ୍‌ ଇନ୍‌ ଇଣ୍ଡିଆ’’ର ଅବଧାରଣାକୁ ଆଗେଇ ନେବା ସହିତ ପ୍ରତ୍ୟେକ ରାଜ୍ୟରେ ୟୁନିଟୀ ମଲ୍‌ ନିର୍ମାଣ ଜରିଆରେ ଏକ ଜିଲ୍ଲା, ଏକ ଉତ୍ପାଦ (ଓଡିଓପି)କୁ ପ୍ରୋତ୍ସାହିତ କରିବା। ଯୋଜନାର ଷଷ୍ଠ ଭାଗରେ ଏ ବାବଦରେ ୫ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଯୋଜନାର ସପ୍ତମ ଭାଗରେ, ପଞ୍ଚାୟତ ଓ ୱାର୍ଡ ସ୍ତରରେ ପିଲା ଓ କିଶୋରଙ୍କ ପାଇଁ ଡିଜିଟାଲ ଭିତ୍ତିଭୂମି ସହିତ ପାଠାଗାର ପ୍ରତିଷ୍ଠା ଲାଗି ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବିଗତ ଆର୍ଥିକ ବର୍ଷରେ ‘‘ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ ବିଶେଷ ସହାୟତା ୨୦୨୨-୨୩’ ଶୀର୍ଷକ ଏକ ସମାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନା ଅଧୀନରେ ୯୫,୧୪୭.୧୯ କୋଟି ଟଙ୍କା ଅନୁମୋଦନ ହୋଇଥିବା ବେଳେ ଗତବର୍ଷ ରାଜ୍ୟମାନଙ୍କୁ ୮୧,୧୯୫.୩୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

ପୁଞ୍ଜିନିବେଶ/ବ୍ୟୟ ଲାଗି ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଜନା ପ୍ରଥମ ଥର ପାଇଁ ୨୦୨୦-୨୧ରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। କୋଭିଡ-୧୯ ମହମାରୀକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କ ଦ୍ୱାରା ପୁଞ୍ଜିଗତ ବ୍ୟୟକୁ ସମୟୋପଯୋଗୀ ପ୍ରୋତ୍ସାହନ ଦେବାରେ ଏହା ସହାୟକ ହୋଇଥିଲା। ଏହି ଯୋଜନାର ନମନୀୟତା ଓ ସରଳତାକୁ ପ୍ରାକ୍‌-ବଜେଟ୍‌ ବିଚାରବିମର୍ଶ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନଙ୍କ ଠାରୁ ଉଚ୍ଚ ପ୍ରଶଂସା ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସୁରକ୍ଷାରେ ତ୍ରୁଟି, ଗୁପ୍ତଚର ସନ୍ଦେହରେ ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ପୋଲିସର କ୍ରାଇମ ଶାଖା ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ୍ କରୁଥିବା ଏକ ଗୁପ୍ତଚର ନେଟୱାର୍କକୁ ପଣ୍ଡ କରିଛି। ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବିଦେଶୀ ଦେଶକୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ସୁମିତଙ୍କୁ ଗିରଫ କରାଯାଇଛି।

ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ କହିଛି ଯେ, ଅଭିଯୁକ୍ତଙ୍କ ତଲାସି ବେଳେ ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଥିଲା, ଯାହା ସେ ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ଗୁପ୍ତ ତଥ୍ୟ ସେୟାର କରିଥିଲେ। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ଏହି ଗିରଫଦାରୀକୁ ନେଇ ବଜେଟ୍ ପୂର୍ବରୁ ଗୁପ୍ତଚର ସନ୍ଦେହ ସୃଷ୍ଟି ହେଉଛି। ବାସ୍ତବରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅର୍ଥ ମନ୍ତ୍ରଣାଳୟ ଫେବୃଆରୀ ୧ ତାରିଖରେ ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି ବଜେଟ୍ ସହ ଜଡିତ ତଥ୍ୟ ଲିକ୍ ହୁଏ, ତେବେ ବଜାର ଉପରେ ଏହାର ବଡ ପ୍ରଭାବ ପଡିପାରେ।

ଜନ ଧନ, ମୁଦ୍ରା, କେସିସି ଏବଂ ପ୍ରଧାନମନ୍ତ୍ରୀ ସ୍ଵନିଧି ସମେତ ବିଭିନ୍ନ ସାମାଜିକ କ୍ଷେତ୍ର ଯୋଜନାର ଅଗ୍ରଗତିର ସମୀକ୍ଷା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାନୁଆରୀ ୧୯ ତାରିଖରେ ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକର ମୁଖ୍ୟମାନଙ୍କୁ ଏକ ବୈଠକ ଡାକିଛି। ପବ୍ଲିକ୍ ସେକ୍ଟର ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓମାନଙ୍କ ସହିତ ବୈଠକ ମୁଖ୍ୟତଃ ଆର୍ଥିକ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନାଗୁଡିକର ସମୀକ୍ଷା କରିବା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆତ୍ମନିର୍ଭର ଭାରତରେ ଓଡ଼ିଶାକୁ ମିଳିଛି ୧,୬୧୭ କୋଟି ଟଙ୍କା, ମୋଟ ଏକ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶସ୍ୱରୂପ ଆପାତକାଳୀନ ନିଶ୍ଚିତ ଋଣ ଯୋଜନା (ECLGS) କାଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ପକ୍ଷରୁ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶାକୁ ଏଥିରୁ ୧,୬୧୭.୬୦ କୋଟି ଟଙ୍କା ମିଳିଛି। ରାଜ୍ୟ ପାଇଁ ଏହି ସ୍କିମରେ ୨,୧୫୧.୮୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଋଣ ଅର୍ଥ ଦ୍ୱାରା ଓଡ଼ିଶାର ଏମଏସଏମଇ ସମେତ ଅନ୍ୟ ଲକଡାଉନ ପ୍ରଭାବିତ କ୍ଷେତ୍ର ଉପକୃତ ହେବେ । ସେମାନେ ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରିବେ। ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିଲା।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ସ୍କିମରେ ମହାରାଷ୍ଟ୍ର ପାଇଁ ସର୍ବାଧିକ ୭,୭୫୬.୨୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିରୁ ରାଜ୍ୟକୁ ୬,୦୦୭.୩୨ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ଯୋଗାଇ ଦେଇଛନ୍ତି। ଉତ୍ତର ପ୍ରଦେଶ ପାଇଁ ୭,୨୬୧.୬୦ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ରାଜ୍ୟକୁ ୫,୫୫୪.୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଗୁଜରାଟକୁ ଏହି ସ୍କିମରେ ୫,୧୫୦.୬୯ କୋଟି ଟଙ୍କା ମିଳିଥିବା ବେଳେ ତାମିଲନାଡୁକୁ ୫,୬୯୩.୭୧ କୋଟି ଟଙ୍କା, ଆନ୍ଧ୍ର ପ୍ରଦେଶକୁ ୨,୮୮୩.୬୭ କୋଟି, ଦିଲ୍ଲୀକୁ ୧,୯୬୪.୫୨ କୋଟି, ହରିଆଣାକୁ ୨,୦୮୩.୪୫ କୋଟି, କର୍ଣ୍ଣାଟକକୁ ୩,୫୯୦.୦୫ କୋଟି, ମଧ୍ୟ ପ୍ରଦେଶକୁ ୨,୨୬୬.୭୫ କୋଟି, ରାଜସ୍ଥାନକୁ ୩,୧୪୭.୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ମୋଟ ୧,୦୨,୨୪୫.୭୭ କୋଟି ଟଙ୍କା ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ଦର୍ଶାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୭୬,୦୪୪.୪୪ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଥିବା ବେଳେ ଅଗଷ୍ଟ ୧୮ ସୁଦ୍ଧା ସେମାନେ ରାଜ୍ୟଗୁଡ଼ିକୁ ସେଥିରୁ ମୋଟ ୫୬,୪୮୩.୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ବଳକା ୪୫,୭୬୨.୩୬ କୋଟି ଟଙ୍କା ଘରୋଇ ବ୍ୟାଙ୍କଗୁଡ଼ିକ ଯୋଗାଇଛନ୍ତି।

ଘରୋଇ ବ୍ୟାଙ୍କଗୁଡ଼ିକ ଏହି ସ୍କିମରେ ୭୪,୭୧୫.୦୨ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ। ଅଧିକ ଋଣ ଦେଇଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ , କାନାଡ଼ା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁନିଅନ ବ୍ୟାଙ୍କ ଥିବା ବେଳେ ଘରୋଇ ବ୍ୟାଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ସର୍ବାଧିକ ଋଣ ପ୍ରଦାନ କରିଛି।

ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଦେଶରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ଠପ ହୋଇପଡ଼ିଥିଲା। ଏହାଦ୍ୱାରା ବିଶେଷ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିଲା। ଏମାନଙ୍କ ଅଣ୍ଟା ସଳଖିବା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜ ଅଧୀନରେ ଇସିଏଲଜିଏସ ସ୍କିମ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ସ୍କିମ ଦ୍ୱାରା ଅନେକ କ୍ଷେତ୍ର ଉପକୃତ ହୋଇପାରିଛନ୍ତି।