Categories
ଆଜିର ଖବର ରାଜ୍ୟ ଖବର

କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚିତ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ

ଭୁବନେଶ୍ୱର: ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଏକ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) – ୨୦୨୦ ପ୍ରସ୍ତୁତ କରାଯାଇଛି। ନୂଆ ଶିକ୍ଷା ନୀତିର ବିଶେଷତ୍ୱ ହେଉଛି ଏହା ନମନୀୟ। ଏହା ଏକ ବ୍ୟାପକ ନୀତି କୌଣସି ରାଜ୍ୟ ଉପରେ ଏନଇପିକୁ ଲଦି ଦିଆଯାଇନାହିଁ। ବିଭିନ୍ନ ରାଜ୍ୟ ସେମାନଙ୍କର ଆବଶ୍ୟକତା ଅନୁଯାୟୀ, ଜାତୀୟ ଶିକ୍ଷା ନୀତିକୁ ଆପଣାଇପାରିବେ। ନୂଆ ଶିକ୍ଷା ନୀତିରେ ଭାରତର ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।

ଆଜି ଭୁବନେଶ୍ୱର ଠାରେ କୁଇ ଏବଂ ଦେଶିଆ ଭାଷା ଶିକ୍ଷା ପୁସ୍ତକ ଏବଂ ଡାକ ଲଫାପା ଉନ୍ମୋଚନ ସମାରୋହରେ ଶ୍ରୀମତୀ ସୀତାରମଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁସ୍ତକ ଉନ୍ମୋଚନ କରାଯାଇଛି। ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ଏବଂ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ସହଭାଗିତାରେ ଦୁଇଟି ପୁସ୍ତକ ପ୍ରସ୍ତୁତ କରାଯାଇଛି। କୁଇ ଏବଂ ଦେଶିଆ ଭାଷାଭାଷୀ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଲାଗି ପୁସ୍ତକ ଦୁଇଟି ସହାୟକ ହୋଇପାରିବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ ଯେ, ଇଂରାଜୀ ଭାଷାରେ ଶିକ୍ଷାଦାନ ଓ ଦକ୍ଷତା ହାସଲର ଦୌଡ଼ରେ ଆମେ ମାତୃଭାଷାକୁ ଭୁଲିଯିବା ଭଳି ସ୍ଥିତିରେ ଆସି ପହଞ୍ଚିଛୁ। ଓଡ଼ିଶା ଭଳି ଭାଷା ଭିତ୍ତିରେ ଗଠନ ହୋଇଥିବା ରାଜ୍ୟଗୁଡ଼ିକ ସେମାନଙ୍କ ମାତୃଭାଷା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀମତୀ ସୀତାରମଣ ଆହୁରି କହିଥିଲେ, ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ମାନ୍ୟତାପ୍ରାପ୍ତ ୨୨ଟି ଭାଷାକୁ ବାଦ୍ ଦେଲେ ଆମ ଦେଶରେ ଏମିତି ଅନେକ କଥିତ ଭାଷା ଅଛି ଯାହାର କୌଣସି ଲିପି ନାହିଁ। ଜନସମୁଦାୟଙ୍କ ଏସବୁ କଥିତ ଭାଷାର ଏକ ସମୃଦ୍ଧ ଐତିହ୍ୟ ରହିଛି। ଆଜି ସେଭଳି ଦୁଇଟି କଥିତ ଭାଷାରେ ପ୍ରାଥମିକ ଶିକ୍ଷାଦାନ ପାଇଁ ଶିକ୍ଷା ମନ୍ତ୍ରଣାଳୟ ବିଶେଷ କରି ଏନସିଇଆରଟି ପକ୍ଷରୁ କରାଯାଇଥିବା ଉଦ୍ୟମ ସ୍ୱାଗତଯୋଗ୍ୟ। ସ୍ଥାନୀୟ ଭାଷା ଓ ଉପଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ବର୍ଣ୍ଣବୋଧ ପୁସ୍ତକ ପ୍ରସ୍ତୁତ କରାଯିବା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସୁଦୃଢ଼ କରିବ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ ଯେ, ଭାଷା ସହିତ ପ୍ରକୃତିର ସମ୍ପର୍କ ରହିଛି । କାରଣ ଗୋଟିଏ କଥିତ ଭାଷାରୁ ସେହି ଅଞ୍ଚଳର ପ୍ରାକୃତିକ ପରିବେଶର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମାତୃଭାଷା ଦ୍ୱାରା ବିଚାର ସମୃଦ୍ଧ ହୋଇଥାଏ। ତେଣୁ ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନ ଏବଂ ସେହି ଭାଷାରେ ପୁସ୍ତକ ପ୍ରକାଶନର ଆବଶ୍ୟକତା ରହିଛି। ସେ ଆହୁରି କହିଥିଲେ ଯେ, ମାତୃଭାଷାରେ ଶିକ୍ଷା ଗ୍ରହଣ କରୁଥିବା, କହୁଥିବା, ଲେଖୁଥିବା ଓ ଚିନ୍ତା କରୁଥିବା ଲୋକ ପାଖରେ ଅଧିକ ବିଚାରଗତ ସ୍ପଷ୍ଟତା ରହିଥାଏ। ଏହି ସ୍ପଷ୍ଟତା ପରବର୍ତ୍ତୀ ସମୟରେ ଅନ୍ୟ ଭାଷାକୁ ସ୍ଥାନାନ୍ତରିତ ହୋଇଥାଏ।

ଛୋଟ ପିଲାଙ୍କୁ ଆରମ୍ଭରୁ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଥିଲେ ଯେ, ପିଲାଟିଏ ଛୋଟ ଥିବା ସମୟରେ ସବୁଠୁ ଅଧିକ ଜ୍ଞାନ ହାସଲ କରିଥାଏ ବୋଲି ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ପିଲାକୁ ମାତୃଭାଷା କହିବା, ଲେଖିବା ଓ ପଢ଼ିବା ଶିଖାଇଲେ ତା’ର ଜ୍ଞାନ ସମୃଦ୍ଧ ହୋଇଥାଏ। ଦେଶିଆ ଓ କୁଇ ଭାଷାରେ ଶିକ୍ଷାଦାନ ପାଇଁ ଓଡ଼ିଆ ଲିପି ସହିତ ପୁସ୍ତକ ଉନ୍ମୋଚନ କରାଯିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟ ଓ ଏନସିଇଆରଟିର ପ୍ରୟାସ ଓ ଉଦ୍ୟମ ପ୍ରଶଂସନୀୟ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ।

ଅନ୍ୟତମ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଇଂରେଜ ଶାସନ ସମୟରେ ୧୯୩୬ ମସିହାରେ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା। ଏହା ଆମ ଓଡ଼ିଆଙ୍କ ପାଇଁ ଗୌରବର ବିଷୟ। ଆଗାମୀ ଶହ ଶହ ବର୍ଷ ଧରି ଓଡ଼ିଆ ଭାଷା, ସଂସ୍କୃତି ଓ ସମାଜ ନିଜ ପ୍ରତିଷ୍ଠା ବଜାୟ ରଖିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ, ଦେଶିଆ ଓ କୁଇ ଭାଷାରେ ଆଜି ଉନ୍ମୋଚନ କରାଯାଇଥିବା ଦୁଇଟି ପୁସ୍ତକ ଆଦିବାସୀ ସମୁଦାୟର ପିଲାଙ୍କ ଶିକ୍ଷାଦାନ ପାଇଁ ବର୍ଣ୍ଣବୋଧ ଭଳି କାମ କରିବ। ଆଦିବାସୀଙ୍କ ସାଂସ୍କୃତିକ, ଭାଷାଗତ ଐତିହ୍ୟ ଓ ପରିଚୟକୁ ସଂରକ୍ଷିତ ଓ ପ୍ରୋତ୍ସାହିତ କରିବ। ମାତୃଭାଷାରେ ଶିକ୍ଷାଦାନ ଜାତୀୟ ଶିକ୍ଷା ନୀତିର ଏକ ଆଧାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଜୋର ଦେଇ କହିଛନ୍ତି। ମାତୃଭାଷାରେ ଶିକ୍ଷାଦାନ ନହେବା ପର୍ଯ୍ୟନ୍ତ ପିଲାର ଚିନ୍ତନ, ତର୍କ କ୍ଷମତା, ଅନୁସନ୍ଧାନ ମନୋବୃତ୍ତି ବିକଶିତ ହୋଇପାରିବ ନାହିଁ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶା ସୀମାନ୍ତ କୋଟିଆ ଗସ୍ତ କରିବା ସମୟରେ କନ୍ଧ, ପରଜା ଓ ଗଡ଼ବା ପିଲାମାନେ ଓଡ଼ିଆ ଭାଷାରେ ପଢ଼ିବାରେ ସମସ୍ୟାରେ ପଡ଼ୁଥିବା ସେ ଅନୁଭବ କରିଥିଲେ। ଏ ବିଷୟରେ ସେ ଶିକ୍ଷକଙ୍କ ସହିତ କଥା ହୋଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାଷାବିତ୍ଙ୍କ ସହିତ ଆଲୋଚନା କରି ଏଭଳି ପୁସ୍ତକ ପ୍ରକାଶନ ପାଇଁ ବ୍ୟବସ୍ଥା କରିଥିଲେ। ୧୦୦ ଦିନ ଭିତରେ ଓଡ଼ିଶାର ଦୁଇଟି ଆଦିବାସୀ ଭାଷାରେ ପୁସ୍ତକ ଉନ୍ମୋଚନ କରାଯାଇଛି ବୋଲି ସେ କହିଥିଲେ। ଦୁଇଟି ପୁସ୍ତକ ପ୍ରସ୍ତୁତିରେ ସମ୍ପୃକ୍ତ ରହିଥିବା ଲୋକମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ, ଓଡ଼ିଶାରେ ୭୫ଟି ଆଦିବାସୀ ଜାତି ଓ ଉପଜାତି ରହିଛି। ଏମାନେ ୭୨ଟି କଥିତ ଭାଷାରେ କଥା ହୋଇଥାନ୍ତି। ଧୀରେ ଧୀରେ ସବୁ ଭାରତୀୟ ଭାଷାରେ ଶିକ୍ଷାଦାନ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି। ଦେଶର ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଏନସିଇଆରଟିର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକ୍ଳାନୀଙ୍କ ସମେତ ବହୁ ଭାଷାବିତ୍, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ।

ଏଥିପୂର୍ବରୁ ଦୁଇ କେନ୍ଦ୍ର ମନ୍ତ୍ରୀ ଆଜି ଦେଶବ୍ୟାପୀ ଆୟୋଜିତ ‘‘ମେରୀ ମାଟି ମେରା ଦେଶ’’ ଅଭିଯାନର ଅଂଶବିଶେଷ ସ୍ୱରୂପ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦେଶ ପାଇଁ ବଳିଦାନ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପୁରୀ ବେଳାଭୂମିରେ ପ୍ରସ୍ତୁତ ‘‘ମେରୀ ମାଟି ମେରା ଦେଶ’’ ବାଲୁକା କଳା ବୁଲି ଦେଖିଥିଲେ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାର କାରିଗରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ।

ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅଧୀନରେ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଶିଳାଫଳକମ୍ ପ୍ରତିଷ୍ଠା ଓ ବସୁଧା ବନ୍ଦନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦୁଇ କେନ୍ଦ୍ର ମନ୍ତ୍ରୀ ଏଠାରେ ଛାତ୍ରଛାତ୍ରୀଙ୍କ ସହ ମିଶି ସହିଦମାନଙ୍କ ସ୍ମୃତିରେ ସ୍ମୃତିଫଳକ ସ୍ଥାପନ କରିଥିଲେ ଏବଂ ବୃକ୍ଷରୋପଣ କରିଥିଲେ।

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀମାନେ ପଞ୍ଚପ୍ରାଣ ଶପଥ ପାଠ କରିଥିଲେ।

ସେମାନେ ସହିଦ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ। ସେମାନେ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଗ୍ରାମ ସ୍ଥିତ ସହିଦ ଜୟୀ ରାଜଗୁରୁଙ୍କ ଘରୁ ଅମୃତ କଳସରେ ମାଟି ଓ ଧାନ ସଂଗ୍ରହ କରିଥିଲେ। ଏହି କଳସ ଦିଲ୍ଲୀସ୍ଥିତ ଅମୃତ ବାଟିକାରେ ସ୍ଥାପନ କରାଯିବ। ସେମାନେ ମଧ୍ୟ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଜୟୀରାଜଗୁରୁଙ୍କ ଜନ୍ମସ୍ଥାନ ବୀରହରେକୃଷ୍ଣପୁର ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଐତିହାସିକ ଐତିହ୍ୟର ପ୍ରତୀକ। ଏ ଗାଁର ମାଟି ଜୟୀ ରାଜଗୁରୁଙ୍କ ସାହସିକତା ଓ ବଳିଦାନର ସାକ୍ଷୀ ରହିଛି ଯାହାକି ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମକୁ ଅଧିକ ପ୍ରାସଙ୍ଗିକ କରୁଛି । ଆମେ ଏଭଳି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ପରିଦର୍ଶନ କରି ଆମର ସାହସୀ ଯୋଦ୍ଧା ଓ ବୀରମାନଙ୍କ ବଳିଦାନର ସ୍ମୃତିଚାରଣ କରିବା ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀମାନେ ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ କାରିଗରମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରାଯାଇଥିବା ‘ପିଏମ ବିଶ୍ୱକର୍ମା ଯୋଜନା’ର ଲାଭ ବିଷୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସେମାନଙ୍କୁ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ଵର: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ପୁରୀ ଓ ଭୁବନେଶ୍ୱର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ସେ ପୁରୀ ଗସ୍ତ କରିବେ।

ଶ୍ରୀମତୀ ସୀତାରମଣ ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ । ଏହାପରେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ଶଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ୱର ଫେରିଆସିବେ।

ଗୁରୁବାର ଅପରାହ୍ଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱର ଠାରେ କୁଇ ଓ ଦେଶୀୟ ଭାଷା ଉପରେ ଏକ ପୁସ୍ତକ ଉନ୍ମୋଚନ କରିବେ। ସେହିଦିନ ଅପରାହ୍ଣ ୫ଟା ସମୟରେ ଶ୍ରୀମତୀ ସୀତାରମଣ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ବିଂଶତମ ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ରାତିରେ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ ଫେରିଯିବେ।

Categories
ବିଶେଷ ଖବର

ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ଲାଗି 51ତମ ଜିଏସଟି ପରିଷଦ ବୈଠକରେ କରାଗଲା ଗୁରୁତ୍ୱପୂର୍ଣ୍ଣ ସୁପାରିସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର 51ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ଅର୍ଥ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ଗତ ମାସ 11 ତାରିଖରେ ଜିଏସଟି ପରିଷଦର 50ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ୍ୟାସିନୋ ବା ଜୁଆ ଖେଳ ହେଉଥିବା ସ୍ଥାନ, ରେସ୍‌ କୋର୍ସ ବା ଘୋଡ଼ା ଦୌଡ଼ ପ୍ରତିଯୋଗିତା ହେଉଥିବା ସ୍ଥାନ ଏବଂ ଅନଲାଇନ ଗେମିଂ ଉପରେ ମନ୍ତ୍ରୀ ଗୋଷ୍ଠୀର ଦ୍ୱିତୀୟ ରିପୋର୍ଟ ଉପରେ ବିଚାର ବିମର୍ଶ କରାଯାଇଥିଲା। କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ ଗେମିଂରେ ଯୋଗାଣ ହେଉଥିବା କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବି ଉପରେ 28% ଜିଏସଟି ଲାଗୁ ନିମନ୍ତେ ପରିଷଦ ସୁପାରିସ କରିଥିଲା। ଏହି କାର୍ଯ୍ୟକଳାପ ଏକ କୌଶଳଯୁକ୍ତ କ୍ରୀଡ଼ା କିମ୍ବା ଭାଗ୍ୟ ଆଧାରିତ, ଯାହା ହୋଇଥାଉ ପଛେ ସମ୍ପୂର୍ଣ୍ଣ ନାମମାତ୍ର ମୂଲ୍ୟ ଉପରେ ଉପରୋକ୍ତ ପରିମାଣର ଟିକସ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ସଂକ୍ରାନ୍ତରେ ସ୍ପଷ୍ଟତା ଆଣିବା ଲାଗି ଆଇନରେ ସଂଶୋଧନ ପାଇଁ ପରିଷଦ ମଧ୍ୟ ସୁପାରିସ କରିଥିଲା।

ତଦନୁଯାୟୀ, ଜିଏସଟି ପରିଷଦର 51ତମ ବୈଠକରେ କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍‌ ଗେମିଂରେ ଯୋଗାଣ ଉପରେ ଲାଗୁ ଟିକସ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଲାଗି ସିଜିଏସଟି ଆଇନ, 2017ର ଅନୁଚ୍ଛେଦ 3 ସମେତ ସିଜିଏସଟି ଆଇନ 2017 ଏବଂ ଆଇଜିଏସଟି ଆଇନ 2017ରେ ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ସୁପାରିସ କରାଯାଇଛି। ଅନୁରୂପ ଭାବେ ଭାରତରେ ଥିବା ଜଣେ ବ୍ୟକ୍ତିଙ୍କୁ ଅନଲାଇନ ଗେମିଂ ଅର୍ଥ ପଠାଉଥିବା ଭାରତ ବାହାରର ଯୋଗାଣକାରୀଙ୍କ ଉପରେ ଜିଏସଟି ପଇଠ କରିବାର ଦେୟତା ଲାଗୁ କରିବା ନିମନ୍ତେ ଆଇଜିଏସଟି ଆଇନ, 2017ରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସଂଯୋଗ କରିବା ନିମନ୍ତେ ମଧ୍ୟ ସୁପାରିସ କରିଛି । କଥିତ ଯୋଗାଣକାରୀଙ୍କ ପାଇଁ ଏକ ସରଳ ପଞ୍ଜୀକରଣ ଯୋଜନା ଜରିଆରେ ଭାରତରେ ଗୋଟିଏ ଥର ପଞ୍ଜୀକରଣ ନିମନ୍ତେ ଏହି ଆଇନ ଲାଗୁ ହେବ। ଆହୁରି ପଞ୍ଜୀକରଣ ଏବଂ ଟିକସ ପଇଠର ବ୍ୟବସ୍ଥାକୁ ଅନୁପାଳନ କରିବାରେ ବିଫଳ ହେବା କ୍ଷେତ୍ରରେ ଏପରି ଯୋଗାଣକାରୀଙ୍କ ଦ୍ୱାରା ଅନଲାଇନ୍‌ ଗେମିଂ ଅର୍ଥ ଯୋଗାଣ ପାଇଁ ବ୍ୟବହାର କରାଯାଉଥିବା ଯେକୌଣସି କମ୍ପ୍ୟୁଟର ସମ୍ବଳରୁ ସୃଷ୍ଟ, ସ୍ଥାନାନ୍ତରିତ, ପ୍ରାପ୍ତ ଏବଂ ପଠାଯାଇଥିବା ଯେକୌଣସି ସୂଚନାକୁ ଜନସାଧାରଣ ପ୍ରାପ୍ତ କରିବାକୁ ରୋକିବା ବା ଆକ୍ସେସ ବ୍ଲକ୍‌ କରିବା ସକାଶେ ଏହି ଆଇନ ଲାଗୁ ହେବ।

ପ୍ରବେଶ ସ୍ତରରେ କ୍ୟାସିନୋରେ ଅନଲାଇନ ଗେମିଂ ଏବଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବିର ଯୋଗାଣ ମୂଲ୍ୟାୟନ ଉପରେ ଜିଏସଟି ଲାଗୁ ପାଇଁ ମଧ୍ୟ ପରିଷଦ ସୁପାରିସ କରିଛି। ଏହି ମୂଲ୍ୟାୟନ ପ୍ରତ୍ୟେକ ବେଟ୍‌ ବା ବାଜିର ମୋଟ୍‌ ମୂଲ୍ୟ ଉପରେ ଲାଗୁ ନହୋଇ ଖେଳାଳୀଙ୍କ ଦ୍ୱାରା କିମ୍ବା ପକ୍ଷରୁ ଯୋଗାଣକାରୀଙ୍କ ନିକଟରେ ଦାଖଲ କରାଯାଉଥିବା ଅଥବା ପଇଠ କରାଯାଉଥିବା (ଖେଳ/ବାଜିରେ ବିନିଯୋଗ ହୋଇଥିବା ପୂର୍ବ ଖେଳ/ବାଜିରେ ଜିତିବାରୁ ପ୍ରାପ୍ତ ଅର୍ଥରାଶିକୁ ବାଦ୍‌ ଦେଇ) ଅର୍ଥରାଶିକୁ ଆଧାର କରି ଲାଗୁ ହେବ।

ଅନଲାଇନ ଗେମିଂର ଯୋଗାଣ ଏବଂ କ୍ୟାସିନୋରେ କାର୍ଯ୍ୟାନୁଷ୍ଠାନଯୋଗ୍ୟ ଦାବି ଯୋଗାଣର ମୂଲ୍ୟାୟନ ନିମନ୍ତେ ସିଜିଏସଟି ନିୟମବାଳୀ, 2017ରେ ସଂଶୋଧନ କରି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସାମିଲ କରିବା ନିମନ୍ତେ ପରିଷଦ ସୁପାରିସ କରିଛି । ଏହି ପ୍ରସଙ୍ଗ ସହ ଜଡ଼ିତ ବିଜ୍ଞପ୍ତିରେ କେତେକ ବିଜ୍ଞପ୍ତି/ସଂଶୋଧନ ଜାରି କରିବା ନିମନ୍ତେ ମଧ୍ୟ ପରିଷଦ ସୁପାରିସ କରିଛି।

ଯଥାଶୀଘ୍ର ସମ୍ଭବ ସଂଶୋଧନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବା ଏବଂ ସଂଶୋଧନ ଗୁଡ଼ିକୁ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ଲାଗୁ କରିବା ନେଇ ପରିଷଦ ନିଷ୍ପତ୍ତି ନେଇଛି।

Categories
ବିଶେଷ ଖବର

କେନ୍ଦ୍ର ଅର୍ଥ ମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରାକ୍‍ ବଜେଟ୍‍ ଆଲୋଚନା ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ର୍ନିମଳା ସୀତାରମଣ ଆଜି ୨୦୨୨-୨୩ କେନ୍ଦ୍ର ବଜେଟ୍ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍‍ ବଜେଟ୍‍ ଆଲୋଚନା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।

କେନ୍ଦ୍ର ଅର୍ଥ ସଚିବ ଆଲୋଚନାରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ର୍ନିଦ୍ଦିଷ୍ଟ ପରାମର୍ଶ ବୈଠକର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ। ଅଧିକାଂଶ ଅଂଶଗ୍ରହଣକାରୀ ମହାମାରୀର ପ୍ରକୋପ ସମୟରେ ସେମାନଙ୍କ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ସହାୟତା କରିଥିବାରୁ, ଋଣ ସୀମା ବୃଦ୍ଧି, ରାଜ୍ୟମାନଙ୍କୁ ୠଣ ଯୋଗାଣ ଏବଂ ପୁଞ୍ଜି ବ୍ୟୟ ପାଇଁ ସ୍ୱତନ୍ତ୍ର ସହାୟତା ଦେଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବଜେଟ୍ ଭାଷଣରେ ଅନ୍ତର୍ଭୁକ୍ତ ପାଇଁ ଅଂଶଗ୍ରହଣକାରୀମାନେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନେକ ପରାମର୍ଶ ମଧ୍ୟ ଦେଇଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରୀ ୨୦୨୨-୨୩ ବଜେଟ୍‍ ପାଇଁ ସେମାନଙ୍କର ମତାମତ ଏବଂ ପରାମର୍ଶ ସକାଶେ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ରତ୍ୟେକ ପ୍ରସ୍ତାବକୁ  ଅନୁଧ୍ୟାନ କରାଯିବ ବୋଲି ନିଶ୍ଚିତ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ

ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ୨୦୨୧ ର ଜାଣନ୍ତୁ ୧୫ଟି ମୁଖ୍ୟ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆଜି ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଦେଶ ପାଇଁ ବଡ ସମସ୍ୟା ଥିଲା। ଏହି ବଜେଟ ଏମିତି ସମୟରେ ଆସୁଛି ଯାହା ବହୁତ ସଙ୍କଟ ରହିଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବଙ୍କୁ ଗ୍ୟାସ, ମାଗଣାରେ ରାସନ ବ୍ୟବସ୍ଥା କରିଥିଲେ।

୧- କେନ୍ଦ୍ର ସରକାରର କରୋନା ସମୟରେ ଆତ୍ମନିର୍ଭର ପ୍ୟାକେଜ ପରି ଅନେକ ଯୋଜନା ସାମ୍ନାକୁ ଆଣିଥିଲେ। ଯେଉଁଥିରେ ଅର୍ଥ ବ୍ୟବସ୍ଥା ଆଗକୁ ବଢାଯାଇପାରିବ। ଆତ୍ମନିର୍ଭର ପ୍ୟାକେଜରେ ମୋଟ ୨୭.୧ ଲକ୍ଷ କୋଟି ଟଙ୍କା ସହାୟତା ଜାରି କରାଯାଇଛି।

୨- ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି। ଏଥିରେ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍ଵଚ୍ଛ ଭାରତ ଯୋଜନାକୁ ବଢାଇବା ପାଇଁ ଘୋଷଣା କରାଯାଇଛି। ଏହା ଦ୍ଵାରା ସହରଗୁଡିକରେ ଅମୃତ ଯୋଜନାକୁ ବୃଦ୍ଧି କରାଯିବ। ଏଥିପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ସହିତ ଅର୍ଥ ମନ୍ତ୍ରୀ ମିଶନ ପୋଷଣ ୨.୦ ର ଘୋଷଣା କରିଛନ୍ତି।

୩- କରୋନା ଟୀକା ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ୧୩୭ ପ୍ରତିଶତକୁ ବୃଦ୍ଧି କରି ୨ ଲକ୍ଷ ୨୩ କୋଟି ଟଙ୍କା କରାଯାଇଛି।

୪- ଟେକ୍ସଟାଇଲ ପାଇଁ ମେଗା ଇନଭେଷ୍ଟମେଣ୍ଟ ଟେକ୍ସଟାଇଲ ନୂଆ ସ୍କିମ ଲଞ୍ଚ କରାଯିବ। ବିଶ୍ଵସ୍ତରୀୟ ଇନଫ୍ରାଷ୍ଟ୍ରକଚର ନିର୍ମାଣ କରାଯିବ। ତିନି ବର୍ଷରେ ସାତୋଟି ଟେକ୍ସଟାଇଲ ପାର୍କ ନିର୍ମାଣ କରାଯିବ।

୫- ଡ଼େଭଲପମେଣ୍ଟ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଟ ଆରମ୍ଭ କରାଯିବ।

୬- ପୁଞ୍ଜିଗତ ବ୍ୟୟ ପାଇଁ ୫ ଲକ୍ଷ କୋଟିରୁ ଅଧିକ ବଜେଟ ଘୋଷଣା କରାଯାଇଛି। ଯାହା ଗତ ବର୍ଷ ବଜେଟ ଠାରୁ ୩୦ ପ୍ରତିଶତ ଅଧିକ। ଏହା ବ୍ୟତୀତ ରାଜ୍ୟ ଏବଂ ସ୍ଵତନ୍ତ୍ର ବଡିକୁ ୨ ଲକ୍ଷ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ।

୭- ରାଷ୍ଟ୍ରୀୟ ରେଳ ଯୋଜାନା ୨୦୩୦ ପ୍ରସ୍ତୁତ ହୋଇଛି। ଏଥର ୧.୧୦ ଲକ୍ଷ କୋଟି ଟଙ୍କା ରେଳବାଇକୁ ଦିଆଯାଇଛି। ଭାରତୀୟ ରେଳବାଇ ବ୍ୟତୀତ ମେଟ୍ରୋ, ସିଟି ବସ ସେବାକୁ ବଢାଇବା ଲକ୍ଷ ରଖାଯାଇଛି।

୮- ବିଦ୍ୟୁତ କ୍ଷେତ୍ର ପାଇଁ ୩ ଲକ୍ଷ କୋଟିରୁ ଅଧିକ ନଗଦର ସ୍କିମ ଲଞ୍ଚ କରାଯାଉଛି। ହାଇଡ୍ରୋଜେନ ପ୍ଳାଣ୍ଟ ମଧ୍ୟ ନିର୍ମାଣ କରାଯିବ। ବିଦ୍ୟୁତ କ୍ଷେତ୍ରରେ ପିପିପି ମଡ଼େଲ ଜରିଆରେ ଅନେକ ପ୍ରକଳ୍ପକୁ ପୂର୍ଣ୍ଣ କରାଯିବ।

୯- ଉଜ୍ଜଳା ଯୋଜନାରେ ଆଉ ଏକ କୋଟି ଲାଭାର୍ଥୀଙ୍କୁ ଏଥିରେ ଯୋଡାଯିବ। ଜାମ୍ମୁକାଶ୍ମୀରରେ ମଧ୍ୟ ଗ୍ୟାସ ପାଇପ ଲାଇନ ଯୋଜନା ଆରମ୍ଭ କରାଯିବ। ବୀମା କ୍ଷେତ୍ରରେ ଏଫଡିଆଇକୁ ୪୯ ପ୍ରତିଶତକୁ ବଢାଇ ୭୪ ପ୍ରତିଶତ କରିଦିଆଯାଇଛି।

୧୦- କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ଲାଗି କାମ କରାଯାଉଛି। ୟୁପିଏ ସରକାର ଠାରୁ ତିନି ଗୁଣ ରାଶି ମୋଦୀ ସରକାର କୃଷକଙ୍କ ଖାତାରେ ଜମା କରିଛନ୍ତି। ଦେଶରେ ସ୍ଵାମିତ୍ଵ ଯୋଜନା ଲାଗୁ କରାଯିବ। ଏଗ୍ରୀକଲ୍ଚରରେ କ୍ରେଡିଟ ଲକ୍ଷ୍ୟକୁ ୧୬ ଲକ୍ଷ କୋଟି ପର୍ଯ୍ୟନ୍ତ କରାଯାଉଛି। ଅପରେସନ ଗ୍ରୀନ ସ୍କିମର ଘୋଷଣା କରାଯାଇଛି। ଏଥିରେ ଅନେକ ଫସଲକୁ ସାମିଲ କରାଯିବ।

୧୧- ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଦେଶ ଏକ ରାସନ କାର୍ଡର ବ୍ୟାବସ୍ଥା କରାଯାଇଛି। ଏକ ପୋର୍ଟାଲର ଆରମ୍ଭ କରାଯିବ, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ଡାଟା ରହିବ। ମହିଳା ଶ୍ରମିକଙ୍କୁ ସବୁ ସିଫ୍ଟରେ କାମ କରିବାକୁ ଅନୁମତି ମିଳିବ। ରାତ୍ରି ସିଫ୍ଟ ମହିଳାଙ୍କ ପାଇଁ ଅଧିକ ସୁରକ୍ଷା ଯୋଗାଇ ଦିଆଯିବ। ଏମଏସଏମଇ କ୍ଷେତ୍ର ପାଇଁ ବଡ ଘୋଷଣା ହୋଇଛି ଏବଂ ବଜେଟକୁ ବୃଦ୍ଧି କରାଯାଇଛି।

୧୨- ୧୦୦ ନୂଆ ସୈନିକ ସ୍କୁଲ ଖୋଲାଯିବ। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ। ଏହାସହିତ ଆଦିବାସୀ ଅଞ୍ଚଳ ପାଇଁ ଏକଲବ୍ୟ ସ୍କୁଲ ଖୋଲାଯିବ। ହାୟର ଏଜୁକେସନ କମିଶନର ଗଠନ ଶୀଘ୍ର କରାଯିବ।

୧୩- ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କ ପାଇଁ ୩୫ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି। ଏହି କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍ସ ସାଥିରେ ମିଶି ସ୍କୁଲ ଟ୍ରେନିଂ ଉପରେ କାମ କରାଯାଉଛି। ଯେଉଁଥିରେ ଲୋକଙ୍କୁ କାମ ମିଳିପାରିବ।

୧୪- ବରିଷ୍ଠ ନାଗରିକମାନଙ୍କ ପାଇଁ ଟାକ୍ସରୁ ମୁକ୍ତି ଦିଆଯାଇଛି। ୭୫ ବର୍ଷରୁ ଅଧିକ ବରିଷ୍ଠ ନାଗରିକମାନେ ଆୟ କର ଦେବେ ନାହିଁ। ଏନଆରଆଇ ଲୋକଙ୍କୁ ଡବଲ ଟାକ୍ସ ସିଷ୍ଟମରୁ ମୁକ୍ତି ମିଳିଛି।

୧୫- ମୋବାଇଲ ଉପକରଣ ଉପରେ କଷ୍ଟମ ଡ୍ୟୁଟିକୁ ବୃଦ୍ଧି କରାଯାଇଛି। ଏବେ ଏଥିରେ ୨.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତମ୍ବା ଏବଂ ଲୁହା ଉପକରଣ ଉପରେ ଡ୍ୟୁଟି ଟାକ୍ସ ହ୍ରାସ କରାଯାଇଛି।