Categories
ଆଜିର ଖବର ଜାତୀୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟମାନଙ୍କୁ 7532 କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଆଜି 22ଟି ରାଜ୍ୟର ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ 7532 କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ ସମ୍ପୃକ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ ଏହି ଅର୍ଥ ମିଳିଛି। ଓଡ଼ିଶାକୁ ଏସଡିଆରଏଫ ପାଣ୍ଠି ବାବଦରେ 707 କୋଟି 60 ଲକ୍ଷ ଟଙ୍କା ମିଳିଛି।

ଜାରି କରାଯାଇଥିବା ଅର୍ଥରାଶିର ରାଜ୍ୟୱାରୀ ତାଲିକା ନିମ୍ନରେ ଦିଆଗଲା:

(କୋଟି ଟଙ୍କାରେ)

କ୍ରଂସଂ ରାଜ୍ୟ ପରିମାଣ
  ଆନ୍ଧ୍ରପ୍ରଦେଶ 493.60
  ଅରୁଣାଚଳ ପ୍ରଦେଶ 110.40
  ଆସାମ 340.40
  ବିହାର 624.40
  ଛତିଶଗଡ 181.60
  ଗୋଆ 4.80
  ଗୁଜରାଟ 584.00
  ହରିୟାଣା 216.80
  ହିମାଚଳ ପ୍ରଦେଶ 180.40
   କର୍ଣ୍ଣାଟକ 348.80
   କେରଳ 138.80
   ମହାରାଷ୍ଟ୍ର 1420.80
  ମଣିପୁର 18.80
  ମେଘାଳୟ 27.20
  ମିଜୋରାମ 20.80
  ଓଡ଼ିଶା 707.60
  ପଞ୍ଜାବ 218.40
  ତାମିଲନାଡୁ 450.00
  ତେଲଙ୍ଗାନା 188.80
  ତ୍ରିପୁରା 30.40
  ଉତ୍ତରପ୍ରଦେଶ 812.00
  ଉତ୍ତରାଖଣ୍ଡ 413.20

ସାରା ଦେଶରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକାକୁ କୋହଳ କରାଯାଇଛି । ବିଗତ ବର୍ଷ ରାଜ୍ୟମାନଙ୍କୁ ଦିଆଯାଇଥିବା ଅର୍ଥରାଶିର ଉପଯୋଗିତା ପ୍ରମାଣପତ୍ରକୁ ଅପେକ୍ଷା କରିବା ବିନା ରାଜ୍ୟମାନଙ୍କୁ ତତ୍କାଳ ସହାୟତା ରାଶି ଜାରି କରାଯାଇଛି ।

ବିପର୍ଯ୍ୟୟ ପ୍ରଶମନ ଆଇନ 2005ର ଧାରା 48 (1) (କ) ଅନ୍ତର୍ଗତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ର ଗଠନ କରାଯାଇଛି । କେନ୍ଦ୍ର ସରକାର ସାଧାରଣ ରାଜ୍ୟକୁ ଏସଡିଆରଏଫରେ 75 ପ୍ରତିଶତ ଓ ପୂର୍ବୋତ୍ତର ତଥା ହିମାଳୟ ରାଜ୍ୟରେ 90 ପ୍ରତିଶତ ଯୋଗଦାନ ଦେଇଥାନ୍ତି।

ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ ଦୁଇଟି ସମାନ କିସ୍ତିରେ ବାର୍ଷିକ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଏ। ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ଜାରି ହୋଇଥିବା କିସ୍ତି ପାଇଁ ଉପଯୋଗିତା ପ୍ରମାଣପତ୍ର ଏବଂ ରାଜ୍ୟମାନଙ୍କ ଦ୍ୱାରା ଏସଡିଆରଏଫ ପାଣ୍ଠି ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଏକ ରିପୋର୍ଟ ହସ୍ତଗତ ହେବା ପରେ ପରବର୍ତ୍ତୀ କିସ୍ତି ଯୋଗାଇ ଦିଆଯଇଥାଏ। ତେବେ, ଜରୁରି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଚଳିତ ଥର ଏସବୁ ଆବଶ୍ୟକତାକୁ କୋହଳ କରାଯାଇଛି ।

ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମୀ, ଝଡ଼, ଭୂ-ସ୍ଖଳନ, ହିମସ୍ଖଳନ, ବାଦଲଫଟା ବର୍ଷା, କୀଟ ଆକ୍ରମଣ ଏବଂ କୁଆପଥର ବର୍ଷା ଏବଂ ଶୀତ ଲହରୀ ଭଳି ବିଜ୍ଞପିତ ବିପର୍ଯ୍ୟୟର ପୀଡ଼ିତମାନଙ୍କୁ ତତ୍କାଳ ସହାୟତା ଉପଲବ୍ଧ କରାଇବା ଜନିତ ଖର୍ଚ୍ଚର ମୁକାବିଲା ଲାଗି ଏସଡିଆରଏଫକୁ ଉପଯୋଗ କରାଯାଇଥାଏ।

ଅତୀତର ଖର୍ଚ୍ଚ, କ୍ଷେତ୍ର, ଜନସଂଖ୍ୟା ଏବଂ ବିପର୍ଯ୍ୟୟ ବିପତ୍ତି ସୂଚକାଙ୍କ ଭଳି ବହୁ କାରକ ଉପରେ ଆଧାର କରି ରାଜ୍ୟମାନଙ୍କୁ ଏସଡିଆରଏଫ ପାଣ୍ଠି ଆବଣ୍ଟନ କରାଯାଏ। ଏହି କାରକଗୁଡ଼ିକ ରାଜ୍ୟର ସଂସ୍ଥାଗତ କ୍ଷମତା, ବିପଦ, ଅଭିଜ୍ଞତା, ବିପତ୍ତି ଓ ଦୁର୍ବଳତାର ପରିଚୟ ଦେଇଥାନ୍ତି।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି, କେନ୍ଦ୍ର ସରକାର 2021-22 ରୁ 2025-26 ମଧ୍ୟରେ ଏସଡିଆରଏଫ ପାଇଁ 1,28,122.40 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଏଥିମଧ୍ୟରେ କେନ୍ଦ୍ର ସରକାରଙ୍କ ଅଂଶଧନ 98,080.80 କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ଏବେ ସୁଦ୍ଧା 34,140.00 କୋଟି ଟଙ୍କା ଯୋଗାଇ ଦେଇସାରିଛନ୍ତି । ଚଳିତ ଥର ଅର୍ଥରାଶି ଜାରି କରାଯିବା ପରେ ରାଜ୍ୟ ସରକାରଙ୍କୁ ଏବେସୁଦ୍ଧା ଜାରି ହୋଇଥିବା ଅର୍ଥ ପରିମାଣ 42,366 କୋଟି ଟଙ୍କାରେ ପହଞ୍ଚିଛି ।

Categories
ଆଜିର ଖବର ଜାତୀୟ ଖବର

ଶସ୍ୟ ଅବଶେଷ ପରିଚାଳନା ନର୍ଦ୍ଦେଶାବଳୀକୁ ବଦଳାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶସ୍ୟ ଅବଶେଷର  ପରିଚାଳନା ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ଏହା ଫଳରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଆଦି ରାଜ୍ୟରେ ଧାନଚାଷରୁ ଯେଉଁ ନଡା, ଛଣ, କୁଟା ଓ ଅନ୍ୟାନ୍ୟ ଫସଲ ଅବଶେଷ ବାହାରୁଛି ତାହାକୁ ଅନ୍ୟ ସ୍ଥାନକୁ ନେଇ ବିଭିନ୍ନ କାମରେ ବ୍ୟବହାର କରାଯାଇପାରିବ।

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ଧାନ ନଡା, କୁଟା ଓ ଛଣ ଆଦିର ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏକ ଟେକ୍‌ନୋ-କମର୍ସିଆଲ ପାଇଲ୍‌ଟ ପ୍ରୋଜେକ୍ଟ କାର୍ଯ୍ୟ କରିବ। ବୈଷୟିକ ଜ୍ଞାନ କୌଶଳ  ସହାୟତାରେ ବ୍ୟାବସାୟିକ ଭାବେ ଏହି ପ୍ରକଳ୍ପ ମାଧ୍ୟମରେ ନଡା, ପାଳ, କୁଟା ଓ ଛଣ ଆଦିକୁ ତାହାର ଉତ୍ପାଦିତ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଏକ ସୁଦକ୍ଷ ଯୋଗାଣ ଶୃଙ୍ଖଳ ତିଆରି କରାଯିବ। ଏଥିପାଇଁ ଉପଭୋକ୍ତା ଓ ଉପଯୋଗକାରୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ। ଏଥିରେ ଗୋଟିଏ ପକ୍ଷରେ ଚାଷୀ ଏବଂ ଅନ୍ୟ ପକ୍ଷରେ ଗ୍ରାମ୍ୟ ଉଦ୍ୟୋଗୀ, କୃଷକ ସମବାୟ ସମିତି, ଚାଷୀ ଉତ୍ପାଦକ ସଂଘ ଏଫପିଓ, ଶିଳ୍ପ ସଂସ୍ଥା ଏବଂ ପଞ୍ଚାୟତ ଆଦି ରହିବେ। ଚାଷୀଙ୍କଠାରୁ ଏସବୁ ନଡା, ଛଣ, ପାଳ, କୁଟା ଆଦି କିଣାବିକା ପରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ତାହା ବ୍ୟବହୃତ ହେବ।

ଏସବୁ ଫସଲ ଅବଶେଷର ପରିଚାଳନା ତଥା ନିରାପଦ ଉପଯୋଗ ନିମନ୍ତେ କେନ୍ଦ୍ର ସରକାର ମୂଳଧନୀ ପୁଞ୍ଜି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ। ସେହି ଅର୍ଥରେ ଉଦ୍ୟୋଗୀ, କୃଷକ, ସମବାୟ ଆଦି ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବେ ଓ ଉଦ୍ୟୋଗ ପ୍ରତିଷ୍ଠା କରିବେ। ଏହି ଶିଳ୍ପ ଚଳାଇବା ପାଇଁ ଯେଉଁ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକ ହେବ ତାହାକୁ ସମ୍ପୃକ୍ତ ଶିଳ୍ପ ସଂସ୍ଥା କିମ୍ବା ଉପଭୋକ୍ତା ମିଳିତଭାବେ ଯୋଗାଇବେ। ତାହା ସମ୍ଭବ ନ ହେଲେ ହିତାଧିକାରୀ ଏଥିପାଇଁ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍‌), ନାବାର୍ଡ କିମ୍ବା ଅନ୍ୟ କୌଣସି ବିତ୍ତୀୟ ସଂସ୍ଥା/ବ୍ୟାଙ୍କରୁ ଋଣ କରିପାରିବେ। ସଂଗୃହୀତ ନଡା ଓ ପାଳ ଆଦିକୁ ଜମା କରି ରଖିବା ପାଇଁ ହିତାଧିକାରୀ ଏହାର ବ୍ୟବହାରକାରୀ ଉଦ୍ୟୋଗ ସହିତ ପରାମର୍ଶ କରି ଭଣ୍ଡାରର ବ୍ୟବସ୍ଥା କରିବେ।

ଏହି ଉଦ୍ୟୋଗ ପ୍ରତିଷ୍ଠ।। ପାଇଁ ହାୟର ଏଚ୍‌ପି ଟ୍ରାକ୍ଟର, କଟର, ଗ୍ରାବର, ଟେଲି ହ୍ୟାଣ୍ଡଲର ଭଳି ଯନ୍ତ୍ରପାତି କିଣିବାକୁ ପ୍ରକଳ୍ପ ପ୍ରସ୍ତାବନା ଆଧାରରେ ଆର୍ଥିକ ସହାୟତା ମିଳିବ। ନଡା, ପାଳ ଆଦିର ସଂଗ୍ରହ ସହିତ ପରିବହନ ପାଇଁ ଏସବୁ ଉପକରଣ ଏକାନ୍ତ ଅପରିହାର୍ଯ୍ୟ। ଏହାଦ୍ୱାରା ଏସବୁ ସାମଗ୍ରୀର ଯୋଗାଣ ଶୃଙ୍ଖଳ ପ୍ରତିଷ୍ଠା ହୋଇପାରିବ।

ପ୍ରକଳ୍ପ ଅନୁମୋଦନକାରୀ କମିଟି ମାଧ୍ୟମରେ ରାଜ୍ୟମାନେ ଏସବୁ ପ୍ରକଳ୍ପକୁ ଅନୁମୋଦନ ଦେବେ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ପ୍ରକଳ୍ପ ଖର୍ଚ୍ଚର ୬୫ଶତାଂଶ  ଅର୍ଥ ଯୋଗାଇବେ। ପ୍ରାଥମିକ ଉପଭୋକ୍ତା, ଚାଷୀ ଗୋଷ୍ଠୀ କିମ୍ବା ଚାଷୀ ସମବାୟ ଓ ଗ୍ରାମ୍ୟ ଉଦ୍ୟୋଗୀ ପ୍ରକଳ୍ପ ଖର୍ଚ୍ଚର ୨୫ ଶତାଂଶ ବହନ କରିବେ। ଅବଶିଷ୍ଟ ୧୦ଭାଗ ଅର୍ଥ ପଞ୍ଚାୟତ କିମ୍ବା କୃଷକ ଉତ୍ପାଦକ ପ୍ରତିଷ୍ଠାନ ସମୂହ ବହନ କରିବେ।

ସରକାରଙ୍କ ଏହି ହସ୍ତକ୍ଷେପମୂଳକ ପଦକ୍ଷେପ ଫଳରେ ଯେଉଁସବୁ ଲାଭ ମିଳିବ ତାହା ତଳେ ଦିଆଯାଇଛି।

  • ଏହା ଫଳରେ ଉତ୍ପାଦନ ସ୍ଥଳଠାରୁ ଦୂରରେ ବାହାରେ କୌଣସି ସ୍ଥାନରେ ନଡା ପାଳ, କୁଟା ଆଦି ସଂଗୃହୀତ ହୋଇପାରିବେ।
  • ସରକାରୀ ହସ୍ତକ୍ଷେପ ଫଳରେ ତିନି ବର୍ଷ ମଧ୍ୟରେ୧.୫ ନିୟୁତ ଟନ ଓଜନର ନଡା, କୁଟା ପାଳ ଆଦି ସଂଗୃହୀତ ହୋଇପାରିବ। ତା’ ନ ହେଲେ ସେସବୁକୁ ଚାଷୀ ନିଜ ଜମିରେ ପୋଡିଦେଇଥାନ୍ତେ।
  • ପ୍ରାୟ ୩୩୩ଟି ବାୟୋମାସ ସଂଗ୍ରହ ଡିପୋ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ନିର୍ମିତ ହେବ ଏବଂ ଏହାର କ୍ଷମତା ରହିବ ୪୫୦୦ ମେଟ୍ରିକ ଟନ୍।
  • ଏହା ଦ୍ୱାରା ନଡା ପୋଡି ଓ ତତ୍ ଜନିତ ବାୟୂ ପ୍ରଦୂଷଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ।
  • ଏହା ଦ୍ୱାରା ନୂଆ ନିଯୁକ୍ତି ସୃଷ୍ଟି ହେବ। ଏହା ଦ୍ୱାରା ପ୍ରାୟ ୯ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେବାର ଆକଳନ କରାଯାଇଛି।
  • ଏହା ଦ୍ୱାରା ଦେଶରେ ଏକ ଦୃଢ ବାୟୋମାସ୍ ଯୋଗାଣ ଶୃଙ୍ଖଳା ସୃଷ୍ଟି ହେବ ଏବଂ ସେସବୁ କୃଷି ଆବର୍ଜନାକୁ ବିଜୁଳି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ। ଏହା ମଧ୍ୟ ସିଏନ୍‌ଜତ୍ତ୍ୱି/ବାୟେ।। ଇଥାନଲ ଉତ୍ପାଦନରେ ସହାୟକ ହେବ।
  • ଯୋଗାଣ ବ୍ୟବସ୍ଥା ପ୍ରତିଷ୍ଠା ଦ୍ୱାରା ଊର୍ଜା କ୍ଷେତ୍ରରେ ଜୈବିକ ପଦାର୍ଥ ଓ ବାୟୋମାସକୁ ବାୟୋଫୁଏଲ (ଜୈବିକ ଇନ୍ଧନ)ରେ ପରିଣତ କରିବାର ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେବ।
Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଦିଲ୍ଲୀ ସରକାର, ଜାଣନ୍ତୁ କ’ଣ ରହିଛି ଦାବି?

ନୂଆଦିଲ୍ଲୀ: ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଆପ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର ଆଜି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ନିୟମ ଅସାମ୍ବିଧାନିକ ଅଟେ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଆପ ସରକାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ତୁରନ୍ତ ରୋକ ଲାଗିବା ଉଚିତ୍।

ଗତ ମାସରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ସ୍ଥାନାନ୍ତର ତଥା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ରାଜଧାନୀ ଜନସେବା ପ୍ରାଧିକରଣ ଗଠନ ପାଇଁ କେନ୍ଦ୍ର ସରକାର ଏକ ଆଧ୍ୟାଦେଶ ଜାରି କରିଥିଲେ। ଯାହା ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧ କରୁଛନ୍ତି।

ଏହି ନିୟମ ଘୋଷଣା ହେବାର କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀର ପୋଲିସ, ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ସେବା ନିୟନ୍ତ୍ରଣକୁ ଦିଲ୍ଲୀ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରୁନାହାଁନ୍ତି ଏବଂ ଏହି ନିୟମ ଅସାମ୍ବିଧାନିକ ଅଟେ।

ଏହି ପ୍ରସଙ୍ଗରେ ସମର୍ଥନ ପାଇଁ ଆପ ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସମେତ ବହୁ ବିରୋଧୀଦଳ ନେତା ଏଏପିକୁ ସମର୍ଥନ କରିବାକୁ କହିଛନ୍ତି।

ଆମ୍ ଆଦମୀ ପାର୍ଟି ଆଜି କହିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁଲାଇ ୩ ତାରିହରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଏହି ଅଧ୍ୟାଦେଶର ନକଲ ଜାଳି ଦେବେ। ଆପ ମୁଖପାତ୍ର ତଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ, ଜୁଲାଇ ୩ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କ୍ୟାବିନେଟ ମନ୍ତ୍ରୀ ଏବଂ ସମସ୍ତ ବିଧାୟକ ଆଇଟିଓ ପାର୍ଟି କାର୍ଯ୍ୟାଳୟରେ କଳା ଆଇନର ନକଲ ଜାଳି ଦେବେ। ତେବେ ଜୁଲାଇ ୫ ତାରିଖରେ ସମସ୍ତ ୭ ଟି ସଂସଦୀୟ କ୍ଷେତ୍ରରେ ଏହି ନିୟମର ନକଲ ଜଳାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ୨୭୮ ଜିଲ୍ଲାରେ ଜାତୀୟ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନ: ଓଡିଶାର ୨୦ ଜିଲ୍ଲା ସାମିଲ

ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଦେଶରୁ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାତୀୟ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଜିଲ୍ଲା, ବିଶେଷ କରି ଜନଜାତି ବହୁଳ ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଓଡ଼ିଶାର ୨୦ଟି ଜିଲ୍ଲାରେ ଜାତୀୟ ସିକଲ୍‌ ସେଲ୍‌ ରୋଗ ମିଶନକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି। ଏସବୁ ଜିଲ୍ଲା ହେଲେ – ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼।

ଓଡ଼ିଶା ବ୍ୟତୀତ ଉତ୍ତରାଖଣ୍ଡ (୧୩ ଜିଲ୍ଲା), ତେଲଙ୍ଗାନା(୯ ଜିଲ୍ଲା), ଗୁଜରାଟ(୧୪ ଜିଲ୍ଲା), ତାମିଲନାଡ଼ୁ(୩୨ ଜିଲ୍ଲା), ରାଜସ୍ଥାନ(୮ ଜିଲ୍ଲା), ଆସାମ(୩୪ ଜିଲ୍ଲା), ଛତିଶଗଡ଼(୩୩ ଜିଲ୍ଲା), ମଧ୍ୟପ୍ରଦେଶ(୨୦ ଜିଲ୍ଲା), ଉତ୍ତର ପ୍ରଦେଶ(୬ ଜିଲ୍ଲା), ଝାଡ଼ଖଣ୍ଡ(୨୪ ଜିଲ୍ଲା), ମହାରାଷ୍ଟ୍ର(୨୧ ଜିଲ୍ଲା), ପଶ୍ଚିମବଙ୍ଗ(୨୩ ଜିଲ୍ଲା), କର୍ଣ୍ଣାଟକ(୭ ଜିଲ୍ଲା), ବିହାର(୬ ଜିଲ୍ଲା), କେରଳ(୧ ଜିଲ୍ଲା), ଆନ୍ଧ୍ରପ୍ରଦେଶ(୭ ଜିଲ୍ଲା)ରେ ସିକଲ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ଅଭିଯାନ ଅଧୀନରେ ୦ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କ ଠାରେ ସିକଲ୍‌ ସେଲ୍‌ ରୋଗର ଲକ୍ଷଣ ଦେଖାଦେଲେ ଆବଶ୍ୟକ ଚିକିତ୍ସା କରାଯିବ।

Categories
ଆଜିର ଖବର ଜାତୀୟ ଖବର

ବିଦ୍ୟୁତ୍‌ କ୍ଷେତ୍ରରେ ଦ୍ରୁତ ସଂସ୍କାର ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ଋଣ ନେବା ପାଇଁ ଅନୁମତି ଆକାରରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି। ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ ପ୍ରଦର୍ଶନକୁ ବଢ଼ାଇବା ଲାଗି ସଂସ୍କାର ଆରମ୍ଭ କରିବାରେ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଯୋଗାଇ ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

କେନ୍ଦ୍ରୀୟ ବଜେଟ୍‌ ୨୦୨୧-୨୨ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏହି ପଦକ୍ଷେପ ଘୋଷଣା କରିଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ୨୦୨୧-୨୨ ଠାରୁ ୨୦୨୪-୨୫ ସୁଦ୍ଧା ଚାରି ବର୍ଷର ଅବଧି ପାଇଁ ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୦.୫ର ଅତିରିକ୍ତ ଋଣ ଉଠାଇବାର ସୁବିଧା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ରହିଛି। ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସ୍ୱତନ୍ତ୍ର ସଂସ୍କାରକୁ ଲାଗୁ କରିବା ଉପରେ ଏହି ଅତିରିକ୍ତ ଆର୍ଥିକ ସୁବିଧା ନିର୍ଭରଶୀଳ।

ଏହି ପଦକ୍ଷେପ ରାଜ୍ୟ ସରକାରମାନଙ୍କୁ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କରିଛି ଏବଂ ଅନେକ ରାଜ୍ୟ ଆଗକୁ ଆସି କାର୍ଯ୍ୟକାରୀ କରାଯାଇଥିବା ସଂସ୍କାର ଓ ବିଭିନ୍ନ ମାନଦଣ୍ଡର ସଫଳତା ବିବରଣୀ ବିଦ୍ୟୁତ ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି।

ବିଦ୍ୟୁତ ମନ୍ତ୍ରଣାଳୟର ସୁପାରିସ ଆଧାରରେ ଅର୍ଥ ମନ୍ତ୍ରଣାଳୟ ୧୨ଟି ରାଜ୍ୟକୁ ୨୦୨୧-୨୨ ଏବଂ ୨୦୨୨-୨୩ରେ କାର୍ଯ୍ୟକାରୀ କରାଯାଇଥିବା ସଂସ୍କାରକୁ ଅନୁମତି ଦେଇଛି। ବିଗତ ଦୁଇଟି ଆର୍ଥିକ ବର୍ଷରେ ଏସବୁ ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଅନୁମତି ମାଧ୍ୟମରେ ୬୬,୪୧୩ କୋଟି ଟଙ୍କାର ଆର୍ଥିକ ସମ୍ବଳ ସଂଗ୍ରହ କରିବା ଲାଗି ଅନୁମତି ଦିଆଯାଇଛି। ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି।

ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ଲାଗି ପ୍ରୋତ୍ସାହନ ଆକାରରେ ପ୍ରତ୍ୟେକ ରାଜ୍ୟ ପାଇଁ ଅନୁମତି ଦିଆଯାଇଥିବା ଅର୍ଥରାଶିର ବିଭାଜନ ନିମ୍ନରେ ଦିଆଗଲା –

କ୍ରଂସଂ ରାଜ୍ୟ ୨୦୨୧-୨୨ ଏବଂ ୨୦୨୨-୨୩ ପାଇଁ ଅତିରିକ୍ତ ଋଣ ଅନୁମତିର ସଞ୍ଚୟୀ ରାଶି

(କୋଟି ଟଙ୍କାରେ)

୧. ଆନ୍ଧ୍ର ପ୍ରଦେଶ ୯,୫୭୪
୨. ଆସାମ ୪,୩୫୯
୩. ହିମାଚଳ ପ୍ରଦେଶ ୨୫୧
୪. କେରଳ ୮,୩୨୩
୫. ମଣିପୁର ୧୮୦
୬. ମେଘାଳୟ ୧୯୨
୭. ଓଡ଼ିଶା ୨,୭୨୫
୮. ରାଜସ୍ଥାନ ୧୧,୩୦୮
୯. ସିକ୍କିମ ୩୬୧
୧୦. ତାମିଲନାଡ଼ୁ ୭,୦୫୪
୧୧ ଉତ୍ତର ପ୍ରଦେଶ ୬,୮୨୩
୧୨ ପଶ୍ଚିମବଙ୍ଗ ୧୫,୨୬୩
  ମୋଟ୍‌ ୬୬,୪୧୩

ରାଜ୍ୟମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ସହ ଜଡ଼ିତ ଅତିରିକ୍ତ ଋଣ ଉଠାଇବାର ସୁବିଧାର ଲାଭ ନେବା ଜାରି ରଖିପାରିବେ । ୨୦୨୩-୨୪ରେ ଏହି ସଂସ୍କାର ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହନ ରାଶି ଆକାରରେ ୧,୪୩,୩୩୨ କୋଟି ଟଙ୍କା ଉପଲବ୍ଧ ହେବ। ୨୦୨୧-୨୨ ଏବଂ ୨୦୨୨-୨୩ରେ ସଂସ୍କାର ପ୍ରକ୍ରିୟାକୁ ପୂରଣ କରିବାରେ ଅସମର୍ଥ ହୋଇଥିବା ରାଜ୍ୟମାନେ ଯଦି ଚଳିତ ଆର୍ଥିକ ବର୍ଷରେ ସଂସ୍କାରକୁ ଲାଗୁ କରିବାରେ ସକ୍ଷମ ହୁଅନ୍ତି ତା’ହେଲେ ସେମାନେ ୨୦୨୩-୨୪ ପାଇଁ ନିର୍ଦ୍ଧାରିତ ଅତିରିକ୍ତ ଋଣ ନେବାର ଲାଭ ମଧ୍ୟ ପାଇପାରିବେ।

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବାର ପ୍ରାରମ୍ଭିକ ଉଦ୍ଦେଶ୍ୟ ହେଉଛି ଏହି କ୍ଷେତ୍ର ମଧ୍ୟରେ ପରିଚାଳନା ଓ ଆର୍ଥିକ ଦକ୍ଷତାରେ ସୁଧାର ଆଣିବା ଏବଂ ପରିଶୋଧ କରାଯାଇଥିବା ବିଦ୍ୟୁତ ଉପଯୋଗରେ ନିରନ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା।

ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ହେବା ଲାଗି ରାଜ୍ୟ ସରକାରମାନଙ୍କୁ ବାଧ୍ୟତାମୂଳକ ସଂସ୍କାରର ସେଟ୍‌ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ଏବଂ ନିର୍ଦ୍ଧାରିତ ପ୍ରଦର୍ଶନ ମାନଦଣ୍ଡକୁ ପୂରଣ କରିବା ଜରୁରି। ଆବଶ୍ୟକ ସଂସ୍କାରରେ ନିମ୍ନଲିଖିତ ଦିଗକୁ ସାମିଲ କରାଯାଇଛି:

  • ରାଜ୍ୟ ସରକାରଙ୍କ ଦ୍ୱାରା ସରକାରୀ ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ)ର କ୍ଷତି ପାଇଁ ଉତ୍ତୋରତ୍ତର ଦାୟିତ୍ୱ ଗ୍ରହଣ।
  • ସବସିଡି ପରିଶୋଧ ତଥା ଡିସକମ ପ୍ରତି ସରକାର ଏବଂ ଡିସକମର ଦେୟତାକୁ ଉଲ୍ଲେଖ କରିବା ସହିତ ବିଦ୍ୟୁତ କ୍ଷେତ୍ରରେ ଆର୍ଥିକ ବ୍ୟାପାର ରିପୋର୍ଟିଂରେ ପାରଦର୍ଶିତା।
  • ଆର୍ଥିକ ଓ ଇନ୍ଧନ ଏକାଉଣ୍ଟର ସମୟୋପଯୋଗୀ ପ୍ରସ୍ତୁତି ଏବଂ ଠିକ୍‌ ସମୟରେ ଅଡିଟିଂ।
  • ଆଇନଗତ ଓ ନିୟାମକ ଆବଶ୍ୟକତାର ଅନୁପାଳନ।

ଏହି ସଂସ୍କାରକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପରେ ପ୍ରୋତ୍ସାହନ ରାଶି ପାଇଁ ଯୋଗ୍ୟତା ନିର୍ଦ୍ଧାରିତ କରିବା ଲାଗି ସ୍ୱତନ୍ତ୍ର ମାନଦଣ୍ଡ ଆଧାରରେ କୌଣସି ରାଜ୍ୟର ପ୍ରଦର୍ଶନ ମୂଲ୍ୟାଙ୍କନ କରାଯିବ ଯାହାକି ପ୍ରଦର୍ଶନ ଆଧାରରେ ସକଳ ଘରୋଇ ଉତ୍ପାଦର ୦.୨୫ ପ୍ରତିଶତ ରୁ ଆରମ୍ଭ କରି ୦.୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ମୂଲ୍ୟାଙ୍କନ ମାନଦଣ୍ଡରେ ସାମିଲ ରହିଛି-

  • କୃଷି ସଂଯୋଗ ସହିତ ମୋଟ୍‌ କୃଷି ଇନ୍ଧନ ଉପଯୋଗ ତୁଳନାରେ ମିଟର ସଂଯୁକ୍ତ ବିଦ୍ୟୁତ ଉପଯୋଗର ପ୍ରତିଶତ।
  • ଉପଭୋକ୍ତାମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଦ୍ୱାରା ସବସିଡି ପରିଶୋଧ।
  • ମୋଟ୍‌ ବୈଷୟିକ ଓ ବାଣିଜ୍ୟିକ (ଏଟି ଏବଂ ସି) କ୍ଷତିରେ ହ୍ରାସ ପାଇଁ ଲକ୍ଷ୍ୟ ହାସଲ।
  • ଯୋଗାଣର ହାରାହାରୀ ଖର୍ଚ୍ଚ ଓ ହାରାହାରୀ ଅସୁଲୀ ଯୋଗ୍ୟ ରାଜସ୍ୱ (ଏସିଏସ-ଏଆରଆର) ରେ ରହିଥିବା ଅଭାବ ଲକ୍ଷ୍ୟକୁ ପୂରଣ କରିବା।
  • କ୍ରସ ସବସିଡିରେ ହ୍ରାସ।
  • ସରକାରୀ ବିଭାଗ ତଥା ସ୍ଥାନୀୟ ୟୁନିଟ୍‌ ଦ୍ୱାରା ବିଦ୍ୟୁତ ବିଲ୍‌ର ପରିଶୋଧ।
  • ସରକାରୀ କାର୍ଯ୍ୟାଳୟରେ ପ୍ରିପେଡ୍‌ ମିଟର ଲଗାଇବା।
  • ନବସୃଜନ ଓ ନୂତନ ପ୍ରଯୁକ୍ତିର ଉପଯୋଗ।

ଏହାବ୍ୟତୀତ ବିଦ୍ୟୁତ ବିତରଣ କମ୍ପାନୀର ଘରୋଇକରଣ ଲାଗି ବୋନସ ପଏଣ୍ଟ ପାଇବା ନିମନ୍ତେ ରାଜ୍ୟମାନେ ଯୋଗ୍ୟ ଅଟନ୍ତି।

ରାଜ୍ୟମାନଙ୍କର ପ୍ରଦର୍ଶନକୁ ଆକଳନ କରିବା ଏବଂ ଅତିରିକ୍ତ ଋଣସଂଗ୍ରହ ଅନୁମତି ପାଇଁ ସେମାନଙ୍କର ଯୋଗ୍ୟତାକୁ ବିଚାର କରିବା ଲାଗି ଶକ୍ତି ମନ୍ତ୍ରଣାଳୟର ନୋଡାଲ୍‌ ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିଥାଏ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ ଢଙ୍ଗରେ ନପହଞ୍ଚିବା ପର୍ଯ୍ୟନ୍ତ ସରକାର ଡାଲି ଯୋଗାଇଦେବେ। ଅନଲାଇନ ନିଲାମୀ ଜରିଆରେ ଯୋଗ୍ୟ ମିଲର୍‌ମାନଙ୍କୁ ଡାଲି ଯୋଗାଣ ନିମନ୍ତେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ)କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଉପଭୋକ୍ତାଙ୍କ ଖାଇବା ପାଇଁ ଯଥେଷ୍ଟ ପରିମାଣରେ ହରଡ଼ ଡାଲି ମିଲିଂ ନିମନ୍ତେ ଉପଲବ୍ଧ ହୋଇପାରିବ।

ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଦରରେ ହରଡ଼ ଡାଲି ଯୋଗାଇ ଦେବା ପାଇଁ ଯଥେଷ୍ଟ ପରିମାଣରେ ଡାଲି ନିଲାମ କରାଯିବ। ବଜାରରେ ଡାଲି ଉପଲବ୍ଧତାର ପ୍ରଭାବକୁ ଆକଳନ କରାଯାଇ ସେହି ଆଧାରରେ ନିଲାମୀର ପୁନରାବୃତ୍ତି କରାଯିବ।

ଏଠାରେ ସୂଚନାଯୋଗ୍ୟ ଯେ ଜମାଖୋରୀ ଏବଂ ବେଆଇନ ମହଜୁଦକୁ ରୋକିବା ତଥା ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ଡାଲି ଉପଲବ୍ଧତାରେ ସୁଧାର ଆଣିବା ଲାଗି ୨ ଜୁନ୍‌ ୨୦୨୩ରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୯୫ କୁ ଲାଗୁ କରି ସରକାର ହରଡ଼ ଓ ବିରି ଡାଲିର ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରିଥିଲେ। ଏହି ଆଦେଶ ଅନୁଯାୟୀ, ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି।

ପ୍ରତ୍ୟେକ ଡାଲି ଉପରେ ଷ୍ଟକ୍‌ ସୀମା ଲାଗୁ ହେବ। ପାଇକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ଷ୍ଟକ୍‌ ସୀମା ୨୦୦ ମେଟ୍ରିକ ଟନ୍‌, ଖୁଚୁରା ବ୍ୟବସାୟୀଙ୍କ ପାଇଁ ୫ ମେଟ୍ରିକ ଟନ୍‌, ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ରରେ ୫ ମେଟ୍ରିକ ଟନ୍‌ ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବିକ୍ରୟ କେନ୍ଦ୍ରର ଡିପୋରେ ୨୦୦ ମେଟ୍ରିକ ଟନ୍‌ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ସେହିପରି ମିଲରଙ୍କ କ୍ଷେତ୍ରରେ ଶେଷ ତିନି ମାସର ଉତ୍ପାଦନ କିମ୍ବା ବାର୍ଷିକ ଉତ୍ପାଦନ କ୍ଷମତାର ୨୫% ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ବିଭାଗର ପୋର୍ଟାଲ (https://fcainfoweb.nic.in/psp)ରେ ଷ୍ଟକ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ଏସବୁ ସଂସ୍ଥାମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଷ୍ଟକ୍‌ ସୀମା ଆଦେଶକୁ କାର୍ଯ୍ୟକାରୀ କରିବା ଏବଂ ପୋର୍ଟାଲରେ ଷ୍ଟକ୍‌ ସମ୍ପର୍କରେ ସୂଚନା ଦେବା ସ୍ଥିତିକୁ ଉପଭୋକ୍ତା ବ୍ୟାପାର ବିଭାଗ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅନୁଧ୍ୟାନ କରାଯାଉଛି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲୁସି) ଓ ରାଜ୍ୟ ପଣ୍ୟାଗାର ନିଗମ (ଏସଡବ୍ଲୁସି)ର ଗୋଦାମରେ ବିଭିନ୍ନ ସଂସ୍ଥା ଦ୍ୱାରା ରଖାଯାଉଥିବା ଷ୍ଟକ୍‌ ଆଦିର ତଥ୍ୟକୁ ପୋର୍ଟାଲରେ ଘୋଷଣା କରାଯାଇଥିବା ମାତ୍ରା ସହିତ ତୁଳନା କରାଯାଇଛି।

ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ନିରନ୍ତର ଭାବେ ମୂଲ୍ୟ ଅନୁଧ୍ୟାନ କରୁଛନ୍ତି ଏବଂ ଷ୍ଟକ୍‌ ସୀମା ଆଦେଶର ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷ୍ଟକର ସ୍ଥିତିକୁ ଯାଞ୍ଚ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନ ସମ୍ମୁଖରେ ବିଜେଡ଼ିର ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ଵର: ରାଜଭବନ ସମ୍ମୁଖରେ ଆଜି ବିଜେଡ଼ି ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କରାଯାଉଛି। ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଛି। ଏଥିରେ ଦଳର ଅନେକ ବିଧାୟକ ଓ ନେତା ଧାରଣାରେ ବସିଛନ୍ତି।

ତେବେ ଏହି ସମୟରେ ମହିଳା କର୍ମୀ ମାନେ ଖାଲି ସିଲିଣ୍ଡର ଧରି ରାସ୍ତା ମଝିରେ ଚୁଲି ଜାଲି ପ୍ରତିବାଦ କରିଛନ୍ତି। ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ବିଜେଡ଼ି ସ୍ମାରକପତ୍ର ଦେଇଛି।

Categories
ଆଜିର ଖବର ଜାତୀୟ ଖବର

କୋୱିନ୍‌ ତଥ୍ୟ ଗୋପନୀୟତା ଉଲ୍ଲଂଘନ ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେଇଥିବା ହିତାଧିକାରୀଙ୍କ ଗୋପନୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏସବୁ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ ପୋର୍ଟାଲରେ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ କରାଯାଇଛି। କୋଭିଡ ୧୯ ଟିକା ନେଇଥିବା ହିତାଧିକାରୀଙ୍କ ସବୁ ତଥ୍ୟ ଏହି ପୋର୍ଟାଲରେ ସଂରକ୍ଷିତ ହୋଇ ରହିଛି।

ସାମାଜିକ ଗଣମାଧ୍ୟମ ମଞ୍ଚ ଟ୍ୱିଟ୍ଟରରେ କରାଯାଇଥିବା କେତେକ ପୋଷ୍ଟରେ ଦାବି କରାଯାଇଛି ଯେ, ଟେଲିଗ୍ରାମ (ଅନଲାଇନ ବାର୍ତ୍ତାପ୍ରେରଣ ଆପ୍ଲିକେସନ) ବିଓଟି ବ୍ୟବହାର କରାଯାଇ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଗୋପନୀୟ ତଥ୍ୟକୁ ଆକ୍ସେସ ବା ହାସଲ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବିଓଟି ମାଧ୍ୟମରେ ଜଣେ ହିତାଧିକାରୀଙ୍କ ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ଦିଆଯାଇ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟ ହାସଲ କରାଯାଇଛି।

ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଏଭଳି ରିପୋର୍ଟଗୁଡ଼ିକର କୌଣସି ଆଧାର ନାହିଁ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରସାରିତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଅଧିକନ୍ତୁ, ୱେବ୍‌ ଆପ୍ଲିକେସନ ଫାୟାରୱାଲ୍‌, ଆଣ୍ଟି-ଡିଡିଓଏସ, ଏସଏସଏଲ/ଟିଏଲଏସ, ନିୟମିତ ବିପଦ ମୂଲ୍ୟାଙ୍କନ, ପରିଚୟ ଏବଂ ଆକ୍ସେସ ପରିଚାଳନା ଆଦି ସୁବିଧା ସହିତ କୋ-ୱିନ ପୋର୍ଟାଲରେ ଯଥେଷ୍ଟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କୋୱିନ୍‌ ପୋର୍ଟାଲରେ ଥିବା ତଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି କିମ୍ବା କରାଯାଉଛି।

କୋୱିନ୍‌ ପୋର୍ଟାଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି ଏବଂ ଏହା ମନ୍ତ୍ରଣାଳୟ ମାଲିକାନାରେ ରହି ପରିଚାଳିତ ହେଉଛି। କୋୱିନ୍‌ର ବିକାଶ ଏବଂ ନୀତିଗତ ପ୍ରସଙ୍ଗରେ ବିଚାର କରିବା ଲାଗି ଏକ କ୍ଷମତାପ୍ରାପ୍ତ ଟିକା ପରିଚାଳନା ଗୋଷ୍ଠୀ (ଇଜିଭିଏସି) ଗଠନ କରାଯାଇଥିଲା। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଇଜିଭିଏସିର ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ସଦସ୍ୟମାନେ ସାମିଲ ରହିଥିଲେ।

କୋୱିନ ଡେଟା ଆକ୍ସେସ ବା ତଥ୍ୟ ହାସଲବର୍ତ୍ତମାନ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିବା ଲାଗି ତିନୋଟି ପର୍ଯ୍ୟାୟ ଦେଇ ଗତି କରିଥାଏ ଯାହାକି ନିମ୍ନରେ ଦିଆଗଲା:

ହିତାଧିକାରୀଙ୍କ ଡ୍ୟାଶବୋର୍ଡ ଟିକା ନେଇଥିବା ବ୍ୟକ୍ତିବିଶେଷ ନିଜର ପଞ୍ଜିକୃତ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ପ୍ରାମାଣିକରଣ କରିବା ପରେ କୋ-ୱିନ୍‌ ତଥ୍ୟ ହାସଲ କରିପାରିବେ।

କୋୱିନ୍ଅଧିକୃତ ବ୍ୟବହାରକାରୀ ଟିକା ଦେଇଥିବା ବ୍ୟକ୍ତି ପ୍ରାମାଣିକ ଲଗ୍‌ଇନ୍‌ ତଥ୍ୟ ଦାଖଲ କରି ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିପାରିବେ। କିନ୍ତୁ ଜଣେ ଅଧିକୃତ ବ୍ୟବହାରକାରୀ କେତେଥର କୋୱିନ୍‌ ସିଷ୍ଟମକୁ ଖୋଲି ତଥ୍ୟ ଦେଖୁଛନ୍ତି ତାହା କୋୱିନ୍‌ ସିଷ୍ଟମ ଅନୁଧ୍ୟାନ କରିଥାଏ ଏବଂ ରେକର୍ଡ ରଖିଥାଏ।

ଏପିଆଇ ଆଧାରିତ ଆକ୍ସେସ କୋ-ୱିନ୍‌ ଏପିଆଇଗୁଡ଼ିକର ଅଧିକୃତ ଆକ୍ସେସ ପାଇଥିବା ତୃତୀୟ ପକ୍ଷ ଆପ୍ଲିକେସନଗୁଡ଼ିକ ହିତାଧିକାରୀ ଓଟିପି ପ୍ରମାଣିକତା ଜରିଆରେ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟକୁ ଦେଖିପାରିବେ।

ଟେଲିଗ୍ରାମ ବିଓଟି

ବିନା ଓଟିପିରେ ଟିକା ନେଇଥିବା ହିତାଧିକାରୀଙ୍କ ତଥ୍ୟକୁ କୌଣସି ବିଓଟିରେ ଶେୟାର କରାଯାଇ ପାରିବ ନାହିଁ।

ଟିକା ନେଇଥିବା ବୟସ୍କ ହିତାଧିକାରୀଙ୍କ ଠାରୁ କେବଳ ଜନ୍ମ ବର୍ଷ (ୱାଇଓବି)ର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଅନଲାଇନ୍‌ ମିଡିଆ ପୋଷ୍ଟରେ ବିଓଟି ଜରିଆରେ ଜନ୍ମ ତାରିଖ (ଡିଓବି) ତଥ୍ୟ ହାସଲ କରାଯାଇଥିବା ଦାବି କରାଯାଇଛି।

ହିତାଧିକାରୀଙ୍କ ଠିକଣା ନିଆଯିବାର କୌଣସି ବ୍ୟବସ୍ଥା ନାହିଁ।

କୋ-ୱିନକୁ ବିକଶିତ କରିଥିବା ଦଳ ଏହା ସୁନିଶ୍ଚିତ କରିଛନ୍ତି ଯେ, ବିନା ଓଟିପିରେ ତଥ୍ୟ ହାସଲ କରିବା ଭଳି କୌଣସି ସାର୍ବଜନୀନ ଏପିଆଇ ନାହିଁ । ଉପରୋକ୍ତ ବ୍ୟତୀତ,  ଏପରି କେତେକ ଏପିଆଇ ଅଛନ୍ତି ଯେଉଁମାନଙ୍କୁ ତଥ୍ୟ ପ୍ରଦାନ କରିବା ଲାଗି ଆଇସିଏମଆର ଭଳି ତୃତୀୟ ପକ୍ଷଙ୍କ ସହିତ ଯୋଡ଼ା ଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଭଳି ଏକ ଏପିଆଇରେ ଆଧାର ସହ ଜଡ଼ିତ ମୋବାଇଲ ନମ୍ବରରୁ କଲ କରି ତଥ୍ୟ ବା ଡେଟା ଶେୟାର କରିବାର ସୁବିଧା ରହିଛି। ତେବେ, ଏହି ଏପିଆଇ ମଧ୍ୟ ବିଶେଷ ପ୍ରକାରର ଏବଂ ଏଥିରେ ତଥ୍ୟ ପାଇଁ ଅନୁରୋଧ କେବଳ ବିଶ୍ୱସନୀୟ ଏପିଆଇରୁ ସ୍ୱୀକାର କରାଯାଏ ଯାହାକୁ କୋ-ୱିନ ଆପ୍ଲିକେସନ ଦ୍ୱାରା ଶ୍ୱେତ ତାଲିକାଭୁକ୍ତ ବା ହ୍ୱାଇଟ୍‌ ଲିଷ୍ଟେଡ୍‌ କରାଯାଇଛି।

ଏହି ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ପ୍ରସଙ୍ଗରେ ଅନୁଧ୍ୟାନ କରିବା ଏବଂ ରିପୋର୍ଟ ଦାଖଲ କରିବା ନିମନ୍ତେ ଭାରତୀୟ କମ୍ପ୍ୟୁଟର ଜରୁରିକାଳୀନ ପ୍ରତିକ୍ରିୟା ଟିମ୍‌ (ସିଇଆରଟି-ଇନ୍‌)କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହାବ୍ୟତୀତ, କୋ-ୱିନର ବର୍ତ୍ତମାନର ସୁରକ୍ଷା ଉପାୟର ସମୀକ୍ଷା କରିବା ଲାଗି ଏକ ଆନ୍ତରିକ ଅଭ୍ୟାସ ଆରମ୍ଭ କରାଯାଇଛି।

ସିଇଆରଟି-ଇନ୍‌ ନିଜ ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଇଛି ଯେ ଟେଲିଗ୍ରାମ ବିଓଟିର ବ୍ୟାକଏଣ୍ଡ ଡେଟାବେସ୍‌ କୋୱିନ୍‌ ଡେଟାବେସର ଏପିଆଇ ସହିତ ସିଧାସଳଖ ସମ୍ପର୍କ  ସ୍ଥାପନ କରୁନାହିଁ।

Categories
ଆଜିର ଖବର ଜାତୀୟ ଖବର

ପିଏମ କିସାନ ସମ୍ମାନ ନିଧି: ଏଣିକି ୬ ହଜାର ବଦଳରେ କୃଷକମାନଙ୍କୁ ମିଳିବ ୧୦ ହଜାର

ନୂଆଦିଲ୍ଲୀ: ଭାରତରେ ଚାଷୀଙ୍କ ଅବସ୍ଥା ସେତେ ଭଲ ନୁହେଁ। ଏହି କାରଣରୁ ଏଠାରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ନୂତନ ଯୋଜନା ଆଣିବା ଜାରି ରଖିଛନ୍ତି, ଯାହା ଦ୍ଵାରା ସେମାନଙ୍କୁ ସାହାଯ୍ୟ କରାଯାଇପାରିବ। ଏହିପରି ଗୋଟିଏ ଯୋଜନା ହେଉଛି ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା। ଏହି ଯୋଜନା ଅଧୀନରେ ସରକାର ପ୍ରତିବର୍ଷ ୬ ହଜାର ଟଙ୍କା କୃଷକମାନଙ୍କୁ ପ୍ରଦାନ କରୁଛନ୍ତି। ଏହି ଯୋଜନା ସମଗ୍ର ଦେଶରେ ପ୍ରଯୁଜ୍ୟ। କିନ୍ତୁ ବର୍ତ୍ତମାନ ସମାନ ଧାଡିରେ ଆଉ ଏକ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ଯାହା ଅନୁଯାୟୀ ବର୍ତ୍ତମାନ ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦିଆଯିବ।

ଏହି ନୂତନ ଯୋଜନା କ’ଣ?:

ମଧ୍ୟପ୍ରଦେଶ ସରକାର ଏହି ନୂତନ ଯୋଜନା ଆରମ୍ଭ କରି ଏହାର ନାମ କିସାନ କଲ୍ୟାଣ ଯୋଜନା କରିଛନ୍ତି। ଏହି ଯୋଜନା ଅନୁଯାୟୀ ରାଜ୍ୟ ସରକାର କୃଷକମାନଙ୍କୁ ସେମାନଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ୬ ବର୍ଷ ବଦଳରେ ୧୦ ହଜାର ଟଙ୍କା ଦେବେ। କିନ୍ତୁ ଏହା ସହିତ ଚାଷୀଙ୍କୁ ୪ ହଜାର ଟଙ୍କା ଦିଆଯିବ। ମଧ୍ୟପ୍ରଦେଶ ସରକାର ଏହି ଯୋଜନାକୁ ୨୦୨୦ ରେ ଆରମ୍ଭ କରିଥିଲେ। ସେହି ସମୟରେ ଏହି ଟଙ୍କା ଦୁଇ ହଜାର ଆକାରରେ ଦୁଇଟି କିସ୍ତିରେ ଯାଉଥିଲା।

କେଉଁ କୃଷକମାନେ ଲାଭ ପାଇବେ?:

ଏହି ଯୋଜନା ଅଧୀନରେ କେବଳ ମଧ୍ୟପ୍ରଦେଶର କୃଷକମାନେ ଏହି ସୁବିଧା ପାଇବେ। ସବୁଠାରୁ ବଡ କଥା ହେଉଛି ମଧ୍ୟପ୍ରଦେଶର ସମସ୍ତ କୃଷକ ଏହି ଯୋଜନା ଅଧୀନରେ ଲାଭ ପାଇବେ ନାହିଁ, କେବଳ ସେହି କୃଷକମାନେ ଲାଭ ପାଇବେ, ଯେଉଁମାନେ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନ ଉପରକୁ ବ୍ରହ୍ମୋସ୍ ମାରିବା ହେତୁ ୨୪ କୋଟି କ୍ଷତି, ବିପଦ ବହୁତ ବଡ ଥିଲା: କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ଗତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ଉପରେ ଭୁଲରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ କହିଥିଲେ ଯେ ଏହି ଭୁଲ ହେତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଭୁଲ ପାଇଁ ଭାରତକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି।

ଭାରତୀୟ ବାୟୁସେନାର ତିନିଜଣ ଅଧିକାରୀଙ୍କ ବହିଷ୍କାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏହି ସବୁ କଥା କେନ୍ଦ୍ର ସରକାର କହିଛନ୍ତି। ଏହା ସହିତ ପାକିସ୍ତାନ ଉପରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚରମ ଅବହେଳା ବୋଲି କୁହାଯାଇଛି।

ୱିଙ୍ଗ କମାଣ୍ଡର ଅଭିନବ ଶର୍ମାଙ୍କ ଦ୍ୱାରା ଆବେଦନ ହୋଇଥିବା ଏକ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟରେ ଏହି ଶୁଣାଣି ଚାଲିଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଦାଖଲ କରିଥିବା ଏକ ଆଫିଡେଭିଟରେ ଦର୍ଶାଯାଇଛି ଯେ, ଦେଶର ସୁରକ୍ଷା ପ୍ରତି ବ୍ୟାପକ ବିପଦ ସୃଷ୍ଟି କରୁଥିବା ଘଟଣାର ସମ୍ବେଦନଶୀଳ ପ୍ରକୃତିକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଜନସାଧାରଣଙ୍କ ସ୍ୱାର୍ଥରେ ନିଆଯାଇଛି। ୨୩ ବର୍ଷ ପରେ ଭାରତୀୟ ବାୟୁସେନାରେ ଏଭଳି ନିଷ୍ପତ୍ତି ନିଆଯାଇଛି, କାରଣ ମାମଲାର ସତ୍ୟତା ଏବଂ ପରିସ୍ଥିତି ଏପରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କାରଣରୁ ଅନେକ ପ୍ରକାରର ସମ୍ଭାବ୍ୟ ବିପଦ ଉପୁଜିଥିଲା, ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ଏବଂ ଭାରତୀୟ ବାୟୁସେନା ସହିତ ଦେଶର ପ୍ରତିଷ୍ଠା ନଷ୍ଟ ହୋଇଥାନ୍ତା।

ଆବେଦନରେ କ’ଣ କୁହାଯାଇଥିଲା?:

ଭାରତୀୟ ବାୟୁସେନା ଅଧିନିୟମ ୧୯୫୦ ଅନୁଯାୟୀ ବହିଷ୍କାର ନିଷ୍ପତ୍ତିକୁ ଆବେଦନକାରୀ ୱିଙ୍ଗ କମାଣ୍ଡର ଶର୍ମା ଚ୍ୟାଲେଞ୍ଜ କରିଥିଲେ। ଆବେଦନରେ କୁହାଯାଇଛି ଯେ, ୱିଙ୍ଗ କମାଣ୍ଡରଙ୍କୁ କେବଳ ରକ୍ଷଣାବେକ୍ଷଣ ସହ ଜଡିତ ବୃତ୍ତିଗତ ଏବଂ ବ୍ୟବହାରିକ ତାଲିମ ଦିଆଯାଇଥିଲା, ଏହା ଅପରେସନ୍ କରିବା ସହିତ ଜଡିତ ନୁହେଁ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ କୁଇ ଓ ଦେଶିଆ ଭାଷାର କର୍ମଶାଳା

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶା, ବିହାର, ଛତିଶଗଡ ଓ ଝାଡ଼ଖଣ୍ଡ ରାଜ୍ୟରେ ମୁଖ୍ୟତଃ କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ତା.୨୯.୦୫.୨୦୨୩ ରୁ ତା.୦୨.୦୬.୨୦୨୩ରିଖ ପର୍ଯ୍ୟନ୍ତ ଏକ ପାଞ୍ଚଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି।

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁଇ’ ବା ‘ଦେଶିଆ’ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କର ମୌଖକ ଭାଷା ବିକାଶ, ପଠନ ଓ ଲିଖନ ଦକ୍ଷତା ବିକାଶ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାର୍ଥୀ ତଥା ଶିକ୍ଷକମାନଙ୍କୁ ଯୋଗାଇଦେବା। ଏହି କର୍ମଶାଳାଟି NCERTର ମାନ୍ୟବର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକଲାନି ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ,ର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ମିଳିତ ସହଯୋଗ କ୍ରମେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ।

ଏଥିରେ ସଦସ୍ୟ ଡ. ମହେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତି, ଡ. ପରମାନନ୍ଦ ପଟେଲ, ଡ. ରାଜେନ୍ଦ୍ର ପାଢ଼ୀ, ଡ. କପିଳ ଖେମଣ୍ଡୁ, ଡ. ରୁଦ୍ରାଣୀ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଡେଇ, ସୁରେଶ ଖରା, ସନା ସାନ୍ତା, ତ୍ରିନାଥ ଖରା, ସୋମନାଥ ଅମାନତ୍ୟ, ଗୀତାଞ୍ଜଳି ପୂଜାରୀ, ନାରାୟଣ ମାଝି, ଗୋବିନ୍ଦ କୁମ୍ଝରିଆ, ସୁରେନ୍ଦ୍ର ତନ୍ତୀ ଏବଂ ଶିବଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଜ୍ୟଗୁଡିକ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ଉପରେ ଟିକସ ଲାଗୁ କରିବା ଅସାମ୍ବିଧାନିକ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଶେଷକରି ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଉପରେ ଟିକସ କିମ୍ବା ଶୁଳ୍କ ଆଦାୟ ନକରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ କହିଛି। ଏହା ସହିତ ପୂର୍ବରୁ ଲାଗୁ ହୋଇଥିବା ଟ୍ୟାକ୍ସ ପ୍ରତ୍ୟାହାର କରିବାକୁ କୁହାଯାଇଛି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ ମନ୍ତ୍ରଣାଳୟ କହିଛି ଯେ ବିଦ୍ୟୁତ୍ ଉତ୍ପାଦନ ଉପରେ କିଛି ରାଜ୍ୟ ସରକାର ଟିକସ/ଶୁଳ୍କ ଲାଗୁ କରିଛନ୍ତି। ଏହା ଭୁଲ ଏବଂ ଅସାମ୍ବିଧାନିକ ଅଟେ।

ଚିଠିରେ କୁହାଯାଇଛି ଯେ, ତାପଜ, ଜଳ ବିଦ୍ୟୁତ୍, ପବନ, ସୌର, ଆଣବିକ ସମେତ ଯେକୌଣସି ଉତ୍ସରୁ ଉତ୍ପାଦିତ ବିଦ୍ୟୁତ୍ ଉପରେ କୌଣସି ଟିକସ କିମ୍ବା ଶୁଳ୍କ ଲାଗୁ କରିବା ଭୁଲ ଏବଂ ଅସାମ୍ବିଧାନିକ। ମନ୍ତ୍ରଣାଳୟ କହିଛି ଯେ, ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ କୌଣସି ରାଜ୍ୟ ବିଦ୍ୟୁତ୍ ଉତ୍ପାଦନ ସମ୍ବନ୍ଧରେ କୌଣସି ପ୍ରକାର ଟିକସ କିମ୍ବା ଶୁଳ୍କ ଲଗାଇ ପାରିବେ ନାହିଁ ଏବଂ ଯଦି କୌଣସି ଟିକସ କିମ୍ବା ଶୁଳ୍କ ଲାଗୁ କରାଯାଏ, ତେବେ ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯିବା ଉଚିତ। ଟିକସ କିମ୍ବା ଶୁଳ୍କ ଆଦାୟ କରିବାର କ୍ଷମତା ବିଶେଷ ଭାବରେ ସମ୍ବିଧାନର ସପ୍ତମ ଅନୁସୂଚୀର ଦ୍ଵିତୀୟ ସୂଚୀରେ ଅଛି।

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, “ଏହି ତାଲିକାରେ ବିଶେଷ ଭାବରେ ଉଲ୍ଲେଖ କରାଯାଇ ନ ଥିବା ଟିକସ / ଶୁଳ୍କ ରାଜ୍ୟ ସରକାରଙ୍କ ଦ୍ଵାରା କୌଣସି ରୂପରେ ଆଦାୟ କରାଯାଇପାରିବ ନାହିଁ। କାରଣ ଅବଶିଷ୍ଟ ବିଦ୍ୟୁତ କେନ୍ଦ୍ର ସରକାର ପାଖରେ ଅଛି। ରାଜ୍ୟ ସୂଚୀରେ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟଗୁଡିକ ଅଧୀନରେ ବିଦ୍ୟୁତ୍ ବ୍ୟବହାର କିମ୍ବା ବିକ୍ରୟ ଉପରେ ହିଁ ଟିକସ ଲଗାଇବାର ଅଧିକାର ଅଛି। କିନ୍ତୁ ଏଥିରେ ବିଦ୍ୟୁତ୍ ଉତ୍ପାଦନ ଉପରେ ଟିକସ ଦେବା ବିଷୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ମନ୍ତ୍ରଣାଳୟ ଅନୁଯାୟୀ, ଏହାର କାରଣ ହେଉଛି ଗୋଟିଏ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ହୋଇଥିଲେ ମଧ୍ୟ ଏହା ଅନ୍ୟ ରାଜ୍ୟରେ ଖର୍ଚ୍ଚ ହୋଇପାରିବ। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟରେ ରହୁଥିବା ଲୋକଙ୍କୁ ଟିକସ ଦେବାର ଅଧିକାର କୌଣସି ରାଜ୍ୟଙ୍କର ନାହିଁ। ଚିଠିରେ କୁହାଯାଇଛି ଯେ, କେତେକ ରାଜ୍ୟ ଜଳ ବ୍ୟବହାର ଉପରେ ସେସ୍ ଆକାରରେ ଟିକସ କିମ୍ବା ଶୁଳ୍କ ଲଗାଇଛନ୍ତି। ଯଦିଓ ରାଜ୍ୟମାନେ ଏହାକୁ ଜଳ ସେସ୍ ବୋଲି କହିପାରନ୍ତି, ଏହା ପ୍ରକୃତରେ ବିଦ୍ୟୁତ୍ ଉତ୍ପାଦନ ଉପରେ ଟିକସ। ଏହି ଟିକସ ସେହି ବିଦ୍ୟୁତ୍ ଉପଭୋକ୍ତାମାନଙ୍କଠାରୁ ସଂଗ୍ରହ କରାଯିବ ଯେଉଁମାନେ ଅନ୍ୟ ରାଜ୍ୟଗୁଡିକର ହୋଇପାରନ୍ତି। ସମ୍ବିଧାନର ଧାରା ୨୮୬ ଅନୁଯାୟୀ, ସାମଗ୍ରୀ କିମ୍ବା ସେବା ଉପରେ କିମ୍ବା ରାଜ୍ୟ ବାହାରେ ଯୋଗାଣ କ୍ଷେତ୍ରରେ ରାଜ୍ୟମାନେ କୌଣସି ଟିକସ କିମ୍ବା ଶୁଳ୍କ ଆଦାୟ କରିପାରିବେ ନାହିଁ।

Categories
ବିଶେଷ ଖବର

ଅତିକ୍-ଅଶ୍ରଫ୍ ଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ SOP ପ୍ରସ୍ତୁତ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ସତର୍କ ଅବସ୍ଥାରେ ଅଛନ୍ତି। ପୋଲିସ୍ ହେପାଜତରେ ଅତିକ୍ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଗଣମାଧ୍ୟମର ବ୍ୟକ୍ତି ଭାବରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିବ। ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ (SOP) ପ୍ରସ୍ତୁତ କରିବାକୁ ଯାଉଛି। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ତିନିଜଣ ବ୍ୟକ୍ତି ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ, ଯେତେବେଳେ ପୋଲିସ୍ ସେମାନଙ୍କୁ ପରୀକ୍ଷା ପାଇଁ ଏକ ମେଡିକାଲ କଲେଜକୁ ନେଉଥିଲେ।

ଏଫ୍ଆଇଆର୍ ଅନୁଯାୟୀ ଅଭିଯୁକ୍ତ କହିଛନ୍ତି ଯେ, ସେମାନେ ଅତିକ୍-ଅଶ୍ରଫ୍ ଗ୍ୟାଙ୍ଗକୁ ପୋଛି ଦେବାକୁ ଚାହୁଁଛନ୍ତି, ଯାହାଫଳରେ ସେମାନେ ରାଜ୍ୟରେ ନାମ ପାଇବେ। ସେହି ଲୋକମାନେ ପୋଲିସର କର୍ଡନ ଅନୁମାନ କରିପାରିନଥିଲେ ଏବଂ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଧରାପଡିଥିଲେ। ସେ ଅନେକ ଦିନ ଧରି ଅତିକ୍ ଏବଂ ଅଶ୍ରଫ୍ ଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଉପଯୁକ୍ତ ସମୟ କିମ୍ବା ସୁଯୋଗ ପାଇନଥିଲେ।

ଏହି ସମୟରେ ପ୍ରୟାଗରାଜ ରାସ୍ତାରେ ନୀରବତା ରହିଛି। ସବୁଆଡେ ପୋଲିସ ମୁତୟନ କରାଯାଇଛି ଏବଂ ଦୋକାନଗୁଡ଼ିକର ସଟର ବନ୍ଦ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟ ଉପରେ ପୋଲିସ ନଜର ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ ପୋଲିସ କଡା ନିରୀକ୍ଷଣ ନିର୍ଦ୍ଦେଶ ପାଇଛି।

Categories
ବିଶେଷ ଖବର

‘ଅଗ୍ନିପଥ ମନମୁଖୀ ନୁହେଁ’, ସେନା ନିଯୁକ୍ତି ପାଇଁ କେନ୍ଦ୍ରର ଯୋଜନାକୁ ମୋହର ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଆଜି ସୁପ୍ରିମକୋର୍ଟ ଦୁଇଟି ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଯୋଜନା ମନମୁଖୀ ନୁହେଁ ବୋଲି ଶୀର୍ଷ କୋର୍ଟ ମନ୍ତବ୍ୟରେ କହିଛନ୍ତି।

ଅନ୍ୟ ବିଚାର ଅପେକ୍ଷା ଜନସାଧାରଣଙ୍କ ସ୍ୱାର୍ଥ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ଆରମ୍ଭ ହେବା ପୂର୍ବରୁ ପ୍ରତିରକ୍ଷା ନିଯୁକ୍ତି ପ୍ରକ୍ରିୟାରେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି କରିବାର ଅଧିକାର ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ଜି-୨ଠ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଚଳିତ ବର୍ଷ ଜି-୨୦ରେ ଭାରତର ଅଧ୍ୟକ୍ଷତା ଅବସରରେ କେନ୍ଦ୍ର ସରକାର ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଇଛନ୍ତି। ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଅଗ୍ରଣୀ ପ୍ରତିଷ୍ଠାନ ଭାବେ ଏହି କାର୍ଯ୍ୟକ୍ରମର ସପ୍ତମ ଦିବସରେ ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ କରିଅଛି। ପ୍ରତିଷ୍ଠାନର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲନ୍ ଟେନିସ୍ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା (ଛାତ୍ରଛାତ୍ରୀ ଓ କର୍ମଚାରୀ)କୁ ଅଧ୍ୟକ୍ଷ ପ୍ର. ପି.ସି. ଅଗ୍ରୱାଲ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଡିନ ପ୍ରଫେସର ସନ୍ଧ୍ୟାରଣୀ ସାହୁ, ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ର. ଅନିମେଶ ମହାପାତ୍ର, ଡ. ଜିବେଂଦୁ ବେଜ ପରିଚାଳନା କରିଥିଲେ। ନୋଡାଲ ଅଫିସର ପ୍ରଫେସର ଲକ୍ଷ୍ମୀଧର ବେହେରା ଓ ସଂଯୋଜକ ଅଖିଳେଶ୍ୱର ମିଶ୍ରଙ୍କ ସଂଯୋଜନା ଓ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହି ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ୨୨ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର

ରାଜ୍ୟମାନଙ୍କ ସହିତ କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ରାଜ୍ୟମାନେ କୋଭିଡ-୧୯ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରସ୍ତୁତି କ୍ଷେତ୍ରରେ ରହିଥିବା ବକେୟା କାର୍ଯ୍ୟ ସାରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୫ ମାର୍ଚ୍ଚ, ୨୦୨୩ରେ ଜାରି କରାଯାଇଥିବା ଯୁଗ୍ମ ମାର୍ଗଦର୍ଶିକା ଅନୁଯାୟୀ ପ୍ରାଥମିକତା ନିର୍ଦ୍ଧାରଣ କରି ପ୍ରସ୍ତୁତି କରାଯିବା ଉଚିତ। ସେ ସନ୍ଦିଗ୍ଧ ନମୁନାର ଆରଟି-ପିସିଆର ଟେଷ୍ଟ ବଢ଼ାଇବା ଉପରେ ଜୋର ଦେଇଥିଲେ। ସେହିପରି ନମୁନାଗୁଡ଼ିକର ହୋଲ ଜିନୋମ ସିକୁଏନ୍ସିଂ ବା ସମ୍ପୂର୍ଣ୍ଣ ଜିନଗତ ଅନୁଶୀଳନ ନିମନ୍ତେ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ଯଥାଶୀଘ୍ର ସମସ୍ତଙ୍କୁ, ବିଶେଷ କରି ଦୁର୍ବଳ ବର୍ଗଙ୍କୁ ବୁଷ୍ଟର ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ବୈଠକରେ ବିଶ୍ୱସ୍ତରରେ କୋଭିଡ-୧୯ ପରିସ୍ଥିତି ଏବଂ ଭାରତରେ ବର୍ଦ୍ଧିତ ସଂକ୍ରମଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚନା ଦିଆଯାଇଥିଲା ଯେ ୩ ମାର୍ଚ୍ଚ, ୨୦୨୩ରେ ଶେଷ ହେଉଥିବା ସପ୍ତାହରେ ଦୈନିକ ହାରାହାରୀ କୋଭିଡ ସଂକ୍ରମଣ ୩୧୩ ଥିବା ବେଳେ ୨୩ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରୀ ସଂକ୍ରମଣ ୯୬୬କୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟୀ ହାର ୧.୦୮%କୁ ବୃଦ୍ଧି ପାଇଛି।

୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟୀ ହାର ୪.୫୮%କୁ ବୃଦ୍ଧି ପାଇଛି ଯାହାକି ୩ ମାର୍ଚ୍ଚରେ ଶେଷ ହୋଇଥିବା ସପ୍ତାହରେ ୦.୫୪% ଥିଲା। ଗୁଜରାଟରେ ସାପ୍ତାହିକ ସଂକ୍ରମଣ ୦.୦୭%ରୁ ୨.୧୭%କୁ ବଢ଼ିଛି। କେରଳରେ ସାପ୍ତାହିକ ସଂକ୍ରମଣ ହାର ୧.୪୭%ରୁ ୪.୫୧%କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ଏହି ହାର ୧.୬୫%ରୁ ୪.୫୧%, ଦିଲ୍ଲୀରେ ୦.୫୩%ରୁ ୪.୨୫%କୁ ବୃଦ୍ଧି ପାଇଛି। ସେହିପରି ହିମାଚଳ ପ୍ରଦେଶରେ ସାପ୍ତାହିକ ପଜିଟିଭିଟୀ ହାର ୧.୯୨%ରୁ ୭.୪୮%କୁ ବୃଦ୍ଧି ପାଇଛି। ତାମିଲନାଡ଼ୁରେ ସାପ୍ତାହିକ ପଜିଟିଭିଟୀ ହାର ୦.୪୬%ରୁ ୨.୪୦%କୁ ବୃଦ୍ଧି ପାଇଛି।

୨୨ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଦୈନିକ ଟିପିଏମ ଜାତୀୟ ହାରାହାରୀ ଠାରୁ କମ ରହିଛି। ଦେଶର ୨୪ଟି ଜିଲ୍ଲାରେ ୨୪ ମାର୍ଚ୍ଚ ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ୧୦%ରୁ ଅଧିକ ସାପ୍ତାହିକ ପଜିଟିଭିଟୀ ହାର ରେକର୍ଡ କରାଯାଇଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ୪୩ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟୀ ହାର ୫-୧୦% ରହିଛି।

ଅକ୍ସିଜେନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ଡାକ୍ତରଖାନା ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ ସ୍ଥିତିରେ ପ୍ରସ୍ତୁତ ରଖିବା ଲାଗି ଆସନ୍ତା ଏପ୍ରିଲ ୧୦ ଓ୧୧ ତାରିଖରେ ସବୁ ଡାକ୍ତରଖାନାରେ ମକଡ୍ରିଲ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ୨୭ ଡିସେମ୍ବର ୨୦୨୩ରେ ହୋଇଥିବା ଶେଷ ମକଡ୍ରିଲ ସମ୍ପର୍କରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୋଟ ୨୧,୯୩୯ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମକଡ୍ରିଲ କରାଯାଇଥିଲା। ଏଥିରେ ୧୬,୬୦୧ ସରକାରୀ ଡାକ୍ତରଖାନା ଓ ୫,୩୩୮ଟି ଘରୋଇ ଡାକ୍ତରଖାନା ସାମିଲ ରହିଛି। ୯୪% ପିଏସଏ ପ୍ଲାଣ୍ଟ ଓ ଅକ୍ସିଜେନ କନସେନଟ୍ରେଟର ପରିଚାଳନା ସ୍ଥିତିରେ ରହିଥିବା ବେଳେ ୮୭% ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ଅକ୍ସିଜେନ ଶଯ୍ୟା ଓ ପୃଥକବାସ ଶଯ୍ୟା କାର୍ଯ୍ୟକ୍ଷମ ସ୍ଥିତିରେ ରହିଛି।

ନୂଆ କୋଭିଡ ଭେରିଏଣ୍ଟ ବା ପ୍ରତିରୂପର ଆଗମନ ସତ୍ତ୍ୱେ ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଅନୁକୂଳ ବ୍ୟବହାର ପରିକ୍ଷୀତ ରଣନୀତି ଭାବେ କାର୍ଯ୍ୟ କରିବା ଜାରି ରଖିବ। ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରସ୍ତୁତ ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ରୋଗ ଓ ଟିକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ କୋଭିଡ ଇଣ୍ଡିଆ ପୋର୍ଟାଲରେ ନିୟମିତ ଭାବେ କୋଭିଡ-୧୯ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଥିଲା।

ଡକ୍ଟର ଭିକେ ପଲ କହିଥିଲେ ଯେ ନୂଆ ଭୂତାଣୁ ପ୍ରତିରୂପକୁ ନେଇ ସମସ୍ତେ ସତର୍କ ରହିବା ଆବଶ୍ୟକ। ବର୍ତ୍ତମାନ ଟିକା ପ୍ରତିଷେଧକ ବ୍ୟବସ୍ଥା ସାରା ଦେଶରେ ସାଧାରଣ ସ୍ତରରେ ରହିଛି। ଅଧିକ ଆରଟି-ପିସିଆର ନମୁନା ପରୀକ୍ଷା କରିବା ସହିତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଲୋକମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ ଟିକାକରଣ ବଢ଼ାଇବାକୁ ଆହ୍ୱାନ କରିଥିଲେ।

ଡକ୍ଟର ରାଜୀବ ବେହଲ ରାଜ୍ୟମାନଙ୍କୁ ଅଧିକ ସଂଖ୍ୟାରେ ଆରଟି-ପିସିଆର ପରୀକ୍ଷା କରିବାକୁ କହିବା ସହିତ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସଚେତନତା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ ସେ କହିଥିଲେ। ନୂଆ ସଂକ୍ରମଣ କ୍ଲଷ୍ଟର ଓ ଗୁରୁତର ସଂକ୍ରମିତଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଓ ସବିଶେଷ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୟୋଚିତ ସମୀକ୍ଷା ବୈଠକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାର୍ଗଦର୍ଶିକା ପାଇଁ ରାଜ୍ୟମାନେ ଧନ୍ୟବାଦ ଜଣାଇଥିଲେ। କୋଭିଡ-୧୯ର ସଫଳ ମୁକାବିଲା ନିମନ୍ତେ ସେମାନେ କେନ୍ଦ୍ର ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ରାଜ୍ୟମାନେ ସୂଚନା ଦେଇଥିଲେ ଯେ, ସେମାନେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ବର୍ତ୍ତମାନର ସ୍ଥିତିକୁ ସମୀକ୍ଷା କରୁଛନ୍ତି। ହସ୍ପିଟାଲ ଭିତ୍ତିଭୂମି ପ୍ରସ୍ତୁତି ଅନୁଧ୍ୟାନ ପାଇଁ ଏପ୍ରିଲ ୧୦-୧୧ ତାରିଖରେ ମକ୍ ଡ୍ରିଲ ନିମନ୍ତେ ସବୁ ରାଜ୍ୟ ପ୍ରସ୍ତୁତ ଥିବା ବୈଠକରେ ସୂଚନା ଦେଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲବ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ। ସମୀକ୍ଷା ବୈଠକରେ ସବୁ ରାଜ୍ୟର ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ ସରକାରଙ୍କ ସହିତ ନିବିଡ଼ ସମନ୍ୱୟ ସ୍ଥାପନ କରି ରପ୍ତାନିକାରୀ, ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ ପ୍ରମୁଖଙ୍କ ପାଖରେ ଗଚ୍ଛିତ ରହିଥିବା ହରଡ଼ ଡାଲି ଷ୍ଟକ ଅନୁଧ୍ୟାନ କରିବେ । ଯଥେଷ୍ଟ ପରିମାଣରେ ହରଡ଼ ଡାଲି ଆମଦାନୀ କରାଯାଉଥିଲେ ମଧ୍ୟରେ କିଛି ଅସାଧୁ ବ୍ୟବସାୟୀ ସେସବୁକୁ ଖୋଲା ବଜାରକୁ ଛାଡ଼ିବା ପରିବର୍ତ୍ତେ ଗଚ୍ଛିତ ରଖୁଛନ୍ତି । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଜାରରେ ଜମାଖୋର ଏବଂ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଗଚ୍ଛିତ ରଖିଥିବା ହରଡ଼ ଡାଲି ଷ୍ଟକକୁ ଯାଞ୍ଚ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର କମିଟି ଗଠନ କରିଛନ୍ତି । ଏହା ଆଗାମୀ ମାସଗୁଡ଼ିକରେ ହରଡ଼ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି । ସରକାର ଘରୋଇ ବଜାରରେ ଅନ୍ୟ ଡାଲିର ଗଚ୍ଛିତ ପରିମାଣ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି, ଯଦ୍ଦ୍ୱାରା ଆଗାମୀ ମାସଗୁଡ଼ିକରେ ଅହେତୁକ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅଧୀନରେ ଗଚ୍ଛିତ ହରଡ଼ ଡାଲିର ଷ୍ଟକ୍‌ ପରିମାଣ ପ୍ରକାଶ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଗତ ବର୍ଷ ଅଗଷ୍ଟ ୧୨ ତାରିଖରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାର୍ଗଦର୍ଶିକା ଜାରି କରିଥିଲେ । ଆହୁରି ହରଡ଼ ଡାଲି ଆମଦାନୀକୁ ସୁଗମ ଓ ବାଧାମୁକ୍ତ କରିବା ଲାଗି ସରକାର ଅଣ-ଏଲଡିସି ଦେଶରୁ ଏହି ଡାଲି ଆମଦାନୀ ଉପରେ ଲାଗୁ ହେଉଥିବା ୧୦ ପ୍ରତିଶତ ଶୁଳ୍କକୁ ଉଚ୍ଛେଦ କରିଥିଲେ, କାରଣ ଏଲଡିସି ଦେଶରୁ ନିଃଶୁଳ୍କ ଆବଦାନୀ କ୍ଷେତ୍ରରେ ମଧ୍ୟ ଏହି ଶୁଳ୍କ ପ୍ରକ୍ରିୟାଗତ ବାଧା ଉତ୍ପନ୍ନ କରୁଥିଲା ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବଢୁଥିବା କରୋନା ମାମଲା ମଧ୍ୟରେ କେନ୍ଦ୍ରର ମାର୍ଗଦର୍ଶିକା ଜାରି, ପାଳନ କରନ୍ତୁ ଏହି ସତର୍କତା

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ଏବଂ ଫ୍ଲୁ ରୋଗକୁ ନେଇ କେନ୍ଦ୍ର ସରକାର ଅତ୍ୟନ୍ତ ଗମ୍ଭୀର। ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ ଲୋକମାନଙ୍କୁ ଭିଡ଼ ଏବଂ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ଏହା ସହିତ କେନ୍ଦ୍ର ସରକାର ମଧ୍ୟ କରୋନା ଲଢେଇ ପାଇଁ ବ୍ୟବସ୍ଥା ସଂପର୍କରେ ଏପ୍ରିଲ ୧୦ ତାରିଖ ଏବଂ ୧୧ ତାରିଖରେ ଜାତୀୟ ସ୍ତରରେ ଏକ ମକ୍ ଡ୍ରିଲ୍ ଆୟୋଜନ କରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସହ ଏକ ବୈଠକ ଡାକିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଏବଂ ଫ୍ଲୁ ରୋଗ ସମ୍ବନ୍ଧରେ ଦିଆଯାଇଥିବା ପରାମର୍ଶରେ ସାଧାରଣ ଲୋକଙ୍କୁ ଅନେକ ପରାମର୍ଶ ଦେଇଛି। ଜନଗହଳିପୂର୍ଣ୍ଣ ଏବଂ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ ସରକାର କହିଛନ୍ତି। ଛିଙ୍କିବା କିମ୍ବା କାଶ କରିବା ସମୟରେ ନାକ ଏବଂ ପାଟି ଘୋଡାଇବା ଏବଂ ହାତର ସ୍ୱଚ୍ଛତା ରକ୍ଷା କରିବା ପାଇଁ ରୁମାଲ କିମ୍ବା ଟିସୁ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର କହିଛି। ଲୋକଙ୍କୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।

ଏହି ପରାମର୍ଶରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଠାରୁ ଦୂରେଇ ରହିବା ସହିତ ଲୋକଙ୍କୁ ପରୀକ୍ଷାକୁ ପ୍ରୋତ୍ସାହିତ କରିବାକୁ ଏବଂ ଲକ୍ଷଣଗୁଡିକ ଶୀଘ୍ର ରିପୋର୍ଟ କରିବାକୁ କୁହାଯାଇଛି। ଏଥି ସହିତ ଯଦି ଶ୍ୱାସ ରୋଗରେ ପୀଡିତ ତେବେ ବ୍ୟକ୍ତିଗତ ସମ୍ପର୍କକୁ ସୀମିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହାଇ ପ୍ରାଇସ୍‍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ ର ଶୁଭାରମ୍ଭ କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହାଇ ପ୍ରାଇସ୍‍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ (ପିୟୁଏସଏଚପି) ର ଶୁଭାରମ୍ଭ କରିଛନ୍ତି। ଏହା ସର୍ବୋଚ୍ଚ ଚାହିଦା ଋତୁରେ ଶକ୍ତିର ଅଧିକ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ। କେନ୍ଦ୍ର ଶକ୍ତି ଏବଂ ଏନଆରଇ ମନ୍ତ୍ରୀ ଆର କେ ସିଂହ ରାଜ୍ୟ ସରକାର ଏବଂ ଶକ୍ତି କ୍ଷେତ୍ରର ୨୦୦ ରୁ ଅଧିକ ହିତାଧିକାରୀଙ୍କ ଉପସ୍ଥିତିରେ ଗତକାଲି ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୋର୍ଟାଲ୍‌ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶକ୍ତି ଏବଂ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜ୍ଜର, ଶକ୍ତି ମନ୍ତ୍ରଣାଳୟର ସଚିବ ଆଲୋକ କୁମାର, ସିଇଏର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ, ଆଇଇଏକ୍ସର ସିଏମ୍‍ଡି ଏସ୍ ଏନ ଗୋଏଲ୍‌, ଗ୍ରିଡ୍‍ ଇଣ୍ଡିଆର ସିଏମ୍‍ଡି ଏସ୍ ଆର ନରସିଂହନଙ୍କ ସମେତ ଶକ୍ତି ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଗତ ବର୍ଷ ଶକ୍ତି ମନ୍ତ୍ରଣାଳୟ ସ୍ଥିତି ଅନୁଧ୍ୟାନ ପରେ ଦେଖିବାକୁ ପାଇଥିଲେ ଯେ କିଛି ଦିନ ବିଦ୍ୟୁତ୍‍ ବିନିମୟରେ ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା, ବିନିମୟ ମୂଲ୍ୟ ୧୨ ଟଙ୍କା ସୀମାରେ ରଖିବାକୁ ସିଇଆରସି କୁ ନିର୍ଦ୍ଦେଶ ଦେଇଥିଲେ, ଯେଭଳି ବିନିୟମ ଦରର ସର୍ବାଧିକ ସୀମା ଧାର୍ଯ୍ୟ ହୋଇପାରିବ। ୦୧.୦୪.୨୦୨୨ ରୁ ଡେ ଆହେଡ ମାର୍କେଟ ଏବଂ ରିଅଲ ଟାଇମ୍‍ ମାର୍କେଟ ଏବଂ ୦୬.୦୫.୨୦୨୨ ରୁ ସମସ୍ତ କ୍ଷେତ୍ରରେ ଏହି ସୀମା ଲାଗୁ କରାଯାଇଥିଲା। ଏହି ପଦକ୍ଷେପ କ୍ରେତାମାନଙ୍କ ପାଇଁ ମୂଲ୍ୟକୁ ଯୁକ୍ତିଯୁକ୍ତ କରିଛି। କାରଣ ଆନ୍ତର୍ଜାତୀୟ ବଜାରରେ ଗ୍ୟାସର ମୂଲ୍ୟ ଅଧିକ ଥିବାରୁ; ଗ୍ୟାସ୍ ବ୍ୟବହାର କରି ଉତ୍ପାଦିତ ହେଉଥିବା ବିଦ୍ୟୁତ୍‍ ମହଙ୍ଗା ଥିଲା – ୟୁନିଟ୍ ପିଛା ୧୨ ଟଙ୍କାରୁ ଅଧିକ – ଏବଂ ଏହି ଦରରେ ବଜାରରେ ବିକ୍ରି ହୋଇପାରିବ ନାହିଁ। ସେହିଭଳି, ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନା ଏବଂ ବ୍ୟାଟେରୀ-ଶକ୍ତି ସଂରକ୍ଷଣ ପ୍ରଣାଳୀରେ ଗଚ୍ଛିତ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାର ହୋଇପାରିବ ନାହିଁ, କାରଣ ସେମାନଙ୍କର ଉତ୍ପାଦନ ମୂଲ୍ୟ ଅଧିକ ଥିଲା।

ଚଳିତ ବର୍ଷ ଆଶା କରାଯାଉଛି ଯେ ଗତବର୍ଷ ତୁଳନାରେ ଚାହିଦା ବହୁତ ଅଧିକ ହେବ, ତେଣୁ ଗ୍ୟାସ୍ ଭିତ୍ତିକ କାରଖାନାଣ୍ଟ ଏବଂ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନା ର୍ନିଦ୍ଧାରିତ ହେବା ଆବଶ୍ୟକ – ଏବଂ ସେହି କାରଣରୁ ଅନ୍ୟ ପ୍ରଣାଳୀ ପାଇଁ ଏକ ପୃଥକ କ୍ଷେତ୍ର ସ୍ଥିରୀକୃତ ହୋଇଛି ଯେଉଁଠାରେ ଶକ୍ତି ଉତ୍ପାଦନ ମୂଲ୍ୟ – ଗ୍ୟାସ୍/ଆମଦାନୀ ହୋଇଥିବା କୋଇଲା/ଆରଇ ପ୍ଲସ୍ ଷ୍ଟୋରେଜ୍ ଠାରୁ – ୧୨ ଟଙ୍କା ଅତିକ୍ରମ କରିପାରେ। ଏହି ପୃଥକ କ୍ଷେତ୍ରକୁ ଏଚ୍‍ପି ଡିଏଏମ୍‍ କୁହାଯାଏ।

ଏହି ଅବସରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ କହିଛନ୍ତି ଯେ, ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ଉପଲବ୍ଧ ଶକ୍ତି କ୍ଷମତାକୁ ବ୍ୟବହାର କରାଯିବା ନିଶ୍ଚିତ କରିବାକୁ ଏଚ୍‍ପି-ଡିଏଏମ୍‍ ସାମଗ୍ରିକ ରଣନୀତିର ଏକ ଅଂଶ। ଏଚପି-ଡିଏଏମର କାର୍ଯ୍ୟକୁ ବ୍ୟାଖ୍ୟା କରି ଶ୍ରୀ ସିଂହ କହିଛନ୍ତି ଯେ ଅତ୍ୟଧିକ ଦର ଆଦାୟ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କେବଳ ଯାହାର ଉତ୍ପାଦନ କ୍ଷମତା ପ୍ରତି ୟୁନିଟ୍ ପାଇଁ ୧୨ ଟଙ୍କାରୁ ଅଧିକ ହେବ ତାହାକୁ ଏଚ୍‍ପି-ଡିଏଏମ୍‍ ରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ଯଦି ଉତ୍ପାଦନର ମୂଲ୍ୟ ୧୨ ଟଙ୍କାରୁ କମ୍‌, ଉତ୍ପାଦକମାନଙ୍କୁ ବିଦ୍ୟୁତ୍‍ ବିନିମୟର ଇଣ୍ଟିଗ୍ରେଟେଡ୍ ଡେ ଆହେଡ ମାର୍କେଟ (ଆଇ-ଡିଏଏମ) ରେ କେବଳ ସିଲିଂ ମୂଲ୍ୟ ୧୨ ଟଙ୍କା ସହିତ ଶକ୍ତି ପ୍ରଦାନ କରିବାକୁ ପଡିବ। ସେ ସିଇଏ ଏବଂ ଗ୍ରୀଡ୍ କଣ୍ଟ୍ରୋଲରଙ୍କୁ ଏଚପି-ଡିଏଏମ୍‍ ରେ ମୂଲ୍ୟ ଯୁକ୍ତିଯୁକ୍ତ ବୋଲି ନିଶ୍ଚିତ କରିବାକୁ ଏବଂ କୌଣସି ବିଦ୍ୟୁତ୍‍ ଉତ୍ପାଦକ ଅତ୍ୟଧିକ ମୂଲ୍ୟ ଆଦାୟ ନକରିବାକୁ ନିଶ୍ଚିତ ପଦକ୍ଷେପ ନେବାକୁ କହିଥିଲେ, ଯାହା ଉତ୍ପାଦନ ମୂଲ୍ୟଠାରୁ ଅଧିକ ଅଟେ। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ବିକଶିତ ଦେଶରେ ଏହି ମାମଲା ତୁଳନାରେ ଭାରତ ଏକ ସ୍ଥିର ଶକ୍ତି ବଜାର ଥିଲା ଯେଉଁଠାରେ ଗତ ବର୍ଷ ଉତ୍ପାଦନ ମୂଲ୍ୟ ତୁଳନାରେ ବିଦ୍ୟୁତ ଦରର ପରିସ୍ଥିତି ଅଧିକ ଦେଖାଯାଇଥିଲା।

ଏହି ଅବସରରେ ଶକ୍ତି ଏବଂ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜ୍ଜର କହିଛନ୍ତି ଯେ ପୂର୍ବ ପରିସ୍ଥିତି ତୁଳନାରେ ବର୍ତ୍ତମାନ ବିଦ୍ୟୁତ୍‍ ବିନା ଜୀବନକୁ କେହି କଳ୍ପନା କରିପାରିବେ ନାହିଁ। ନୂତନ ଜ୍ଞାନକøଶଳ ବିଦ୍ୟୁତ୍‍ର ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସଚିବ ଆଲୋକ କୁମାର ନୂତନ ବଜାର ବ୍ୟବସ୍ଥାର ଅନେକ ଲାଭ ବିଷୟରେ ଉଲ୍ଲେଖ କରି ସ୍ପଷ୍ଟ କରିଛନ୍ତି ଯେ କିଛି ରିପୋର୍ଟ ତୁଳନାରେ ୟୁନିଟ୍ ପିଛା  ୫୦ ଟଙ୍କା କେବଳ ଏକ ବୈଷୟିକ କ୍ୟାପ୍ ଥିଲା ଏବଂ ବଜାର ଶକ୍ତିମାନେ ବହୁତ କମ୍ ହାର ନିଶ୍ଚିତ କରିବେ।

ସରପ୍ଲସ ପାୱାର ପୋର୍ଟାଲ ହେଉଛି ଏହାର ଏକ ପ୍ରକାର ପଦକ୍ଷେପ, ଯାହା ଶକ୍ତି ମନ୍ତ୍ରଣାଳୟ ଏବଂ ନିୟାମକଙ୍କ ଚତୁରତାକୁ ପ୍ରତିଫଳିତ କରିଥାଏ। ବିଦ୍ୟୁତ ଯୋଗାଣ ପାଇଁ ବିତରଣ କମ୍ପାନୀଗୁଡିକ ଦୀର୍ଘକାଳୀନ ଭିତ୍ତିରେ ପିପିଏ ଗୁଡ଼ିକ ସହିତ ଅନୁବନ୍ଧିତ ଅଛନ୍ତି। ବିଦ୍ୟୁତ୍‍ ଦର ର୍ନିଦ୍ଧାରଣ ନକଲେ ମଧ୍ୟ ସେମାନଙ୍କୁ ର୍ନିଦ୍ଦିଷ୍ଟ ଦେୟ ଦେବାକୁ ପଡିବ। ବର୍ତ୍ତମାନ ଡିସ୍‍କମ୍‍ ଗୁଡିକ ପୋର୍ଟାଲରେ ବ୍ଲକ୍ ସମୟ/ଦିନ/ମାସରେ ସେମାନଙ୍କର ଅତିରିକ୍ତ ଶକ୍ତି ସୂଚାଇବାକୁ ସମର୍ଥ ହେବେ। ସେହି ଡିସକମ୍‍ ଗୁଡିକ ଯେଉଁମାନେ ବିଦ୍ୟୁତ୍‍ ଆବଶ୍ୟକ କରନ୍ତି ସେମାନେ ଅତିରିକ୍ତ ବିଦ୍ୟୁତ୍‍ ପାଇବାକୁ ସକ୍ଷମ ହେବେ। ନିୟନ୍ତ୍ରକଙ୍କ ଦ୍ୱାରା ସ୍ଥିର ହୋଇଥିବା ନୂତନ କ୍ରେତା ଉଭୟ ଭେରିଏବଲ୍ ଚାର୍ଜ (ଭିସି) ଏବଂ ସ୍ଥିର ମୂଲ୍ୟ (ଏଫସି) ଦେବେ। ଥରେ ବିଦ୍ୟୁତ୍‍ ପୁନଃନ୍ୟସ୍ତ ହୋଇଗଲେ, ମୂଳ ହିତାଧିକାରୀଙ୍କର ସମଗ୍ର ଏଫସି ଦାୟିତ୍ୱ ନୂତନ ହିତାଧିକାରୀଙ୍କ ନିକଟକୁ ସ୍ଥାନାନ୍ତରିତ ହେବାରେ କୌଣସି ଅଧିକାର ରହିବ ନାହିଁ। ନୂତନ କ୍ରେତାଙ୍କ ଆର୍ଥିକ ଦାୟିତ୍ୱ ଅସ୍ଥାୟୀ ଆବଣ୍ଟିତ/ସ୍ଥାନାନ୍ତରିତ ଶକ୍ତି ପରିମାଣରେ ସୀମିତ ରହିବ। ଏହା ଡିସକମ୍‍ ଉପରେ ସ୍ଥିର ମୂଲ୍ୟର ଭାର ହ୍ରାସ କରିବ, ଏବଂ ସମସ୍ତ ଉପଲବ୍ଧ ଉତ୍ପାଦନ କ୍ଷମତାକୁ ବ୍ୟବହାର କରିବାକୁ ସକ୍ଷମ କରିବ।

Categories
ଆଜିର ଖବର ଜାତୀୟ ଖବର

ବିଏସଏଫ ନିଯୁକ୍ତିରେ ପୂର୍ବତନ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ୧୦% ସଂରକ୍ଷଣ, ବୟସ ସୀମାରେ ମଧ୍ୟ ଆଶ୍ବସ୍ତି

ନୂଆଦିଲ୍ଲୀ: ବିଏସଏଫ ମଧ୍ୟରେ ଖାଲିଥିବା ପଦବୀରେ ଥିବା ପୂର୍ବ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାର ୧୦% ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସହିତ ଅଗ୍ନିବୀରଙ୍କୁ ବୟସ ଆଶ୍ଵସ୍ତି ମଧ୍ୟ ଦିଆଯିବ। ଯାହା ଆପଣ ପ୍ରଥମ ବ୍ୟାଚ୍ ର ଅଂଶ ଅଟନ୍ତି କିମ୍ବା ପରବର୍ତ୍ତୀ ବ୍ୟାଚ୍ ରେ ଯୋଗ ଦେଇଛନ୍ତି ତାହା ଉପରେ ନିର୍ଭର କରିବ। ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ଏହା ଘୋଷଣା କରିଛି।

ଏଥିପାଇଁ ଗୃହ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ, ଜେନେରାଲ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ ୨୦୧୫ ରେ ସଂଶୋଧନ କରିଛି, ଯାହା ଗୁରୁବାର ଠାରୁ ଲାଗୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଏହି ଲୋକମାନଙ୍କ ପାଇଁ ଆଧାର-ପ୍ୟାନ୍ ଲିଙ୍କ ଜରୁରୀ ନାହିଁ, ସରକାର ଦେଇଛନ୍ତି ମୁକ୍ତି!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ୟାନକୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ଭାବରେ ମାର୍ଚ୍ଚ ୩୧ ତାରିଖ ୨୦୨୩ ଧାର୍ଯ୍ୟ କରିଛନ୍ତି। ସେହି ବ୍ୟକ୍ତି ଯେଉଁମାନେ ପ୍ୟାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି ଏବଂ ସେମାନେ ଶେଷ ତାରିଖ ପର୍ଯ୍ୟନ୍ତ ପ୍ୟାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରନ୍ତି ନାହିଁ, ତେବେ ସେମାନଙ୍କର ପ୍ୟାନ୍ କାର୍ଡର କୌଣସି କାମରେ ଆସିବ ନାହିଁ। ସେହି ଲୋକମାନେ ପ୍ୟାନ୍ କାର୍ଡ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ।

ପ୍ୟାନ କାର୍ଡକୁ ଆଧାର ସହିତ ଯୋଡିବା ପାଇଁ କେନ୍ଦ୍ର ସରକାର ଏକ ଗାଇଡଲାଇନ ଜାରି କରିଥିଲେ। ଏଥି ସହିତ, ଆୟକର ବିଭାଗ ମଧ୍ୟ ଟିକସଦାତାଙ୍କୁ ସୂଚନା ଦେଇଛି ଯେ, ଆୟକର ଅଧିନିୟମ ୧୯୬୧ ଅନୁଯାୟୀ, ସମସ୍ତ ପ୍ୟାନ କାର୍ଡଧାରୀଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ୨୦୨୩ ପର୍ଯ୍ୟନ୍ତ ଏହା ବାଧ୍ୟତାମୂଳକ ଅଟେ। ଅନ୍ୟପକ୍ଷରେ, କିଛି ଲୋକଙ୍କୁ ଆଧାରକୁ ପାନ୍ କାର୍ଡ ସହିତ ଲିଙ୍କ୍ କରିବାକୁ ରିହାତି ଦିଆଯାଇଛି। ଆସନ୍ତୁ ଜାଣିବା ସେହି ବ୍ୟକ୍ତି କିଏ, ଯେଉଁମାନେ ଆଧାର ସହିତ ପାନ୍ କୁ ଲିଙ୍କ୍ କରିବା ଆବଶ୍ୟକ କରନ୍ତି ନାହିଁ।

ଏହି ଲୋକଙ୍କ ପାଇଁ ପାନ୍-ଆଧାର ଲିଙ୍କ୍ ବାଧ୍ୟତାମୂଳକ ନୁହେଁ:

ମେ ୨୦୧୭ ରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ କେତେକ ବର୍ଗର ଲୋକଙ୍କୁ ପାନ୍-ଆଧାର ସଂଯୋଗରୁ ବଞ୍ଚିତ କରାଯାଇଛି। ଏହି ଲୋକମାନଙ୍କ ପାଇଁ ପାନ୍ କୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ ନୁହେଁ।

– ଆସାମ, ମେଘାଳୟ ଏବଂ ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ରହୁଥିବା ଲୋକମାନେ।

– ଆୟକର ଅଧିନିୟମ ୧୯୬୧ ଅନୁଯାୟୀ ଜଣେ ଅଣ-ବାସିନ୍ଦା।

– ଗତ ବର୍ଷ ପର୍ଯ୍ୟନ୍ତ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତି।

– ଭାରତର ନାଗରିକ ହୋଇନଥିବେ।

ପାନ୍ ଆଧାରକୁ କିପରି ଲିଙ୍କ୍ କରିବେ?:

ଯଦି ଆପଣ ପାନ୍ ଆଧାରକୁ ଲିଙ୍କ୍ କରିବାକୁ ଯାଉଛନ୍ତି, ତେବେ କିଛି ଉପାୟ ଅଛି, ଯାହାକୁ ଅନୁସରଣ କରି ଆପଣ ଏହାକୁ ସହଜରେ ସଂପୂର୍ଣ୍ଣ କରିପାରିବେ।

ଅନଲାଇନ୍ ପ୍ରକ୍ରିୟା ଅଧୀନରେ, ଆପଣ ଆୟକର ଇ-ଫାଇଲ୍ ୱେବସାଇଟ୍ incometaxindiaefiling.gov.in ପରିଦର୍ଶନ କରି ଆଧାର ସହିତ ଆପଣଙ୍କର ପାନ୍ କୁ ଲିଙ୍କ୍ କରିପାରିବେ।

ଏହା ସହିତ ଆପଣ ପ୍ୟାନ୍ ଏବଂ ଆଧାରକୁ SMS ମାଧ୍ୟମରେ ମଧ୍ୟ ଲିଙ୍କ୍ କରିପାରିବେ। ଏଥିପାଇଁ ଆପଣଙ୍କୁ UIDPAN <ସ୍ପେସ୍> <୧୨ ଆଧାର ସଂଖ୍ୟା> <ସ୍ପେସ୍> <୧୦ ପାନ୍ ନମ୍ବର> ଫର୍ମାଟ୍ ୫୬୭୬୭୮ କିମ୍ବା ୫୬୧୬୧ କୁ ପଠାଇବାକୁ ପଡିବ।

ଅଫଲାଇନ୍ ପ୍ରକ୍ରିୟା ଅଧୀନରେ ଆପଣଙ୍କର ପାନ୍ କୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ଆପଣ ନିକଟତମ ପାନ୍ ସେବା କେନ୍ଦ୍ର କିମ୍ବା ଆଧାର ସେବା କେନ୍ଦ୍ର ପରିଦର୍ଶନ କରିପାରିବେ।