ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଅନୁଭୂତି ବଖାଣିଲେ ହିତାଧିକାରୀ

Published: Nov 25, 2023, 9:33 pm IST

ଭୁବନେଶ୍ୱର: ‘‘ଆଗରୁ ଭଙ୍ଗା ମାଟି ଘରେ ରହିବା ପାଇଁ ବହୁତ ଅସୁବିଧା ହେଉଥିଲା। ପକ୍କା ଘର ମିଳୁନଥିଲା। ଝଡ଼ ତୋଫାନ ହେଲେ ପିଲାଛୁଆଙ୍କୁ ନେଇ ହଇରାଣ ହେବାକୁ ପଡ଼ୁଥିଲା। ଏବେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପରେ ସବୁ ଅସୁବିଧା ଦୂର ହୋଇଛି। ବର୍ଷା ପବନ ହେଲେ ମଧ୍ୟ ଆମେ ସୁରକ୍ଷିତ ରହିପାରୁଛୁ,’’ ଏହା କହିଛନ୍ତି କେନ୍ଦ୍ର ସରକାରଙ୍କ ଲାଭକାରୀ ଯୋଜନାରେ ଉପକୃତ ହୋଇଥିବା କେନ୍ଦୁଝର ଜିଲ୍ଲାର ହିତାଧିକାରୀ ସୁଲୋଚନା ପାତ୍ର। ଜିଲ୍ଲାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ପ୍ରତିକ୍ରିୟା ରଖି ଶ୍ରୀମତୀ ପାତ୍ର କହିଛନ୍ତି, ତାଙ୍କୁ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନାର ଲାଭ ମିଳିଛି। ଏସବୁ ଯୋଜନା ତାଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। କେବଳ ଆବାସ ଯୋଜନା ନୁହେଁ, ସେ ଏବେ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ପାଇଛନ୍ତି। ରିହାତି ଦରରେ ଗ୍ୟାସ୍‌ ରିଫିଲ୍‌ କରିପାରୁଛନ୍ତି। ଏଥିପାଇଁ ୩୦୦ ଟଙ୍କାର ସବସିଡି ମିଳୁଛି। ଗ୍ୟାସରେ ଏବେ ସେ ଶୀଘ୍ର ରୋଷେଇ ସାରି ପିଲାମାନଙ୍କ କଥା ବୁଝିପାରୁଛନ୍ତି। ପିଲାମାନେ ଠିକ୍‌ ସମୟରେ ସ୍କୁଲ୍‌ ଯାଉଛନ୍ତି। ଘରେ ବିଦ୍ୟୁତ ସଂଯୋଗ ହେବା ପରେ ତାଙ୍କ ପିଲାମାନଙ୍କର ପାଠପଢ଼ା ଜନିତ ଅସୁବିଧା ମଧ୍ୟ ଦୂର ହୋଇଛି ବୋଲି ସୁଲୋଚନା କରିଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି।

କେବଳ କେନ୍ଦୁଝର ଜିଲ୍ଲାର ସୁଲୋଚନା ନୁହନ୍ତି, କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ଉପକୃତ ହୋଇଥିବା ଆଉ ଜଣେ ମହିଳା ହିତାଧିକାରୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତର ସାବିତ୍ରୀ ଚାନ୍ଦି ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପଲକ୍ଷେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଉଜ୍ଜ୍ୱଳା ଯୋଜନା ଦ୍ୱାରା ସେ ରିହାତି ଦରରେ ଗ୍ୟାସ ପାଉଛନ୍ତି। ଧୂଆଁମୁକ୍ତ ରୋଷେଇ ଘର ଯୋଗୁ ତାଙ୍କୁ ବିଶେଷ ସୁବିଧା ମିଳିଥିବା ସାବିତ୍ରୀ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନୁରୂପ ଭାବେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଦ୍ୱାରା ଲାଭାନ୍ୱିତ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ କେରେଡ଼ି ଗ୍ରାମର ସଞ୍ଜୁକ୍ତା ରଣା ନିଜର ମତ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରଣା ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ପ୍ରିମିୟମ ପଇଠ କରି ଆସୁଥିଲେ। ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ତାଙ୍କୁ ବ୍ୟାଙ୍କ ସହଯୋଗରେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା। ପରିବାରର ଦୁର୍ଦ୍ଦିନ ସମୟରେ ଏହି ଅର୍ଥ ତାଙ୍କୁ ବିଶେଷ ସହାୟକ ହୋଇଥିଲା।

ଅନ୍ୟପଟେ ଆବାସ ଯୋଜନାରେ ପକ୍କା ଘର ପାଇ କନ୍ଧମାଳ ଜିଲ୍ଲା ବିଶିପଡ଼ା ଦେହୁରୀସାହିର ଗରିବ ହିତାଧିକାରୀ ବିଜୟ କୁମାର ବେହେରାଙ୍କ ଜୀବନରେ ସୁଧାର ଆସିପାରିଛି। ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

କେବଳ ଏମାନେ ନୁହନ୍ତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାର ଲାଭ ପାଇଥିବା ବହୁସଂଖ୍ୟାରେ ହିତାଧିକାରୀ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ଅନୁଭୂତି ବଖାଣିବା ସହିତ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବ୍ୟାପକ ପ୍ରଚାରପ୍ରସାର ଲକ୍ଷ୍ୟ ନେଇ ଗତ ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଓଡ଼ିଶାର ବିଭିନ୍ନ ଆଦିବାସୀ ବହୁଳ ତଥା ଉପାନ୍ତ ଅଞ୍ଚଳରେ ବିପୁଳ ଜନସମର୍ଥନ ମିଳୁଛି। ହିତାଧିକାରୀଙ୍କ ନିକଟରେ ଯୋଜନାର ଶତପ୍ରତିଶତ ଲାଭ ପହଞ୍ଚାଇବା ଏହି ଯାତ୍ରାର ଉଦ୍ଦେଶ୍ୟ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Related posts