Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ମଡ଼େଲ୍ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି: ପ୍ରମୁଖ ଶାସନ ସଚିବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୋଭିଡ଼୍ ପରିଚାଳନା ନୋଡ଼ାଲ୍ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ମଙ୍ଗଳବାର ଗଂଜାମ ଜିଲ୍ଲାର କୋଭିଡ଼୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟଗୁଡ଼ିକ ସମୀକ୍ଷା କରିଛନ୍ତି। ତାମ୍ପରାଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ମାଥିଭାନାନ୍ ଜଣାଇଥିଲେ ଯେ ଗତ ମାର୍ଚ୍ଚ ମାସଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପି ହୋଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସାରା ବିଶ୍ୱରେ ଗଂଜାମ ମଡ଼େଲ୍‌କୁ ପରିଚିତ କରାଇପାରିଛନ୍ତି। ତେଣୁ ସମସ୍ତେ ଧନ୍ୟବାଦର ପାତ୍ର। ଏହି ଦଳରେ ସେ ନିଜକୁ ସାମିଲ ହୋଇଥିବାରୁ ମାଥିଭାଥାନନ ମଧ୍ୟ ନିଜକୁ ଗର୍ବିତ ମନେ କରିଥିଲେ। ଆଗାମୀ ଦିନରେ ଦ୍ୱିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚାଲେଞ୍ଜ ସହ ପରିଚାଳନା କରିବା ଦିଗରେ ଜିଲ୍ଲାକୁ ଆଗକୁ ନିଆଯାଇଛି। ଗଂଜାମ ଜିଲ୍ଲା ପଛକୁ ଯିବ ନାହିଁ। ଗଂଜାମ ଜିଲ୍ଲାର ମଡ଼େଲ୍ ଯୋଗୁଁ ଆଜି ବିଶ୍ୱ ଦରବାରରେ ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜିଲ୍ଲାକୁ ଆସୁଥିବା ପ୍ରବାସୀ ଭାରତୀୟଙ୍କ ନିଜ ସ୍ଥାନରେ କର୍ମସଂସ୍ଥାନ ଯୋଗାଇଦେବା ଦିଗରେ ଅନେକ ଯୋଜନାମାନ କରି ସେମାନଙ୍କ ଜୀବନଜୀବିକା ଓ ଆର୍ଥନୈତିକ କାର୍ଯ୍ୟଧାରାକୁ ପୁନଃର୍ଜିବିତ କରାଯାଉଛି। ଆଜି ଦ୍ୱିତୀୟ ଲହରକୁ ରୋକିବା ଦିଗରେ କେଉଁ ରଣକୌଶଳ ଗ୍ରହଣ କରାଯାଇଛି ତାହା ପଚାରି ବୁଝିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଡ଼ିଆର୍‌ଡ଼ିଏ ଏପିଡ଼ି (ପ୍ରଶାସକ) ଜ୍ୟୋତିରଂଜନ ରାୟ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।