Categories
ଆଜିର ଖବର ରାଜ୍ୟ ଖବର

ଏସୟୁଆଇଆଇଟି ର ୧୪ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡକ୍ଟର ପିକେ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୂଚନା ପ୍ରଦ୍ୟୋଗିକ ସଂସ୍ଥାନ (ଏସୟୁଆଇଆଇଟି)ର ୧୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଉଦବୋଧନ ଦେଇଛନ୍ତି।

ଡକ୍ଟର ମିଶ୍ର କହିଥିଲେ, ଆମେ ଯେଉଁ ଅଭିବୃଦ୍ଧି ହାସଲ କରିବାକୁ ଚାହୁଁଛୁ ତାହାକୁ ପ୍ରୋତ୍ସାହିତ କରିବା ପାଇଁ ସାଧାରଣତଃ ବୈଷୟିକ ଜ୍ଞାନକୌଶଳ ଏବଂ ବିଶେଷକରି ଅତ୍ୟାଧୁନିକ ଏବଂ ଉଦୀୟମାନ ଜ୍ଞାନକୌଶଳକୁ ବ୍ୟବହାର କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି।

ଏହି ଅଞ୍ଚଳରେ ଜ୍ଞାନ ଓ ଶିକ୍ଷାର ପ୍ରତୀକ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୀର୍ଘଦିନର ଖ୍ୟାତି ଉପରେ ଆଲୋକପାତ କରି ଡକ୍ଟର ମିଶ୍ର ଏସୟୁଆଇଆଇଟି ପ୍ରତିଷ୍ଠାକୁ ପ୍ରଶଂସା କରିଥିଲେ । ଏହା ଶିକ୍ଷାଗତ ଉତ୍କର୍ଷତାର କେନ୍ଦ୍ର ଭାବରେ ବିଶ୍ୱବିଦ୍ୟାଳୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲା ବୋଲି କହିଥିଲେ। ସୂଚନା ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱ ଦେଇ ଏହି ଅନୁଷ୍ଠାନ କେବଳ ଯୁବପିଢ଼ିଙ୍କୁ ଅତ୍ୟାବଶ୍ୟକ ଡିଜିଟାଲ ଯୁଗର ଦକ୍ଷତା ପ୍ରଦାନ କରେ ନାହିଁ ବରଂ ଜାତୀୟ ପ୍ରଗତି ପାଇଁ ଜରୁରୀ ଜ୍ଞାନ ଭିତ୍ତିକ ଅର୍ଥବ୍ୟବସ୍ଥା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥାଏ ।

ଏହାବ୍ୟତୀତ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ କହିଥିଲେ ଯେ, ସ୍ନାତକମାନେ କେବଳ ବିଷୟ ଜ୍ଞାନରେ ପାରଙ୍ଗମ ନୁହଁନ୍ତି ବରଂ ବଜାର ପାଇଁ ଆବଶ୍ୟକ ବ୍ୟବହାରିକ ଦକ୍ଷତା ମଧ୍ୟ ସେମାନଙ୍କ ପାଖରେ ଅଛି।

ବିଜ୍ଞାନ ଓ ଇଞ୍ଜିନିୟରିଂ ଗବେଷଣା ବୋର୍ଡ (ଏସ୍ଇଆର୍‌ବି), ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ଟାଟା ପାୱାର ଏବଂ ହିଣ୍ଡାଲ୍‌କୋ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ଓ ଶିଳ୍ପ ଗୁଡ଼ିକ ସହ ଏସଆଇଆଇଟିର ବର୍ତ୍ତମାନର ସହଭାଗିତାକୁ ଶ୍ରୀ ପିକେ ମିଶ୍ର ପ୍ରଶଂସା କରିଥିଲେ। ଏଥିସହିତ ଆଇଆଇଏମ୍ ସମ୍ବଲପୁର ସହିତ ଭବିଷ୍ୟତରେ ସହଭାଗିତା ପାଇଁ ଅନୁଷ୍ଠାନର ଯୋଜନାକୁ ସ୍ୱାଗତ କରିଥିଲେ। ବିଗ୍ ଡାଟା ଏନାଲିସିସ୍, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, ବ୍ଲକ୍ ଚେନ୍ ଆଦି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଯେଉଁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିବାକୁ ଯୋଜନା କରୁଛି, ସେଥିପ୍ରତି ମଧ୍ୟ ସେ ଆଗ୍ରହ ପ୍ରକାଶ କରିଛନ୍ତି।

ଡକ୍ଟର ପିକେ ମିଶ୍ର ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନ୍ଆର୍‌ଏଫ୍) ସମେତ ଭାରତ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଏସୟୁଆଇଆଇଟିକୁ ସହଯୋଗର ସମ୍ଭାବନା ଖୋଜିବାକୁ ଅନୁରୋଧ କରିଥିଲେ। ୫୦,୦୦୦ କୋଟିର ବଜେଟ୍ ସହିତ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଉଥିବା ଏଏନ୍ଆର୍‌ଏଫ୍ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ଗବେଷଣା ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ସହଯୋଗ ପାଇଁ ଏକ ଆକର୍ଷଣୀୟ ମାର୍ଗ ଉପସ୍ଥାପନ କରୁଛି ବୋଲି ସେ କହିଥିଲେ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା ଓ ବିକାଶ ପ୍ରକଳ୍ପ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସହଯୋଗ ସମ୍ପର୍କରେ ଡ. ପି.କେ.ମିଶ୍ର ଆଲୋକପାତ କରିଥିଲେ । ଆଇଆଇଟି ଏବଂ ଆଇଆଇଏସସି ଭଳି ପ୍ରମୁଖ ଅନୁଷ୍ଠାନ ବ୍ୟତୀତ ଗବେଷଣା ପରିସରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଡକ୍ଟର ମିଶ୍ର ଗବେଷଣା ଓ ବିକାଶ ପଦକ୍ଷେପ ପାଇଁ ମନ୍ତ୍ରଣାଳୟର ସମର୍ଥନ ଲୋଡ଼ିବାକୁ ଏସୟୁଆଇଆଇଟିର ଅଧ୍ୟାପକ ଏବଂ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ।

ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଆଣ୍ଡ ମ୍ୟାନୁଫାକ୍ଚରିଂ (ଇଏସଡିଏମ) ଏବଂ ଆଇଟି/ଆଇଟି ସକ୍ଷମ ସେବାରେ ପିଏଚଡି ସଂଖ୍ୟା ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଥିବା ବିଶ୍ୱେଶ୍ୱରୟ ପିଏଚଡି ଯୋଜନା ବିଷୟରେ ମଧ୍ୟ ଡ. ପିକେ ମିଶ୍ର ଉଲ୍ଲେଖ  କରିଥିଲେ । ଏହି ସୁଯୋଗର ଅନୁସନ୍ଧାନ କରିବାକୁ ଏସ୍‌ୟୁଆଇଆଇଟିକୁ ଅନୁରୋଧ କରିଥିଲେ। ଏହାବ୍ୟତୀତ ପରମ ଶକ୍ତି ଓ ପରମ କାମରୂପ ଭଳି କମ୍ପ୍ୟୁଟେଶନାଲ ସମ୍ବଳ ଉପଲବ୍ଧ କରାଇବା ପାଇଁ ନ୍ୟାସନାଲ ସୁପରକମ୍ପ୍ୟୁଟିଂ ମିଶନ ସହ ସହଭାଗିତା ସ୍ଥାପନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉଦୀୟମାନ ଜ୍ଞାନକୌଶଳ ଉପରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ ପାଇଁ ସରକାର ଏବଂ ନାସ୍କମ୍ ମଧ୍ୟରେ ମିଳିତ ପ୍ରୟାସ ଫ୍ୟୁଚର ସ୍କିଲ୍ସ ପ୍ରାଇମ୍ କାର୍ଯ୍ୟକ୍ରମ ଉପରେ ଡ. ମିଶ୍ର ଆଲୋକପାତ କରିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ଶିଳ୍ପଭିତ୍ତିକ ପାଠ୍ୟକ୍ରମର ଲାଭ ଉଠାଇବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଆପ୍ଲିକେସନ୍, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତରେ ଛାତ୍ରଛାତ୍ରୀଙ୍କ ଉଦ୍ଭାବନ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଏଆଇସିଟିଇ ସହଯୋଗରେ ଆଇଡିଆ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଡ. ପି.କେ ମିଶ୍ର ପ୍ରସ୍ତାବ ଦେଇଥିଲେ। ଆଇଟି ସମ୍ବନ୍ଧୀୟ ପାଠ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ମାଡ୍ରାସ ମଧ୍ୟରେ ହେବାକୁ ଥିବା ବୁଝାମଣାପତ୍ର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଉଚ୍ଚଶିକ୍ଷା ଓ ଗବେଷଣାର ବିକଶିତ ଦୃଶ୍ୟ ଉପରେ ଡ. ମିଶ୍ର ଆଲୋକପାତ କରିଥିଲେ । ସେ ଗବେଷଣା ଭିତ୍ତିକ ସମାଧାନର ବଢୁଥିବା ଚାହିଦା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଦ୍ୱାରା ବର୍ଦ୍ଧିତ ପାଣ୍ଠି, ଉଦୀୟମାନ ଜ୍ଞାନକୌଶଳ ଏବଂ ଷ୍ଟାର୍ଟଅପ୍ ପାଇଁ ସୁଯୋଗ ବୃଦ୍ଧି ପାଇଥାଏ । ଉଚ୍ଚଶିକ୍ଷା କ୍ଷେତ୍ରକୁ ସମାବେଶୀ ଏବଂ ବିବିଧତା ପୂର୍ଣ୍ଣ କରିବା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ, ଏପରି ଏକ ପରିବେଶକୁ ଉତ୍ସାହିତ କରାଯିବା ଉଚିତ୍‌ ଯେଉଁଠି ସମସ୍ତ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନେ ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ସଶକ୍ତ ଅନୁଭବ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାଣୀରୋଗ ନିୟନ୍ତ୍ରଣ ଦ୍ୱାରା ପ୍ରାଣୀପାଳକଙ୍କ ଆୟବୃଦ୍ଧି ହୋଇପାରିବ: ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ପ୍ରାଣୀମାନଙ୍କର ବିଭିନ୍ନ ରୋଗର ନିରାକରଣ ସଂପର୍କରେ ଆଜି ଏକ ଜାତୀୟ ସ୍ତରୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋମହିଷାଦି ଏବଂ କୁକୁଡ଼ା ଓ ବତକ ଆଦି ପ୍ରାଣୀମାନେ ଆକ୍ରାନ୍ତ ହେଉଥିବା ଫାଟୁଆ, ବ୍ରୁସେଲୋସିସ୍‌, ବାର୍ଡଫ୍ଲୁ, ସାହାଣ, ବଜବଜିିଆ ଆଦି ରୋଗର ସଫଳ ନିରାକରଣ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶଦ ଭାବରେ ଆଲୋଚନା ହୋଇଥିଲା। ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପ୍ରାଣୀମାନଙ୍କୁ ସୁସ୍ଥ କରିବା ସହିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି। ପ୍ରାଣୀପାଳକଙ୍କ ଆୟବୃଦ୍ଧିରେ ପ୍ରାଣୀ ରୋଗ ନିୟନ୍ତ୍ରଣ କପରି ସହାୟକ ହୋଇପାରିବ ସେ ଉପରେ ବିସ୍ତୃତ ଧାରଣା ଉପସ୍ଥାପନ ସହ ଏଥି ନିମନ୍ତେ ପ୍ରାଣୀପାଳକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀ ବଶିଷ୍ଠ ଗୁରୁତ୍ୱାରୋପ କରିଥିଲେ।

କର୍ମଶାଳାରେ ପ୍ରାଣୀ ରୋଗ ସମ୍ବନ୍ଧୀୟ ଆଗୁଆ ସୂଚନା ପାଇବାର ମାଧ୍ୟମ, ପ୍ରାଣୀରୋଗ ଚିହ୍ନଟ ପାଇଁ ନମୁନା ସଂଗ୍ରହ, ପ୍ରତିଷେଧକ ବ୍ୟବସ୍ଥା, ଟିକାକରଣ, ଆଞ୍ଚଳିକ ଭିତ୍ତିରେ ପ୍ରାଣୀରୋଗ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ଓଡ଼ିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶାଳୟ, କଟକଙ୍କ ଦ୍ୱାରା ଆୟୋଜିତ ଏହି ଜାତୀୟ କର୍ମଶାଳାରେ ଭାରତ ସରକାରଙ୍କ ଯୁଗ୍ମ ଶାସନ ସଚିବ ଶ୍ରୀ ଉପମନୁ୍ୟ ବସୁ, ପ୍ରାଣୀପାଳନ ଓ ପ୍ରାଣୀଚିିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଭାଗ ନେଇଥିବାବେଳେ ନିସାଦ, ଭୋପାଳର ବରିଷ୍ଠ ବୈଜ୍ଞାନିକ ଡ. ଚକ୍ରଧର ତୋଷ, ନିଭେଡିର ବରିଷ୍ଠ ବୈଜ୍ଞାନିକ ଡ. ମହମ୍ମଦ ମୁଦାଶର ଚାନ୍ଦ, ଫାଟୁଆ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡ. ଯଯାତି କେଶରୀ ମହାପାତ୍ର, ଓଡ଼ିଶା ଭେଟେରିନାରୀ କଲେଜର ଡିନ୍‌ ଡ. ଶୁଶେନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି ପ୍ରାଣୀମାନଙ୍କ ବିଭିନ୍ନ ରୋଗ ଏବଂ ଏହାର ସଫଳ ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଓ ସମସ୍ତ ରୋଗ ନିରୁପଣ କେନ୍ଦ୍ରର ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ବାତ୍ୟା ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ ଅଞ୍ଚଳରୁ ୬୦ଜଣ ଓ ଜଗତସିଂହପୁର ପୌରାଞ୍ଚଳରୁ ୧୪୦ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଜିଲ୍ଲାରେ ୨୦୦୦ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କର ପକ୍କାଘର ରହିଛି। ଅନ୍ୟ ୨୦୦ ଜଣଙ୍କୁ ଉତ୍ସର୍ଗୀକୃତ କେନ୍ଦ୍ରରେ ରଖାଯିବ। ଏଥିସହିତ ପାରାଦ୍ବୀପ କୋଭିଡ୍ ହସପିଟାଲରେ ୬୦ଜଣ ଓ କୋଭିଡ୍ କେୟାର୍ ସେଣ୍ଟରରେ ୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେହି କ୍ରିଟିକାଲ୍ ନାହାଁନ୍ତି। ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ୍ ରହିଛି। ଆସନ୍ତା କାଲି ୨୫୦ଟି ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ପହଞ୍ଚିବ।

ପାରାଦ୍ଵୀପରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି ଓ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଜଗତସିଂହପୁରରେ ପହଞ୍ଚିଛନ୍ତି। ବାତ୍ୟା ପରେ ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା, ବିଦ୍ୟୁତ ଖୁଣ୍ଟି ପୁନରୁଦ୍ଧାର ଓ ରାସ୍ତା ମରାମତି ନିମନ୍ତେ ଯଥେଷ୍ଟ ସଂଖ୍ୟାରେ ଟିମ୍ ଅଛନ୍ତି। ଏନ୍.ଡି.ଆର୍.ଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରହିଛନ୍ତି। ବାତ୍ୟାର ୨/୩ ଘଣ୍ଟା ମଧ୍ୟରେ ରାସ୍ତା ସଫା ହେବ। ପାନୀୟଜଳ ଯୋଗାଣ ପାଇଁ ମୋବାଇଲ୍ ଟ୍ୟାଙ୍କର ପ୍ରସ୍ତୁତ ରହିଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରପରିଷଦରେ ଅତିରିକ୍ତ ଜିଲ୍ଲାପାଳ, କୁଜଙ୍ଗ ବିଡିଓ, ତହସିଲଦାର, ପାରାଦ୍ଵୀପ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ, ଶୁଖିଲାଖାଦ୍ୟ ଓ ପାନୀୟଜଳ ଯୋଗାଣ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ମଡ଼େଲ୍ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି: ପ୍ରମୁଖ ଶାସନ ସଚିବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୋଭିଡ଼୍ ପରିଚାଳନା ନୋଡ଼ାଲ୍ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ମଙ୍ଗଳବାର ଗଂଜାମ ଜିଲ୍ଲାର କୋଭିଡ଼୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟଗୁଡ଼ିକ ସମୀକ୍ଷା କରିଛନ୍ତି। ତାମ୍ପରାଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ମାଥିଭାନାନ୍ ଜଣାଇଥିଲେ ଯେ ଗତ ମାର୍ଚ୍ଚ ମାସଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପି ହୋଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସାରା ବିଶ୍ୱରେ ଗଂଜାମ ମଡ଼େଲ୍‌କୁ ପରିଚିତ କରାଇପାରିଛନ୍ତି। ତେଣୁ ସମସ୍ତେ ଧନ୍ୟବାଦର ପାତ୍ର। ଏହି ଦଳରେ ସେ ନିଜକୁ ସାମିଲ ହୋଇଥିବାରୁ ମାଥିଭାଥାନନ ମଧ୍ୟ ନିଜକୁ ଗର୍ବିତ ମନେ କରିଥିଲେ। ଆଗାମୀ ଦିନରେ ଦ୍ୱିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚାଲେଞ୍ଜ ସହ ପରିଚାଳନା କରିବା ଦିଗରେ ଜିଲ୍ଲାକୁ ଆଗକୁ ନିଆଯାଇଛି। ଗଂଜାମ ଜିଲ୍ଲା ପଛକୁ ଯିବ ନାହିଁ। ଗଂଜାମ ଜିଲ୍ଲାର ମଡ଼େଲ୍ ଯୋଗୁଁ ଆଜି ବିଶ୍ୱ ଦରବାରରେ ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜିଲ୍ଲାକୁ ଆସୁଥିବା ପ୍ରବାସୀ ଭାରତୀୟଙ୍କ ନିଜ ସ୍ଥାନରେ କର୍ମସଂସ୍ଥାନ ଯୋଗାଇଦେବା ଦିଗରେ ଅନେକ ଯୋଜନାମାନ କରି ସେମାନଙ୍କ ଜୀବନଜୀବିକା ଓ ଆର୍ଥନୈତିକ କାର୍ଯ୍ୟଧାରାକୁ ପୁନଃର୍ଜିବିତ କରାଯାଉଛି। ଆଜି ଦ୍ୱିତୀୟ ଲହରକୁ ରୋକିବା ଦିଗରେ କେଉଁ ରଣକୌଶଳ ଗ୍ରହଣ କରାଯାଇଛି ତାହା ପଚାରି ବୁଝିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଡ଼ିଆର୍‌ଡ଼ିଏ ଏପିଡ଼ି (ପ୍ରଶାସକ) ଜ୍ୟୋତିରଂଜନ ରାୟ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Categories
ଆଜିର ଖବର ମନୋରଂଜନ ସିନେମା

63 ବର୍ଷରେ ବ୍ରହ୍ମାନନ୍ଦମ୍‌: ହଜାରରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି

ହାଇଦ୍ରାବାଦ : ସାଉଥ୍‌ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍‌ ବେଶ୍‌ ଜଣାଶୁଣା । କେବଳ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍‌ ରହିଛନ୍ତି । ବ୍ରହ୍ମାନନ୍ଦମ୍‌ ଆଜି 63ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନେ ଟ୍ରେଣ୍ଡ୍‌ କରୁଛନ୍ତି । ହ୍ୟାଜ୍‌ଟ୍ୟାଗ୍‌ ବ୍ରହ୍ମାନନ୍ଦନମ୍‌ ଟ୍ରେଣ୍ଡ୍‌ କରିବା ସହିତ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ବ୍ରହ୍ମାନନ୍ଦମ୍‌ଙ୍କୁ ସାଉଥ୍‌ରେ ସୁପରଷ୍ଟାର୍‌ ବୋଲି କୁହାଯାଇଥାଏ । ସେ ମହେଶ ବାବୁ, ଅଲ୍ଲୁ ଅର୍ଜୁନ୍‌, ପ୍ରଭାସ, ରାମଚରଣ, ନାଗାର୍ଜୁନଙ୍କ ପରି ଲୋକପ୍ରିୟ ସାଉଥ୍‌ ଅଭିନେତାଙ୍କ ସହ ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି ।  ସେ ପାଖାପାଖି 1000ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ 1987ରେ ଆସିଥିବା ଫିଲ୍ମ ‘ଅହା ନା ପାଲଣ୍ଟା’ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ବ୍ରହ୍ମାନନ୍ଦମ୍‌ଙ୍କ କମେଡି ଆକ୍ଟିଂ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥାଏ । ତେଲୁଗୁ ସହିତ ତାମିଲ୍‌ ଓ କନ୍ନଡ ସିନେମାରେ ଅଭିନୟ କରି ବେଶ୍‌ ପ୍ରଶଂସାଭାଜନ ହୋଇଛନ୍ତି । ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଚତୁର୍ଥ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇବା ସହିତ ସବୁଠାରୁ ଅଧିକ ଥର ଫିଲ୍ମରେ ଆକ୍ଟିଂ କରୁଥିବା ହେତୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି । ଆନ୍ଧ୍ରପ୍ରଦେଶରେ ଜନ୍ମିତ ଏହି ଲୋକପ୍ରିୟ ଅଭିନେତାଙ୍କ ପତ୍ନୀଙ୍କ ସହିତ ଦୁଇଟି ସନ୍ତାନ ରହିଛନ୍ତି । (ଏଜେନ୍ସି)

Categories
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର, ୩୧/୧୨: ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତକରିଛନ୍ତି। ଏହି ଗସ୍ତ ଅବସରରେ ସଚିବ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି। ଏହି କ୍ରମରେ କୁଜଙ୍ଗ ବ୍ଲକର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପୁରା ଗ୍ରାମର କଦଳୀ ଚାଷ ପରିଦର୍ଶନ କରିବା ସହିତ ଉଦ୍ୟାନ କୃଷି ବିଭାଗ ଦ୍ବାରା ଚାଷୀମାନେ କିପରି ଅଧିକ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଚାଷୀଙ୍କୁ ଜଣାଇଛନ୍ତି। ସେହିପରି ଜଗନ୍ନାଥପୁର ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଠପଢା, ଖାଇବା ପିଇିବା ସମ୍ପର୍କରେ ବୁଝିଥିଲେ। ମହିଳାଙ୍କୁ ଭେଟି ମମତା ଯୋଜନାର ସମ୍ପର୍କରେ ବୁଝିଥିଲେ। ସେହିପରି ଫତେପୁର ଜୀବନଜ୍ୟୋତି ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ସାଜସଜ୍ଜା ଦ୍ରବ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀକୁ ଦେଖି ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଓ ମାର୍କେଟିଂ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଜିଲ୍ଲାପାଳ ଓ ଏରମାସ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ  ଏକ ସମୀକ୍ଷା  ବୈଠକ କରିଥିଲେ। ମୁଖ୍ୟ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିବା ସହିତ ଜିଲ୍ଲାର ଶିକ୍ଷାର ମାନବୃଦ୍ଧି ଦିଗରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟାନ ଓ କୃଷି ବିଭାଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ଜିଲ୍ଲାରେ ହୋଇଥିବା ଉନ୍ନତି ତଥା ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।