Categories
ଆଞ୍ଚଳିକ

ଚଣ୍ଡେଶ୍ୱର: ଖରାପ ଅଟୋକୁ ସଜାଡୁଥିବା ବେଳେ ପିକ୍ ଅପ୍ ଭ୍ୟାନ୍ ଦେଲା ଧକ୍କା, ଚାଳକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଅଟୋ ରିକ୍ସା ଚାଳକ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ସୁଦାମ ଚରଣ ଜାଲି (୩୫ ବର୍ଷ), ଘର ଚିଲିକା ବ୍ଲକ ଅନ୍ତର୍ଗତ ଅଠର ବାଟିଆ ବୋଲି ଜଣାପଡିଛି।

ଗତ କାଲି ବିଳମ୍ବିତ ରାତିରେ ସୁଦାମ ଅଟୋ ରିକ୍ସାରେ ଯାତ୍ରୀ ନେଇ ବାଲୁଗାଁ ଯାଉଥିଲେ। ତେବେ ହଠାତ୍ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଅଟୋ ରିକ୍ସା ଟି ଖରାପ ହୋଇ ଯାଇଥିଲା। ଚାଳକ ସୁଦାମ ଖରାପ ଅଟୋ ରିକ୍ସା କୁ ସଜାଡୁଥିବା ବେଳେ ପଛ ପଟୁ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେବା ସହ ସୁଦାମଙ୍କ ଉପରେ ଚଢି ଯାଇଥିଲା। ଘଟଣା୍ ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ଟାଙ୍ଗୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଅଟୋ ରିକ୍ସା ଚାଳକଙ୍କ ମୃତ୍ୟୁ ଖବର ପାଇ ଡ୍ରାଇଭର ମହାସଂଘର ବହୁ ସଦସ୍ୟ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଛନ୍ତି। ଅଟୋ ରିକ୍ସା ଚାଳକଙ୍କ ପରିଵାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।