Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ମୋଦୀ କ୍ୟାବିନେଟ ବୈଠକ, କୃଷକ ସମସ୍ୟା ଉପରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଗହମ ଏବଂ ଅନ୍ୟାନ୍ୟ ଫସଲ ଉପରେ ଏମଏସପି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇପାରେ। ପିଏମ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଟେଲିକମ୍ ଏବଂ ଟେକ୍ସଟାଇଲ୍ କ୍ଷେତ୍ର ପାଇଁ ରିଲିଫ୍ ପ୍ୟାକେଜ୍ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

ସୂଚନା ଅନୁଯାୟୀ, ୯ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। କେବଳ ଏତିକି ନୁହେଁ, ସାଂପ୍ରତିକ ସମୟରେ କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଆଜି ନିଜେ କୃଷକ ସଂଗଠନ ହରିୟାଣାର କରନାଲରେ ମହାପଞ୍ଚାୟତ ପରେ ଛୋଟ ସଚିବାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ।

ଏହା ପରେ ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାଏତ ଟ୍ୱିଟ କରି କହିଛନ୍ତି ଯେ, ଆମେ କୃଷକ ସାଥୀମାନଙ୍କ ସହିତ ଛୋଟ ସଚିବାଳୟ କରନାଲରେ ପହଞ୍ଚିଯାଇଥିଲୁ, ପୋଲିସ ସେମାନଙ୍କୁ ଗିରଫ କରିଥିଲା। କିନ୍ତୁ ଯୁବକଙ୍କ ଉତ୍ସାହ ଆଗରେ ପୋଲିସ ସେମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା। କୃଷକ ସାଥିମାନଙ୍କ ସହିତ ମୁଁ ସଚିବାଳୟରେ ଉପସ୍ଥିତ ଅଛି, ଯୁଦ୍ଧ ଜାରି ରହିବ।

ନିକଟରେ ଉତ୍ତରପ୍ରଦେଶର ମୁଜାଫରନଗରରେ ମଧ୍ୟ ଏକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଏହି ସମୟ ମଧ୍ୟରେ ଶାସକ ବିଜେପି ବିରୋଧରେ କୃଷକ ନେତାମାନେ ତୀବ୍ର ବିବୃତ୍ତି ଦେଇଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ​​କୃଷି ଆଇନ ପ୍ରତ୍ୟାହାର କରିବାକୁ ସେମାନେ ଚାପ ପକାଇବେ ବୋଲି କୃଷକ ସଂଗଠନ କହିଛନ୍ତି। ବିଜେପି ବିରୋଧରେ ଅଧିକ ବଡ଼ ସଭା କୃଷକ ସଂଗଠନ ଆୟୋଜନ କରିପାରେ।

ଆନ୍ଦୋଳନକାରୀ କୃଷକମାନେ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସେ କହିଛନ୍ତି ଯେ, ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରି ଏମଏସପି ଉପରେ ଆଇନ ପ୍ରସ୍ତୁତ କରିବା ଉଚିତ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ ଗଠନ ପ୍ରସଂଗ, ଆଜି କେନ୍ଦ୍ର କ୍ୟାବିନେଟ ଦେଲେ ମଂଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।

ଏହି ଯୋଜନା ପାଇଁ ୧୧,୦୪୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ କେନ୍ଦ୍ର ସରକାର ୮,୮୪୪ କୋଟି ଟଙ୍କା ବ୍ୟୟ କରିବେ। ଅବଶିଷ୍ଟ ୨,୧୯୬ କୋଟି ଟଙ୍କା ରାଜ୍ୟ ମାନଙ୍କୁ ବହନ କରିବାକୁ ହେବ। ଏଥିରେ ଆୟରୁ ଅଧିକ ବ୍ୟୟ ସ୍ଥିତିରେ କ୍ଷତିପୂରଣ ନିମନ୍ତେ ବ୍ୟବସ୍ଥା ମଧ୍ୟ ସାମିଲ ରହିଛି।

ଏହି ଯୋଜନା ଅନ୍ତର୍ଗତ, ୨୦୨୫-୨୬ ସୁଦ୍ଧା ପାମ ଅଏଲ ଚାଷର କ୍ଷେତ୍ରକୁ ଅତିରିକ୍ତ ୬.୫ ଲକ୍ଷ ହେକ୍ଟର ପର‌୍ୟ୍ୟନ୍ତ ବଢ଼ାଇବା ଲାଗି ପ୍ରସ୍ତାବ ରହିଛି। ଶେଷରେ ୧୦ ଲକ୍ଷ ହେକ୍ଟର ପର‌୍ୟ୍ୟନ୍ତ ପାମ ଅଏଲ ଚାଷକୁ ବୃଦ୍ଧି କରାଯିବ। ଅଶୋଧିତ ପାମ ଅଏଲ (ସିପିଓ)ର ଉତ୍ପାଦନ ପରିମାଣ ୨୦୨୫-୨୬ ସୁଦ୍ଧା ୧୧.୨୦ ଲକ୍ଷ ଟନ ଏବଂ ୨୦୨୯-୩୦ ସୁଦ୍ଧା ୨୮ ଲକ୍ଷ ଟନ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏହି ଯୋଜନା ଦ୍ବାରା ପାମ ଅଏଲ ଚାଷୀମାନଙ୍କୁ ଅଧିକ ଲାଭ ମିଳିବ। ପୁଞ୍ଜି ନିବେଶ ବୃଦ୍ଧି ପାଇବା ସହିତ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏଥିସହିତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଚାଷୀଙ୍କ ଆୟ ମଧ୍ୟ ବଢ଼ିବ।

୧୯୯୧-୯୨ ଠାରୁ ଭାରତ ସରକାର ତୈଳ ବୀଜ ଏବଂ ପାମ ଅଏଲ ଉତ୍ପାଦନ ବଢ଼ାଇବା ଲାଗି ଅନେକ ପ୍ରୟାସ କରିଆସିଛନ୍ତି। ୨୦୧୪-୧୫ରେ ୨୭୫ ଲକ୍ଷ ଟନ ତୈଳବୀଜ ଉତ୍ପାଦିତ ହୋଇଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇଁ ୩୬୫.୬୫ ଲକ୍ଷ ଟନରେ ପହଞ୍ଚିଥିଲା। ପାମ ଅଏଲ ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ୨୦୨୦ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଏଲ ପାମ ରିସର୍ଚ୍ଚ (ଆଇଆଇଓପିଆର) ପକ୍ଷରୁ ପାମ ଅଏଲ ଚାଷ ପାଇଁ ଏକ ଅଧ୍ୟୟନ କରାଯାଇଥିଲା। ପାଖାପାଖି ୨୮ ଲକ୍ଷ ହେକ୍ଟର ଜମିରେ ପାମ ଅଏଲ ଚାଷ ବିଷୟରେ ଏହି ସଂସ୍ଥାନ ପକ୍ଷରୁ ବିଚାର ବ୍ୟକ୍ତ କରାଯାଇଥିଲା। ତେଣୁ ତାଳ ଗଛ ଲଗାଇବାର ଅପାର ସମ୍ଭାବନା ରହିଛି, ଯାହା ଆଧାରରେ କଞ୍ଚା ତାଳ ତେଲ ଉତ୍ପାଦନ ବୃଦ୍ଧି କରାଯାଇପାରିବ।

ବର୍ତ୍ତମାନ ସମୟରେ ମାତ୍ର ୩.୭୦ ହେକ୍ଟରରେ ଅଏଲ ପାମ୍ ଚାଷ କରାଯାଉଛି। ଅନ୍ୟ ତୈଳ ବୀଜ ତୁଳନାରେ ତାଳ ତେଲ ଉତ୍ପାଦନ ହେକ୍ଟର ପ୍ରତି ୧୦ରୁ ୪୬ ଗୁଣା ଅଧିକ ହୋଇଥାଏ। ଏହାବ୍ୟତୀତ ଗୋଟିଏ ହେକ୍ଟର ଫସଲରୁ ପାଖାପାଖି ଚାରି ଟନ ତେଲ ବାହାରିଥାଏ। ସେହିପରି ଏହି ଚାଷ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି।

ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେଇ ତଥା ପାଖାପାଖି ୯୮ ପ୍ରତିଶତ କଞ୍ଚା ତାଳ ତେଲ ଆମଦାନୀ କରାଯାଉଥିବା ଦୃଷ୍ଟିରୁ ଏହି ଯୋଜନା ଆରମ୍ଭ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ଯାହାଫଳରେ ତାଳ ଚାଷର କ୍ଷେତ୍ର ଏବଂ ଉତ୍ପାଦନ ଦେଶରେ ବୃଦ୍ଧି ପାଇବ। ପ୍ରସ୍ତାବିତ ଯୋଜନାରେ ବର୍ତ୍ତମାନର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ-ଅଏଲ ପାମ କାର‌୍ୟ୍ୟକ୍ରମକୁ ସାମିଲ କରି ଦିଆଯିବ।

ଏହି ଯୋଜନାରେ ଦୁଇଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପାମ ଅଏଲ ଚାଷୀମାନେ ସତେଜ ଫଳ ଗୁଚ୍ଛ (ଏଫଏଫବି) ପ୍ରସ୍ତୁତ କରିଥାନ୍ତି, ଯାହାର ବୀଜରୁ ତୈଳ ଉଦ୍ୟୋଗ ତେଲ ବାହାର କରିଥାନ୍ତି। ବର୍ତ୍ତମାନ ସମୟରେ ଏହି ଏଏଫବିର ମୂଲ୍ୟ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ଆଧାରରେ ନିର୍ଦ୍ଧାରିତ ହୋଇଥାଏ। ପ୍ରଥମ ଥର କେନ୍ଦ୍ର ସରକାର ଏହି ଏଫଏଫବି ପାଇଁ ଚାଷୀମାନଙ୍କୁ ସୁନିଶ୍ଚିତ ମୂଲ୍ୟ ପ୍ରଦାନ କରୁଛନ୍ତି।

ଏହା ସାଧନଯୋଗ୍ୟତା ମୂଲ୍ୟ (ଭିପି) ନାମରେ ପରିଚିତ ହେବ, ଅର୍ଥାତ ଚାଷୀମାନେ କୌଣସି କ୍ଷତି ସହିବେ ନାହିଁ। ଏହା ଜରିଆରେ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ସମୟରେ ଚାଷୀଙ୍କ ହିତକୁ ସୁରକ୍ଷିତ ରଖାଯିବ। ଏହି ସାଧନଯୋଗ୍ୟତା ମୂଲ୍ୟ ବିଗତ ପାଞ୍ଚ ବର୍ଷ ସମୟରେ ବାର୍ଷିକ ହାରାହାରୀ ସିପିଓ ମୂଲ୍ୟ ଆଧାରରେ ନିର୍ଦ୍ଧାରିତ ହେବ ଏବଂ ପାଇକାରୀ ମୂଲ୍ୟ ସୂଚକାଙ୍କରେ ଦିଆଯାଇଥିବା ପାମ ଅଏଲର ତଥ୍ୟରେ ୧୪.୩ ପ୍ରତିଶତ ବୃଦ୍ଧି କରାଯିବ।

ଅର୍ଥାତ ସାଧନଯୋଗ୍ୟତା ମୂଲ୍ୟ ଏହି ଦୁଇଟି ମୂଲ୍ୟକୁ ମିଶାଇ ନିର୍ଦ୍ଧାରିତ କରାଯିବ। ଏହାକୁ ନିର୍ଦ୍ଧାରଣ କରିବାର ପ୍ରାରମ୍ଭିକ ଅବଧି ନଭେମ୍ବର ୧ ତାରିଖ ଠାରୁ ହେବ ଏବଂ ପରବର୍ତ୍ତୀ ବର୍ଷ ଅକ୍ଟୋବର ୩୧ ତାରିଖ ପର‌୍ୟ୍ୟନ୍ତ ଏହା ଜାରି ରହିବ। ଏହି ସମ୍ପୂର୍ଣ୍ଣ ଅବଧିକୁ ‘ପାମ ଅଏଲ ବର୍ଷ’ କୁହାଯିବ। ଏହି ମୂଲ୍ୟ ସୁନିଶ୍ଚିତତା ଫଳରେ ଭାରତରେ ତାଳ ତେଲ ଚାଷ କରୁଥିବା ଚାଷୀଙ୍କ ମନରେ ବିଶ୍ବାସ ସୃଷ୍ଟି ହେବ ଏବଂ ସେମାନେ ଚାଷର କ୍ଷେତ୍ର ବୃଦ୍ଧି କରିବେ।

ଏହିପରି ଭାବେ ଦେଶରେ ତାଳ ତେଲ ଉତ୍ପାଦନ ବୃଦ୍ଧି ପାଇବ। ଫର୍ମୂଲା ମୂଲ୍ୟ (ଏଫପି) ମଧ୍ୟ ନିର୍ଦ୍ଧାରଣ କରାଯିବ, ଯାହାର ଅନ୍ତର୍ଗତ କ୍ରେତା-ବିକ୍ରେତା ଅଗ୍ରୀମ ଭାବେ ମୂଲ୍ୟ ଉପରେ ସହମତ ହେବେ। ଏହା ମାସିକ ଆଧାରରେ ସିପିଓର ୧୪.୩ ପ୍ରତିଶତ ହେବ। ଆବଶ୍ୟକତା ପଡ଼ିଲେ ସାଧନଯୋଗ୍ୟତା ମୂଲ୍ୟ ଓ ଫର୍ମୁଲା ମୂଲ୍ୟ ଆଧାରରେ ଆୟ-ବ୍ୟୟର ବ୍ୟବଧାନରେ କ୍ଷତିପୂରଣ ଦିଆଯିବ, ଯାହାଫଳରେ ଚାଷୀମାନେ କ୍ଷତି ସହିବେ ନାହିଁ। ଏହି ଅର୍ଥରାଶିକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ପଠାଇ ଦିଆଯିବ।

ଚାଷୀଙ୍କୁ ସାଧନଯୋଗ୍ୟତା ବ୍ୟବଧାନର କ୍ଷତିପୂରଣ ରୂପରେ ଆଶ୍ବାସନା ଦିଆଯିବ। ସିପିଓର ମୂଲ୍ୟକୁ ୧୪.୩ ପ୍ରତିଶତ ଉଦ୍ୟୋଗଗୁଡ଼ିକ ପରିଶୋଧ କରିବେ, ଯାହାକି ୧୫.୩ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧି ପାଇପାରେ। ଯୋଜନାରେ ଏହି ବ୍ୟବସ୍ଥା ମଧ୍ୟ କରାଯାଇଛି ଯେ ଏକ ନିର୍ଦ୍ଧାରିତ ଅବଧି ପରେ ନିୟମ-କାନୁନ ଆପେ ଆପେ ଶେଷ ହୋଇଯିବ। ଏହାର ତାରିଖ ନଭେମ୍ବର ୧, ୨୦୩୭ ପର‌୍ୟ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି।

ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର ସିପିଓଗୁଡ଼ିକୁ ଦିଆଯିବାକୁ ଥିବା ଦୁଇ ପ୍ରତିଶତ ବ୍ୟୟ ଅତିରିକ୍ତ ଆକାରରେ ବହନ କରିବେ, ଯାହାଫଳରେ ଏଠାକାର କୃଷକମାନଙ୍କୁ ଦେଶର ଅନ୍ୟ ସ୍ଥାନର କୃଷକମାନଙ୍କ ଭଳି ଅଧିକ ଅର୍ଥ ପଇଠ ସୁନିଶ୍ଚିତ ହୋଇପାରିବ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମାର୍ଗକୁ ଆପଣାଉଥିବା ରାଜ୍ୟମାନଙ୍କୁ ଯୋଜନାରେ ଉଲ୍ଲିଖିତ ସାଧନଯୋଗ୍ୟତା ଅନ୍ତରାଳ ପରିଶୋଧର ଲାଭ ମିଳିବ। ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ସହିତ ବୁଝାମଣାପତ୍ରରେ ସ୍ବାକ୍ଷର କରିବାକୁ ହେବ।

ଯୋଜନାର ଦ୍ବିତୀୟ ପ୍ରମୁଖ ଭାଗ ହେଉଛି ବିଭିନ୍ନ ପ୍ରକାରର ଭୂମିକା ଓ ଗତିବିଧିକୁ ତ୍ବରାନ୍ବିତ କରିବା। ତାଳ ଚାଷ ପାଇଁ ସହାୟତା ବ୍ୟାପକ ମାତ୍ରାରେ ବୃଦ୍ଧି କରାଯାଇଛି। ପୂର୍ବରୁ ହେକ୍ଟର ପ୍ରତି ୧୨ ହଜାର ଟଙ୍କା ଦିଆଯାଉଥିଲା, ଯାହାକୁ ଏବେ ବଢ଼ାଇ ହେକ୍ଟର ପ୍ରତି ୨୯ ହଜାର ଟଙ୍କା କରି ଦିଆଯାଇଛି। ଏହାଛଡ଼ା ରକ୍ଷଣାବେକ୍ଷଣ ଏବଂ ଫସଲ ସମୟରେ ସହାୟତାରେ ମଧ୍ୟ ବୃଦ୍ଧି କରାଯାଇଛି। ପୁରୁଣା ଉଦ୍ୟାନଗୁଡ଼ିକୁ ପୁଣି ଚାଲୁ କରିବା ଲାଗି ଗଛ ପିଛା ୨୫୦ ଟଙ୍କାର ବିଶେଷ ସହାୟତା ଦିଆଯାଉଛି, ଅର୍ଥାତ୍ ଗୋଟିଏ ଗଛ ଲଗାଇଲେ ୨୫୦ ଟଙ୍କା ମିଳିବ।

ଦେଶରେ ଚାରାରୋପଣ ଉପକରଣ କ୍ଷେତ୍ରରେ ରହିଥିବା ଅଭାବକୁ ଦୂର କରିବା ଲାଗି, ବୀଜ ଉତ୍ପାଦନ କରୁଥିବା ଉଦ୍ୟାନକୁ ମଧ୍ୟ ସହାୟତା ଦିଆଯିବ। ଏହାର ଅନ୍ତର୍ଗତ ଭାରତର ଅନ୍ୟ ସ୍ଥାନଗୁଡ଼ିକରେ ୧୫ ହେକ୍ଟର ଲାଗି ୮୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସହାୟତା ରାଶି ଦିଆଯିବ, ଅନ୍ୟପକ୍ଷରେ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏହି ସହାୟତା ରାଶି ୧୫ ହେକ୍ଟର ପିଛା ଏକ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ଏହାବ୍ୟତୀତ ଦେଶର ଅନ୍ୟ ସ୍ଥାନରେ ବୀଜ ଉଦ୍ୟାନ ପାଇଁ ୪୦ ଲକ୍ଷ ଟଙ୍କା ଏବଂ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନକୁ ବିଶେଷ ସହାୟତା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି, ଯାହାର ଅନ୍ତର୍ଗତ ପାହାଡ଼ ଉପରେ ସୋପାନ ପ୍ରଣାଳୀରେ ଅର୍ଦ୍ଧଚନ୍ଦ୍ରାକାର ଚାଷ, ବାୟୋ ଫେନ୍ସିଂ ଏବଂ ଜମିକୁ କୃଷି ଉପଯୋଗୀ କରିବା ଲାଗି ସମନ୍ବିତ କୃଷି ନିମନ୍ତେ ବନ୍ଦୋବସ୍ତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ ଲାଗି ଉଦ୍ୟୋଗଗୁଡ଼ିକୁ ପୁଞ୍ଜି ସହାୟତା ସନ୍ଦର୍ଭରେ ଘଂଟା ପ୍ରତି ପାଞ୍ଚ ମେଟ୍ରିକ ଟନ ଆକାରରେ ପାଞ୍ଚ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଫଳରେ ଏହି କ୍ଷେତ୍ର ପ୍ରତି ଉଦ୍ୟୋଗଗୁଡ଼ିକ ଆକୃଷ୍ଟ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ଗ୍ରାମାଞ୍ଚଳ ଉନ୍ନତି ପାଇଁ ହୋଇପାରେ ନୂଆ ନିଷ୍ପତି

ଭୁବନେଶ୍ବର, ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ 5ଟା 30ରେ ବସିବ। ଭର୍ଚ୍ୟୁୟାଲ ମୋଡରେ ହେବାକୁ ଥିବା ଏହି ବୈଠକରେ ମୋଟ 5ଟି ନିଷ୍ପତି ନେବାର ସମ୍ଭାବନା ରହିଛି।

ମୁଖ୍ୟତଃ ପଞ୍ଚାୟତ ଏବଂ ପୌର ନିର୍ବାଚନ ଥିବାରୁ ସରକାର କିଛି ନୂଆ ନିଷ୍ପତି ନେବାର ସମ୍ଭାବନା ରହିଛି। ଏଥିସହିତ କେତେକ ବିଭାଗର କ୍ୟାଡର ରୁଲରେ ପରିବର୍ତ୍ତନ ମଧ୍ୟ କରାଯିବ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆଜିର କ୍ୟାବିନେଟ ବୈଠକରେ ପନ୍ଦରଟି ପ୍ରସ୍ତାବରେ ଲାଗିଲା ମୋହର, ଫୋକସରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଆଜି ଅପରାହ୍ନରେ ବସିଥିଲା।ଏହି ବୈଠକରେ ଗ୍ରାମାଞ୍ଚଳର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମକୁ କ୍ୟାବିନେଟ ମଂଜୁରୀ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରାଯାଇଛି।

ଏହି ବୈଠକରେ ମୋଟ ପନ୍ଦରଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଏଥିରେ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ସାଧାରଣ ପ୍ରଶାସନ, ଗୃହ ପଞ୍ଚାୟତିରାଜ, ସହରାଞ୍ଚଳ ବିକାଶ ବିଭାଗର ପ୍ରସ୍ତାବ ରହିଛି।

କ୍ୟାବିନେଟର ନିଷ୍ପତ୍ତି ବିଷୟରେ ଅବଗତ କରାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭୁବନେଶ୍ୱରରେ ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଭୁବନେଶ୍ବରରେ ଥିବା ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇ ଏହି ନୂଆ ନାମରେ ନାମିତ କରାଯିବ। ଏ ନେଇ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି।

ସେହିପରି କେଉଁଝର ଜିଲ୍ଲାର ଯୋଡା ଏବଂ ଚମ୍ପୁଆକୁ ଜଳ ଯୋଗାଣର ଉନ୍ନତି, ସୁନ୍ଦରଗଡ ଜିଲ୍ଲାର ବିସ୍ରା, ଲାଠିକାଟା, ଲାହୁନିପଡା ଏବଂ ବଣେଇ ବ୍ଲକ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ସୁନ୍ଦରଗଡ ଜିଲ୍ଲାର ଲେପ୍ରିପାରା, ଟାଙ୍ଗାରାପାଲି, ସୁନ୍ଦରଗଡ, ବରଗାଁ, ସୁବଦେଗା ଏବଂ ବାଲିସାନକରା ବ୍ଲକ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। କଟକ ଜିଲ୍ଲାର ଆଠଗଡ ଏବଂ ତିଗିରିଆ ବ୍ଲକର ସମସ୍ତ ଗ୍ରାମ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ ମଂଜୁର ମିଳିଛି।

ଏହା ବ୍ୟତୀତ ସୁନ୍ଦରଗଡ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟପାରିଆ ରାସ୍ତାର 2-ଲେନର ଉନ୍ନତି ପାଇଁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ବୈଠକରେ ଓଡିଶା ସିଭିଲ ସର୍ଭିସ , ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ସମାନ କ୍ୟାଡର,  ଜେଲ୍ ଫାର୍ମାସିଷ୍ଟ ସେବା ଏବଂ ଓଡିଶା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସେବା ସମ୍ବନ୍ଧୀୟ ନିୟମକୁ ମଧ୍ୟ ବିଚାର କରାଯାଇ ଅନୁମୋଦନ କରାଯାଇଛି।

ଏଥିସହ କ୍ୟାବିନେଟ ବୈଠକରେ ପୁରୀ ପାଇଁ ମୌଳିକ ସୁବିଧା ତଥା ଐତିହ୍ୟ ସ୍ଥାପତ୍ୟର ବିକାଶ ପାଇଁ ଲାଗୁ ହୋଇଥିବା ‘ଅଭଡା’ ଯୋଜନାର ଅଧୀନରେ ଖଣ୍ଡେଲାଇଟ୍ ବ୍ଲକ୍ ଯୋଗାଣ ପାଇଁ ରୟାଲଟି ଏବଂ ଅନ୍ୟାନ୍ୟ ଆଇନଗତ ଦେୟ ମଧ୍ୟ ଛାଡକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ଗ୍ରାମାଞ୍ଚଳ ଉନ୍ନୟନ ପାଇଁ ନିଆଯାଇପାରେ କିଛି ନିଷ୍ପତି

ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ। ଅପରାହ୍ନ 5ଟା 30 ମିନଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁୟାଲ ମାଧ୍ୟମରେ ଏହି ବୈଠକ ହେବ। ଯେଉଁ ମନ୍ତ୍ରୀମାନେ ଜିଲ୍ଲାରେ ଅଛନ୍ତି ସେମାନେ ଜିଲ୍ଲା କାର୍ଯ୍ୟାଳୟରେ ଭିସିରେ ରହିବେ। ତେବେ ଏହି ବୈଠକରେ 12ଟି ଆଜେଣ୍ଡା ଅଛି ବୋଲି ଜଣାପଡିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରେ ଗ୍ରାମାଞ୍ଚଳ ଉନ୍ନତି ଉପରେ କିଛି ନିଷ୍ପତି ହେବ ବୋଲି ଜଣାପଡିଛି। ତେବେ ଏ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ସିଡବ୍ଲୁସି ସହିତ ମିଶିଲା ସିଆରଡବ୍ଲୁସି, ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀଙ୍କ “ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ”ର ଦୃଷ୍ଟିକୋଣ ଦିଗରେ ଅଗ୍ରସର ହୋଇ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗରେ ଘରୋଇ କ୍ଷେତ୍ରର ଦକ୍ଷତାକୁ ଉପଯୋଗ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ।

କମ୍ପାନୀ ଆଇନ, ୧୯୫୬, ଅନ୍ତର୍ଗତ ୨୦୦୭ରେ ଏକ ମିନି ରତ୍ନ ଶ୍ରେଣୀ-୨ରେ ସାମିଲ ହୋଇଥିବା କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ କ୍ଷେତ୍ରର ଉଦ୍ୟୋଗ (ସିପିଏସଇ) ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ କମ୍ପାନୀ ଲିମିଟେଡ’ (ସିଆରଡବ୍ଲୁସି)ର ସମସ୍ତ ସମ୍ପତ୍ତି, ଦେୟତା, ଅଧିକାର ଓ ଦାୟିତ୍ୱକୁ ନିଜ ହୋଲ୍ଡିଂ ଉଦ୍ୟୋଗ ‘ସେଣ୍ଟ୍ରାଲ ୱେରହାଉସିଂ କର୍ପୋରେସନ’ (ସିଡବ୍ଲୁସି) ସହିତ ସ୍ଥାନାନ୍ତର କରିବା ଓ ବିଲୟ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି ।

ଏହି ବିଲୟ ଫଳରେ ଗୋଟିଏ ପ୍ରଶାସନ ମାଧ୍ୟମରେ କେବଳ ଦୁଇଟି କମ୍ପାନୀର ପଣ୍ୟ ଭଣ୍ଡାରଣ, ପରିଚାଳନା ଓ ପରିବହନ ଭଳି ସମାନ କାର‌୍ୟ୍ୟ ଏକୀକୃତ ହେବ ନାହିଁ ବରଂ ଏଗୁଡ଼ିକର ଦକ୍ଷତା, ସର୍ବାଧିକ କ୍ଷମତାର ଉପଯୋଗ, ପାରଦର୍ଶିତା, ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହନ ମିଳିପାରିବ । ଅନୁରୂପ ଭାବେ ଆର୍ଥିକ ସଞ୍ଚୟକୁ ମଧ୍ୟ ସୁନିଶ୍ଚିତ କରାଯିବା ସହିତ ନୂଆ ପଣ୍ୟାଗାର କ୍ଷମତା ଲାଗି ରେଲୱେ ସାଇଡିଂର ଲାଭ ନିଆଯାଇପାରିବ ।

ଏହାଫଳରେ କର୍ପୋରେଟ କାଯ୍ୟାୟଳୟର ଭଡ଼ା, କର୍ମଚାରୀମାନଙ୍କର ବେତନ ଓ ଅନ୍ୟ ପ୍ରଶାସନିକ ବ୍ୟୟରେ ସଞ୍ଚୟ କାରଣରୁ ରେଲ ସାଇଡ୍ ୱେରହାଉସ କମ୍ପେ୍ଲକ୍ସ (ଆରଡବ୍ଲୁସି)ର ପରିଚାଳନାଗତ ବ୍ୟୟରେ ଆନୁମାନିକ ୫ କୋଟି ଟଙ୍କା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଆରଡବ୍ଲୁସିର କ୍ଷମତା ଉପଯୋଗରେ ମଧ୍ୟ ସୁଧାର ଆସିବ କାରଣ ସିଡବ୍ଲୁସି ଲାଗି ସିମେଣ୍ଟ, ସାର, ଚିନି, ଲୁଣ ଓ ସୋଡ଼ା ଭଳି ବର୍ତ୍ତମାନର ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀର ଭଣ୍ଡାରଣ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିବ । ଏହି ବିଲୟ ସହିତ ପଣ୍ୟାଗାର ସ୍ଥଳୀ ନିକଟରେ ଅତି କମରେ ଆହୁରି ୫୦ଟି ରେଳ ସାଇଡ୍ ପଣ୍ୟାଗାର ପ୍ରତିଷ୍ଠା କରିବାର ସୁବିଧା ମିଳିବ ।

ଏହାଫଳରେ କୁଶଳୀ ଶ୍ରମିକମାନଙ୍କ ପାଇଁ ୩୬,୫୦୦ ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ୯,୧୨,୫୦୦ ଶ୍ରମ ଦିବସ ସହ ସମାନ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ବିଲୟର ସମ୍ପୂର୍ଣ୍ଣ ପ୍ରକ୍ରିୟା ନିର୍ଦ୍ଧାରିତ ଅବଧି ଅର୍ଥାତ୍ ୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସିଡବ୍ଲୁସି ୧୯୫୭ ରେ ପ୍ରତିଷ୍ଠିତ ଏକ ମିନି ରତ୍ନ ଶ୍ରେଣୀ-୧ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପିତ କୃଷି ଉତ୍ପାଦ ଏବଂ ଅନ୍ୟ କେତେକ ସାମଗ୍ରୀର ଭଣ୍ଡାରଣ ଉଦ୍ଦେଶ୍ୟ ଏବଂ ତତସଂକ୍ରାନ୍ତ ମାମଲା ନିମନ୍ତେ ୱେରହାଉସିଂ କର୍ପୋରେସନର ନିଗମନ ଏବଂ ନିୟନ୍ତ୍ରଣ ଭଳି ସେବା ପ୍ରଦାନ କରିଥାଏ । ସିଡବ୍ଲୁସି ଏକ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସଇ) ହୋଇଥିବା ବେଳେ ଏହାର ଅଧିକୃତ ପୁଞ୍ଜି ୧୦୦ କୋଟି ଟଙ୍କା ଏବଂ ପରିଶୋଧ ପୁଞ୍ଜି ୬୮.୦୨ କୋଟି ଟଙ୍କା ।

୨୦୦୭ ଜୁଲାଇ ୧୦ ତାରିଖରେ ସିଡବ୍ଲୁସି ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ କମ୍ପାନୀ ଲିମିଟେଡ (ସିଆରଡବ୍ଲୁସି) ନାମକ ଏକ ପୃଥକ ସହାୟକ କମ୍ପାନୀ ଗଠନ କରିଥିଲା, ଯାହା ରେଳବାଇ ଠାରୁ ଲିଜରେ ନିଆଯାଇଥିବା ଏବଂ ଅନ୍ୟଥା ଭାବେ ଅଧିଗୃହିତ ଜମିରେ ରେଳସାଇଡ ପଣ୍ୟାଗାର କମ୍ପେ୍ଲକ୍ସ, ଟର୍ମିନାଲ, ମଲ୍ଟିମଡେଲ ଲଜିଷ୍ଟିକ୍ସ ହବର ଯୋଜନା, ବିକାଶ, ପ୍ରଚାର, ଅଧିଗ୍ରହଣ ଏବଂ ପରିଚାଳନା କରିଥାଏ ।

ସିଆରଡବ୍ଲୁସି ହେଉଛି ୫୦ ଜଣ କର୍ମଚାରୀ ଓ ୪୮ ଜଣ ଆଉଟସୋର୍ସ କର୍ମଚାରୀଙ୍କୁ ନେଇ ଏକ ଛୋଟ ସଂଗଠନ । ବର୍ତ୍ତମାନ ଏହା ଦେଶବ୍ୟାପୀ ୨୦ଟି ରେଳ ସାଇଡ୍ ପଣ୍ୟାଗାର ପରିଚାଳନା କରୁଛି । ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା, କମ୍ପାନୀର ନିଟ୍ ସମ୍ପତ୍ତି ପରିମାଣ ୧୩୭.୯୪ କୋଟି ଟଙ୍କା (ମୁକ୍ତ ସମ୍ପତ୍ତି ବ୍ୟତୀତ ପରିଶୋଧ ପୁଞ୍ଜି) ରହିଛି । ଆରଡବ୍ଲୁସିର ବିକାଶ ଓ ପରିଚାଳନାରେ ସିଆରଡବ୍ଲୁସି ଉତ୍କୃଷ୍ଟତା, ବିଶେଷଜ୍ଞତା ଓ ସଦ୍ଭାବନା ବିକଶିତ କରିଛି । କିନ୍ତୁ ପୁଞ୍ଜିର ଅଭାବ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏହାର ବୁଝାମଣାପତ୍ରରେ କେତେକ ପ୍ରତିବନ୍ଧକଯୁକ୍ତ ଧାରା କାରଣରୁ ଏହାର ଆଶାନୁରୂପ ବୃଦ୍ଧି ହୋଇପାରିନାହିଁ ।

ସିଡବ୍ଲୁସି, ସିଆରଡବ୍ଲୁସିର ଏକମାତ୍ର ଶେୟାରଧାରକ ହୋଇଥିବାରୁ ଏହାର ସମସ୍ତ ସମ୍ପତ୍ତି, ଦେୟତା, ଅଧିକାର ଓ ଦାୟିତ୍ୱକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବା ଦ୍ୱାରା ଉଭୟ ସଂସ୍ଥା ମଧ୍ୟରୁ କାହାରି କୌଣସି ଆର୍ଥିକ କ୍ଷତି ହେବ ନାହିଁ । ବରଂ ଏହି ନିଷ୍ପତ୍ତି ଫଳରେ ଦୁଇ ସଂସ୍ଥା ମଧ୍ୟରେ ଉନ୍ନତ ତାଳମେଳ ପ୍ରତିଷ୍ଠା କରାଯାଇପାରିବ । ଆରଡବ୍ଲୁସିର ପରିଚାଳନା ଓ ବିପଣନକୁ ସମ୍ଭାଳିବା ଲାଗି ସିଡବ୍ଲୁସି ଦ୍ୱାରା ‘ଆରଡବ୍ଲୁସି ପ୍ରଭାଗ’ ନାମରେ ଏକ ପୃଥକ ବିଭାଗ ଗଠନ କରାଯିବ ।

Categories
ଆଜିର ଖବର ଜାତୀୟ ଖବର

କୋଭିଡ ମୁକାବିଲା ନେଇ ଆଜି ବସିବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ, ଦେଶରେ କୋଭିଡର ସ୍ଥିତି ଯେପରି ବିଗିଡିବାରେ ଲାଗିଛି ସେ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଦେଶର 5ଟି ରାଜ୍ୟରେ ଏହା ଭୟବହତା ବିଶେଷଭାବେ ପରିଲକ୍ଷିତ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାବାରେ ଲାଗିଛି।

ଏପରି ପରିସ୍ଥିତିରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ। ଦିନ 11 ଟା ବେଳ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ କରୋନା ମୁକାବିଲା ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ଏବଂ ମନ୍ତ୍ରୀପରିଷଦ ବୈଠକ

ଭୁବନେଶ୍ୱର: ଆଜି ସଂନ୍ଧ୍ୟାରେ ୫ ଟା ୩୦ ମିନିଟରେ  ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। ଏହାସହିତ ଆଜି ମନ୍ତ୍ରୀପରିଷଦ ବୈଠକ ମଧ୍ୟ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଦୁଇ ବୈଠକ ଅନୁଷ୍ଠିତ ହେବ।

ତେବେ ଆଜିର କ୍ୟାବିନେଟ ବୈଠକରେ ପ୍ରାୟ ୨୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ସେହିପରି ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ବର୍ଷର ବଜେଟକୁ ମଞ୍ଜୁରୀ ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ଆନ୍ଦୋଳନ ଚାଲିଥିବା ବେଳେ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦିଲ୍ଲୀରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଏପଟେ ରାଜ୍ୟ ସରାକର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏମଏସପି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି। ରାଜ୍ୟ ସରକାର ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରିବ। ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହା ସହିତ ଉତ୍ପାଦନ ମୂଲ୍ୟ ତୁଳନାରେ ନ୍ୟୁନତମ ସମର୍ଥନ ମୂଲ୍ୟ ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ ନିର୍ଣ୍ଣୟ କରାଯାଇଛି।

ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି। ଜଣେ ଅବସରପ୍ରାପ୍ତ ଜଜ୍ ବିପିୟୁଟି କୁଳପତିଙ୍କ ସ୍ଥାନରେ ଅଧ୍ୟକ୍ଷ ରହିବେ ବୋଲି ନିଷ୍ପତି ନିଆଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ଅଧ୍ୟକ୍ଷ ହେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ବରଗଡ଼ ଜିଲ୍ଲାରେ ୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୦୮ କୋଟି ଓ ୨୧୫ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।