କୃଷକ ଆନ୍ଦୋଳନ ଚାଲିଥିବା ବେଳେ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

Published: Dec 9, 2020, 9:00 pm IST

ଭୁବନେଶ୍ୱର: ଦିଲ୍ଲୀରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଏପଟେ ରାଜ୍ୟ ସରାକର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏମଏସପି ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି। ରାଜ୍ୟ ସରକାର ଏମଏସ ସ୍ୱାମୀ ନାଥନ କମିଟି ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରିବ। ଏନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହା ସହିତ ଉତ୍ପାଦନ ମୂଲ୍ୟ ତୁଳନାରେ ନ୍ୟୁନତମ ସମର୍ଥନ ମୂଲ୍ୟ ୫୦ ପ୍ରତିଶତ ଅଧିକ ହେବା ଦରକାର ବୋଲି କ୍ୟାବିନେଟରେ ନିର୍ଣ୍ଣୟ କରାଯାଇଛି।

ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଫି ଷ୍ଟ୍ରକଚର କମିଟି ଅଧ୍ୟକ୍ଷ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି। ଜଣେ ଅବସରପ୍ରାପ୍ତ ଜଜ୍ ବିପିୟୁଟି କୁଳପତିଙ୍କ ସ୍ଥାନରେ ଅଧ୍ୟକ୍ଷ ରହିବେ ବୋଲି ନିଷ୍ପତି ନିଆଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍ ଅଧ୍ୟକ୍ଷ ହେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ବରଗଡ଼ ଜିଲ୍ଲାରେ ୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୦୮ କୋଟି ଓ ୨୧୫ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।

Related posts