Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଜମି ଦେବାକୁ କହି ୧୫ ଲକ୍ଷର ଠକେଇ, ଅଭିଯୁକ୍ତଙ୍କୁ ଗିରଫ କଲା ଖଲ୍ଲିକୋଟ ପୁଲିସ

ଖଲ୍ଲିକୋଟ/ବାଲୁଗାଁ: ଜମି ଦେବାକୁ କହି ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତକୁ ଗିରଫ କରିଛି ଖଲ୍ଲିକୋଟ ପୁଲିସ। ସୂଚନା ଅନୁଯାୟୀ, ବାଲୁଗାଁ ଘୁମୁଶର ପଦର ଗ୍ରାମର ମୁରଲୀଧର ତରେଇ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଲକ୍ଷ୍ମୀନାରାୟଣ ସାହୁଙ୍କ ପରିବାର ସହ ପ୍ରଥମେ ସୁସମ୍ପର୍କ ସ୍ଥାପନ କରିଥିଲେ। ପରେ ଲକ୍ଷ୍ମୀନାରାୟଣଙ୍କୁ ମୁରଲୀଧର କହିଥିଲେ ଯେ, ମୋର ପୁଅ ଇଞ୍ଜିନିୟରିଂ ପାଠ ପଢ଼ିବ ଏବଂ ଝିଅ ବିବାହ କରିବା ପାଇଁ ଟଙ୍କା ଦରକାର ଅଛି। ମୋର ଗୋଟିଏ ଜାଗା ଅଛି, ଟଙ୍କା ଦେଲେ ତୁମ ନାମରେ ରେଜିଷ୍ଟ୍ରି କରିଦେବି ବୋଲି ମୁରଲୀଧର ତରେଇ କହିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଲକ୍ଷ୍ମୀନାରାୟଣ ମାର୍ଚ୍ଚ ୧୩ ତାରିଖ ୨୦୨୧ରେ ଚୁକ୍ତି କରି ୧୫ ଲକ୍ଷ ଟଙ୍କା ଦେଇଥିଲେ। ତା’ପରଠାରୁ ଜମି ରେଜିଷ୍ଟ୍ରେସନ କରିବାକୁ କହିଲେ ନାନା ବାହାନା ଦେଖାଇ ସମୟ ଗଡ଼ାଇ ଚାଲିଲେ ମୁରଲୀଧର।

ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଲକ୍ଷ୍ମୀନାରାୟଣ ବାଲୁଗାଁ ମୁରଲୀଧରଙ୍କ ଗ୍ରାମକୁ ଯାଇଥିଲେ। ସେଠାରେ ପରିବାର ଲୋକେ ନାନା ଧମକ ଦେଇ ଗାଁରୁ ତଡ଼ିଦେଲେ। ଶେଷରେ ଅନ୍ୟ ଉପାୟ ନପାଇ ଭେଜିପୁଟ ଫାଣ୍ଡିରେ ଏତଲା ଦାଖଲ କରିଥିଲେ ଲକ୍ଷ୍ମୀନାରାୟଣ।

ଅଭିଯୋଗ ପାଇ ଖଲ୍ଲିକୋଟ ଥାନାରେ କେସ୍ ନଂ-୩୪୪/୨୦୨୩ରେ ମାମଲା ରୁଜୁ ହୋଇଥିଲା। ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏତଲା ଦାଖଲ ହେବାର ମାତ୍ର ୪ ଘଣ୍ଟା ପରେ ବାଲୁଗାଁ ଘୁମୁସର ପଦର ଗ୍ରାମକୁ ପୁଲିସ ଯାଇଥିଲେ। ସେଠାରେ ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ କୌଶଳ କ୍ରମେ ମୁରଲୀଧର ତରେଇକୁ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଉଠାଇ ଆଣିଥିଲେ। ପରେ ଅଭିଯୁକ୍ତ ମୁରଲୀଧର ତରେଇକୁ ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।