Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣର ବିସ୍ଫୋରକ ବୋଝେଇ କାର ଜବତ କଲା ସଦର ଥାନା ପୋଲିସ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ଏକ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ବୋଝେଇ କାର ଜବତ କରିଥିବା ବେଳେ ଗାଡ଼ି ଚାଳକ ଓ ସହଯୋଗୀ ଫେରାର ହୋଇଯାଇଛନ୍ତି ।

ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏଏସଆଇ ଶ୍ରୀମତୀ ମଲ୍ଲିକ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦଧିମାଛଗାଡ଼ିଆ ଛକ, ଦାରୁ ରୋଡରେ ଏକ କାର(ଓଆର-୦୫-ଏଏ-୩୬୭୮)କୁ ସନ୍ଦେହବଶତଃ ପୋଲିସ ଅଟକାଇବା ପାଇଁ ତତ୍ପର ହେଉଥିବା ବେଳେ ହଠାତ ଗାଡ଼ି ଚାଳକ ଏବଂ ଅନ୍ୟ ଦୁଇ ସହଯୋଗୀ କାରକୁ ମଝି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲେ ।

ପୋଲିସ ଉକ୍ତ କାରର ତାଲାସି ନେବାରୁ ସେଥିରେ ବିପୁଳ ପରିମାଣରେ ବିସ୍ଫୋରକ ଦ୍ରବ୍ୟ ଥିବା ଜାଣିବାକୁ ପାଇଛି । ସମ୍ପୃକ୍ତ କାରରୁ ୬୦ କେଜି ଜିଲାଟିନ, ୫ ବଣ୍ଡଲ ଡିଟୋନେଟର, ୪ ବଣ୍ଡଲ ତାର ଏବଂ ୧ କୁଇଣ୍ଟାଲ ଆମୋନିୟମ ନାଇଟ୍ରେଟ ଜବତ କରିଛି ପୋଲିସ । ତେବେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଖୋର୍ଦ୍ଧା ସହରକୁ ଆସିଲା କିପରି ଏବଂ ଏହା କେଉଁ ସ୍ଥାନକୁ ଯାଉଥିଲା ତାହାର ଖୋଳତାଡ଼ କରୁଛି ପୋଲିସ ଏବଂ କାର ଚାଳକ ଓ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ପୋଲିସ । ଏହି ପରିପ୍ରେକ୍ଷୀରେ ସଦର ଥାନା ପୋଲିସ ଆଇ ଇ ଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୧୯୨/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି ।