Categories
ଆଞ୍ଚଳିକ

ଊମାମହେଶ୍ଵର ବଣିକ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ: ଭାଗ୍ୟଶାଳୀ ବିଜେତାମାନଙ୍କୁ ମିଳିଲା ଆକର୍ଷଣୀୟ ପୁରଷ୍କାର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀ ଶ୍ରୀ ଊମାମହେଶ୍ଵର ବଣିକ ସଂଘ, ବାଲୁଗାଁର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ସଂଘ ସଭ୍ୟମାନଙ୍କ ଉପସ୍ଥିତିରେ କୁପନର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ପ୍ରିୟ ଗ୍ରାହକମାନଙ୍କୁ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରାଯାଇଛି।  ପ୍ରଥମ ଭାଗ୍ୟଶାଳୀ ବିଜେତା ଭାବେ ସାମନ୍ତରାପୁରର ନିହାର ରଂଜନ ସାମନ୍ତରାୟଙ୍କୁ ବଜାଜ ପ୍ଳାଟିନା ମୋଟର ସାଇକେଲ ପୁରସ୍କାର ପ୍ରଦାନ କରାଯାଇଥିବା ବେଳ ଦ୍ବିତୀୟ ବିଜେତା ଭାବେ ବେଲପଡାର କାର୍ତ୍ତିକ ମହାରଣାଙ୍କୁ ୪୩ ଇଞ୍ଚ ସାମସଙ୍ଗ ଏଲ.ଇ.ଡି ଟିଭି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ତୃତୀୟ ବିଜେତା ଭାବେ ଘୁମୁସରପଦରର ମଂଜୁଲତା ରାଉତଙ୍କୁ ଭୋଲଟାସ ଡବଲଡୋର ୧୬୫ ଲିଟର ଫ୍ରିଜ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏତଦବ୍ୟତୀତ ୧୯୧ ଟି ସାନ୍ତ୍ଵନାମୂଳକ ପୁରସ୍କାର ମିଲଟନ ହଟକେସର ଉଠାଣ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଏସଡିପିଓ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସଙ୍ଘର ସଭାପତି ରବିନାରାୟଣ ନାୟକ, ଉପସଭାପତି ସେଖ ଗନିଫ୍, ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ଅଧ୍ୟକ୍ଷ ଧୀରେନ୍ଦ୍ରନାଥ ପାତ୍ର, ସଂପାଦକ ସରୋଜ କୁମାର ପାତ୍ର, ସହସଂପାଦକ ପ୍ରଦୀପ କୁମାର ସ୍ବାଇଁ ଓ ମନୋଜ କୁମାର ପାତ୍ର ପ୍ରଭୃତି କର୍ମକର୍ତ୍ତାଙ୍କ ସହିତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ହିମାଂଶୁ କୁମାର ପାତ୍ର, ନୃସିଂହ ପ୍ରସାଦ ସେନାପତି, ସନ୍ଦୀପ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, ସରୋଜ କୁମାର ଦାସ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ଅଞ୍ଚଳରେ ଲୁଟ, ରାହଜାନିକୁ ରୋକିବା ଲକ୍ଷ୍ୟ: ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା/ଚିଲିକା: ଗତ ୩୧ ତାରିଖରୁ ପୂର୍ବତନ ଏସପି  ଅଜେୟ ପ୍ରତାପ ସ୍ୱାଇଁ ଅବସର ନେବା ପରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ପଦବୀ ଖାଲିପଡିଥିଲା। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ରାଜକିଶୋର ଦୋରା ଯୋଗ ଦେଇଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଟାଙ୍ଗୀ ଚିଲିକା ଅଞ୍ଚଳରେ ଲୁଟ, ରାହଜାନି, ସାଇବର ଅପରାଧକୁ ମୁଳୋତ୍ପାଟନ କରିବା ପୋଲିସର ପ୍ରାଥମିକତା ରହିବ ବୋଲି ଏସପି ରାଜକିଶୋର ଦୋରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଏହା ସହିତ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେଦିଗରେ ଯଥା ସମ୍ଭବ କାର୍ଯ୍ୟ କରିବେ ବୋଲି ନୂତନ ଏସପି ରାଜକିଶୋର ଦୋରା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। କିଛିଦିନ ତଳେ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ ହୋଇଥିଲେ। ପୂର୍ବରୁ ଶ୍ରୀ ଦୋରା ଅନୁଗୁଳ, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ  ସମ୍ପାଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଓ ସୋନପୁର ଜିଲ୍ଲା ପାଇଁ ନିଯୁକ୍ତି ପାଇଲେ ନୂଆ ଏସପି

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଏବଂ ସୋନପୁର ଜିଲ୍ଲା ପାଇଁ ଆଜି ଦୁଇ ନୂଆ ଏସପି ନିଯୁକ୍ତି ପାଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଏସପି ଭାବେ ରାଜକିଶୋର ଦୋରା ନିଯୁକ୍ତ ହୋଇଥିବା ବେଳେ ସୀତାରାମ ଶତପଥି ହେଲେ ସୋନପୁର ଏସପି। ରାଜ୍ୟସରକାର ଉଭୟ ଜିଲ୍ଲାର ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ରାଜ୍ୟ ସରକାର ଏସପି ପିଏମଟି ଭାବେ ରମେଶ କୁମାର ପାଣିଗ୍ରାହୀଙ୍କୁ ନିଯୁକ୍ତ ଦେଇଥିବା ବେଳେ ଏସଆଇଡବ୍ଲୁ ଏସପି ଭାବେ ସୁବ୍ରତ ମହାନ୍ତି ଏବଂ କ୍ରାଇମବ୍ରାଞ୍ଚ ଏସପି ଭାବେ ବିନୟକୃଷ୍ଣ କାମିଲାଙ୍କୁ ନିଯୁକ୍ତି ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କଲେ ଜିଲ୍ଲାପାଳ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାପାଳ ସନତ କୁମାର ମହାନ୍ତି ନିର୍ଦ୍ଦେଶ ଜାରି କରିଛନ୍ତି। ଜାନୁୟାରୀ ୩ ତାରିଖରୁ କୋଭିଡ୍‌ ନିୟମ ପାଳନ ପୂର୍ବକ ମନ୍ଦିର ଖୋଲାଯିବ। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଓ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ପରିଚାଳନା କମିଟି ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କାନିଂ କରାଯିବ। ସମସ୍ତ ଭକ୍ତ ମାସ୍କ ପିନ୍ଧିବା ଜରୁରୀ। ଦର୍ଶନ ସମୟରେ ୬ ଫୁଟର ସାମାଜିକ ଦୂରତ୍ବ ରଖାଯିବ।

ତେବେ ନିରାପଦ ରହିବା ପାଇଁ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ରୋଗାଗ୍ରସ୍ତ ବ୍ୟକ୍ତି ଏବଂ ୧୦ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର କିମ୍ବା ଧର୍ମନୁଷ୍ଠାନକୁ ଯିବା ପାଇଁ ବାରଣ କରାଯାଇଛି। ମନ୍ଦିର ଓ ଧର୍ମାନୁଷ୍ଠାନରେ କୌଣସି ବ୍ୟକ୍ତି କୋଭିଡ୍‌ ନିୟମ ଉଲ୍ଲଙ୍ଘନ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Categories
ଆଜିର ଖବର ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ ସନତ କୁମାର ମହାନ୍ତି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ ଅଧିନସ୍ଥ ବଡପୋଖରୀଆ ସେବା ସମବାୟ ସମିତି ଲିଃ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଯାଇଛି।

ଜିଲ୍ଲାରେ ଆଜି ପ୍ରତି ବ୍ଲକ ଅଧିନରେ ସେବାସମବାୟ ସମିତିର ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ୧୪ ଲକ୍ଷ କ୍ୟୁଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟ କରାଯାଇଛି। ପ୍ରତି ମଣ୍ଡିରେ କିଭଳି ସୁଚାରୁରୂପେ ଧାନ ସଂଗ୍ରହ କରାଯାଇ ପାରିବ ଏବଂ ଚାଷୀ ମାନେ ଟୋକେନ ପାଇ ଠିକରେ ଧାନ ଦେଇ ପାରିବେ ସେଥିପାଇଁ ପ୍ରତି ବ୍ଲକରେ ଚାଷୀ କମିଟି କରି ଧାନ କିଣିବା ପାଇଁ ସୁଚାରୁରୂପେ ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲା ଯୋଗାଣ ଅଧିକାରୀ। ଟାଙ୍ଗୀ ବ୍ଲକରେ ମୋଟ ୧୪ ଟି ସେବା ସମବାୟ ସମିତି ମାଧ୍ୟ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ଵର: ଆଜି ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ଛାତ୍ର ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।

ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି। ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନଙ୍କ ସମେତ ୧୦ ଜଣ ଜିଲ୍ଲା ଉପସଭାପତି,୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ, ୨ ଜଣ ସୋସିଆଲ ମିଡିଆ କୋଡିନେଟର ଏବଂ ଜିଲ୍ଲାରେ ଥିବା ସମସ୍ତ ବ୍ଲକ, ମୁନିସିପାଲିଟି ଓ ଏନ୍.ଏ.ସି ର ସଭାପତି ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ନୂତନ କମିଟି ଆଗାମୀ ଦିନରେ ଜିଲ୍ଲାରେ ଛାତ୍ର ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ସରକାର ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସେତୁ ସଦୃଶ୍ୟ କାମ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ବିଜୁ ଜନତା ଦଳର ସମସ୍ତ ନେତୃବର୍ଗଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ନବ ନିଯୁକ୍ତ ଜିଲ୍ଲା ଛାତ୍ର ଜନତାର କର୍ମକର୍ତ୍ତା ଙ୍କୁ ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ କୋଭିଡସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ: ଲଗାତାର ତୃତୀୟ ଦିନରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଅଣାୟତ୍ତ ହେଲାଣି କରୋନା। କୋଭିଡ ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ଯଥା ସମ୍ଭବ ରଣନୀତି ପ୍ରୟୋଗ କରୁଛି। ପ୍ରତିଦିନ ଚିଲିକା ନିର୍ବାଚନମଣ୍ଡଳୀକୁ ଜିଲ୍ଲା ଅଧିକାରୀମାନଙ୍କ ଗସ୍ତ ଲାଗି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅପରାହ୍ନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନରେ ଆସି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉପ ଜିଲ୍ଲାପାଳ କରୋନା ସେବକମାନଙ୍କ ଟିମକୁ ଉତ୍ସାହିତ ମଧ୍ୟ କରିଥିଲେ। କରୋନା ସେବକ ମାନେ ଆଗାମୀ ଦିନରେ ଜନସାଧାରଣମାନଙ୍କୁ ସଚେତନ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସ୍ୱତଃ ପ୍ରବୃତ ଭାବେ କୋଭିଡ ଟେଷ୍ଟିଙ୍ଗ କରାଇବା ପାଇଁ ଉତ୍ସାହିତ କରିବେ ଏବଂ ସେମାନଙ୍କ ମନୋବଳ ମଧ୍ୟ ବଢ଼ାଇବେ।

ଏହା ସହିତ ଉପ ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ପଜିଟିଭ ବଢୁଥିବା ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେହି ଗ୍ରାମ ଗୁଡିକ ହେଲା- 

୧-ଚିଲିକା ବ୍ଲକର ବିରିବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆସାହିକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୮.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।

୨-ବାଣପୁର ବ୍ଲକର ଦାମିଆ ବରବରା ଗ୍ରାମ ପଞ୍ଚାୟତର ଦାମିଆ ବରବରା ଗ୍ରାମ ଏବଂ ନନ୍ଦପୁର ଗ୍ରାମପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମକୁ ଆଜି ତା ୧୮.୦୯ ୨୦୨୦ ଠାରୁ ୨୫.୦୯.୨୦୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।

୩-ବାଣପୁର ଏନ.ଏ.ସି ର ୱାର୍ଡ ନମ୍ବର ୪, ୱାର୍ଡ ନମ୍ବର ୧୧ ର ବଡ଼ହନ୍ତୁଆଡ଼ ହରିଜନ ସାହି ଏବଂ ରଙ୍କନାଥପାଟଣା ରେ ଆଜି ତା ୧୮.୦୯ ୨୦୨୦ ଠାରୁ ୨୨.୦୯.୨୦ ପର୍ଯ୍ୟନ୍ତ କଟକଣା ଲଗୁ ରହିବ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ଏହି ସବୁ ଗ୍ରାମ ଏବଂ ୱାର୍ଡକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀ ରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବର୍ତ୍ତମାନ ଏହା ସର୍ବାଧିକ ସ୍ଥାନକୁ ପହଁଚିଛି ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଅପରପକ୍ଷେ କରୋନା ରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢିଚାଲିଛି।

ଗତକାଲି କୋଭିଡରେ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ର ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ସୂଚନା ଅଛି। ଯାହାକି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତିଦିନ ଜିଲ୍ଲା ଉଚ୍ଚ ଅଧିକାରୀମାନେ ବାଲୁଗାଁ ଏବଂ ବାଣପୁରରେ ତୁହାକୁ ତୁହା ବୈଠକ କରୁଛନ୍ତି। ଗତକାଲି ଖୋର୍ଦ୍ଧା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ସଭାଗୃହ ମଧ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ବୈଠକ କରିଥିବାବେଳେ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବାଣପୁର ଏନ.ଏ.ସି ସଭାଗୃହ ମଧ୍ୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସମୀକ୍ଷା ବୈଠକ କରିଥିଲେ। କିନ୍ତୁ ଯାହା ଜଣାପଡୁଛି ଚିଲିକାରେ ସବୁ ରଣନୀତି ଏକ ରକମର ଫେଲ ମାରୁଛି। କରୋନା ଦିନକୁ ଦିନ ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଏବଂ ଉଭୟ ଏନ.ଏ.ସି ର ଦୁଇ ଗୋଟି ୱାର୍ଡକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଚିଲିକା ବ୍ଲକ-

ନିମିକ୍ଷେତା ଗ୍ରାମ ପଞ୍ଚାୟତର ବେଲପଡା ଗ୍ରାମ, ବଡକୁଳ ଗ୍ରାମ ପଞ୍ଚାୟତର ଖଡ଼ିକାପଲ୍ଲୀ ଗ୍ରାମ ଏବଂ ଅଠରବାଟିଆ ଗ୍ରାମ ପଞ୍ଚାୟତର ଛେଡ଼ାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ତା୨୬.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଲୁଗାଁ ଏନ.ଏ.ସି-

ସେହିପରି ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୧୬.୦୯.୨୦ ରୁ ୨୬.୦୯.୨୦ କଣ୍ଟେନମେଣ୍ଟ କଟକଣା ଜାରି ରହିବ।

ବାଣପୁର ବ୍ଲକ-

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗମେଇଁ ଏବଂ ବଡ଼ସିରେଇପୁର ଗ୍ରାମ, ଭେଟେଶ୍ୱର ଗ୍ରାମ ପଞ୍ଚାୟତର ବୋରିଗାଁ ଗ୍ରାମ, ବିଷ୍ଣୁଡିହ ଗ୍ରାମ ପଞ୍ଚାୟତର ଖଣତ ଗ୍ରାମ, ମୋରାମୋରି ଗ୍ରାମ ପଞ୍ଚାୟତର ସଲପଡିହ, ମୋରାମୋରି ଗ୍ରାମ ଏବଂ ୭ ନମ୍ବର ୱାର୍ଡ କନ୍ଧ ଆମ୍ବଝର, ନନ୍ଦପୁର ଗ୍ରାମ ପଞ୍ଚାୟତର ନନ୍ଦପୁର ଗ୍ରାମ ଏବଂ ଆୟତପୁର ଗ୍ରାମ ପଞ୍ଚାୟତର ଆୟତପୁର ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ୨୩.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଣପୁର ଏନ.ଏ.ସି-

ସେହିପରି ବାଣପୁର ଏନ.ଏ.ସି ର ୧୦ ନମ୍ବର ୱାର୍ଡ ତଳସାହିକୁ ୧୬.୦୯.୨୦ ରୁ ୨୩.୦୯.୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।