Categories
ଆଜିର ଖବର ରାଜ୍ୟ ଖବର

ନୂଆଗାଁ ରୋଡ୍- ଦଶପଲ୍ଲା ରେଳସେକ୍ସନକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ଭୁବନେଶ୍ଵର: ଦଶପଲ୍ଲା ରେଳ ଷ୍ଟେସନରେ ପ୍ରାୟ ୮ ହଜାର ଲୋକଙ୍କ ସମାଗମରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନବନିର୍ମିତ ନୂଆଗାଁ ରୋଡ୍ – ଦଶପଲ୍ଲା ରେଳ ସେକ୍ସନ, ଦଶପଲ୍ଲା ରେଳ ଷ୍ଟେସନ ବିଲ୍ଡିଂକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ପତାକା ଉତ୍ତୋଳନ ପରେ ୪ଟି ପାସେଞ୍ଜର ଟ୍ରେନ୍ ୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ବର ଏକ୍ସପ୍ରେସ୍, ୦୮୪୨୯/୦୮୪୩୦ ଭୁବନେଶ୍ୱର-ନୂଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ୍, ୦୮୪୨୩/୦୮୪୨୪ ପୁରୀ-ନୂଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ଏବଂ ୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ମେମୁ ସେବା ଦଶପଲ୍ଲାକୁ ବୃଦ୍ଧି କରାଯାଇଛି।

ଦଶପଲ୍ଲା ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ସାନପଦରଠାରେ ୩୦୦ରୁ ଅଧିକ ଲୋକ ସ୍ୱାଗତ କରିବା ସହ ଯାତ୍ରୀ ହଲ୍ଟ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ନୟାଗଡ଼ ଟାଉନ୍ ଓ ମହିପୁର ଷ୍ଟେସନରେ ପ୍ରାୟ ୫୦୦ ଲୋକ ଏକତ୍ରିତ ହୋଇ ରେଳମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଏହି ଗସ୍ତ ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ କନ୍ଧମାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀକୁ ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ଗୋପାଳପୁର-ରେଢ଼ାଖୋଲ ନୂଆ ରେଳ ଲାଇନର ସମୀକ୍ଷା କରାଯିବ। କଣ୍ଟିଲୋ ଓ ଖଣ୍ଡପଡ଼ାକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ସହ ସଂଯୋଗ କରିବାର ସମ୍ଭାବ୍ୟତା ଅନୁସନ୍ଧାନ କରାଯିବ ବୋଲି ମାନ୍ୟବର ରେଳମନ୍ତ୍ରୀ କହିଛନ୍ତି।

ଦଶପଲ୍ଲା ଗସ୍ତ କରିବା ପୂର୍ବରୁ ମାନ୍ୟବର ରେଳ ମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଚାଲିଥିବା ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।