Categories
ଆଜିର ଖବର ରାଜ୍ୟ ଖବର

ନୂଆଗାଁ ରୋଡ୍- ଦଶପଲ୍ଲା ରେଳସେକ୍ସନକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ଭୁବନେଶ୍ଵର: ଦଶପଲ୍ଲା ରେଳ ଷ୍ଟେସନରେ ପ୍ରାୟ ୮ ହଜାର ଲୋକଙ୍କ ସମାଗମରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନବନିର୍ମିତ ନୂଆଗାଁ ରୋଡ୍ – ଦଶପଲ୍ଲା ରେଳ ସେକ୍ସନ, ଦଶପଲ୍ଲା ରେଳ ଷ୍ଟେସନ ବିଲ୍ଡିଂକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ପତାକା ଉତ୍ତୋଳନ ପରେ ୪ଟି ପାସେଞ୍ଜର ଟ୍ରେନ୍ ୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ବର ଏକ୍ସପ୍ରେସ୍, ୦୮୪୨୯/୦୮୪୩୦ ଭୁବନେଶ୍ୱର-ନୂଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ୍, ୦୮୪୨୩/୦୮୪୨୪ ପୁରୀ-ନୂଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ଏବଂ ୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ମେମୁ ସେବା ଦଶପଲ୍ଲାକୁ ବୃଦ୍ଧି କରାଯାଇଛି।

ଦଶପଲ୍ଲା ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ସାନପଦରଠାରେ ୩୦୦ରୁ ଅଧିକ ଲୋକ ସ୍ୱାଗତ କରିବା ସହ ଯାତ୍ରୀ ହଲ୍ଟ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ନୟାଗଡ଼ ଟାଉନ୍ ଓ ମହିପୁର ଷ୍ଟେସନରେ ପ୍ରାୟ ୫୦୦ ଲୋକ ଏକତ୍ରିତ ହୋଇ ରେଳମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଏହି ଗସ୍ତ ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ କନ୍ଧମାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀକୁ ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ଗୋପାଳପୁର-ରେଢ଼ାଖୋଲ ନୂଆ ରେଳ ଲାଇନର ସମୀକ୍ଷା କରାଯିବ। କଣ୍ଟିଲୋ ଓ ଖଣ୍ଡପଡ଼ାକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ସହ ସଂଯୋଗ କରିବାର ସମ୍ଭାବ୍ୟତା ଅନୁସନ୍ଧାନ କରାଯିବ ବୋଲି ମାନ୍ୟବର ରେଳମନ୍ତ୍ରୀ କହିଛନ୍ତି।

ଦଶପଲ୍ଲା ଗସ୍ତ କରିବା ପୂର୍ବରୁ ମାନ୍ୟବର ରେଳ ମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଚାଲିଥିବା ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନ ମଧ୍ୟରେ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଂଶ ଭାବରେ ନୂଆଗାଁ ରୋଡ୍-ଦଶପଲ୍ଲା ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମତିକୁ ଅପେକ୍ଷା କରିଛି।

କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ (CRS) ଏ.ଏମ.ଚୌଧୁରୀ ନୂତନ ଲାଇନରେ ଥିବା ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟଗୁଡିକ ନୀରିକ୍ଷଣ କରିବା ସହିତ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବେ ନୀରିକ୍ଷଣ କରିଛନ୍ତି।

ଶ୍ରୀ ଚୌଧୁରୀ ନିରାପତ୍ତା ଦିଗଗୁଡିକ ଯେପରିକି ଓଭରହେଡ୍ ଇକୁଇପମେଣ୍ଟ, ବ୍ରିଜ୍, ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ ଉପକରଣ, ରେଳ ଟ୍ରାକ୍ ଏବଂ ମାନବ ରହିତ ଲେବଲ କ୍ରସିଂ। ଏହା ସହିତ, ରେଳ ସେକ୍ସନର ନିରାପତ୍ତା ଦିଗଗୁଡିକୁ ସମୀକ୍ଷା କରିବା ପାଇଁ ଦଶପଲ୍ଲା ଏବଂ ନୂଆଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଏକ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା।

ଏହି ସଫଳତା ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ଦ୍ୱାରା ନିରନ୍ତର ଭାବେ ପ୍ରକଳ୍ପ ସମୀକ୍ଷାର ଫଳାଫଳ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତିକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଶ୍ରୀ ଶର୍ମା ଗୁରୁତ୍ୱାରୋପ କରିଛନ୍ତି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବ୍ୟତୀତ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗ ବୃଦ୍ଧି କରାଇବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ମଧ୍ୟରୁ ମୋଟ 142.505 କିଲୋମିଟର କାର୍ଯ୍ୟ ସମାପ୍ତ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ବରପାଲ୍ଲୀ ପର୍ଯ୍ୟନ୍ତ 36 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଅନ୍ତର୍ଭୁକ୍ତ ରହିଛି। ପୂର୍ବତଟ ରେଳପଥ ମଧ୍ୟ 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ବରପାଲ୍ଲୀରୁ ପୁରୁଣାକଟକ ପର୍ଯ୍ୟନ୍ତ 84 କିଲୋମିଟର ଅଧିକ ରେଳ ଲାଇନ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି।