Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭାରେ ଗଂଗାପାଣି ଛିଞ୍ଚି, ଘଣ୍ଟ ବାଡାଇ ପ୍ରତିବାଦ, ହିନ୍ଦୁ ଧର୍ମ ପ୍ରତି ବିଶ୍ବାସଘାତକତା ନୁହେଁ କି ?

ଭୁବନେଶ୍ବର: ଘଣ୍ଟ, ଘଣ୍ଟି, ଗଂଗାପାଣି ହେଉଛି ହିନ୍ଦୁ ଧର୍ମର ଏକ ପବିତ୍ର ପ୍ରତୀକ। ଯେତେବେଳେ କୌଣସି ବ୍ୟକ୍ତି ଘଣ୍ଟ କିମ୍ବା ଘଣ୍ଟି ଶଦ୍ଦ ଶୁଣେ, ତାହାର ମୁଣ୍ଡ ଆପେ ନଇଁ ଯାଏ। କାରଣ ଏହି ଶଦ୍ଦ ସହିତ ହିନ୍ଦୁ ଧର୍ମର ପୂଜାପାଠ ସହିତ ଜଡିତ ରହିଛି। ସେହିପରି ଗଂଗାପାଣି ହେଉଛି ହିନ୍ଦୁ ଧର୍ମର ଏକ ପବିତ୍ର ପାଣି ବୋଲି ବିବେଚନା କରାଯାଏ। ଏହି ପାଣି ଛିଞ୍ଚନ କଲେ ସେହି ସ୍ଥାନ ପବିତ୍ର ହୁଏ ବୋଲି ବିଶ୍ବାସ ରହିଛି।

ହେଲେ ଆଶ୍ଚର୍ଯ୍ୟର କଥା ବିଗତ କେତେ ଦିନ ଧରି ବିଧାନସଭାରେ ଘଣ୍ଟ, ଘଣ୍ଟି ଏବଂ ଗଂଗାପାଣି ଆଉ ଧର୍ମର ପ୍ରତୀକ ହୋଇ ରହି ନାହିଁ। ଏହା ଏକ ଆନ୍ଦୋଳନର ଅସ୍ତ୍ର ପାଲଟି ଯାଇଛି। ବିଧାୟକମାନେ ଗୃହ ଭିତରେ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି। ଗଂଗାପାଣି ଛିଞ୍ଚି ମଜ୍ଜା କରୁଛନ୍ତି। ଯାହା ପ୍ରତି ହିନ୍ଦୁମାନଙ୍କ ବିଶ୍ବାସ ରହିଛି ତାହାକୁ ଆମ ବିଧାୟକଗଣ ଭାଙ୍ଗିବାରେ ଲାଗିଛନ୍ତି।

ସବୁଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ଯେଉଁ ବିଜେପି ଦଳ ହିନ୍ଦୁ ଧର୍ମକୁ ଗୁରୁତ୍ବ ଦେଇଆସୁଛି ସେହି ଦଳର ବିଧାୟକ ଏବେ ବିଧର୍ମି କାର୍ଯ୍ୟ କରୁଛନ୍ତି। ଯେଉଁ ବାଦ୍ୟ ହିନ୍ଦୁ ଧର୍ମର ପବିତ୍ର ବୋଲି ବିବେଚନା କରାଯାଇଛି ତାହାକୁ ନାଟ ତାମସାରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି।

ବିଧାନସଭାରେ ଆନ୍ଦୋଳନ କରିବାର ବିଧାୟକଙ୍କର ଅଧିକାରୀ ରହିଛି। ହେଲେ ସେମାନେ କୌଣସି ଧର୍ମକୁ ଅପମାନିତ କରି ଆନ୍ଦୋଳନ କରିବା ଠିକ ହେବ କି? ସେମାନେ ପ୍ଲାକାର୍ଡ ଧରନ୍ତୁ, ବ୍ୟାନର ଧରନ୍ତୁ, ଧାରଣାରେ ବସନ୍ତୁ କାହାର କିଛି କହିବାର ନାହିଁ। ହେଲେ ଆନ୍ଦୋଳନ ପାଇଁ ଘଣ୍ଟ ବାଡେଇବା, ବିଧାନସଭାରେ ପୂଜା କରିବା, ଗାୟତ୍ରୀ ମନ୍ତ୍ର ପାଠ କରିବା ପରି କାର୍ଯ୍ୟ କରିବା ଏକ ନିର୍ଲଜତା ଛଡା ଆଉ କିଛି ନୁହେଁ।

ଗତବର୍ଷ ଝାଡଖଣ୍ଡ ବିଧାନସଭାରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୃହ ଭିତରେ ବିଧାୟକମାନେ ହନୁମାନ ଚାଲିସା ପାଠ କରି ଆନ୍ଦୋଳନ କରିଥିଲେ। ହେଲେ ତାହା ଥିଲା ଏକ ଧର୍ମ ଆନ୍ଦୋଳନ। ବିଧାନସଭା ପରିସରରେ ମୁସଲମାନଙ୍କ ପାଇଁ ଏକ ପ୍ରାର୍ଥନା ଗୃହ ଯୋଗାଇ ଦିଆଯାଇଥିବାରୁ ହିନ୍ଦୁ ବିଧାୟକମାନେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଦାବୀ କରିଥିଲେ। ସେଥିପାଇଁ ସେମାନେ ଗୃହରେ ହନୁମାନ ଚାଳିସା ପାଠ କରିଥିଲେ।

ହେଲେ ଓଡିଶାର ବିଧାୟକଙ୍କ ଦାବୀ ହେଉଛି ମମିତାଙ୍କୁ ନ୍ୟାୟ ଦେବା ଏବଂ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରିବା। ଏହା କୌଣସି ଧାର୍ମିକ କାର୍ଯ୍ୟ ସହିତ ଜଡିତ ନାହିଁ। ହେଲେ ମଧ୍ୟ ବିଧାୟକମାନେ ଜଗନ୍ନାଥଙ୍କ ଫଟୋ ରଖି, ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି। ଏପରି ଆନ୍ଦୋଳନରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କୁ ଜଡିତ କରି, ଧର୍ମ ବାଦ୍ୟ ବଜାଇବା ହେଉଛି ଧର୍ମଛଡା କାର୍ଯ୍ୟ ବୋଲି କୁହାଯାଇପାରିବ।

ଏବେ ନୁହେଁ ବହୁ ବର୍ଷ ତଳୁ ବିଧାନସଭାରେ ବିଧାୟକମାନେ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ। ସେହି ସମୟରୁ ଏହିପରି ଘଣ୍ଟ ପ୍ରତିବାଦ ବିଭିନ୍ନ ସମୟରେ କରାଯାଉଛି। ଏଥିପାଇଁ କୌଣସି ହିନ୍ଦୁ ସଗଂଠନ ମଧ୍ୟ ପ୍ରତିବାଦ କରିବାକୁ ସାହାସ କରୁ ନାହିଁ। ଏ କ୍ଷେତ୍ରରେ ଆରଏସଏସ ମଧ୍ୟ ଚୁପ ରହିବାକୁ ବାଧ୍ୟ ହେଉଛି। ହେଲେ ବିଧାୟକମାନଙ୍କ ଏପରି ଆଚରଣ ନିଶ୍ଚିତ ଭାବେ ହିନ୍ଦୁ ବିଶ୍ବାସୀଙ୍କ ପାଇଁ ବିଶ୍ବାସଘାତକତା ବ୍ୟତିତ ଆଉ କିଛି ନୁହେଁ।