Categories
ଆଞ୍ଚଳିକ

ଚିଲିକାରେ ସଂପର୍କରୁ ସମର୍ଥନ ଅଭିଯାନରେ ସାମିଲ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ଚିଲିକାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ।

ପଦଯାତ୍ରାର ପ୍ରଥମ ଚରଣରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଗଙ୍ଗାଧରପୁର ରେଳ ଷ୍ଟେସନ୍ ଯାଇ ଷ୍ଟେସନର ଉନ୍ନତି ପାଇଁ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କରିଥିଲେ।

ଏହା ପରେ ବାଣପୁର ବ୍ଲକର ବିଷ୍ଣୁଡିହ ପଞ୍ଚାୟତରେ ଅନୁଷ୍ଠିତ ପଦ ଯାତ୍ରାରେ ସାମିଲ ହେଇ ମୋଦି ସରକାର ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ପଞ୍ଚାୟତବାସୀଙ୍କୁ ଅବଗତ କରିଥିଲେ। ପଦଯାତ୍ରା ସମୟରେ ସମ୍ବିତ ପାତ୍ର ଶକୁନ୍ତଳା ମୁଦୁଲିଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ବୁଝିଥିଲେ ତଥା ଶକୁନ୍ତଳା ମୁଦୁଲି ସମ୍ବିତ ପାତ୍ରଙ୍କୁ ରାକ୍ଷୀ ବାନ୍ଧିଥିଲେ।

ସୂଚନା ଥାଉକି ଶକୁନ୍ତଳା ମୁଦୁଲି କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ନିଜ ଭାଇଙ୍କୁ ହରାଇଥିଲେ, ଏଥି ଯୋଗୁଁ ସମ୍ବିତ ପାତ୍ର ଶକୁନ୍ତଳାଙ୍କ ସମସ୍ତ ପାଠ ପଢା ଖର୍ଚ୍ଚ ବୁଝୁଛନ୍ତି।

ଏହି ପଦଯାତ୍ରାରେ ଜିଲ୍ଲାର ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ସାମିଲ ହେଇଥିଲେ।