Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା କାର୍ଯ୍ୟ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାରେ ଆଜି ସକାଳ ୬ ଟା ରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ଏହା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚିଲିକାର ବାଲୁଗାଁ ବଡକୂଳରୁ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇ ଗଣନା କରୁଛନ୍ତି। ପ୍ରତ୍ୟେକ ଟିମରେ ୫ ଜଣ ସଦସ୍ୟ ରହିଛନ୍ତି।

ଚିଲିକାରେ ମୋଟ ୧୮ ଟି ଦଳ ମୋଟର ବୋଟ୍ ରେ ଯାଇ ଜିପିଏସ ସିଷ୍ଟମ ଓ ବାଇନା କୁଲାର ମାଧ୍ୟ୍ୟମରେ ଡଲଫିନ୍ ଗଣନା କରୁଛନ୍ତି। ଚିଲିକାରେ ବିଶେଷତଃ ଇରାୱାଡି ବା ଶିଶୁମାର ଡଲଫିନ୍ ଦେଖାଯାଉଥିଵା ବେଳେ ବଟଲ୍ ନୋଜ୍ ଡଲଫିନ୍ ଗୁଡିକ ଚିଲିକାର ସମୁଦ୍ର ମୁହାଁଣ ଅଂଚଳରେ ଦେଖା ଯାଇଥାନ୍ତି। ଗତ ବର୍ଷ ଚିଲିକାରେ ମୋଟ ୧୬୭ ଗୋଟି ଡଲଫିନ୍ ଥିବା ଗଣନାରୁ ଜଣା ପଡିଥିଲା। ସମଗ୍ର ଚିଲିକାରେ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହିଁ ଜଣାପଡିବ।

ବନ୍ୟ ପ୍ରାଣୀ ବିଭାଗ ଏବଂ ସିଡିଏ କର୍ତ୍ତୃପକ୍ଷ ଚିଲିକାରେ ଡ଼ଲଫିନ ଗଣନା କରୁଥିବା ବେଳେ ଏଥିରେ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ, ସ୍ଵେଚ୍ଛାସେଵୀ, ଓୟୁଏଟି ଛାତ୍ରଛାତ୍ରୀ ଏବଂ ମଟରବୋଟ ଆସୋସିଏସନ ସାମିଲ ହୋଇଛନ୍ତି।

ଚଳିତ ବର୍ଷ ସମଗ୍ର ଚିଲିକାକୁ କେତେ ପ୍ରଜାତିର ଡ଼ଲଫିନ ଆସିଛନ୍ତି, ତାହାର ସ୍ପଷ୍ଟ ଚିତ୍ର ଗଣନା ପରେ ଆସିବ।