Categories
ଆଜିର ଖବର ରାଜ୍ୟ ଖବର

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟୀତ୍ୱ। ଆଜି କଟକଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା (ବାର୍ତ୍ତାଳାପ)ରେ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି।

କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନି କହିଥିଲେ, ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ ହୋଇ ରହିଯାଉଥିବା ବେଳେ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ଯତ୍ନବାନ ହେଲେ ହିଁ ସମାଜର ପରିବର୍ତ୍ତନ ସମ୍ଭବ। ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ, ତାହା ପରିବର୍ତ୍ତନ ବା ସଂସ୍କାର ଆଣିପାରିବ ବୋଲି ସେ କହିଥିଲେ।

ଏଥିରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଦୈନିକ ଖବରକାଗଜ ସମାଜର ସମ୍ପାଦକ କାନନ ବିହାରୀ ଦାଶ କହିଥିଲେ ଯେ ଗଣମାଧ୍ୟମ ସ୍ୱାଧୀନ ହେବା ସହ ଲୋକଙ୍କୁ ଦାୟିତ୍ୱସମ୍ପନ୍ନ ଭାବେ ସଠିକ ତଥ୍ୟ ପରିବେଷଣ କରିବା ଆବଶ୍ୟକ। ଗଣମାଧ୍ୟମ ପ୍ରତିନିଧି ଚାପରେ ରହିବା ସତ୍ତ୍ୱେ ତଥ୍ୟ ତା ବାଟରେ ଯିବା ଆବଶ୍ୟକ ଓ ତୃଣମୂଳ ସ୍ତରର ସଫଳତା ଗଣମାଧ୍ୟମରେ ବହୁଳ ଭାବେ ପ୍ରଚାର ହେବା ଦରକାର ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ କଟକ ଜିଲ୍ଲା ପରିଷଦର ସିଡ଼ିଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମ୍ବର କୁମାର କର କହିଥିଲେ, କିଛିଟା ବାଧ୍ୟବାଧକତା ଦୃଷ୍ଟିରୁ କେତେକ ସମସ୍ୟା ଲୋକ ଲୋଚନକୁ ଆସିପାରୁ ନଥିବାବେଳେ, ତାହାକୁ ଲୋକଲୋଚନକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ।

ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ କିପରି ସୁଦୃଢ଼ ହେବ ତାହା ବାର୍ତ୍ତାଳାପର ପ୍ରମୁଖ ଉଦ୍ଦେଶ୍ୟ ବୋଲି କହିଥିଲେ। ଡ. ଦାଶ ବର୍ତ୍ତାଳାପ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।
ସୁନାମଧନ୍ୟ କ୍ରୀଡାବିତ ତଥା ଅଲିମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଓ ଫିଟ ଇଣ୍ଡିଆ ଯୋଜନା ଦ୍ୱାରା ତୃଣମୂଳସ୍ତରରୁ ଦେଶରେ ଉତ୍ତମ କ୍ରୀଡାବିତ ସୃଷ୍ଟି ହେବାର ସୁଯୋଗ ପାଇଛନ୍ତି ଓ ଗଣମାଧ୍ୟମର ପ୍ରୋତ୍ସାହନ କ୍ରୀଡାବିତଙ୍କୁ ସଫଳତା ହାସଲ କରିବାରେ ପ୍ରେରଣାଦାୟୀ ହୋଇଛି ବୋଲି କହିଥିଲେ।

ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନତା ନେଇ ଗଣମାଧ୍ୟମର ଦାୟୀତ୍ୱ ସମ୍ପର୍କରେ ଆଲୋଚନା କରିଥିବାବେଳେ, କଟକ ଅଗ୍ରଣୀବ୍ୟାଙ୍କ ପ୍ରବନ୍ଧକ ରାଜେଶ ବେହେରା ମୁଦ୍ରା, ସୁକନ୍ୟା ସମୃଦ୍ଧି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ଉପାଦେୟତା ନେଇ ସୂଚନା ଦେଇଥିଲେ।

କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସାମ୍ବାଦିକ କଲ୍ୟାଣ ପାଣ୍ଠି ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ସ୍ୱଚ୍ଛ ଭାରତ, ଉଜ୍ୱଳା ଓ ପିଏମ ଜନଧନ ଯୋଜନାର ହିତାଧିକାରୀମାନେ ସେମାନେ କିପରି ଏହି କଲ୍ୟାଣକାରୀ ଯୋଜନାର ସୁଫଳ ଯାଇଛନ୍ତି ତାହା ବର୍ଣ୍ଣନା କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ବର୍ତ୍ତାଳାପ କାର୍ଯ୍ୟକ୍ରମରେ ୧୦୦ ରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇ ମତ ବିନିମୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା

ଭୁବନେଶ୍ୱର: ଜାତୀୟ ପ୍ରେସ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ପତ୍ରସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଓ ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ୱେବିନାରରେ ବହୁ ବିଶିଷ୍ଟ ବକ୍ତା ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନକୁ ଲୋକଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ।

ଏଥିରେ ପ୍ରାରମ୍ଭିକ ଅଭିଭାଷଣ ଦେଇ ପତ୍ରସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ସ୍ୱାଧୀନତା ଆନ୍ଦୋଳନ କାଳରେ ଗଣମାଧ୍ୟମଗୁଡିକୁ ଇଂରେଜ ଶାସକମାନଙ୍କ ଆକ୍ରୋଶର କିପରି ଶୀକାର ହେବାକୁ ପଡିଥିଲା ତା’ର ନଜିରମାନ ଦେଇଥିଲେ। ଏପରିକି ସ୍ୱାଧୀନତା ସଂଗ୍ରାମ ଗଣମାଧ୍ୟମ ଜରିଆରେ ଅଧିକ ଲୋକାଭିମୁଖୀ ହେଉଥିବାରୁ ଭର୍ଣ୍ଣାକୁଲାର ପ୍ରେସ ଆଇନ ମଧ୍ୟ ଲାଗୁ କରିବାକୁ ହୋଇଥିଲା। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯେପରି ମୁଣ୍ଡ ଟେକିବା ଆରମ୍ଭ କରିଛି ଗଣମାଧ୍ୟମରେ ତଥ୍ୟ ଯାଂଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏଥିରେ ଯୋଗଦେଇ ବରିଷ୍ଠ ଆଇନଜ୍ଞ ଓ ଲେଖକ ସଦାଶିବ ଦାସ ସ୍ୱାଧୀନତା ଆନ୍ଦୋଳନ୍ କାଳରେ ଜଗଜାଗରଣ ସୃଷ୍ଟି କରିବାରେ ସେତେବେଳେ ଗଣମାଧ୍ୟମ ବୋଇଲେ ମୁଖ୍ୟତଃ ଖବରକାଗଜ, ପୋଷ୍ଟର ଇତ୍ୟାଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ଓଡିଶାରେ ମଧ୍ୟ କର୍ମବୀର ଗୌରୀଶଙ୍କର ବା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଲେଖାମାନ ବେଶ୍ ଆଦୃତ ହେଉଥିଲା। ସମ୍ବାଦଗୁଡିକ ଆନ୍ଦୋଳନର ଅଗ୍ନି ସଂଯୋଗକାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ସେ କହିଥିଲେ।

ଏଥିରେ ଯୋଗଦେଇ ବିଶିଷ୍ଟ କବି ଓ ସାମ୍ବାଦିକ ପୀତାମ୍ବର ତରାଇ ଜନସତେନତାର ବାର୍ତାବହ ଭାବେ ସ୍ୱାଧୀନତା ସଂଗ୍ରାମରେ ଖବରକାଗଜ ଖୁବ୍ ଉପାଦେୟ ଭୂମିକା ତୁଲାଇଥିଲା ବୋଲି କହିଥିଲେ।

ୱେବିନାରେ ଅଂଶଗ୍ରହଣ କରି କିଟ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ରୁବି ନନ୍ଦ କହିଥିଲେ ଯେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଂଚାଇବାରେ ଗଣମାଧ୍ୟମ ସ୍ୱାଧୀନତା ସଂଗ୍ରାମ କାଳରେ ବଳିଷ୍ଠ ଭୂମିକା ତୁଲାଇଥିଲା। ପ୍ରେସ ସେତେବେଳେ ଗୋଟେ ମିଶନ ମୋଡ କାର୍ଯ୍ୟ ଥିବାରୁ ଏହା ବେଶ୍ ଜନାଭିମୁଖୀ ହୋଇପାରିଥିଲା। ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମକୁ ନ ଯୋଡିବାକୁ ସେ ପରାମର୍ଶ ଦେଇଥିଲେ।

ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୱେବିନାରରେ ଆନ୍ନି ଶତପଥୀ ଏହାକୁ ପରିଚାଳନା କରିଥିବାବେଳେ, ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ଦେଇଥିଲେ। (ପି.ଆଇ.ବି.)

Categories
ଆଞ୍ଚଳିକ

ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶ ପ୍ରତିଷ୍ଠା ଦିବସ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ, ତୃଣମୂଳସ୍ତର ଖବରକୁ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ଉତ୍‌ଥାପନ କରି ପ୍ରଶାସନ ପାଖରେ ପହଞ୍ଚାଇବା ସହ ଅବହେଳିତ ଲୋକଙ୍କୁ ନ୍ୟାୟ ଦେବା ଆବଶ୍ୟକ। ଯଦି ଗଣମାଧ୍ୟମ ସଠିକ୍ କାର୍ଯ୍ୟ ନକରେ, ତେବେ ଦୁର୍ନୀତି ବଢିବ। ଦୁର୍ନୀତି ରୋକିବାରେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ ବେଶ୍ କିଛି ମାତ୍ରାରେ କଣ୍ଟା ସାଜୁଛି, ସମସ୍ତଙ୍କୁ ସଚେତନ କରୁଛି। ସାମାଜିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମରେ କିଛି ଫରକ ନାହିଁ। ସମାଜ ତଥା ଅବହେଳିତଙ୍କ ପାଇଁ ସଦା କାର୍ଯ୍ୟ କରିବା ଉଚିତ୍ ବୋଲି ବକ୍ତାମାନେ କହିଛନ୍ତି।

ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟକ ଭାବେ ବିଜ୍ଞାନ, କାରିଗରୀ କୌଶଳ ଓ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ସାମାଜିକ ଗଣମାଧ୍ୟମ ଏବେ କିଭଳି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ତଥା ଦେଶ, ବିଦେଶକୁ ଗୋଟିଏ ପରିବାର ଭାବେ ଯୋଡ଼ିଛି ତାହା ଉପରେ ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରବିନ୍ଦ ଢାଲୀ, ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ସୂଚନା କମିଶନର ଦିଲିପ ବିଶୋଇ, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ, କେଦାର ମିଶ୍ର ପ୍ରମୁଖ ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ର, ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉପସଭାପତି ହରପ୍ରସାଦ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଅଶ୍ୱିନୀ ପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପସଭାପତି ସୁରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।