ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା

Published: Nov 16, 2021, 6:40 pm IST

ଭୁବନେଶ୍ୱର: ଜାତୀୟ ପ୍ରେସ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ପତ୍ରସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ଓ ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ୱେବିନାରରେ ବହୁ ବିଶିଷ୍ଟ ବକ୍ତା ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନକୁ ଲୋକଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ।

ଏଥିରେ ପ୍ରାରମ୍ଭିକ ଅଭିଭାଷଣ ଦେଇ ପତ୍ରସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ସ୍ୱାଧୀନତା ଆନ୍ଦୋଳନ କାଳରେ ଗଣମାଧ୍ୟମଗୁଡିକୁ ଇଂରେଜ ଶାସକମାନଙ୍କ ଆକ୍ରୋଶର କିପରି ଶୀକାର ହେବାକୁ ପଡିଥିଲା ତା’ର ନଜିରମାନ ଦେଇଥିଲେ। ଏପରିକି ସ୍ୱାଧୀନତା ସଂଗ୍ରାମ ଗଣମାଧ୍ୟମ ଜରିଆରେ ଅଧିକ ଲୋକାଭିମୁଖୀ ହେଉଥିବାରୁ ଭର୍ଣ୍ଣାକୁଲାର ପ୍ରେସ ଆଇନ ମଧ୍ୟ ଲାଗୁ କରିବାକୁ ହୋଇଥିଲା। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯେପରି ମୁଣ୍ଡ ଟେକିବା ଆରମ୍ଭ କରିଛି ଗଣମାଧ୍ୟମରେ ତଥ୍ୟ ଯାଂଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏଥିରେ ଯୋଗଦେଇ ବରିଷ୍ଠ ଆଇନଜ୍ଞ ଓ ଲେଖକ ସଦାଶିବ ଦାସ ସ୍ୱାଧୀନତା ଆନ୍ଦୋଳନ୍ କାଳରେ ଜଗଜାଗରଣ ସୃଷ୍ଟି କରିବାରେ ସେତେବେଳେ ଗଣମାଧ୍ୟମ ବୋଇଲେ ମୁଖ୍ୟତଃ ଖବରକାଗଜ, ପୋଷ୍ଟର ଇତ୍ୟାଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ଓଡିଶାରେ ମଧ୍ୟ କର୍ମବୀର ଗୌରୀଶଙ୍କର ବା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଲେଖାମାନ ବେଶ୍ ଆଦୃତ ହେଉଥିଲା। ସମ୍ବାଦଗୁଡିକ ଆନ୍ଦୋଳନର ଅଗ୍ନି ସଂଯୋଗକାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ସେ କହିଥିଲେ।

ଏଥିରେ ଯୋଗଦେଇ ବିଶିଷ୍ଟ କବି ଓ ସାମ୍ବାଦିକ ପୀତାମ୍ବର ତରାଇ ଜନସତେନତାର ବାର୍ତାବହ ଭାବେ ସ୍ୱାଧୀନତା ସଂଗ୍ରାମରେ ଖବରକାଗଜ ଖୁବ୍ ଉପାଦେୟ ଭୂମିକା ତୁଲାଇଥିଲା ବୋଲି କହିଥିଲେ।

ୱେବିନାରେ ଅଂଶଗ୍ରହଣ କରି କିଟ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ରୁବି ନନ୍ଦ କହିଥିଲେ ଯେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା ପହଂଚାଇବାରେ ଗଣମାଧ୍ୟମ ସ୍ୱାଧୀନତା ସଂଗ୍ରାମ କାଳରେ ବଳିଷ୍ଠ ଭୂମିକା ତୁଲାଇଥିଲା। ପ୍ରେସ ସେତେବେଳେ ଗୋଟେ ମିଶନ ମୋଡ କାର୍ଯ୍ୟ ଥିବାରୁ ଏହା ବେଶ୍ ଜନାଭିମୁଖୀ ହୋଇପାରିଥିଲା। ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମକୁ ନ ଯୋଡିବାକୁ ସେ ପରାମର୍ଶ ଦେଇଥିଲେ।

ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୱେବିନାରରେ ଆନ୍ନି ଶତପଥୀ ଏହାକୁ ପରିଚାଳନା କରିଥିବାବେଳେ, ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ସ୍ୱାଗତ ଭାଷଣ ଦେଇଥିଲେ। (ପି.ଆଇ.ବି.)

Related posts