Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍‌) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି।

ଆଇଏଏସ୍‌, ସୋଆ ଏନ୍‌ଏସ୍‌ଏସ୍ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆପିକଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଏକ ସଚେତନତା ର‌୍ୟାଲି ଆଇଏଏସ୍ ପରିସରରୁ ଆରମ୍ଭ ହୋଇ ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏସନ୍ ଏବଂ ସିନିୟର୍ ସିଟିଜେନ୍‌ସ ଫୋରମ୍‌ର କର୍ମକର୍ତାମାନେ ଏକତ୍ରିତ ହୋଇ ରାସ୍ତା କଡ଼ ଏବଂ ପାର୍କ ମଧ୍ୟରେ ଥିବା ପାର୍ଥେନିୟମ୍ ଗଛଗୁଡ଼ିକୁ ନଷ୍ଟ କରିଥିଲେ। ସରସ୍ୱତୀ ବିଦ୍ୟା ମନ୍ଦିର ନିକଟରେ ର‌୍ୟାଲି ଶେଷ ହୋଇଥିଲା।
ଏହି ଅବସରରେ ଆଇଏଏସ୍‌ର ଡକ୍ଟର ଶୁଭପ୍ରଦ ଦାସ ଗାଜର ଘାସର ଭୟଭୟତା ଓ ନିରାକରଣର ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ଅନିଷ୍ଟକାରୀ ଘାସର ହାନିକାରକ ପ୍ରଭାବ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କୌଶିକ ସର, ଡକ୍ଟର ଜଗଦୀଶ ଜେନା, କୁମାର ସମ୍ଭବ ଗିରି, ଶ୍ୱେତା ରଥ, ଶୁଭମ ଆଚାର୍ଯ୍ୟ, ରାକେଶ ରୋଶନ ଶତପଥୀ, ସନ୍ଦିପ ସିଂ, ରାଜୀବ ବେହେରା, ଦିପ୍ତନୁ ଦତ, ସିଦ୍ଧାର୍ଥ ପଣ୍ଡା ଏବଂ ଚନ୍ମୟୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଛତାବରରେ ମଧ୍ୟ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଚାଷୀମାନଙ୍କ ଗହଣରେ ପାଳନ କରାଯାଇଛି। ଏହି ଘାସ କିପରି ଫସଲର କ୍ଷତି କରିବା ସହିତ ମଣିଷ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ ମହାନ୍ତି ସଂଯୋଜକ ଏବଂ ଡକ୍ଟର ଶୁଭପ୍ରଦ ଦାସ ସହ-ସଂଯୋଜକ ଭାବେ ପରିଚାଳନା କରିଥିଲେ।

ଆସନ୍ତା ୨୨ ତାରିଖ ଦିନ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।