Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ କିରୋସିନି କଳାବଜାରୀ: ୧୬୦୦ ଲିଟର କିରୋସିନି ସହ ଗାଡିକୁ ଜବତ କଲେ ଗ୍ରାମବାସୀ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପିଡିଏସ୍ କିରୋସିନିର ଚୋରା କାରବାର ବହୁଳ ମାତ୍ରାରେ ଚାଲୁଥିବା ଅଭିଯୋଗ ହେଉଛି। ଏମିତିକି ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଠାରୁ ଆରମ୍ଭ କରି ବାଲିକୁଦା ପର୍ଯ୍ୟନ୍ତ ଥିବା ଅନେକ ଚିଙ୍ଗୁଡ଼ି ଘେରିକୁ ବେଧଡକ ଭାବେ ଚୋରା କିରୋସିନି ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏସବୁ ଘଟଣା ଜିଲ୍ଲା ଯୋଗାଣ ବିଭାଗ ଅଜାଣତରେ ହେଉଥିଲା ନା କିଛି ଅସାଧୁ କର୍ମଚାରୀଙ୍କ ଇଶାରାରେ ହେଉଥିଲା ଏନେଇ ସାଧାରଣରେ ପଶ୍ନବାଚୀ ସୃଷ୍ଟି ହୋଇଛି।

ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସ୍ଥିତ ତେନ୍ତୁଳି ବେଲାରୀ ନଗର ପଡା ଗାଁ ନିକଟରୁ ଏକ ଟାଟା ମ୍ୟାଜିଗରେ ଚୋରା ଚାଲାଣ ହେଉଥିବା ୧୬୦୦ ଲିଟର କିରାସିନି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଜବତ କରାଯାଇଛି। ସଦେଇପୁର ଅଞ୍ଚଳରୁ ତେନ୍ତୁଳି ବେଲାରୀ ଦେଇ ନିୟମିତ ଭାବରେ ବିଭିନ୍ନ ଚିଙ୍ଗୁଡ଼ି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଏ ବାବଦରେ ସ୍ଥାନୀୟ ଗ୍ରାମବାସୀ ମାନେ ଯୋଗାଣ ବିଭାଗକୁ ଅନେକଥର ଖବର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଗାଣ ବିଭାଗ ଏ ବାବଦରେ କୌଣସି ପଦକ୍ଷପ ନେଇନଥିଲା ବୋଲି ଅଭିଯୋଗ ହୋଇଛି। ଶେଷରେ ଗ୍ରାମବାସୀ ମାନେ ଚୋରା ଚାଲାଣ ହେଉଥିବା କିରାସିନିକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ଆଜି ଭୋର ସମୟରେ ଏକ ଟାଟା ମ୍ୟାଜିଗରେ ୮ ଟି ଜାରରେ ୧୬୦୦ ଲିଟର କିରାସିନି ଘେରିକୁ ଚାଲାଣ ହେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଶାରେ ଗ୍ରାମବାସୀମାନେ ଗାଡିକୁ ଅଟକାଇ ତେଲ ଜବତ କରିବା ସହ ସ୍ଥାନୀୟ ଅନନ୍ତପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ସହ କିରାସିନି ଜବତ କରି ତଦନ୍ତ ଚଳାଇଛି ।ଚାଳକ ଫେରାର ହୋଇ ଯାଇଛି।