Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ସ୍ୱାଧୀନତା ଦିବସ ଉତ୍ସବରେ ଓଡ଼ିଶାରୁ ୧୦ ଜଣ ଦେଲେ ଯୋଗ

ଭୁବନେଶ୍ୱର, ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଆୟୋଜିତ ୭୫ତମ ସ୍ୱାଧୀନତା ଦିବସରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା ପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶାର ୧୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି । ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଡ. ସଂଗୀତା ଗୋସାଇଁ, ରତୀକାନ୍ତ ମହାପାତ୍ର, ଡ. ବିଜୟ ଜେନା, ଜଗନ୍ନାଥ ପଣ୍ଡା, ମୀରା ଦାସ, ପଦ୍ମିନୀ ଦୋରା, ଅଭିନ୍ନ ରାଉତରାୟ ଓ ଗାୟତ୍ରୀବାଳା ପଣ୍ଡା ଆଜି ଦିଲ୍ଲୀର ଲାଲକିଲ୍ଲାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସ୍ୱାଧୀନତା ଉତ୍ସବରେ ଅଂଶଗ୍ରହଣ କରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରିତ କରାଯାଇଛି । ଏହି ଅତିଥିମାନେ ଓଡ଼ିଶାର ପାରମ୍ପରିକ ବେଶଭୂଷା ସହ ଉତ୍ସବର ଶୋଭାବର୍ଦ୍ଧନ କରିବା ସହିତ ଓଡ଼ିଆ ଅସ୍ମିତାର ଗରିମା ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ତରଫରୁ ଏହି ଅତିଥିମାନଙ୍କୁ ସମସ୍ତ ଆତିଥ୍ୟ ପ୍ରଦାନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମ ସୁପାରିଶ କରିଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ନୂଆଦିଲ୍ଲୀ ଗସ୍ତର ସମସ୍ତ ବନ୍ଦୋବସ୍ତ କରିଛନ୍ତି ।