Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଗୁଣିଆକୁ ଭରସା କରି ଚାଲିଗଲା ଜୀବନ, ସାପ କାମୁଡାରେ ଚାଷୀଙ୍କ ପ୍ରାଣହାନୀ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଟାଙ୍ଗୀ ଓ ଏହାର ଆଖ ପାଖ ଅଂଚଳରେ ଦିନକୁ ଦିନ ସାପ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ବିଷାକ୍ତ ସାପ କାମୁଡାରେ ଅନେକ ଜୀବନ ଅକାଳରେ ଝଡି ପଡୁଛନ୍ତି। ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରଚାର ପ୍ରସାର ସତ୍ତ୍ୱେ ଲୋକେ ଏବେ ବି ସାପ କାମୁଡିବା ପରେ ମେଡିକାଲକୁ ନଯାଇ ଗାଁ ଗୁଣିଆ ଉପରେ ନିର୍ଭର କରୁଥିବାରୁ ଲୋକଙ୍କ ଜୀବନ ଚାଲିଯାଉଛି। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ବଉଳା ବନ୍ଧ ଗ୍ରାମ ପଂଚାୟତ ମଙ୍ଗରାଜ ପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ମଙ୍ଗରାଜ ପୁର ଗ୍ରାମର ଚଇନି ମହାରଣା (୪୫) ପ୍ରତିଦିନ ନିଜ ଚାଷ କ୍ଷେତକୁ ଚାଷ କାମ ପାଇଁ ଯାଇଥାନ୍ତି। ଗତ ସୋମବାର ଦିନ ଚଇନି ମହାରଣା ନିଜ ଚାଷ କ୍ଷେତରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ଚଇନିଙ୍କ ଗୋଡକୁ କାମୁଡି ଦେଇଥିଲା। ତେବେ ସ୍ଥାନୀୟ ଲୋକେ ଚଇନିଙ୍କୁ ତୁରନ୍ତ ମେଡିକାଲ ନେବା ପରିବର୍ତ୍ତେ ଗାଁ ଗୁଣିଆ ନିକଟରେ ସାପ ବିଷ କାଢିବା ପାଇଁ ଝଡା ଫୁଙ୍କା କରିବା ପରେ ଘରକୁ ପଳାଇଥିଲେ। ହେଲେ ସାପ କାମୁଡିବା ଯୋଗୁଁ ବିଷ କ୍ରିୟା ବେଳକୁ ବେଳ ଅଧିକ ହେବାରୁ ତାର ପରିବାର ଚଇନିଙ୍କୁ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ହେଲେ ସାପ କାମୁଡିବାର ବହୁ ଘଣ୍ଟା ପରେ ମେଡିକାଲକୁ ଆଣିଥିବାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ତେଣୁ ଡାକ୍ତର ଚଇନିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ। ଟାଙ୍ଗୀ ମେଡିକାଲରୁ ମାତ୍ର କିଛି ବାଟ ଯିବା ପରେ ଘରୋଇ ଆମ୍ବୁଲାନସ ଭିତରେ ଚଇନିଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା।

ତେଣୁ ତାଙ୍କୁ ଭୁବନେଶ୍ୱର ନ ନେଇ ପୁଣି ଟାଙ୍ଗୀ ମେଡିକାଲ ନେଇ ଆସିଥିଲେ। ଖବର ପାଇ ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେହିଭଳି ଭାବେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ନୂଆପଡା ଗ୍ରାମର ହୁଲାସ ନାୟକ (୪୦) ନାମକ ଜଣେ ମହିଳା ଛେଳି ଚରାଇ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡିବାରୁ ସେ ମଧ୍ୟ ମେଡିକାଲକୁ ନ ଆସି ଗୁଣିଆ ନିକଟକୁ ଯାଇ ଝଡା ଫୁଙ୍କା କରିଥିଲେ। ତେବେ ସେ ମହିଳା ଜଣକ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହେବାରୁ ପରିବାର ଲୋକେ ଟାଙ୍ଗୀ ମେଡିକାଲକୁ ଆଣିଥିଲେ। ତେବେ ମହିଳାଙ୍କର ବିଷକ୍ରିୟା ଯୋଗୁଁ ସେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।