Categories
ବିଶେଷ ଖବର ରାଜ୍ୟ ଖବର

ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ ହେବ ରାମଚଣ୍ଡୀ ନିକଟସ୍ଥ ଓସୱାଲୀ କେନ୍ଦ୍ର

ଭୁବନେଶ୍ୱର:  ଗତକାଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ- ପୁରୀ ମେରାଇନ୍‌ ଡ୍ରାଇଭରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍‌ ଏବଂ ଲାଇଫ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (ୱାସୱାଲୀ)ଯାଇ ସେଠାରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।

ରାମଚଣ୍ଡୀ ପୀଠର କୁଶଭଦ୍ରା ନଦୀକୂଳରେ ୨୦୧୫ ମସିହାରେ ସ୍ଥାପିତ ଏହି ପ୍ରଶିକ୍ଷଣ କେନ୍ଦ୍ର ତା’ର କାର୍ଯ୍ୟଧାରା ଲାଗି ସମଗ୍ର ଦେଶରେ ସୁନାମ ଅର୍ଜନ କରିପାରିଛି । ଏଠାରେ ବ୍ୟାଚ୍‌ୱାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇ ଆସୁଥିବା ଆଗ୍ନିକମାନଙ୍କୁ ଭୂତଳ ଜଳସମୂହରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ୱାଟରମ୍ୟାନସିପ୍‌, ସନ୍ତରଣ, ବୋଟ୍‌ଚାଳନା, ସ୍କୁବା ଡାଇଭିଂ, ଜଳ ବିତ୍ପାତରୁ ଉଦ୍ଧାର କରିବା କୌଶଳ ପ୍ରଭୃତି ସହ ଏ କ୍ଷେତ୍ରରେ ଉପଯୋଗ ହେଉଥିବା ସର୍ବାଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ଉଚ୍ଚସ୍ତରୀୟ ତାଲିମ୍‌ ପ୍ରଦାନ କରାଯାଇ ଆସୁଅଛି ।

ବିଗତ ଦିନଗୁଡ଼ିକରେ ଦେଶରେ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ଫାୟାର ଟିମ୍‌ ଯେଉଁ ଦକ୍ଷତା, ସାହସ ଓ ସେବା ପ୍ରଦର୍ଶନ କରିଛନ୍ତି ସେଥିରେ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି । ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ଗଭୀର ଆସ୍ଥା ପ୍ରକଟ କରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡ ରାଜ୍ୟର ଅଗ୍ନିଶମ କର୍ମଚାରୀମାନଙ୍କୁ ତାଙ୍କ ସରକାର ଏଠାରେ ପ୍ରଶିକ୍ଷଣ ନେବାକୁ ପ୍ରେରଣ କରୁଥିବା ଏହି କେନ୍ଦ୍ରର ସଫଳତା ବୟାନ କରେ ।

ଏତଦ୍‌ବ୍ୟତୀତ ଓଡ଼ିଶା ପୋଲିସ୍‌ ଅଧୀନରେ କାର୍ଯ୍ୟରତ ଗୃହରକ୍ଷୀ ବାହିନୀର ସେ୍ୱଚ୍ଛାସେବୀମାନଙ୍କୁ ମଧ୍ୟ ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରତି ବ୍ୟାଚ୍‌ରେ ୬୦ ଜଣ ହିସାବରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୫୦୨୬ ଜଣଙ୍କୁ ତାଲିମ୍‌ ପ୍ରଦାନ କରାଯାଇଥିବା ସମୀକ୍ଷାବେଳେ ଜଣାପଡ଼ିଛି । ତେବେ ସଂପ୍ରତି ବଙ୍ଗୋପସାଗର ତଟର ଏକ ଅନୁପମ ପ୍ରାକୃତିକ ପରିବେଶରେ ଅସ୍ଥାୟୀ ଟେଣ୍ଟ୍‌ରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି ।

ଏହାର ସ୍ଥାୟୀ ଅନ୍ତଃକରଣର ବିକାଶ ପାଇଁ ରାଜ୍ୟ ସରକାର ଗତବର୍ଷ ୨ କୋଟି ୭୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ୧୦୦ ସିଟ୍‌ ବିଶିଷ୍ଟ ବ୍ୟାରାକ୍‌ ଓ ପ୍ରଶାସନିକ ଅଟ୍ଟାଳିକା ଯଥାଶୀଘ୍ର ନିର୍ମାଣ କରିବା ପାଇଁ ପ୍ରକି୍ରୟା ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ପାଇଁ ପୁରୀ ଜିଲ୍ଲାପାଳ ୨ ଏକର ଜମି ଯୋଗାଇ ଦେଇଥିବାବେଳେ ଅତିରିକ୍ତ ଆଉ ୨ ଏକରର ଆବଶ୍ୟକତା ରହିଥିବା ଦର୍ଶାଇ ଏ ସଂକ୍ରାନ୍ତରେ ଗୋପ ତହସିଲଦାରଙ୍କ ନିକଟରେ ନିବେଦନ କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ଜଣାଇଥିଲେ ।

ଗୃହମନ୍ତ୍ରୀ ଆଗ୍ନିକମାନଙ୍କ କାର୍ଯ୍ୟକ୍ରମ ସହ ଅବଗତ ହେବା ପାଇଁ କୁଶଭଦ୍ରା ନଈର ଗଭୀର ଜଳରେ ପାୱାର ବୋଟ୍‌ରେ ବସି କାର୍ଯ୍ୟଧାରା ନୀରିକ୍ଷଣ କରିଥିଲେ । ଏଥିସହିତ ସ୍କୁଭା ଡାଇଭର କିପରି ଘଣ୍ଟା ଘଣ୍ଟା ଧରି ଗଭୀର ଜଳରାଶିରେ ଉଦ୍ଧାର କାର୍ଯ୍ୟ ସଂଚାଳନ କରିଥାଏ ତାହା ଦେଖିଥିଲେ ।

ନିକଟ ଅତୀତରେ କେରଳ ଓ ଆନ୍ଧ୍ର ପ୍ରଦେଶ ବନ୍ୟା, ପଶ୍ଚିମବଙ୍ଗ ଅମ୍ଫାନ ଓ ମେଘାଳୟର କୋଇଲା ଖଣି ଦୁର୍ଘଟଣା ସମୟରେ କୋଭିଡ୍‌ ସଂକ୍ରମଣର ଆଶଙ୍କା ସତ୍ତେ୍ୱ ନିଜ ଜୀବନକୁ ବିପନ୍ନ କରି ସେଠାରେ ପ୍ରାକୃତିକ ବିତ୍ପାତ ପରିସ୍ଥିତିରେ, ଧନ ଜୀବନ ସୁରକ୍ଷା, ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାରେ ଯେଉଁ ଅଦମ୍ୟ ସାହସ ଓ ସେବା ପ୍ରଦାନ କରିଛନ୍ତି ତାହା ସମଗ୍ର ବିଶ୍ୱରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାର ଏକ ଶ୍ରେଷ୍ଠ ଉଦାହରଣ ହୋଇଛି ।

ଏ ସବୁକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରକୁ ଏକ ବିଶ୍ୱସ୍ତରୀୟ ତାଲିମ୍‌ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଥିଲେ । ତେବେ ଏହି କେନ୍ଦ୍ର ପାଇଁ ଅନୁ୍ୟନ ୩୦ ଏକର ଜମିର ଆବଶ୍ୟକତା ରହିଥିବା ଏବଂ ଅଧିକ ମାନବସମ୍ବଳ ଯୋଗାଇ ଦେବାକୁ ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ମହେଶ୍ୱର ସ୍ୱାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମ ସମୟରେ ତାଲିମ୍‌ କେନ୍ଦ୍ରର ଅଧ୍ୟକ୍ଷ ଫାୟାର ଅଫିସର ଶ୍ରୀ ଟି.କେ. ବାବୁ, ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ତପନ କୁମାର ମହାନ୍ତି ଏବଂ ଶ୍ରୀ ବିଚିତ୍ର କୁମାର ଚୌଧୁରୀଙ୍କ ସମେତ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ ।