Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଂଗୀତ ସଦନର ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ରାଜଭବନର ନୂତନ ଅଭିଷେକ କକ୍ଷରେ କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ ଅଧ୍ୟାତ୍ମ ଭାବର ସଂଚାର କରାଏ ସଂସ୍କୃତି। ସଂସ୍କୃତି ମଣିଷକୁ ରୂପାନ୍ତରିତ କରେ।

ସଂଶୟରୁ ଶାଶ୍ୱତକୁ ବାଟ କଢ଼ାଏ। ଆତ୍ମବିସର୍ଜନର ପଥ ଉନ୍ମୁକ୍ତ କରେ। ଯେଉଁ ସଂସ୍କୃତିରେ ଶାଶ୍ୱତ ରସ ନାହିଁ, ତାହା ନିରସ ଓ ଅପଭ୍ରଂଶର ଆଧାର। ଅଧ୍ୟାତ୍ମ ଓ ସଂସ୍କୃତିର ମହାମିଳନ ମଣିଷ ପାଇଁ ଈଶ୍ୱରୀୟ ବରଦାନ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।

ସଭାପତି ଅମ୍ବିକା ପ୍ରସାଦ ଦାସ ଅନୁଷ୍ଠାନର ଇତିହାସ ଓ ଏତିହ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜ୍ୟୋତିର୍ବିଦ୍‌ ପ୍ରଦୀପ କୁମାର ଚୌଧୁରୀ, ଶିକ୍ଷାବିତ୍‌ ସତ୍ୟପ୍ରକାଶ ପଣ୍ଡା, ଶିକ୍ଷାବିତ୍‌ ଶରତ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିବାକର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସଂଗୀତ ସଦନର କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।