Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଗୋରୁ ବୋଝେଇ କଣ୍ଟେନର ଜବତ କଲା ନିରାକାରପୁର ପୋଲିସ, ୨୪ ଗାଈ ଉଦ୍ଧାର

ଖୋର୍ଦ୍ଧା: ସାରା ରାଜ୍ୟରେ ବେଆଇନ ଗୋରୁ ଚାଲାଣକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏଥିରୁ ବାଦ ପଡିନି। ପୁର୍ବରୁ ଏକାଧିକ ଥର ପୋଲିସ ଗୋ ଚାଲାଣ ଯୋଜନା ପଣ୍ଡ କରିଥିବା ବେଳେ ବହୁତ ଦିନ ପରେ ଆଜି ପୁଣି ଏକ ବଡ଼ ଧରଣର ବେଆଇନ ଗୋ ଚାଲାଣକୁ ରୋକିଛି ନିରାକାରପୁର ପୋଲିସ।

ପୋଲିସ ଏକ ଗୋରୁ ବୋଝେଇ ଆଇଚର ଟ୍ରକକୁ ଜବତ କରି ତନ୍ମଧ୍ୟରୁ ୨୪ ଗୋଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି।

ସୂଚନା ମୁତାବକ ଟାଙ୍ଗି ଥାନା ପଣସପୁର ଅଞ୍ଚଳରୁ ନୂଆ ଜଗନ୍ନାଥ ସଡକ ନିରାକାରପୁର ଦେଇ ପୁରି ଜିଲ୍ଲା ଚନ୍ଦନପୁର ଥାନା ସୁକଳ ଅଞ୍ଚଳକୁ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର ଯାଉଥିବାର ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ପାଇଥିଲେ। ବିଳମ୍ବ ନକରି ସଙ୍ଗେ ସଙ୍ଗେ ଆଇଆଇସି ଓ ଟିମ ଉକ୍ତ ଗାଡିକୁ ଧରିବା ପାଇଁ ଯୋଜନା କରିଥିଲେ ଏବଂ ପରିଶେଷରେ ଗାଡିକୁ ଜବତ କରିଥିଲେ।

ଗାଡ଼ିରୁ ୨୪ ଗୋଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଗାଡ଼ି ଚାଳକ ଓ ହେଲ୍ପରକୁ ପୋଲିସ ଅଟକ ରଖିବା ସହ ୧୪୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।