Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପୁଣି ସଡକ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର, ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି. ମୃତକ ଜଣକ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ କୁକୁଡାଝରି ଗ୍ରାମର କାଳିଆ ତାଡ (୪୮)।

କୁକୁଡା ଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ନିଜର ସମସ୍ତ ସାଜ ସରଂଜାମ ସହ ଏକ ପିକ୍ ଅପ୍ ଭ୍ୟାନରେ କୁକୁଡାଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ ଆଇଚର ଟ୍ରକ୍ ପିକ୍ ଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି। ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀଵନ କ୍ଷୟ କ୍ଷତି ହେଉଥିଵାରୁ ଲୋକେ ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଛନ୍ତି।

ଉଲ୍ଲେଖ ଥାଉ ଯେ, ଗତକାଲି ମଧ୍ୟ ସେହି ସମାନ ସ୍ଥାନରେ ଦୁର୍ଘଟଣା ଘଟିଥିଲା। ଗତକାଲି ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଥିଲେ। ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ କ୍ଷତି ହେଉଥିବାରୁ ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରାଯାଉଛି।