Categories
ଆଜିର ଖବର ଜାତୀୟ ଖବର

୭ ଦିନ ପରେ ଆଖି ବୁଜିଲେ କୁନ୍ନୁର ଚପର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ

ବାଙ୍ଗୋଲୋର: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଆଉ ନାହାଁନ୍ତି। ସାତ ଦିନ ସଂଘର୍ଷ କରିବା ପରେ ସେ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଜେନେରାଲ୍ ବିପିନ ରାୱତଙ୍କ ସହ ବରୁଣ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ଭାରତୀୟ ବାୟୁସେନା ଟ୍ୱିଟ୍ କରି କହିଛି ଯେ, ଡିସେମ୍ବର ୮ ତାରିଖ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସାହସୀ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଦେହାନ୍ତ ବିଷୟରେ ଭାରତୀୟ ବାୟୁସେନା ଅତ୍ୟନ୍ତ ଦୁଃଖିତ। ଭାରତୀୟ ବାୟୁସେନା ଗଭୀର ସମବେଦନା ଜଣାଇ ଶୋକସନ୍ତପ୍ତ ପରିବାର ସହିତ ଦୃଢ ଭାବରେ ଠିଆ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନିକଟରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଚିଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ସହିଦ ହୋଇଥିଲେ। ଗ୍ରୁପ୍ କ୍ୟାପଟେନ୍ ଏହି ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବାବେଳେ ଅନ୍ୟ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ବରୁଣ ସିଂ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ବାଙ୍ଗୋଲୋର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।

ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ‘ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଗର୍ବ, ବୀରତ୍ୱ ଏବଂ ଅତ୍ୟନ୍ତ ବୃତ୍ତିଗତତା ସହିତ ଦେଶକୁ ସେବା କରିଥିଲେ। ତାଙ୍କ ମୃତ୍ୟୁରେ ମୁଁ ଗଭୀର ଆଘାତ ପାଇଛି। ଜାତି ପ୍ରତି ତାଙ୍କର ସମୃଦ୍ଧ ସେବା କଦାପି ଭୁଲି ହେବ ନା। ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ସମବେଦନା। ଓଁ ଶାନ୍ତି! ‘