Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଘଣ୍ଟଶିଳା ପାହାଡ଼ରେ ଭୀଷଣ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ପାଇଁ ଦୁଇ ଦମକଳ ଗାଡି ନିୟୋଜିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶନି ମନ୍ଦିର ନିକଟସ୍ଥ ଘଣ୍ଟଶିଳା ପାହାଡ଼ରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ଯାହାଫଳରେ ଲକ୍ଷାଧିକ ଟଙ୍କାର ଜଙ୍ଗଲ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଏନଏସି କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଶନି ମନ୍ଦିର ପାଣି ଟାଙ୍କି ନିକଟରେ ବାଣପୁର ଏନଏସି ପକ୍ଷରୁ ନୂଆ କରି ଏକ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ନିର୍ମାଣ ଚାଲିଛି। ସେଥିପାଇଁ ପ୍ରତିଦିନ ଏନଏସି କର୍ମଚାରୀମାନେ ସେଠାରେ ସମସ୍ତ ଅଳିଆ ଆବର୍ଜନା ଜମା କରନ୍ତି।

କିନ୍ତୁ ଆଜି ସକାଳୁ କର୍ମଚାରୀମାନେ ଉକ୍ତ ଅଳିଆ ଆବର୍ଜନାରେ ନିଆଁ ଲଗାଇ ଫେରିଯାଇଥିଲେ। ଯାହା ଫଳରେ ଉକ୍ତ ନିଆଁଟି ଘଣ୍ଟଶିଳା ପାହାଡ଼ ପାଦଦେଶରେ ଥିବା ଜଙ୍ଗଲରେ ବ୍ୟାପି ଯାଇ ବର୍ତ୍ତମାନ ସମଗ୍ର ଜଙ୍ଗଲକୁ ବ୍ୟାପିଯାଇଛି। ଏହାଦ୍ବାରା ଲକ୍ଷାଧିକ ଟଙ୍କାର ଜଙ୍ଗଲ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଏନଏସି କର୍ମଚାରୀଙ୍କ ଦାୟିତ୍ୱହୀନତା ଲାଗି ଏଭଳି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିପାରିନାହିଁ। ତେବେ ଦୀର୍ଘ ୩ ଘଣ୍ଟା ହେବ ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇ ଗୋଟି ଦମକଳ ଗାଡି ସହ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଲିଭେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଅପରପକ୍ଷରେ ଘଟଣାସ୍ଥଳରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ପହଁଚି ନିଆଁ ଲାଗିଥିବା କାରଣର ତଦନ୍ତ ଆରମ୍ଭ କରିଦେଛନ୍ତି।