Categories
ବିଶେଷ ଖବର ରାଜ୍ୟ ଖବର

‘ଘର ଦୁଆରେ ପୁଷ୍ଟି’ ହିତାଧିକାରୀଙ୍କୁ ଫଳଚାରା, ପରିବା ବିହନ କିଟ୍‌ ବଣ୍ଟାଯିବ

ଭୁବନେଶ୍ୱର: ଅପପୁଷ୍ଟି ତଥା ରକ୍ତହୀନତା ସମସ୍ୟାର ସମାଧାନ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ପୁଷ୍ଟିକର ଫଳଚାରା ଓ ପନିପରିବା ବିହନ କିଟ୍‌ ବିନାମୂଲ୍ୟରେ ବଣ୍ଟନ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁଆରୀ ୭ ତାରିଖରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଉଦ୍ୟାନ କୃଷି ବିଭାଗର ଜିଲ୍ଲା ଅଧିକାରୀମାନଙ୍କ ସହିତ ବିସ୍ତୃତ ଭାବେ ଯୋଜନାର ସମୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମ ଅଧିନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ହିତାଧିକାରୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତ କରାଯାଉଥିବାବେଳେ ଚାରା ଓ ପନିପରିବା କିଟ୍‌ ଉଦ୍ୟାନ କୃଷି ବିଭାଗ ତରଫରୁ ଯୋଗାଇ ଦିଆଯାଉଛି। ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ, ସେଥି ନିମନ୍ତେ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ପ୍ରାଚୀନ ସମ୍ବେଦନଶୀଳ ଜନଜାତି ସଂପ୍ରଦାୟ ସମେତ ଟ୍ରାନ୍ସଜେଣ୍ଡର, ପରିବାରର ମୁଖ୍ୟ ବିଧବା ହୋଇଥିଲେ ସେମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟରେ ୮ ଲକ୍ଷ ହିତାଧିକାରୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ହିତାଧିକାରୀ ପରିବାର ଚିହ୍ନଟ ପ୍ରକ୍ରିୟା ସାରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ସାମିଲ କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରି କାର୍ଯ୍ୟଖସଡ଼ା ଚୂଡ଼ାନ୍ତ କରିବା ପାଇଁ ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କାର୍ଯ୍ୟକ୍ରମ ସଂପର୍କରେ ସାଧାରଣଲୋକ ଯେପରି ଜାଣିପାରିବେ ସେଥିପାଇଁ ଜିଲ୍ଲା, ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପୋଷ୍ଟର, ବ୍ୟାନର ଆଦି ମାଧ୍ୟମରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରିବା ଓ କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତିରାଜ ଜନପ୍ରତିନିଧିମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ‘ଘରଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଭାବରେ ଅଭିହିତ କରିଥିଲେ । ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ବୋଲି
ଡ. ପାଢ଼ୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ପରିବାରକୁ ୧୦ଟି ଉନ୍ନତ ମାନର ଫଳଚାରା ଯୋଗାଇ ଦିଆଯାଉଛି । ଏଥିରେ ସଜନା ଛୁଇଁ, କଂଚା କଦଳୀ, ଅମୃତଭଣ୍ଡା, ଲେମ୍ବୁ ଓ ଦେଶୀଆଳୁର ଦୁଇଟି ଲେଖାଏଁ ଚାରା ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ସେହିପରି ପନିପରିବା କିଟ୍‌ରେ ବାଇଗଣ, ଭେଣ୍ଡି, କଞ୍ଚାଲଙ୍କା, କଲରା, ଟମାଟୋ ଏବଂ ପାଳଙ୍ଗ ଶାଗର ଉନ୍ନତମାନର ପ୍ରାମାଣିକ ମଂଜି ଯୋଗାଇ ଦିଆଯାଇଛି। ବଣ୍ଟନ ପ୍ରକ୍ରିୟାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ହିତାଧିକାରୀ ପରିବାରଙ୍କର ଜିଓ ଟାଗିଂ, ଫଟୋ ଏବଂ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାର ଜିଲ୍ଲାପାଳ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକମାନେ ଜିଲ୍ଲାରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିବାବେଳେ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ବ୍ଲକ୍‌ରୁ ଭର୍ଚୁଆଲରେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ‘ଘର ଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମ

ଭୁବନେଶ୍ୱର/ମାଲକାନଗିରି: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ଜନ୍ତାପାଇ ଗ୍ରାମରେ ‘ଘର ଦୁଆରେ ପୁଷ୍ଟି’ କାର୍ଯ୍ୟକ୍ରମକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଘର ଦୁଆର ମୁଁହରେ ପୁଷ୍ଟିକର ପନିପରିବା ଉପଲବ୍ଧ ହେବ। ଏହାଦ୍ୱାରା ମା’ ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ତଥା ରକ୍ତହୀନତା ନିଶ୍ଚିତ ଭାବେ ଅନେକ ପରିମାଣରେ ହ୍ରାସ ପାଇବ । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଅତି ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଉପସ୍ଥାପନ କରି କହିଥିଲେ ଯେ ‘ଘର ଦୁଆର ପୁଷ୍ଟି’ କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ କଦଳୀ, ଲେମ୍ବୁ, ସଜନା ଛୁଇଁ, ଅମୃତଭଣ୍ଡା ଓ ଦେଶୀଆଳୁ ଚାରା ସହିତ ବାଇଗଣ, ଭେଣ୍ଡି, କଲରା, ଟମାଟୋ, କଞ୍ଚାଲଙ୍କା ଓ ପାଳଙ୍ଗ ଶାଗ ଆଦି ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ ।

ଏହାଦ୍ୱାରା ୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଅପପୁଷ୍ଟି ତଥା ରକ୍ତହୀନତାର ଶିକାର ହୋଇଥିବା ପିଲାମାନେ ତଥା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବରଦାନ ସାବ୍ୟସ୍ତ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।
ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇ କହିଥିଲେ ଯେ ଅପପୁଷ୍ଟି ଓ ପୁଷ୍ଟିହୀନତା ସମସ୍ୟାର ସ୍ଥାୟୀ ଓ ନିରନ୍ତର ସମାଧାନ ପାଇଁ ଏହା ଏକ ସଫଳ ଯୋଜନା ।

ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ପ୍ରାଥମିକତା ଭିତ୍ତିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସମାରୀ ତାଙ୍ଗୁଲୁ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ୧୦ ଜଣ ହିତାଧିକାରୀଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଚାରି ଜଣ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୂଲ୍ୟଯୁକ୍ତ ବଜାର ସୃଷ୍ଟି କରିବା ପାଇଁ ବିହନ ନିମନ୍ତେ ଆର୍ଥିକ ପ୍ରୋତ୍ସହନ ରାଶି ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ବିଶାଲ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ରୋହିତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଆଡମା ରାବା, ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ରାଜେଶ୍ୱରୀ ଖିଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନନ୍ଦଗିରି ରାମକୃଷ୍ଣ ହୟଗ୍ରୀବ ଉପସ୍ଥିତ ଥିଲେ।