Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଜମିରେ ଘର ନିର୍ମାଣ ମହଙ୍ଗା ପଡିଲା: ୩ ପରିବାରର ଘର ଭାଙ୍ଗିଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଥିବା ଜଣା ପଡିଛି।

ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ , ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯(ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍ ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍‌ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଭାଙ୍ଗିଦେଇଥିଲେ।

ଏ ସଂପର୍କରେ ପୂର୍ବରୁ ପାଇକମାଳ ଗ୍ରାମବାସୀ ତହସିଲ୍ ଦାର ନାକଟିଦେଉଳଙ୍କ ଠାରେ ଅଭିଯୋଗ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା। ଯେଉଁମାନଙ୍କର ଘର କୁ ପ୍ରଶାସନ ଭାଙ୍ଗିଲା ସେଇ ଗ୍ରାମରେ ନିଜର ଘର ରହିଛି। ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ସେଇ ବ୍ୟକ୍ତିମାନେ ସେଠାରେ ଅସ୍ଥାୟୀ ଘର କରି ରହୁଥିଲେ।