Categories
ଆଜିର ଖବର ସଂସ୍କୃତି

ମହାନ ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଚକରା ବିଷୋୟୀଙ୍କ ଦେଶ ମାତୃକା ପାଇଁ ସଂଗ୍ରାମ ଓ ତ୍ୟାଗ ଆଜି ଦିନରେ ବିରଳ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଭଞ୍ଜନଗରର ତରୁଣ କଳାକାର ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଚସ୍ପତି ଶ୍ରୀ ଆରୁଖ ଏହା କହିଛନ୍ତି ।

ଓଡିଶା ସଂଗୀତ ନାଟକ ଏକାଡେମୀର ଉପସଭାପତି ତଥା ବିଶିଷ୍ଟ ଗବେଷକ ଓ ନାଟ୍ୟକାର ଶ୍ରୀ ମନ୍ମଥ କୁମାର ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚକରା ବିଷୋୟୀଙ୍କ ସଂଗ୍ରାମୀ ବ୍ୟକ୍ତିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ କ୍ରମରେ ଚକରା ବିଷୋୟୀଙ୍କ ଜୀବନୀ ବର୍ତ୍ତମାନ ତଥା ଭବିଷ୍ୟତ ପିଢି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ।

ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ବିଚିତ୍ରାନନ୍ଦ ଦାସ ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖି ଚକରା ବିଷୋୟୀଙ୍କ ସଶସ୍ତ୍ର ସଂଗ୍ରାମ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ତରୁଣ କଳାକାର ସଂସ୍ଥାର କାର୍ଯ୍ୟକର୍ତ୍ତା ତଥା ଖ୍ୟାତିସଂପନ୍ନ ଅନୁବାଦକ ଡଃ. ଅଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଶେଷରେ ଢେଙ୍କାନାଳର ଅଲଟରନେଟିଭ୍ ରିଦମ୍ ଥିଏଟରର ଶିଳ୍ପୀମାନଙ୍କ ଦ୍ୱାରା ଚକରାବିଷୋୟୀଙ୍କ ଜୀବନୀ ଆଧାରିତ “ ମୁଁ ଚକରା କହୁଛି” ନାଟକ ପରିବେଷଣ କରାଯାଇଥିଲା । ନାଟକର ନିର୍ଦ୍ଦେଶକ ଶ୍ରୀ ଦୀନେଶ ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଞ୍ଚଳିକ

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଆଜି ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରାଯାଇଛି । ସାରା ଦେଶରେ କୋଭିଡ୍‌-୧୯ ତୃତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ପରାଧୀନ ଭାରତରେ ସର୍ବଦା ବିପ୍ଳବର ସ୍ୱର ଝଂକୃତ ହୋଇଥିବାବେଳେ ବହୁ ମହାନ ବିପ୍ଳବୀଙ୍କର ଆବିର୍ଭାବ ହୋଇଛି । ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚକରା ବିଷୋୟୀ ଅନ୍ୟତମ । ତତ୍‌କାଳୀନ ଘୁମୁସୁର ରାଜ୍ୟ ଥିଲା ପ୍ରଭାବଶାଳୀ ଏବଂ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ । ବ୍ରିଟିଶରମାନଙ୍କଠାରୁ ଜନ୍ମଭୂମିକୁ ସୁରକ୍ଷିତ ରଖିବା ପାଇଁ ବିପ୍ଳବର ଅଗ୍ନିଶିଖାକୁ ସ୍ୱାଧୀନଚେତା ତଥା ଦୁର୍ଦ୍ଦର୍ଷ ଆଦିବାସୀମାନଙ୍କ ମଧ୍ୟରେ ଜାଗୃତ କରିବାରେ ବିପ୍ଳବୀ ଚକରା ବିଷୋୟୀ ନେତୃତ୍ୱ ନେଇଥିଲେ ।

ଜନ୍ମମାଟିର ସୁରକ୍ଷା ପାଇଁ ତାଙ୍କର ତ୍ୟାଗ, ଦେଶଭକ୍ତି, ସଂଘର୍ଷ, ବଳିଦାନ ଓ ବୀରତ୍ୱର ଗାଥା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ଶା ରିଭୁ୍ୟର ସଂପାଦକ ଡକଫର ଲେନିନ୍‌ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଏବଂ ସନ୍ତୋଷ କୁମାର ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।