ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ

Published: Jan 12, 2022, 11:37 pm IST

ଭୁବନେଶ୍ୱର : ଆଜି ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରାଯାଇଛି । ସାରା ଦେଶରେ କୋଭିଡ୍‌-୧୯ ତୃତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ପରାଧୀନ ଭାରତରେ ସର୍ବଦା ବିପ୍ଳବର ସ୍ୱର ଝଂକୃତ ହୋଇଥିବାବେଳେ ବହୁ ମହାନ ବିପ୍ଳବୀଙ୍କର ଆବିର୍ଭାବ ହୋଇଛି । ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚକରା ବିଷୋୟୀ ଅନ୍ୟତମ । ତତ୍‌କାଳୀନ ଘୁମୁସୁର ରାଜ୍ୟ ଥିଲା ପ୍ରଭାବଶାଳୀ ଏବଂ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ । ବ୍ରିଟିଶରମାନଙ୍କଠାରୁ ଜନ୍ମଭୂମିକୁ ସୁରକ୍ଷିତ ରଖିବା ପାଇଁ ବିପ୍ଳବର ଅଗ୍ନିଶିଖାକୁ ସ୍ୱାଧୀନଚେତା ତଥା ଦୁର୍ଦ୍ଦର୍ଷ ଆଦିବାସୀମାନଙ୍କ ମଧ୍ୟରେ ଜାଗୃତ କରିବାରେ ବିପ୍ଳବୀ ଚକରା ବିଷୋୟୀ ନେତୃତ୍ୱ ନେଇଥିଲେ ।

ଜନ୍ମମାଟିର ସୁରକ୍ଷା ପାଇଁ ତାଙ୍କର ତ୍ୟାଗ, ଦେଶଭକ୍ତି, ସଂଘର୍ଷ, ବଳିଦାନ ଓ ବୀରତ୍ୱର ଗାଥା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ଶା ରିଭୁ୍ୟର ସଂପାଦକ ଡକଫର ଲେନିନ୍‌ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଏବଂ ସନ୍ତୋଷ କୁମାର ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts