Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ଖାଦ୍ୟସୁରକ୍ଷା ହିତାଧିକାରୀ ମାନଙ୍କୁ ଦିଆଯିବ ଅଗ୍ରୀମ ୩ମାସର ଚାଉଳ, ଗହମ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଗାମୀ ଏପ୍ରିଲ, ମେ ଏବଂ ଜୁନ୍ ମାସ ନିମନ୍ତେ ଚାଉଳ ଓ ଗହମ ଯୋଗାଇ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଜାତୀୟ ଖାଦ୍ୟସୁରକ୍ଷା, ରାଜ୍ୟ ଖାଦ୍ୟସୁରକ୍ଷା, ଅନ୍ତୋର୍ଦୟ ଓ ଅନ୍ନପୂର୍ଣା ହିତାଧିକାରୀଙ୍କୁ ଚାଉଳ, ଗହମ ସେମାନଙ୍କ ଘରେ ପହଂଚାଇବା ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତ ବି.ଡି.ଓ ଏବଂ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଚାଉଳ ଓ ଗହମ ବଣ୍ଟନ ସମୟରେ ଯେପରି ସାମାଜିକ ଦୂରତା ବଜାୟ ରହେ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଇଛି।

ସେମାନେ କ୍ଷେତ୍ରୀୟ କର୍ମଚାରୀଙ୍କ ଦ୍ୱାରା ଚାଉଳ, ଗହମ ଉଠାଣ ଓ ବଣ୍ଟନ ପ୍ରକ୍ରିଆକୁ ତ୍ୱରାନ୍ୱିତ କରିବା ସହିତ ସମସ୍ତ ରିଟେଲର୍ ତୁରନ୍ତ ହିତାଧିକାରୀଙ୍କୁ ବଣ୍ଟନ ଆରମ୍ଭ କରିବେ, ଗୋଟିଏ ଗ୍ରାମ କିମ୍ବା ୱାର୍ଡରେ ବଣ୍ଟନ ସମୟରେ ସ୍ୱଳ୍ପ ହିତାଧିକାରୀଙ୍କୁ ଏକାଠି କରିବେ, ଡିଲର୍ ମାନେ ଏକରୁ ଅଧିକ ଗ୍ରାମ କିମ୍ବା ୱାର୍ଡରେ ବାଣ୍ଟିବାକୁ ଥିଲେ ନିର୍ଦ୍ଦିଷ୍ଟ ଗ୍ରାମ/ୱାର୍ଡରେ ବଣ୍ଟନର ସୁବ୍ୟବସ୍ଥା କରିବେ। ଯେପରି ହିତାଧିକାରୀମାନେ ଡିଲର୍ ପଏଣ୍ଟକୁ ଆସିବେ ନାହିଁ। କୌଣସି ଅନୁଷ୍ଠାନ ଯଥା ଗ୍ରାମପଂଚାୟତ, ମହିଳା ସ୍ୱୟଂ ସହାୟକ ଦଳ, ସମବାୟ ସମିତି ଦ୍ୱାରା ବଣ୍ଟନ ବେଳେ ସଂପୃକ୍ତ ଗ୍ରାମ/ୱାର୍ଡରେ ଉପକେନ୍ଦ୍ର ଗୁଡିକ ଖୋଲାଯାଇ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ।ଯେପରି ହିତାଧିକାରୀ ମାନେ ଡିଲର ମାନଙ୍କ ପାଖକୁ ନଆସନ୍ତି। ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅସୁସ୍ଥ ହିତାଧିକାରୀଙ୍କୁ ସେମାନଙ୍କ ଘରେ ଚାଉଳ, ଗହମ ପହଂଚାଇବା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ଯେପରି ଅଧିକ ସମାଗମ ନହୁଏ ସେପରି ବ୍ୟବସ୍ଥା କରିବାକୁ କୁହାଯାଇଛି। ବଣ୍ଟନ ସମୟରେ ହିତାଧିକାରୀଙ୍କ ବାୟୋମାଟ୍ରିକ୍ ନନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜଗତସିଂହପୁର ଜିଲ୍ଲାରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ୧୪୭୪୪୮ ପରିବାରର ୫୬୪୯୦୭ ସଦସ୍ୟଙ୍କ ନିମନ୍ତେ ପ୍ରତ୍ୟେକ ମାସପାଇଁ ୧୮୫୬୭.୨୯ କ୍ୱିଣ୍ଟାଲ ଚାଉଳ /୯୬୭୮.୦୬ କ୍ୱିଣ୍ଟାଲ ଗହମ ଓ ଅନ୍ତର୍ଦୋୟ ଅନ୍ନ ଯୋଜନାରେ ୧୮୪୩୫ ପରିବାରର ୬୮୩୮୨ ସଦସ୍ୟଙ୍କ ନିମନ୍ତେ ୬୮୪୫୨.୨୫ କ୍ୱିଣ୍ଟାଲ ଚାଉଳ, ଅନ୍ନପୁର୍ଣା ଯୋଜନାରେ ୬୦୪ଜଣ ହିତାଧିକାରୀଙ୍କ ନିମନ୍ତେ ୬୦.୪୦ କ୍ୱିଣ୍ଟାଲ ଚାଉଳ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ୧୪୬୯ ପରିବାରର ୫୧୦୦ ସଦସ୍ୟଙ୍କ ନିମନ୍ତେ ୨୫୫ କ୍ୱିଣ୍ଟାଲ ଚାଉଳ ଯୋଗାଣ କରାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।