Categories
ଆଜିର ଖବର ଜାତୀୟ ଖବର

ଚିତ୍ତୋଡଗଡ ଓ ରାଜସ୍ଥାନରେ ୭୦୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ତଥା ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତ୍ତୋଡଗଡ ଓ ରାଜସ୍ଥାନରେ ପ୍ରାୟ ୭୦୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରହିଛି ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ୍ ପାଇପ୍‌ଲାଇନ, ଆବୁ ରୋଡରେ ଏଚପିସିଏଲ୍‌ର ଏଲ୍‌ପିଜି ପ୍ଲାଣ୍ଟ, ଆଜମେର ଆଇଓସିଏଲ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାରଣ ସୁବିଧା, ରେଳବାଇ ଓ ସଡକ ପ୍ରକଳ୍ପ, ନାଥଦ୍ୱାରାରେ ପର୍ଯ୍ୟଟନ ସୁବିଧା ଓ କୋଟାରେ ଆଇଆଇଆଇସିର ସ୍ଥାୟୀ କ୍ୟାମ୍ପସ୍।

ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀରେ ଏସବୁ ପ୍ରକଳ୍ପର ଶୁଭାରମ୍ଭ ଓ ଉଦ୍‌ଘାଟନ ଏକ ବିରଳ ସଂଯୋଗ । ଗତକାଲି ସମଗ୍ର ଦେଶରେ ହୋଇଥିବା ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗତକାଲି  ଅନୁଷ୍ଠିତ ସ୍ୱଚ୍ଛତା କାର୍ଯ୍ୟକ୍ରମର ସଫଳତା ପାଇଁ ସେ ଦେଶବାସୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପରିଚ୍ଛନ୍ନତା, ଆତ୍ମନିର୍ଭରଶୀଳତା ଓ ପ୍ରତିଯୋଗିତାମୂଳକ ବିକାଶ ସମ୍ପର୍କରେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶର ସ୍ମୃତିଚାରଣ କରି କହିଥିଲେ ଯେ ବିଗତ ନ’ବର୍ଷ ଧରି ଭାରତ ଏହି ପଥ ଅନୁସରଣ କରି ଚାଲିଛି । ବାପୁଙ୍କ ଏହି ନୀତିର ପରିପ୍ରସାର ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି । ଆଜି ଯେଉଁ ୭୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ତାହା ଏହି ଉଦ୍ୟମର ଫଳ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ ଦେଶର ଗ୍ୟାସଭିତ୍ତିକ ଅର୍ଥନୀତିକୁ ସୁଦୃଢ କରିବାକୁ ସମଗ୍ର ଦେଶରେ ଗ୍ୟାସ ପାଇପ ଲାଗିନ ବିଛାଇବା କାମ ଅଭୂତପୂର୍ବ ଭାବେ ଚାଲିଛି । ପାଲି-ହନୁମାନଗଡ ସେକ୍ସନକୁ  ଆଜି ଲୋକାର୍ପିତ କରାଯାଇଛି । ଏହା ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ପାଇପ ଲାଇନର ଅଂଶ ବିଶେଷ । ଏହା ଫଳରେ ରାଜସ୍ଥାନରେ ଶିଳ୍ପାୟନ ବଢିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ମଧ୍ୟ ଲୋକଙ୍କୁ ରୋଷେଇ ପାଇଁ  ଗ୍ୟାସ ପାଇପ ଲାଇନ ଦେବାରେ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି କେତେକ ରେଳ ଓ ସଡକପଥର ଶୁଭାରମ୍ଭ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ମେୱାର ଅଞ୍ଚଳରେ  ସଡକ ଓ ରେଳପଥର ସୁବିଧା ସ୍ଥାନୀୟ ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ । ସେମାନଙ୍କ ଜୀବନ ସହଜ ହେବ । ଏହି ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କୋଟାରେ ନୂଆ ଆଇଆଇଆଇଟି କ୍ୟାମ୍ପସ୍ ପ୍ରତିଷ୍ଠା ଫଳରେ ଏହି ସହରରେ ଶିକ୍ଷା ଭିତ୍ତିଭୂମି ସୁଦୃଢ ହୋଇ ଏହା ଏକ ପ୍ରମୁଖ ଶିକ୍ଷା ହବ୍‌ରେ ପରିଣତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ ରାଜସ୍ଥାନର ଏକ ଗୌରବାଜ୍ଜ୍ୱଳ ଇତିହାସ, ବର୍ତ୍ତମାନର ପ୍ରଚୁର ସାମର୍ଥ୍ୟ ଓ ଭବିଷ୍ୟତର ଅପାର ସମ୍ଭାବନା ରହିଛି । ନାଥଦ୍ୱାର ପର୍ଯ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଜୟପୁର ଗୋବିନ୍ଦଦେବ ଜୀ ମନ୍ଦିର, ସିକରର ଖଟୁ ଶ୍ୟାମ ମନ୍ଦିର ଓ ରାଜସମନ୍ଦର ନାଥ ଦ୍ୱାରା ଟୁରିଷ୍ଠ ସର୍କିଟର ଏକ ଅଂଶ । ଏହା ରାଜସ୍ଥାନର ଗୌରବ ବୃଦ୍ଧି କରିବ ଏବଂ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବ ।

ଚିତ୍ତୋଡଗଡ ନିକଟସ୍ଥ ସୱରିୟା ସେଠ ମନ୍ଦିର ପ୍ରଭୁ କୃଷ୍ଣଙ୍କ ପାଇଁ ଉତ୍ସର୍ଗୀକୃତ । ଏହା ଏକ ଆଧ୍ୟାତ୍ମିକ ଓ ତୀର୍ଥକ୍ଷେତ୍ର । ଏହି ମନ୍ଦିରରେ ସୱରିୟା ସେଠ୍‌ଙ୍କ ପୂଜା କରିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଓ ଉପାସକ  ଆସିଥାନ୍ତି । ବ୍ୟବସାୟୀ ଗୋଷ୍ଠୀଙ୍କ ମଧ୍ୟରେ ସୱରିୟା ସେଠ୍‌ଙ୍କର ଭକ୍ତ ଓ ଅନୁଗାମୀଙ୍କ ସଂଖ୍ୟା ଅଧିôକ । ସ୍ୱଦେଶ ଦର୍ଶନ ଯୋଜନାରେ ଏହି ମନ୍ଦିରର ବିକାଶ କରାଯାଇ ଭକ୍ତଙ୍କ ନିମନ୍ତେ ଅଧିକ ସୁବିଧା ସୁଯୋଗ କରାଯାଇଛି । ମନ୍ଦିର ନିକଟରେ ଏକ ୱାଟର-ଲେଜର ଶୋ, ଏକ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଏକ ରଙ୍ଗଭୂମି  ଓ ଏକ ଅତ୍ୟାଧୁନିକ ଭୋଜନାଳୟ (କାଫେଟେରିଆ) ନିର୍ମାଣ କରାଯାଇଛି । ଏସବୁ ସୁବିଧା ସୁଯୋଗ ସେଠାକୁ ଯାଉଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଅଧିକ ସୁବିଧା ଯୋଗାଇବା ବୋଲି ପ୍ରଧାନମନ୍ତ୍ରୀ ଆଶବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜସ୍ଥାନର ବିକାଶକୁ କେନ୍ଦ୍ର ସରକାର ବିଶେଷ ଅଗ୍ରାଧିକାର ଦେଉଛନ୍ତି ।   ରାଜସ୍ଥାନରେ ଏକ୍ସପ୍ରେସ ସଡକ, ରାଜପଥ, ରେଳପଥ ଆଦି ଭିତ୍ତିଭୂମିକ ବିକାଶ କାମ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ ହେଉଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ସଡକ, ଅମୃତସର -ଜାମନଗର ଏକ୍ସପ୍ରେସ ସଡକ ଭଳି ପ୍ରକଳ୍ପ ରାଜସ୍ଥାନର ଲଜିଷ୍ଟିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ । ଉଦୟପୁର-ଜୟପୁର  ବନ୍ଦେ ଭାରତ ଟ୍ରେନ ଦୁଇ ସହରର ରେଳଯାତ୍ରୀଙ୍କ ସୁବିଧା ପାଇଁ ନିକଟରେ ଚଳାଚଳ ଆରମ୍ଭ କରିଛି ବୋଲି ସେ ସୂଚାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନର ଭାରତମାଳା ପ୍ରକଳ୍ପ ଦ୍ୱାରା ସବୁଠୁ ଅଧିକ ଲାଭବାନ ହେବ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ “ରାଜସ୍ଥାନ ଇତିହାସ ଆମକୁ ଶିକ୍ଷା ଦେଉଛି ଯେ ଆମେ ସାହସ, ଗୌରବ ଓ ବିକାଶ ସହିତ ଆଗକୁ ବଢି ପାରିବା ଉଚିତ ।” ଭାରତ ମଧ୍ୟ ଆଜି ସେଇ ନୀତିରେ ଗତି କରୁଛି । ସମସ୍ତଙ୍କ ଉଦ୍ୟମକ୍ରମେ ଆମେ ଏକ ବିକଶିତ ଭାରତ ଗଠନରେ ଲାଗିଛୁ । ଅତୀତରେ ଯେଉଁ ଅଞ୍ଚଳ ଓ ବର୍ଗ ଅନଗ୍ରସର ତଥା ଅବହେଳିତ ହୋଇ ରହିଥିଲେ  ସେ ସବୁର ବିକାଶକୁ ଭାରତ ସରକାର ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି ।

ଦେଶର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବିଗତ ପାଞ୍ଚବର୍ଷ ଧରି ଦେଶର ବିଭିନ୍ନ ‌ଅନଗ୍ରସର ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ସମ୍ପୃକ୍ତ ଜିଲ୍ଲାର ସାମାଜିକ ଓ ଆର୍ଥିକ ସ୍ଥିତି ବଦଳୁଛି । ମେୱାଡ ଓ ରାଜସ୍ଥାନ ଅଞ୍ଚଳର ଅନେକ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ବିକଶିତ ହେଉଛି । ଏବେ ଆକାଂକ୍ଷୀ ଜିଲ୍ଲାର ସଫଳତାକୁ ଦେଖି କେନ୍ଦ୍ର ସରକାର ଦେଶର ଅନଗ୍ରସର ବ୍ଲକଗୁଡିକୁ ବାଛି ସେସବୁର ବିକାଶ ପାଇଁ ପ୍ରୟାସ କରୁଛନ୍ତି । ଆଗକୁ ଏହି ଯୋଜନାରେ ରାଜସ୍ଥାନର ଅନେକ ବ୍ଲକ ସାମିଲ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଅନଗ୍ରସର ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସଶକ୍ତ/ସମର୍ଥ ଗ୍ରାମ କାର୍ଯ୍ୟକ୍ରମ  ଆରମ୍ଭ କରିଛନ୍ତି । ଦେଶର ସୀମାନ୍ତବର୍ତ୍ତୀ ଗ୍ରାମ ଯାହା ଦେଶର ଶେଷତମ ଗ୍ରାମ ଭାବେ ବିବେଚିତ ହୁଏ ସେଗୁଡିକୁ ପ୍ରଥମ ଗ୍ରାମର ମାନ୍ୟତା ଦେଇ ବିକଶିତ କରିବା କାମ ଆରମ୍ଭ ହୋଇଛି । ଏହି ଯୋଜନାରେ ରାଜସ୍ଥାନର ଅନେକ ସୀମାନ୍ତ ଗ୍ରାମ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପୃଷ୍ଠଭୂମି: ଗ୍ୟାସଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ମେହେଷଣା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ ପାଇପ ଲାଇନକୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପାଇପ୍ ଲାଇନ ୪୫୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସେହିଭଳି ଆବୁ ରୋଡଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ଏଲ୍‌ପିଜି ପ୍ଲାଣ୍ଟକୁ ଏଚ୍‌ପିସିଏଲ ୪୫୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛି । ଏଥିରେ ବର୍ଷକୁ ୮୬ଲକ୍ଷ ସିଲିଣ୍ଡର ଭର୍ତ୍ତି ହୋଇ ଗ୍ରାହକଙ୍କୁ ଯୋଗାଇ ଦେଇହେବ । ଏହା ଫଳରେ ଗ୍ୟାସ ପରିବହନ ପାଇଁ ଟ୍ରକ ଓ ଟ୍ୟାଙ୍କର ଯାତ୍ରା ବାର୍ଷିକ ୦.୭୫ ନିୟୁତ କିମି ହ୍ରାସ ପାଇବ । ଏହା ଦ୍ୱାରା ବର୍ଷକୁ ୦.୫ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ କମିବ। ପ୍ରଧାନମନ୍ତ୍ରୀ ମଧ୍ୟ ଆଇଓସିସିଏଲର ଅଜମେରସ୍ଥିତ ବଟଲିଂ ପ୍ଲାଣ୍ଟର ଅତିରିକ୍ତ ଭଣ୍ଡାର ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦରହ-ଝଲାୱାର-ତିନଧାର ସେକ୍‌ସନର ୪ଲେନ୍ ବିଶିଷ୍ଟ ରାସ୍ତା (ଜାତୀୟ ରାଜପଥ-୫୨)କୁ ଉଦ୍‌ଘାଟନ କରିଥିଲେ । ଏହି ରାସ୍ତା ୧୪୮୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । କୋଟା ଓ ଝଲାୱାଗ ଜିଲ୍ଲାର ଖଣିଜ ପଦାର୍ଥ ବାହାରକୁ ପରିବହନ କରିବାରେ ଏହି ରାସ୍ତା ବିଶେଷ ସହାୟକ ହେବ । ଏହାଛଡା ପ୍ରଧାନମନ୍ତ୍ରୀ ସୱାଇ-ମାଧୋପୁର ରାସ୍ତାର ରେଳବାଇ ଓଭରବ୍ରିଜ ଓ ଏହି ସଡକକୁ ଚାରିଲେନ କରିବାକୁ ଶିଳାନ୍ୟାସ କରିଛନ୍ତି । ଏହା ଫଳରେ ଏହି ସଡକରେ ଟ୍ରାଫିକ ଭିଡ ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ଆଜି ଯେଉଁ ସବୁ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ସେଥିରେ ରହିଛି ଚିତ୍ତୋଡଗଡ-ନିମୁଚ ରେଳପଥର ଦୋହରୀକରଣ ଏବଂ କୋଟା-ଚିତ୍ତେରାଗଡ ରେଳପଥର ବିଦ୍ୟୁତ୍‌କରଣ । ଏହି ଦୁଇ ପ୍ରକଳ୍ପ ପାଇଁ ମୋଟ ୬୫୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଫଳରେ ରାଜସ୍ଥାନରେ ପର୍ଯ୍ୟଟନ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

ସେହିପରି ନାଥଦ୍ୱାର ଠାରେ ସ୍ୱଦେଶ ଦର୍ଶନ ଯୋଜନାରେ ନିର୍ମିତ ପର୍ଯ୍ୟଟନ ଭିତ୍ତିଭୂମିକୁ ପ୍ରଧାନମନ୍ତ୍ରୀ ଆଜି ଉଦ୍‌ଘାଟନ କରିଛନ୍ତି । ସନ୍ଥ ବଲ୍ଲବାଚାର୍ଯ୍ୟଙ୍କ ଦ୍ୱାରା ପ୍ରବର୍ତ୍ତିତ ପୁଷ୍ଟିମାର୍ଗର ପ୍ରମୁଖ ପୀଠ ଭାବେ ନାଥଦ୍ୱାରା ପରିଚିତ ଏବଂ ସେଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଯାଇଥାନ୍ତି । ସେଠାରେ ଏକ ଆଧୁନିକ ସଂସ୍କୃତି କେନ୍ଦ୍ର ଓ ଇଣ୍ଟରପ୍ରିଟେସନ ସେଣ୍ଟର ନିର୍ମାଣ କରାଯାଇଛି । ସେହି କେନ୍ଦ୍ରରେ ଭକ୍ତ ଓ ତୀର୍ଥଯାତ୍ରୀମାନେ ପ୍ରଭୁ ଶ୍ରୀନାଥଜୀଙ୍କର ଜୀବନର ବିଭିନ୍ନ ଦିଗ ବିଷୟରେ ତଥ୍ୟ ଜାଣିବାକୁ ପାଇବେ । ପ୍ରଧାନମନ୍ତ୍ରୀ ମଧ୍ୟ କୋଟାଠାରେ ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ ଆଇଆଇଆଇଟିର ସ୍ଥାୟୀ କ୍ୟାମ୍ପସକୁ ଆଜି ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ।