Categories
ଆଜିର ଖବର ରାଜ୍ୟ ଖବର

ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କଲବଲ ଚିଲିକାବାସି

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁଦିନ ସାରା ରାଜ୍ୟରେ ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଲାଗି ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଖରାରେ ଲୋକମାନେ ଘରୁ ବାହାରି ପାରୁ ନଥିବାବେଳେ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।ସାଧାରଣ ଜନତାଙ୍କୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ବିତରଣ ଦାଇତ୍ୱ ଟିପିସିଓଡିଏଲ କମ୍ପାନୀକୁ ହସ୍ତାନ୍ତର କରିଥିଲେ।ମାତ୍ର ଉକ୍ତ କମ୍ପାନୀ ଦାୟିତ୍ବ ନେବା ଦିନଠାରୁ ଉପଭୋକ୍ତାଙ୍କ ନିଦ ହଜିଯାଇଛି।

କୌଣସି ଅଭିଯୋଗ ନେଇ ଅଭିଯୋଗକାରି ସ୍ଥାନୀୟ ଅଧିକାରୀ ତଥା ସମ୍ପୃକ୍ତ ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କଲେ କୋୖଣସି ଉତ୍ତର ମିଳୁନି। ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷା ଦେଉଛନ୍ତି ଏପରିକି ବୃଦ୍ଧ ବୃଦ୍ଧା, ଛୋଟ ଛୋଟ ଛୁଆ ଅବା ରୋଗୀମାନେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏସମ୍ବନ୍ଧରେ ଟିପିସିଓଡିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ ଅତ୍ୟଧିକ ଲୋଡ଼ ପାଇଁ ବିଦ୍ୟୁତ କାଟ ଗ୍ରୀଡ଼ କରୁଛି।ଏପର୍ଯ୍ୟନ୍ତ ଗ୍ରୀଡ଼ ତରଫରୁ ଆମକୁ କୌଣସି ସମୟ ସାରଣୀ ସୂଚନା ମିଳିନାହିଁ। କିନ୍ତୁ ଟିପିସିଓଡିଏଲ ପକ୍ଷରୁ ଗ୍ରୀଡ଼କୁ ଲେଟର କରାଯାଇଛି ଏବଂ ବିଦ୍ୟୁତ କାଟ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ଆସିଲେ ସର୍ବସାଧାରଣରେ ସୂଚନା ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି।