Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ବଡ ଆଶ୍ବସ୍ତି: ଭାରତରେ ଚୂଡ଼ାନ୍ତ ପରୀକ୍ଷା ଲାଗି ଅନୁମତି ଦେବ ୟୁକ୍ରେନ

ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ଏକ ବଡ଼ ଆଶ୍ଵସ୍ତି ପ୍ରଦାନ କରିବାକୁ ଯାଉଛି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁମତି ଦେବ। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ଏପ୍ରିଲ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିଲେ। ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ସେ ବୁଧବାର ଦିନ କହିଥିଲେ ଯେ, ବିଦେଶୀ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦେଶରେ ଚୂଡ଼ାନ୍ତ ପରୀକ୍ଷା ଦେବାକୁ ଅନୁମତି ଦେବ।

ଏମିନ୍ ଝାପରୋଭା କହିଛନ୍ତି ଯେ, ଗତ ବର୍ଷ ଋଷ ଆକ୍ରମଣ ପରେ ୟୁକ୍ରେନରୁ ଆସିଥିବା ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଭାରତରେ ସେମାନଙ୍କର ଅନ୍ତିମ କିମ୍ବା ଯୋଗ୍ୟତା ପରୀକ୍ଷା ଦେଇ ପାରିବେ। ସେ କହିଛନ୍ତି ଯେ, ୨ ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନକୁ ଫେରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶର ପଶ୍ଚିମ ଭାଗରେ ଥିବା ମେଡିକାଲ ବିଶ୍ୱବିଦ୍ୟାଳୟରେ ଅଛନ୍ତି। ଗତ ବର୍ଷ ଫେବୃଆରୀ ୨୪ ତାରିଖରେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଏମିନ୍ ଝାପରୋଭା ସେହି ଦେଶର ପ୍ରଥମ ନେତା, ଯିଏକି ଭାରତ ଗସ୍ତ କରିଥିଲେ।

ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ଏମିନ୍ ଝାପରୋଭା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସଞ୍ଜୟ ବର୍ମାଙ୍କ ମଧ୍ୟରେ ଆଲୋଚନା ହୋଇଛି। ୟୁକ୍ରେନରେ ଯୁଦ୍ଧ ହେତୁ ଏହି ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ବନ୍ଦ ହୋଇଯାଇଥିଲା। ବୁଧବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ୟୁକ୍ରେନ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ବିଦେଶୀ ଡାକ୍ତରୀ ଛାତ୍ରମାନଙ୍କୁ ୟୁକ୍ରେନ ନିଜ ଦେଶରେପରୀକ୍ଷା ଦେବାକୁ ଅନୁମତି ଦେବ।