Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଜଙ୍ଗଲୀ ହାତୀଙ୍କ ଆତଙ୍କରାଜ, ଭାଙ୍ଗିଦେଲେ ଏକାଧିକ ଘର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରକୁ ମୁହାଇଁଛନ୍ତି ଜଙ୍ଗଲୀ ହାତୀ। ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀଙ୍କ ଆତଙ୍କରାଜ। ଖବର ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଜଙ୍ଗଲୀ ହାତୀ ପଲ ଅରାଙ୍ଗ ଗ୍ରାମର ୩ ଗୋଟି ଘର ଭାଙ୍ଗିବା ସହ ଘରର ସମସ୍ତ ଆସବାବପତ୍ର ନଷ୍ଟ କରିଦେଇଛନ୍ତି।

ତେବେ ଗତ କିଛି ଦିନ ହେବ ଟାଙ୍ଗୀରୁ ବାଣପୁର ଆଡକୁ ମୁହାଁଉଛନ୍ତି ଜଙ୍ଗଲୀ ହାତୀ ପଲ। ସାଧାରଣ ଗରିବ ଲୋକଙ୍କ ଧନଜୀବନ ହାନି ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ଏକାନ୍ତ ଜରୁରୀ ହୋଇଉଠିଛି। ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ, ହାତୀ ପଲ ୩ ଗୋଟି ଘର ଭାଙ୍ଗିଥିବା ସେ କହିଛନ୍ତି।

ସେହିପରି ଭାବେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ବନବିଭାଗ ପହଞ୍ଚିଛି। ଏବଂ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ନିକଟକୁ କାଗଜପତ୍ର ପଠାଇଦେଇଥିବାର କହିଛନ୍ତି ଶ୍ରୀ ମହାନ୍ତି। ତେବେ ହାତୀଙ୍କୁ ଘଉଡ଼ାଇବା ନିମନ୍ତେ ବନବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ୨୪ ଘଣ୍ଟିଆ ପାଟ୍ରୋଲିଂରେ ନିୟୋଜିତ କରାଯାଇଥିବା ବେଳେ ଜଙ୍ଗଲୀ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବାର କହିଛନ୍ତି ବାଲୁଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି।