Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌’

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟି ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ସ୍ଥାନୀୟ ଖାରବେଳ ଭବନ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁବେଳେ ଜୈବବିବିଧତା, ବନ୍ୟଜନ୍ତୁ ଓ ଜଳସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ । ରାଜ୍ୟର ବନ୍ୟଜନ୍ତୁ ଓ ସେମାନଙ୍କ ବାସସ୍ଥାନର ଉପଯୁକ୍ତ ସୁରକ୍ଷା ପାଇଁ ଓଡ଼ିଶାରେ ୧୯ଟି ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି । ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଥିଲେ ।

ଜିଆଇଜେଡ୍‌ ଭିତରକନିକାକୁ ପ୍ରମୁଖ ରାମସାର୍‌ ସାଇଟ୍‌ ଭାବରେ ଚୟନ କରିଛି । ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଭିତରକନିକା ରାମସାର୍‌ ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ବାୟୋଲୋଜିକାଲ ଆକଳନ ଉପରେ ଏକ ଅଧ୍ୟୟନ କରିଥିଲା । ଦୀର୍ଘକାଳୀନ ତଥ୍ୟରୁ ସର୍ବେକ୍ଷଣ ଓ ବିଶ୍ଳେଷଣ କରି ଜଳର ଗୁଣାତ୍ମକ ମୂଲ୍ୟାଙ୍କନ ଓ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ ପ୍ରସ୍ତୁତି ପାଇଁ ହାଇଡ୍ରୋଲୋଜିକାଲ୍‌ ବ୍ୟବସ୍ଥା ଏବଂ ମନିଟରିଂ ପାରାମିଟରଗୁଡ଼ିକୁ ନିଶ୍ଚିତ କରିବା ପାଇଁ ସିଡିଏ ସୁପାରିଶ କରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଥିବାବେଳେ ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ ଏ ବିଷୟରେ ଅତିଥିମାନଙ୍କୁ ବିଶେଷ ଅବଧାରଣା ଦେଇଥିଲେ ।

ରାଜ୍ୟର ଜୈବ ସମ୍ବଳର ସଂରକ୍ଷଣ ପାଇଁ ସରକାର ୭୨୫୬ଟି ଜୈବବିବିଧତା ପରିଚାଳନା କମିଟି ଗଠନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୧-୨୦୩୦ ବର୍ଷ ପାଇଁ ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ବିସ୍ତୃତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଓ ବନ୍ୟଜନ୍ତୁ ସଂରକ୍ଷଣ, ଜଳ ଓ ଏହାର ମାନର ସଂରକ୍ଷଣ ଆଦି ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି । ଏଗୁଡ଼ିକୁ ସଂରକ୍ଷିତ କରିବାକୁ ହେଲେ ପୃଥିବୀର ପ୍ରତ୍ୟେକଟି ଦେଶ ମଧ୍ୟରେ ସମନ୍ୱୟ ଦରକାର ବୋଲି ଜର୍ମାନ ସରକାରଙ୍କ ପରିବେଶ ସଂସଦୀୟ କମିଟିର ପ୍ରତିନିଧିମାନେ ପ୍ରକାଶ କରିଥିଲେ । ଆକାଶମାର୍ଗରୁ ଓଡ଼ିଶାର ନଦନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଭୋର କରିଛି ବୋଲି ସେମାନେ ପ୍ରକାଶ କରିଥିଲେ ।

ଜୈବବିବିଧତା, ବନ୍ୟଜନ୍ତୁ, ହେନ୍ତାଳବଣର ସୁରକ୍ଷା ଓ ସଂରକ୍ଷଣ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଓଡ଼ିଶା ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି । ବନ ସୁରକ୍ଷା ସମିତିମାନେ ଏ ଦିଗରେ ରାଜ୍ୟ ସରକାରଙ୍କୁ ସମୁଚିତ ସହଯୋଗ କରିଆସିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣରେ ପ୍ରକାଶ କରିଥିଲେ । ଭିତରକନିକା ରାମସାର ସାଇଟ୍‌ର ସମନ୍ୱିତ ପରିଚାଳନା ପାଇଁ ହାଇଡ୍ରୋ-ଇକୋଲୋଜିକାଲ୍‌ ଆକଳନର ଆବଶ୍ୟକତା ଉପରେ ଚିଲିକା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ ବିସ୍ତୃତ ଅବଧାରଣା ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡ. କେ. ମୁରୁଗେସାନ୍‌ ଧନ୍ୟବାଦ ଦେବା ସହ ବୈଠକ ପରିଚାଳନା କରିଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶୀଲ କୁମାର ପୋପ୍‌ଲି, ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ ଓ ଜର୍ମାନ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।
ପ୍ରତିନିଧିମାନେ ଆସନ୍ତାକାଲି ଭିତରକନିକା ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।