Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିନରେ କଳାକନା ବୁଲାଇଲେ ଡକାୟତି: ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ୮୦ ହଜାର ଲୁଟ୍‌

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ଦିନ ବେଳେ ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳ ପ୍ରାୟ ୧୦ ଟାରେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୂଜାଲୀ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଚୁପକା-ତ୍ରିବଣପୁର ରାସ୍ତାରେ ଏଭଳି ଏକ ଅଭାବନୀୟ ଘଟନା ଘାଟିଯାଇଛି।

ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତ ଅନ୍ତର୍ଗତ ଚୁପକା ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ବ୍ୟକ୍ତି ତ୍ରିବଣପୁର ଗ୍ରାମ ଠାରେ ଥିବା ସେଂଟ୍ରାଲ୍ ବ୍ୟାଙ୍କର ଏକ ସହଜ ଜନ ସେବା କେନ୍ଦ୍ରରେ କାମ କରୁଛନ୍ତି। ସବୁ ଦିନ ପରି ସେ ଦିନ ମଧ୍ୟ ଜିତେନ୍ଦ୍ର ନିଜ ଗ୍ରାମ ଚୁପକା ଗ୍ରାମରୁ ବୁଧବାର ସକାଳ ପ୍ରାୟ ୧୦ ଟା ୩୦ ରେ  ବାହାରି  ବାଇକରେ  ତ୍ରିବଣପୁର ଯାଉଥିଲେ। ବାଇକରେ ଯାଉଥିବା ବେଳେ ରାସ୍ତାର କୁମ୍ଭାରମୁଣ୍ଡା ନିକଟରେ ଏକ କଳା ରଙ୍ଗର ପଲସର ଓ ଏକ ଆପାଚି ଗାଡିରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ  ପ୍ରଥମେ ବନ୍ଧୁକ ଓ ଭୁ୍‌ଜାଲି ଦେଖାଇ ଭୟଭୀତ କରାଇଥିଲେ।

ପରେ ତାଙ୍କ ପାଖରେ ଥିବା ଗୋଟିଏ ଲାପଟପ, ୨ ଟି ମୋବାଇଲ, ସ୍ୱାଇପ୍ ମେସିନ୍, ପାନ କାର୍ଡ, ଏଟିଏମ୍ କାର୍ଡ, ୮୦ ହଜାର ଟଙ୍କା ଆଦି ଲୁଟି ନେଇଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ଏଏସ୍‌ଆଇ ତ୍ରିବେଣୀ ପ୍ରଧାନ ପ୍ରମୁଖ ସଦଳ ବଳେ ଯାଇ ତଦନ୍ତ ଜାରି ରଖିଛନ୍ତି।

ଦିନକୁ ଦିନ ରେଢାଖୋଲ ଅଂଚଳରେ ଚୋରି ଡକାୟତି ଭଳି ଘଟଣା ଘଟିବାରେ ଲାଗିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ପୋଲିସ୍ ପାଖରୁ ଲୋକମାନଙ୍କର ଆସ୍ଥା ତୁଟିଯାଉଥିବା ଲୋକମାନେ ପ୍ରକାଶ କରିଛନ୍ତି। ରାତ୍ରକାଳିନ ପେଟ୍ରୋଲିଙ୍ଗକୁ କଡାକଡି କରିବାକୁ ଅଂଚଳବାସୀ ଦୃଢ ଦାବୀ କରିଛନ୍ତି।