Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜମିବାଡି କଳହରୁ ହତ୍ୟାକାଣ୍ଡ: ବଡ ଭାଇର ଟାଙ୍ଗିଆ ଚୋଟରେ ମଝିଆ ଭାଇର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଗୋଟିଏ ଗର୍ଭରୁ ଜନ୍ମିତ ଭାଇ ଯେ ଦିନେ ନିଜର ସାନ ଭାଇକୁ ହତ୍ୟା କରିବ ଏ କଥା କେବେ ବିଶ୍ୱାସ ଯୋଗ୍ୟ ହେଉ ନ ଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ। ନିଜର ବଡଭାଇ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଭଳି ଘଟଣା ଘଟି ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଗାଁ ଛକ ପାଖରେ ସାନ ଭାଇ ଅଶୋକ ପ୍ରାଧାନ (୩୮) ଠିଆ ହୋଇଥିବା ସମୟରେ ହଠାତ୍ ଏକ ଟାଙ୍ଗିଆରେ ବଡ ଭାଇ ଅର୍ଜ୍ଜୁନ ପ୍ରଧାନ ଅତର୍କିତ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ଅଶୋକ ପ୍ରଧାନ ମୃତ୍ୟୁ ବରଣ କରିଥିଲେ। ଅଭିଯୁକ୍ତକୁ ଗାଁ ଲୋକେ କାବୁ କରି ନାକଟିଦେଉଳ ଥାନାକୁ ଖବର ଦେବା ପରେ ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ , ନାକଟିଦେଉଳ ଥାନାର ଥାନାଧିକାରୀ ଅନୁପସ୍ଥିତ ଥିବା ବେଳେ କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ପ୍ରମୁଖ ସଦଳ ବଳ ଜାମୁଯୋରୀ ଗ୍ରାମକୁ ଯାଇଥିଲେ। ଅର୍ଜ୍ଜୁନ ପ୍ରଧାନଙ୍କୁ ପୋଲିସ୍ ଗିରଫ କରି ନାକଟିଦେଉଳ ଥାନାକୁ ଆଣିଥିଲା।

ଆଜି ପୂର୍ବାହ୍ନରେ ସମ୍ବଲପୁରରୁ ସାଇନ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରି ଫେରିଯାଇଛନ୍ତି। ଏହା ଏକ ଜମିବାଡି ବିବାଦ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ୍ କହିଛି। ସେପଟେ ଅଭିଯୁକ୍ତ ପ୍ରଚୁର ମଦ୍ୟପାନ କରି ଏହି ହତ୍ୟାକାଣ୍ଡ କରିଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଏକ କେସ୍ ରୁଜୁ କରି ଏହାର ତଦନ୍ତ କରୁଥିବା ଜଣା ପଡିଛି। ପୋଲିସ୍ ମୃତ ଶବକୁ ରେଢାଖୋଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।