Categories
ଆଞ୍ଚଳିକ

ଆସୁଛି ବାତ୍ୟା!, ଜଳବନ୍ଦୀରେ ରହିବ ବାଣପୁର, ପ୍ରଶାସନର କାଦୁଅ ଫିଙ୍ଗା ନୀତିରୁ କେବେ ମୁକ୍ତି ପାଇବେ ଜନତା?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହର ସତେ ଯେମିତି ପ୍ରଶାସନ ପାଇଁ ଅଲୋଡ଼ା ହୋଇପଡିଛି। ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀ ମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି। ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି।

ତେବେ ଗସ୍ତ ସମୟରେ ସହରର ଜଳବନ୍ଦୀ ସମସ୍ୟା କାହାକୁ ନଦିଶିବା ସହଜରେ ହଜମ ହେଉନି। ଏଠି ସ୍ଥାନୀୟ ପ୍ରଶାସନ କଥା ନକହିବା ଭଲ। ଏଠି କାହାର କାହା ସହ ତାଳ ମେଳ ରହୁନି। ସବୁ କଥାରେ ପୂର୍ତ୍ତ ବିଭାଗ ଏନଏସି କୁ ଦୋଷ ଦେଉଥିବାବେଳେ ଏନଏସି ମଧ୍ୟ ଅନୁରୂପ ଭାବେ ସମାନ ଆରୋପ ଲଗାଉଛି। ତେବେ ଏଥିରେ ଖୋଦ ତହସିଲଦାର ମଧ୍ୟ ଚୁପ।

ଯଦି ତହସିଲଦାର ଚାହିଁବେ, ତେବେ ସମସ୍ୟାର ସମାଧାନ ହୋଇପାରନ୍ତା। କିନ୍ତୁ ତାଙ୍କର ବି ସେମିତି ଆଖି ଦୃଶିଆ ପଦକ୍ଷେପ ଦେଖାଯାଉନି। ଆମେ ଏଠି କହୁଛୁ ବାଣପୁର ଏନଏସି ଅନ୍ତର୍ଗତ ଚିଆଁକ ସାହି ଛକଠାରୁ ବାଣପୁର ଥାନା ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା କଥା।

ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ପୂର୍ତ୍ତ ବିଭାଗ ଉପରେ ବର୍ତ୍ତମାନ ଭାରି ପଡୁଛନ୍ତି ଜନୈକ ଠିକାଦାର ମହାଶୟ। ବିଭାଗୀୟ ଅଧିକାରୀଙ୍କ କହିବା କଥା ଠିକାଦାର ଆମ କଥା ଶୁଣୁନାହାନ୍ତି, ଯାହାଦ୍ୱାରା ଉକ୍ତ ରାସ୍ତାରେ ପାଣି କଟିବା ପାଇଁ ଅସ୍ଥାୟୀ ଡ୍ରେନେଜ ହେଇପାରୁନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଠିକାଦାର କିପରି ଏତେ ବଡ଼ ସରକାରୀ ବିଭାଗ ଉପରେ ଭାରି ପଡୁଛନ୍ତି? କଣ ପାଇଁ ବିଭାଗ ଠିକାଦାରଙ୍କ ଉପରେ କାର୍ଯ୍ୟରେ ଅବହେଳା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ? ବିଗତ ଦିନରେ ବାରମ୍ବାର ଗଣମାଧ୍ୟମରେ ଖବର ବାଜିବା ପରେ ଗତ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷାଜଳ ନିଷ୍କାସନ ନିମନ୍ତେ ପାଣ୍ଡିରୀପଦର ଛକରୁ ସାରଳା ବିହାର କେନାଲ ଯାଏଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲା।

କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ଡ୍ରେନକୁ ପୁଣି ସ୍ଥାନୀୟ ବାସିନ୍ଦାମାନେ ନିଜ ସ୍ୱାର୍ଥଲାଗି ପୋତିଦେଲେଣି। ଯାହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା କଥା ଉକ୍ତ ୨୮୦ ମିଟର ଲମ୍ବ ଅସ୍ଥାୟୀ ଡ୍ରେନର ବଜେଟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।

ତେବେ ଆଜି ରାତ୍ରିରୁ ସାମ୍ଭାବ୍ୟ ବାତ୍ୟା ‘ଜୱାଦ’ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ କହିଥିବା ବେଳେ ପୁଣି ବାଣପୁର ସହର ଜଳମଗ୍ନ ହେବ ଏଥିରେ ସନ୍ଦେହ ନାହିଁ। ପୁଣି ପୂର୍ତ୍ତବିଭାଗ ମୁକ ପାଲଟିବ ଏବଂ କହିବ ବର୍ଷା ଛାଡିଲେ ଅସ୍ଥାୟୀ ଡ୍ରେନ ନିର୍ମାଣ କାର୍ଯ୍ୟ କରାହେବ। ବିଗତ ଛଅ ମାସରୁ ପୂର୍ତ୍ତବିଭାଗ ଏହି ଗୋଟାଏ ସଂଳାପ କହୁଥିବାବେଳେ ଏପର୍ଯ୍ୟନ୍ତ ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନକରିବା ନିନ୍ଦନୀୟ।

ଖୋଦ ଜିଲ୍ଲାପାଳ ମହୋଦୟ ଗତ ମାସରେ ବାଣପୁର ଗସ୍ତରେ ଆସିଥିବା ବେଳେ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇଦେଉଛନ୍ତି। ବାତ୍ୟା ପୂର୍ବରୁ ପୂର୍ତ୍ତବିଭାଗ ଓ ଏନଏସି ପ୍ରଶାସନ ଯଦି ଆଗୁଆ ପଦକ୍ଷେପ ସ୍ୱରୂପ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନକରନ୍ତି ତେବେ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ବାଣପୁର ସହର ପୁଣି ଏକ ଜଳାଶୟରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ।

Categories
ଆଞ୍ଚଳିକ

ସାମାନ୍ୟ ବର୍ଷାରେ ଜଳବନ୍ଦୀ ବାଣପୁର ସହରବାସୀ: କୁମ୍ଭକର୍ଣ୍ଣ ନିଦ୍ରାରେ ପି.ଡବ୍ଲୁ.ଡ଼ି ବିଭାଗ

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ ପରି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ସକାଳ ପାଖାପାଖି ଅଧ ଘଣ୍ଟା ବର୍ଷା ହେବା ଫଳରେ ବାଣପୁର ବଜାର ରାସ ମଣ୍ଡପ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଜମି ରହିଥିଲା ଫୁଟେ ଫୁଟେ ପାଣି। ପାଣି ସାହି ଛକରୁ ଗାଲୁଆ ଛକ ଏବଂ ପାଣ୍ଡିରିପଦର ଛକରୁ ଚିଆଁଙ୍କସାହି ଛକ ଯାଏଁ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ପାଣି। ଯାହାଫଳରେ ଦୀର୍ଘ ଘଣ୍ଟା ପାଇଁ ଅଞ୍ଚଳବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଯାଇଥିଲେ।

ତେବେ ପାଣି ସାହି ଠାରୁ ଗାଲୁଆ ଛକ ମଧ୍ୟରେ ବାଣପୁର ଥାନା, ମେଡିକାଲ, ଏନ.ଏ.ସି କାର୍ଯ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ନେହେରୁ ସେବା ସଙ୍ଘ ପରି ବହୁ ଗୁରୁତ୍ୱପୂର୍ଣ ଅନୁଷ୍ଠାନ ଅବସ୍ଥାପିତ ହୋଇଥିବାବେଳେ ସେପଟେ ଚିଆଁଙ୍କସାହି ଛକଠାରୁ ଅନତିଦୂରରେ ବାଣପୁର ବ୍ଲକ, ତହସିଲ, ସବ ରେଜିଷ୍ଟର କାର୍ଯ୍ୟାଳୟ, କୋର୍ଟ ଆଦି ବହୁ ଗୁରୁତ୍ୱପୂର୍ଣ ସରକାରୀ କାର୍ଯ୍ୟାଳୟ ଅବସ୍ଥିତ। ଏହା ସତ୍ତ୍ୱେ ସରକାରୀ ବାବୁମାନଙ୍କୁ ଅବା ବିଭାଗୀୟ ଅଧିକାରୀଙ୍କୁ ଏପରି ଗୁରୁତର ସମସ୍ୟା କିପରି ଦେଖାଯାଉନାହିଁ ? ଆଜି ବୋଲି ନାହିଁ ଦୀର୍ଘ ବର୍ଷ ହେଲା ଏପରି ସମସ୍ୟା ସହରରେ ଲାଗିରହିଛି ଏବଂ ଅଭିଯୋଗ ମଧ୍ୟ ହେଉଛି ତଥାପି ପ୍ରଶାସନ ସବୁ ଜାଣି ନ ଜାଣିଲା ପରି ରହୁଛି।

ଘଣ୍ଟା ଘଣ୍ଟା ଧରି ବର୍ଷା ଜଳ ମୁଖ୍ୟ ରାସ୍ତାରେ ଜମିରହିବାରୁ ଛୋଟ ବଡ଼ ଦୁର୍ଘଟଣା ହେବା ସହ ଜନସାଧାରଣମାନେ ଉକ୍ତ ଜଳ ମଧ୍ୟ ଦେଇ ଯାତାୟାତ କରିବାରୁ ବିଭିନ୍ନ ରୋଗର ମଧ୍ୟ ଶିକାର ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ବ୍ୟାପିବା ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କ ଜୀବନକୁ ଗୁରୁତ୍ୱ ଦେଇ ସଫା ସୁତୁରା ରହିବାକୁ ବାରମ୍ବାର ଡିଣ୍ଡିମ ପିଟୁଥିବା ବେଳେ ଏଠି ପି.ଡବ୍ଲୁ.ଡ଼ି ପ୍ରଶାସନର ଦାଇତ୍ୱହୀନତା ଓ ଅପାରଗତା ପଦାରେ ପଡ଼ିଛି।

ଏ ନେଇ ଆମ ପ୍ରତିନିଧି ପି.ଡବ୍ଲୁ.ଡ଼ି ସହକାରୀ ଯନ୍ତ୍ରୀ, ଟାଙ୍ଗୀ ପ୍ରଭାକର ଚୌଧୁରୀଙ୍କୁ ପଚାରିବାରୁ ସେ ଉକ୍ତ ଅଭିଯୋଗ ପୂର୍ବରୁ ତାଙ୍କ ନିକଟକୁ ଆସିନଥିବାର ପ୍ରକାଶ କରିଥିଲେ।  ଏହା ସହ ସହର ମୁଖ୍ୟ ରାସ୍ତାରେ ମାତ୍ରା ଚାରି ଶହ ମିଟର ଡ୍ରେନେଜ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ଏବଂ ଆଗକୁ ବର୍ଷା ଦିନପରେ ଡ୍ରେନେଜ ନିର୍ମାଣ କାମ ଆରମ୍ଭ ହେବା ସହ ଡ୍ରେନେଜ ନିର୍ମାଣ ହେବା ସ୍ଥାନ ଗୁଡ଼ିକରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଚିଠି ମଧ୍ୟ ଲେଖିଛନ୍ତି।

ହେଲେ ବର୍ତ୍ତମାନ ସମୟରେ ଲଘୁଚାପ ଜନିତ ବର୍ଷା ଲାଗିରହୁଛି। ଏପରିକି ଆଗକୁ ବାତ୍ୟାର ସମ୍ଭାବନା ଥିବାରୁ ଯଥାଶୀଘ୍ର ଜଳ ନିଷ୍କାସନ ପାଇଁ କି ପଦକ୍ଷେପ ନେବେ ବୋଲି ଆମ ପ୍ରତିନିଧି ପଚାରିଥିଲେ। ଖୁବ ଶୀଘ୍ର ସହରରେ ପ୍ରାଥମିକ ପର୍ଯ୍ୟାୟରେ ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ଠିକା ନେଇଥିବା ଜନୈକ ଏଜେନସିକୁ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଶ୍ରୀ ଚୌଧୁରୀ ଉତ୍ତର ରଖିଥିଲେ।