Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୫ଜି ସେବା ଭାରତର ଜାତୀୟ ପ୍ରାଥମିକତା ହେବା ଦରକାର: ମୁକେଶ ଅମ୍ବାନି

ଭୁବନେଶ୍ୱର: ଯେତେ ଶୀଘ୍ର ସମ୍ଭବ ଭାରତକୁ ୨ଜିରୁ ୪ଜି ଓ ୫ଜିକୁ ରୂପାନ୍ତରିତ ହେବାକୁ ପଡ଼ିବ। ସାମାଜିକ-ଅର୍ଥନୈତିକ ଦୃଷ୍ଟିକୋଣରୁ ତଳ ସ୍ତରରେ ବାସ କରୁଥିବା ନିୟୁତାଧିକ ଭାରତୀୟଙ୍କୁ ୨ଜି ମଧ୍ୟରେ ସୀମିତ ରଖିବାର ଅର୍ଥ ସେମାନଙ୍କୁ ଡିଜିଟାଲ୍ ବିପ୍ଳବରୁ ବଂଚିତ କରିବା ସହ ସମାନ। ୫ଜି ସେବା ଆରମ୍ଭ କରିବା ଭାରତର ଜାତୀୟ ପ୍ରାଥମିକତା ହେବା ଉଚିତ ବୋଲି ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୧ କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି।

ଜିଓ ଏକ ସମ୍ପୂର୍ଣ୍ଣ ୧୦୦% ସ୍ୱଦେଶୀ ଓ ବ୍ୟାପକ ୫ଜି ସମାଧାନ ବିକଶିତ କରିଛି ଯାହା ସମ୍ପୂର୍ଣ୍ଣ ରୂପେ କ୍ଲାଉଡ୍ ଉପରେ ପର୍ଯ୍ୟବେସିତ ଓ ଡିଜିଟାଲ୍ ମାଧ୍ୟମରେ ପରିଚାଳିତ ହେଉଛି। ଏହା ଏକ ସମନ୍ୱିତ ଓ ଭବିଷ୍ୟତ ପାଇଁ ଉପଯୋଗୀ ଢାଂଚା ହୋଇଥିବାରୁ ଜିଓର ନେଟ୍‌ୱର୍କ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ୪ଜିରୁ ୫ଜିକୁ ରୂପାନ୍ତରିତ ହୋଇପାରିବ ବୋଲି ସେ କହିଛନ୍ତି।

ଭାରତରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ହୋଇଥିବା ଉଲ୍ଲେଖନୀୟ ଦ୍ରୁତ ବୃଦ୍ଧିର ପ୍ରମୁଖ ବାହକ ଥିଲା ସୁଲଭତା। ଆମେ ଯେତେବେଳେ ନୀତି ଦୃଷ୍ଟିରୁ ସୁଲଭତା କଥା କହିବା ଆମକୁ କେବଳ ସେବାର ସୁଲଭତା ଉପରେ ବିଚାର କରିବାକୁ ହେବ। ପ୍ରକୃତରେ ଭାରତକୁ କେବଳ ସେବାର ସୁଲଭତା ନୁହେଁ ବରଂ ଡିଭାଇସ୍ ଓ ପ୍ରୟୋଗର ସୁଲଭତାକୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି ମୁକେଶ କହିଛନ୍ତି। ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଖରେ ଡିଭାଇସ୍ ପହଂଚାଇବା ଲାଗି ୟୁନିଭର୍ସାଲ୍ ସର୍ଭିସ୍ ଅବ୍ଲିଗେସନ ଫଣ୍ଡ୍ (ୟୁଏସ୍‌ଓଏଫ୍‌)ର ପାଣ୍ଠି ବ୍ୟବହାର କରିବା ସପକ୍ଷରେ ସେ ମତ ପ୍ରକାଶ କରିଛନ୍ତି। ସମାଜରେ ପଛୁଆ ବର୍ଗର ଲୋକମାନଙ୍କୁ ଡିଜିଟାଲ୍ ଅଭିବୃଦ୍ଧି ଧାରାରେ ସାମିଲ କରିବା ପାଇଁ ଏମାନଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଡିଭାଇସ୍ ଉପଲବ୍ଧ କରାଇବା ଜରୁରୀ ବୋଲି ସେ କହିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ସିଏମଡି ଶ୍ରୀଯୁକ୍ତ ଅମ୍ବାନି ଏହି ଅବସରରେ କହିଛନ୍ତି ଯେ ଫାଇବର୍‌ରେ ଅସୀମିତ ଡାଟା ଧାରଣ କ୍ଷମତା ରହିଛି। ତେଣୁ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବା ପାଇଁ ଭାରତକୁ ଫାଇବର୍ ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ। ଏଭଳିକି କୋଭିଡ୍ ସମୟରେ ଜିଓ ପକ୍ଷରୁ ୫ ନିୟୁତ ଘରକୁ ଫାଇବର୍ ଟୁ ହୋମ୍ ସଂଯୋଗ ପ୍ରଦାନ କରାଯାଇଥିଲା। ଯଦି ଶିଳ୍ପର ସବୁ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ ତେବେ ଆମେ ଗତ ଦଶନ୍ଧୀରେ ଯେଭଳି ମୋବାଇଲ୍ ଟେଲିଫୋନ୍ ସେବାକୁ ଦେଶର କୋଣ ଅନୁକୋଣରେ ପହଂଚାଇଥିଲେ ସେହିଭଳି ଦ୍ରୁତ ଗତିରେ ସାରା ଦେଶରେ ଫାଇବର୍‌କୁ ପହଂଚାଇବା ଲକ୍ଷ୍ୟ ହାସଲ କରିବା।

ଭାରତୀୟମାନେ ପ୍ରଯୁକ୍ତିକୁ ବଡ଼ ଉତ୍ସାହର ସହ ଗ୍ରହଣ କରିଛନ୍ତ। କୋଭିଡ୍ ମୁକାବିଲା ଲାଗି ଲଗାଯାଇଥିବା ଲକ୍‌ଡାଉନ୍ ଆମକୁ ଦୋହଲାଇ ଦେଇଥିବା ବେଳେ ପ୍ରଯୁକ୍ତି ହିଁ ଆମକୁ ବଂଚାଇଥିଲା ଏବଂ ଜୀବନଜୀବିକାକୁ ସୁରକ୍ଷିତ ରଖିଥିଲା ବୋଲି ମୁକେଶ ଅମ୍ବାନି କହିଛନ୍ତି।

ସୂଚନାଯୋଗ୍ୟ ଯେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ ୨୦୨୧ ଭର୍ଚୁଆଲ୍ ମୋଡ୍‌ରେ ଆଜି ଠାରୁ (ବୁଧବାର) ଆରମ୍ଭ ହୋଇଛି ଓ ଏହା ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।