Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ପ୍ରେସ୍‌ ଦିବସ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ଗଣମାଧ୍ୟମ ପାଇଁ ବଡ ଆହ୍ବାନ

ଭୁବନେଶ୍ବର: ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥା। ଏହା ବ୍ୟତୀତ ପ୍ରେସ୍‌ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏ। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍‌ର ବଡ଼ କର୍ତ୍ତବ୍ୟ। ସେଥିପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିଥାଏ।

ଆଜିର ଦିନଟିକୁ ସାରା ଦେଶରେ ଜାତୀୟ ପ୍ରେସ୍‌ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍‌ କାଉନ୍‌ସିଲ୍‌ର ଭୂମିକା ମହତ୍ତ୍ୱପୂର୍ଣ୍ଣ। ପ୍ରେସ୍‌ର ସ୍ୱାଧୀନତା, ଦାୟିତ୍ୱ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି।

ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମଲ୍ଲିକ ଏହା ପ୍ରକାଶ କରିଛନ୍ତି।

ଜାତୀୟ ପ୍ରେସ୍‌ ଦିବସ ଅବସରରେ ଆୟୋଜିତ ‘କୃତି୍ରମ ବୁଦ୍ଧିମତା ସମୟରେ ଗଣମାଧ୍ୟମ’ ଶୀର୍ଷକ ସେମିନାରକୁ ଉଦ୍‌ଘାଟନ କରି ସୂଚନା ଓ ଲୋକସଂପର୍କ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କହିଲେ ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗ୍‌ଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ସମାଜକୁ ଉନ୍ନତି ଓ ପ୍ରଗତି ପଥରେ ଆଗେଇନେବା ପାଇଁ ଗଣମାଧ୍ୟମ ସବୁବେଳେ ପ୍ରୟାସରତ।

ସାରା ଦେଶରେ ସାମ୍ବାଦିକମାନଙ୍କ ପାଇଁ କଲ୍ୟାଣ ଯୋଜନା ଲାଗୁ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ମିଳୁଥିବା ୨ ଲକ୍ଷ ଟଙ୍କାକୁ ୫ ଲକ୍ଷ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ସାମ୍ବାଦିକମାନଙ୍କର ସୁବିଧା-ଅସୁବିଧା ସଂପର୍କରେ ସରକାର ସଚେତନ ଅଛନ୍ତି।

ଆଜି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ବା କୃତି୍ରମ ବୁଦ୍ଧିମତା ସାମ୍ବାଦିକତା କ୍ଷେତ୍ରରେ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ତେବେ ଆମକୁ ପରବର୍ତ୍ତିତ ସମୟରେ ଟେକ୍‌ନୋଲୋଜିର ବ୍ୟବହାର ସହ ପାରମ୍ପରିକ ପଦ୍ଧତିରେ କାର୍ଯ୍ୟ କରିବାକୁ ପଡ଼ିବ। ଆମେ କେବେହେଲେ ସଂପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ଓ ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ, ଅଶୋକ ପଣ୍ଡା, ରମେଶ ଚନ୍ଦ୍ର ମହାନ୍ତି, ଭାଗବତ ତ୍ରିପାଠୀ, ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ସେମିନାରରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ଡ. ସୁପ୍ରିତା ପାଲିତ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ରେଢାଖୋଲ: ସାମ୍ବାଦିକ ମାନେ ମୁକ୍ତ ଓ ଅବାଧ ଭାବରେ ସମ୍ବାଦ ପରିବେଷଣ କରିବା ଉଚିତ୍। ଯେଉଁଠି ସ୍ବର ଅଧିକ ସେଇଠି ବିକାଶ ଅଧିକ। ଚାପରେ ପଡି ସମ୍ବାଦ ପରିବେଷଣ କରିବା ଆଦୌ ଶୋଭନୀୟ ନୁହଁ। ଚାପମୁକ୍ତ ହୋଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ। ଇଚ୍ଛା ଓ ଅଭିଳାଷ ପାଇଁ ସାମ୍ବାଦିକ ମାନେ କାମ କରୁଛନ୍ତି। ଗଣତନ୍ତ୍ର ସୁଦୃଢ ନହେଲେ ଦେଶର ଉନ୍ନତି ଅସମ୍ଭବ। ପ୍ରତ୍ୟେକ ସାମ୍ବାଦିକ ଦାୟିତ୍ବବାନ ହେଲେ ଯାଇ ସମାଜର ମଙ୍ଗଳ ହେବ ବୋଲି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଆଜି ଉପଖଣ୍ଡ ସାମ୍ବାଦିକ ସଂଘ, ରେଢାଖୋଲ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ “ଜାତୀୟ ପ୍ରେସ୍ ଦିବସ” ରେ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭା ପତିତ୍ବରେ ଅନୁଷ୍ଠିତ ଦିବସରେ ରେଢାଖୋଲ ପଂଚାୟତ ସମିତିର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ସମ୍ମାନୀତ ଅତିଥି, ଏନ୍ ଏସି ରେଢାଖୋଲ ଅଧ୍ୟକ୍ଷ ଶିବରାମ ସାହୁ, ସମ୍ମାନୀତ ଅତିଥି, ସାମ୍ବାଦିକ ପ୍ରଫୁଲ୍ଲ ଦାଶ (ପ୍ରଗତିବାଦୀ ବ୍ୟୁରୋ ଚିଫ୍ ) ମୁଖ୍ୟ ବକ୍ତା, ଦାଶରଥି ବେହେରା, ସମ୍ମାନୀତ ଅତିଥି, ଭୀମଭୋଇ ମହାବିଦ୍ୟାଳୟର ଅଧ୍ୟାପକ ଅଞନ କୁମାର ମିଶ୍ର, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମମତା ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଜନତାଙ୍କ ସ୍ବର ସବୁବେଳେ ବାହାରିପାରୁନି।

ସାମ୍ବାଦିକମାନେ ଚେଷ୍ଟା କଲେ ସାଧାରଣ ଜନତାଙ୍କ ସ୍ବର ସଂବାଦପତ୍ରରେ ପ୍ରକାଶ ପାଇପାରନ୍ତା। ସାମ୍ବାଦିକ ମାନେ ସମାଜର ଦର୍ପଣ। ସମାଜର ଯେ ପର୍ଯ୍ୟନ୍ତ ସମାଜର ବିକାଶ ହୋଇନି ସମାଜର ବିକାଶ ଅସମ୍ଭଵ ଵୋଲି ମତବ୍ୟକ୍ତ କରିଥିଲେ।

ଏହି ଦିବସରେ ସାମ୍ବାଦିକ ଶଙ୍କର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କନ୍ଦର୍ପ ବେହେରା ସଂପାଦକୀୟ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ, ଅନିଲ କୁମାର ପ୍ରଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ସାମ୍ବାଦିକ ସୁଶାନ୍ତ ନାଗ, ପ୍ରସନ୍ନକୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଷଡାନନ ପ୍ରଧାନ ଯୋଂଶବନ୍ତ ନାରାୟଣ ସାହୁ, ସୁଧିର କୁମାର ସୁନା, ରଶ୍ମିତା ରାଉତ, ସରୋଜ୍ କୁମାର ରାଉତ, ବିଦ୍ୟାଧର ମାଝୀ, ବିନୋଦ ସେଠୀ, ଲିଙ୍ଗରାଜ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପ୍ରେସ୍ ଏକାଡ଼େମୀ କାର୍ଯ୍ୟାଳୟରେ ପ୍ରେସ୍ ଦିବସ ପାଳିତ

ଭୁବନେଶ୍ୱର: ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଘୋଷିତ ଜାତୀୟ ପ୍ରେସ୍ ଦିବସ ଅବସରରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ପକ୍ଷରୁ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, କୋଭିଡ଼ ମହାମାରୀ ଫଳରେ ମୁଦ୍ରିତ ପ୍ରିଣ୍ଟମିଡ଼ିଆ ଅର୍ଥାତ୍ ମୁଦ୍ରିତ ସମ୍ବାଦପତ୍ର ଘୋର ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି।

ରାଜ୍ୟ ସରକାର ସହାନୁଭୂତି ସହ ବିଚାର କରି ବିଜ୍ଞାପନ ସମାନୁପାତିରେ ଆବଣ୍ଟନ କଲେ ବହୁ ସମ୍ବାଦପତ୍ର ବଞ୍ôଚପାରନ୍ତେ। କଂଗ୍ରେସର ବାର୍ତ୍ତା ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ, ସାମ୍ବାଦିକମାନଙ୍କର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଗତି କରୁଛି। ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ବ୍ୟବସ୍ଥା କରାଇଲେ ଗଣମାଧ୍ୟମ ସୁସ୍ଥ ହୋଇପାରିବ।

ଏହି ଉତ୍ସବରେ ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ, ବଳାରାମ ପ୍ରସାଦ ନନ୍ଦ, ରମେଶ ସାମନ୍ତରାୟ, ବିବେକାନନ୍ଦ ଜେନା, ବୈଷ୍ଣବ ଜେନା, ବିଜୟ କୁମାର ପଣ୍ଡା, ବିଜୟ ପରିଡ଼ା, ହଳଦଧର ଧୀର, ଆଲ୍‌ଫା ରାୟ ପ୍ରମୁଖ ଯୋଗଦେଇ ସମ୍ବାଦିକମାନଙ୍କ ବହୁବିଧ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।

ଉତ୍ସବରେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ ମତଦେବା ଅବସରରେ ସାମ୍ବାଦିକ ମାନଙ୍କର ପଞ୍ଜିକରଣ ଓ ପେନସନ ବ୍ୟବସ୍ଥା ସମ୍ପର୍କରେ ନୀତିଗତ ଭାବେ ନଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାରଙ୍କଠାରେ ପ୍ରସ୍ତାବ ଦେଇଛନ୍ତି। ଶେଷରେ ପ୍ରେସ୍ ଏକାଡ଼େମୀର ସମ୍ପାଦକ ରୀତାଞ୍ଜଳି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।